You are here
Home > ଅଧିକ ଖବର > ସୌନ୍ଦର୍ଯ୍ୟ ଗନ୍ତାଘର ହଳଦୀ

ସୌନ୍ଦର୍ଯ୍ୟ ଗନ୍ତାଘର ହଳଦୀ

ହଳଦୀ ଏକ ଏମିତି ଜିନିଷ ଯାହା ଘରେ ଘରେ ମହଜୁଦ । ବିନା ହଳଦୀରେ ରୋଷେଇ ଘରକୁ କଳ୍ପନା ବି କରାଯାଇନପାରେ । ଓଡିଆ ଘରେ ହଳଦୀକୁ ଶୁଭ ମାନିଥାନ୍ତି । ସେଥିପାଇଁ ସବୁ ଶୁଭ କାର୍ଯ୍ୟରେ ହଳଦୀ ଆଗ ଖୋଜାପଡେ । ସେହିପରି ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ମଧ୍ୟ ହଳଦୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତ୍ୱଚାର ସୁରକ୍ଷା ପାଇଁ ଆମେ ବିଭିନ୍ନ କସମେଟିକ ବା କେମିକାଲ କ୍ରିମ ବ୍ୟବହାର କରିଥାଉ । ତେବେ ଏସବୁ ବିନା କେତେକ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ଏକ ସୁନ୍ଦର ତ୍ୱଚାର ଅଧିକାରୀ ହୋଇପାରିବେ । ଏପରି କ୍ଷେତ୍ରରେ ହଳଦୀରେ ରହିଛି ସବୁଠୁ ଉକ୍ରୃଷ୍ଟ ଧରଣର ଔଷଧୀୟ ଗୁଣ । ବହୁ କାଳରୁ ହଳଦୀକୁ ସ୍ୱାସ୍ଥ୍ୟ ଉପଯୋଗୀ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ରୂପେ ବ୍ୟବହାର କରାଯାଉଛି ।
 ଗରମ ଦିନରେ ତ୍ୱଚା ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । ଘରେ ସାମାନ୍ୟ ଉପଚାର କରିପାରିଲେ ଆପଣଙ୍କ ତ୍ୱଚା ଉପରେ ଖରାର କୌଣସି ପ୍ରଭାବ ପଡିବ ନାହିଁ । ଘରକୁ ଫେରିବା ପରେ କଞ୍ଚା ହଳଦୀକୁ ବାଟି ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରେ ବେସନ ଓ କ୍ଷୀର ମିଶାନ୍ତୁ । ଭଲ ଭାବରେ ଏହି ତିନିଟି ଜିନିଷକୁ ମିଶାଇବା ପରେ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହାପରେ ଧୀରେ ଧୀରେ ଏହାକୁ ମାଲିସ କରନ୍ତୁ । ଏହାଦ୍ୱାରା ଶରୀରରେ ଥିବା ମୃତ କୋଷିକା ଓ ଧୂଳିମଳି ବାହାରିଯାଏ ଓ ତ୍ୱଚାରେ ଚମକ ଆସିଥାଏ ।
ତୈ÷ଳାକ୍ତ ତ୍ୱଚା ପାଇଁ ମୁଲତାନି ମାଟି ବେଶ ଉପକାରୀ । ସମାନ ପରିମାଣରେ ହଳଦୀ, ମୁଲତାନୀ ମାଟି ଓ କ୍ଷୀର ନେଇ ଏକ ମିଶ୍ରଣ ପ୍ରସ୍ତୁତ କରି ଲଗାନ୍ତୁ । କିଛି ସମୟ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ । ଏହି ମିଶ୍ରଣଟି ତ୍ୱଚାରେ ଶୀତଳତା ଦେଇଥାଏ । ଏହାଦ୍ୱାରା ତ୍ୱଚାରେ ଚମକ ମଧ୍ୟ ବୃଦ୍ଧି ପାଇଥାଏ ।
