You are here
Home > ଅଧିକ ଖବର > ସେଲଫି ଅଡୁଆ

ସେଲଫି ଅଡୁଆ

ସେଲ୍୍ଫି ନେଇ ଅଡୁଆରେ ପଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ୨୦୧୨ ବିଷାକ୍ତ ମଦ ମୃତ୍ୟୁ ମାମଲାର ଅଭିଯୁକ୍ତ ରାକେଶ ସିଂହଙ୍କ ସହ ସେଲ୍୍ଫି ପଦାକୁ ଆସିବା ପରେ ଏହାକୁ ନେଇ ଢେର ସମାଲୋଚିତ ହେଲେଣି ନୀତୀଶ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ରବିବାର ଦିନ ତାଙ୍କ ସରକାରୀ ବାସଭବନରେ ଅଭିଯୁକ୍ତ ରାକେଶ ସିଂହଙ୍କ ସହ ଫଟୋ ଓ ସେଲ୍ଫି ଉଠାଇଥିଲେ । ତାହା ଏବେ ଲୋକଲୋଚନକୁ ଆସିବାରୁ ଜେଡିୟୁ ଅପ୍ରସ୍ତୁତ ହୋଇଛି ଏବଂ ମଦ ମାଫିଆ ରାକେଶଙ୍କ ଜେଡିୟୁ ସଦସ୍ୟତା ରଦ୍ଦ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଫେଇ ଦେଇ କହିଛନ୍ତି, ରାକେଶ ଜଣେ ଶିକ୍ଷକଙ୍କ ସହ ତାଙ୍କ ବାସଭବନକୁ ଆସିଥିଲେ । ଶିକ୍ଷକ ଜଣକ ତାଙ୍କ ପୁତ୍ରର ବିବାହ ବେଳେ ଯୌତୁକ ନେବାକୁ ମନା କରି ପ୍ରଶଂସିତ ହୋଇଥିଲେ । ଶିକ୍ଷକଙ୍କ ସହ ଫଟୋ ଉଠାଇବା ବେଳେ ମଦ ବେପାରୀ ରାକେଶ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ପାଖରେ ବସିପଡ଼ିଥିଲେ । ଏହା ଜଣାପଡ଼ିବା ମାତ୍ରେ ସ୍ପଷ୍ଟ କରିଦିଆଗଲା ଯେ ରାକେଶଙ୍କ ସହ ମୁଖ୍ୟମନ୍ତ୍ରୀ କିମ୍ବା ଜେଡିୟୁ କୌଣସି ଭାବେ ସମ୍ପର୍କରେ ନାହାନ୍ତି । ୨୦୧୨ରେ ରାକେଶଙ୍କ ଦେଶୀ ମଦ ଦୋକାନରେ ବିଷାକ୍ତ ମଦ୍ୟ ପାନ କରି ୨୯ଜଣ ପ୍ରାଣ ହରାଇଥିଲେ । ରାକେଶ ଜେଡିୟୁର ଜଣେ ବ୍ଲକ୍ ସଭାପତି । ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲ୍ରେ ରହିବା ପରେ ଏବେ ଜାମିନରେ ଅଛନ୍ତି । ଏହି ଘଟଣା ପରେ ନୀତୀଶଙ୍କ ସହ ସେଲଫି ନେବା ଉପରେ ଅଲିଖିତ କଟକଣା ଜାରି ହୋଇଥିବା କୁହାଯାଉଛି ।

ONA

Leave a Reply

Top