You are here
Home > ଲାଟେଷ୍ଟ > ସୁର ବାବାଙ୍କୁ ମିଳିଲା ଜାମିନ

ସୁର ବାବାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି । ଛତ୍ରପୁର ଠାରେ ଏକ ଜମି ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ସୁରବାବାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁରବାବାଙ୍କ ଓକିଲ ଅଶୋକ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଛତ୍ରପୁରର ଏକ ଜମି ବାବଦରେ ପୂର୍ବରୁ ଓଡ଼ିଶା ହାଇକୋର୍ଟ ସୁରବାବଙ୍କ ଜାମିନ ନାମଞ୍ଜୁର କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ଆଦର୍ଶ ଗୋୟଲ ଓ ୟୁୟୁ ଲଳିତଙ୍କୁ ନେଇ ସୁପ୍ରିମକୋର୍ଟର ଏକଖଣ୍ଡପୀଠ ସୁର ବାବାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ।
୨୦୧୫ ମସିହା ସେପ୍ଟେମ୍ବର ପହିଲାରେ କ୍ରାଇମବ୍ରାଞ୍ଚସୁରବାବା ଓ ତାଙ୍କର ୨ ପୁଅଙ୍କୁ ଗିରଫ କରିଥିଲା । ସେମାନଙ୍କ ନାଁରେ ଜମି ଜାଲିଆତି ମାମଲା ରହିଥିଲା ।
ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ବିବାଦୀୟ ବାବା ସୁରେନ୍ଦ୍ରନାଥ ମିଶ୍ର ତଥା ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା । ଆଶ୍ରମରେ ମହିଳା ଭକ୍ତଙ୍କୁ ଯୌନ ଶୋଷଣ, ଜମି ହଡ଼ପ, ନରବଳି, ଅସାଧୁ ଉପାୟରେ ଧନ ସଂଗ୍ରହ ଏବଂ ହତ୍ୟା ଆଦି ସମ୍ପର୍କରେ ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ଗଠନ କରାଯାଇଥିଲା । ୨୦୦୯ରେ କେଉଁ ପରିସ୍ଥିତିରେ ଏହି ଆଶ୍ରମକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯାଇଥିଲା ଓ ଏଥିପାଇଁ କିଏ ସୁପାରିସ କରିିଥିଲେ, ସେ ସମ୍ପର୍କରେ ଅନୁଧ୍ୟାନ ହୋଇଥିଲା ।
ସୁରେନ୍ଦ୍ରନାଥ ମିଶ୍ର ଓ ତାଙ୍କ ଦୁଇ ପୁଅ ତ୍ରିଲୋଚନ ମିଶ୍ର ଏବଂ ବିରଞ୍ଚି ମିଶ୍ରଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେଇ ଅନେକ ତଥ୍ୟ ଜାଣିବାକୁ ପାଇଥିଲା । ଏହାପୂର୍ବରୁ ସୁରବାବାଙ୍କୁ କମିଶନରେଟ ପୋଲିସ ଗିରଫ ବେଳେ ତାଙ୍କ ଘର ଭିତରୁ ୨ଟି ବନ୍ଧୁକ ଓ ଗୁଳି ମିଳିଥିଲା ।
ଅନ୍ୟଏକ ଘଟଣାକ୍ରମରେ ପ୍ରମୋଦ ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇ ପ୍ରତାପ ମିଶ୍ରଙ୍କୁ ସୁରବାବା ଏବଂ ତାଙ୍କ ଦୁଇ ପୁଅ ୨୦୦୩ ମସିହାରେ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ । ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୋଥିରୁ ଲୋକମାନଙ୍କ ଭବିଷ୍ୟତ ଜାଣି ପାରୁଥିବା ପ୍ରଚାରିତ ହେବା ପରେ ସେଠାକୁ ବହୁ ଲୋକ ଯାତାୟତ କରୁଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରାହି ଅଚ୍ୟୁତ ଆଶ୍ରମର ଶାଖା ରହିଥିବାବେଳେ ରାଜ୍ୟ ବାହାରେ ମହାରାଷ୍ଟ୍ର, ଗୁଜୁରାଟ, ଝାଡ଼ଖଣ୍ଡ ଓ ବିହାରର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଆଶ୍ରମର ଶାଖା ରହିଥିଲା । ସେହିସବୁ ଆଶ୍ରମ ଜରିଆରେ ବିଭିନ୍ନ ରାଜ୍ୟରୁ ବହୁ ଲୋକ ନିୟମିତ ଝିଇଁଣ୍ଟି ଶାସନ ସ୍ଥିତ ଆଶ୍ରମକୁ ଆସୁଥିଲେ । ଏମାନଙ୍କ ମଧ୍ୟରେ ବହୁ ରାଜନେତା, ଅଭିନେତା, ଶିଳ୍ପପତି, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ରହିଥିଲେ । ଅନୁରୂପ ଭାବରେ ଆଶ୍ରମ ନିକଟସ୍ଥ ଅଚ୍ୟୁତ ନଗରରେ ମଧ୍ୟ ଅନେକ ଲୋକ ସ୍ଥାୟୀ ଭାବରେ ବସବାସ କରୁଥିଲେ ।

ONA

Leave a Reply

Top