ବେଳେବେଳେ ଉତ୍ତମ ରକ୍ତ ସଞ୍ଚାଳନ ଓ ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ମୁହଁକୁ ସ୍କ୍ରବ କରିବା ଆବଶ୍ୟକ । ସେଥିପାଇଁ ଗୋଟିଏ ଚାମଚ ହଳଦୀ, ଗୋଟିଏ ଚାମଚ କ୍ଷୀର, ଗୋଟିଏ ଚାମଚ ଓଟ୍୍ସକୁ ମିଶାଇ ଏକ ସ୍କ୍ରବ ପ୍ରସ୍ତୁତ କରନ୍ତୁ । ଏହି ସ୍କ୍ରବକୁ ମୁହଁରେ ଲଗାଇ ଆଙ୍ଗୁଳି ସାହାଯ୍ୟରେ ହଲକା ଭାବେ ଗୋଲ ଆକାରରେ ସ୍କ୍ରବ କରନ୍ତୁ । ଦେଖିବେ ଧୀରେ ଧୀରେ ବ୍ରଣ ସମସ୍ୟାରୁ ଆପଣ ମୁକ୍ତି ପାଇବେ ।
ତ୍ୱଚାରେ ଚମକ ସହ ଗୋରାପଣ ଆଣିବାକୁ ଚାହୁଁଥିଲେ କେଶରକୁ ବ୍ୟବହାର କରିପାରିବେ । କେଶର ଅଧିକ ମୂଲ୍ୟଯୁକ୍ତ ହୋଇଥିଲେ ମଧ୍ୟ ଏହା ଏକ ଔଷଧ ଭାବେ କାମ କରିଥାଏ । ହଳଦୀରେ ଅଳ୍ପ କେଶର ମିଶାଇ ଏହାକୁ ଭଲ ଭାବରେ ବାଟି ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁରେ ଓ ଦେହରେ ଲଗାନ୍ତୁ । ଦେଖିବେ ଆପଣଙ୍କ ରଙ୍ଗରେ କିଛିଟା ପରିବର୍ତ୍ତନ ଦେଖାଯିବ । ଇନଷ୍ଟାଣ୍ଟ ଗ୍ଲୋ ଚାହୁଁଥିଲେ,ଗୋଟିଏ ଚାମଚ କ୍ଷୀରରେ କେଶରକୁ କିଛି ସମୟ ଭେଦିବାକୁ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ।
ଗୋଟିଏ ଚାମଚ ଗୋଲାପ ଜଳକୁ ହଳଦୀ ଗୁଣ୍ଡରେ ମିଶାନ୍ତୁ । ଏହାପରେ ସେଥିରେ ଅଧା ଚାମଚ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆଉ କ୍ଲାନ୍ତ ଲାଗିବ ନାହିଁ ।
କଞ୍ଚା ହଳଦୀର ଏକ ପେଷ୍ଟ ପ୍ରସ୍ତୁତ କରିବା ପରେ ସେଥିରେ ଚନ୍ଦନ ପାଉଡର ମିଶାନ୍ତୁ । ଆବଶ୍ୟକ ସ୍ଥଳେ ସେଥିରେ ଗୋଲାପ ଜଳ ମିଶାଇ ପାରନ୍ତି । ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ଅଧା ଚାମଚ ମହୁ ଗୋଟିିଏ ଚାମଚ ଅଟାରେ ହଳଦୀ ଗୁଣ୍ଡ ମିଶାନ୍ତୁ । ଫେସପ୍ୟାକ ପ୍ରସ୍ତୁତ କରିବା ପାଇଁ ଏହି ମିଶ୍ରଣରେ ଅଳ୍ପ ମାତ୍ରାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୧୦ ମିନିଟ ପରେ ଧୋଇ ଦିଅନ୍ତୁ ।
ହଳଦୀରେ ଲହୁଣି ମିଶାଇ ସବୁଦିନେ ଲଗାଇଲେ ତ୍ୱଚାର ଶୁଷ୍କପଣ ଦୂର ହେବା ସହ ତ୍ୱଚାରେ ଚମକ ଆସିଥାଏ ।
ସମସ୍ତେ ଭାବନ୍ତି ସୋରିଷ ତେଲକୁ ମୁହଁରେ ଲଗାଇଲେ ରଙ୍ଗ କଳା ପଡିଯାଏ । ତେବେ ଏହା ଏକ ଭୁଲ ଧାରଣା । ସୋରିଷ ତେଲ ଆମ ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ । କଞ୍ଚା ହଳଦୀକୁ ଭଲ ଭାବରେ ଛେଚି ଏହାର ରସ ବାହାର କରି ସେଥିରେ ସୋରିଷ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ତ୍ୱଚା ନରମ ରହିବା ସହ ଚମକ ଆସିବ ।

ONA

Leave a Reply

Top