You are here
Home > ଇଣ୍ଡିଆ > ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି: ତୃତୀୟ ଓଡ଼ିଆ ଭାବେ ଶତଥ ନେଲେ ଜଷ୍ଟିସ୍ ଦୀପକ ମିଶ୍ର

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି: ତୃତୀୟ ଓଡ଼ିଆ ଭାବେ ଶତଥ ନେଲେ ଜଷ୍ଟିସ୍ ଦୀପକ ମିଶ୍ର

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଦୀପକ ମିଶ୍ର ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସେ ଦେଶର ୪୫ତମ ମୁଖ୍ୟ ବିଚାରପତି ହୋଇଛନ୍ତି । ତୃତୀୟ ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଛନ୍ତି । ୨୦୧୮ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ ।
  ନ୍ୟାୟ ପ୍ରଦାନ କରିବାରେ ଜଷ୍ଟିସ ଦୀପକ ମିଶ୍ର ବେଶ ସୁନାମ ଅର୍ଜନ କରିଛନ୍ତି ।  ଉତ୍ତରାଖଣ୍ଡରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର  ସରକାରଙ୍କୁ ନିର୍ଦେଶ ଦେଇ ବେଶ ଚର୍ଚ୍ଚାକୁ ଆସିଥିଲେ ଜଷ୍ଟିସ୍ ମିଶ୍ର । ସିନେମା ହଲରେ ଚଳଚିତ୍ର ଆରମ୍ଭ ହେବା ପୂର୍ବରୁ ଜାତୀୟ ସଂଗୀତ ପ୍ରଦର୍ଶନ ପାଇଁ ସୁପ୍ରିମକୋଟଙ୍କ ଯେଉଁ ବେଞ୍ଚ ନିର୍ଦେଶ ଦେଇଥିଲେ ସେ ତାର ସଦସ୍ୟ ଥିଲେ । ଏହାବ୍ୟତୀତ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣି ହୋଇଥିବା ସୁପ୍ରିମକୋର୍ଟ ଖଣ୍ଡପୀଠରେ ସେ ଅନ୍ୟତମ ସଦସ୍ୟ ଥିଲେ । ଏଫଆରଆର ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ୱେବସାଇଟ୍ରେ ସମସ୍ତ ତଥ୍ୟ ଅପଲୋଡ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ  ।
  ମୁମ୍ବାଇ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ୟାକୁବ୍ ମେମନର ଫାଶୀ ରୋକିବା ଲାଗି ହୋଇଥିବା ଆବେଦନର ଶୁଣାଣି ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା । ରାତିସାରା ଶୁଣାଣି କରିବା ପରେ ସକାଳ ୪ଟା ୫୫ ମିନିଟ୍ରେ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ଜଷ୍ଟିସ୍ ମିଶ୍ର ।
  ପୂର୍ବରୁ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଓ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ । ଜଷ୍ଟିସ୍ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ  ମିଶ୍ରଙ୍କ ପୁତୁରା । ଜଷ୍ଟିସ୍ ମିଶ୍ର ୧୯୯୬, ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ୧୯୯୭ ଡିସେମ୍ବର ୧୯ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସୁପ୍ରିମକୋର୍ଟ ବିଚାରପତି ହେବା ପୂର୍ବରୁ ସେ ୨୦୦୯ ଡିସେମ୍ବରରେ  ପାଟଣା ହାଇକୋର୍ଟ ଓ ୨୦୧୦ ମେ ୨୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।

ONA

Leave a Reply

Top