You are here
Home > ଲାଟେଷ୍ଟ > ସୁନ୍ଦରଗଡରେ ବିଜେପିର ବନ୍ଦ: ଯାତାୟତ ଠପ୍

ସୁନ୍ଦରଗଡରେ ବିଜେପିର ବନ୍ଦ: ଯାତାୟତ ଠପ୍

ସୁନ୍ଦରଗଡ: କେନ୍ଦ୍ରାପଡା ଆଳି ଗସ୍ତ ବେଳେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଅଣ୍ଡାମାଡ ଘଟଣାର ପ୍ରତିବାଦ କରିଛି ସୁନ୍ଦରଗଡ ଜିଲ୍ଲା ବିଜେପି । ପ୍ରତିବାଦରେ ଜିଲ୍ଲା ବିଜେପି ଆଜି ୭ ଘଣ୍ଟିଆ  ସୁନ୍ଦରଗଡ  ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ପାଳନ କରିଛି ବିଜେପି । ଅନ୍ୟପକ୍ଷରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସଭାପତି ବଟ କିଶୋର ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରେମ ସାଗର ଓରାମଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ପିକେଟିଂ କରିଛନ୍ତି । ଫଳରେ ଝାରସୁଗୁଡା  ଏବଂ ରାଉରକେଲାକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣଭାବେ ଠପ୍ ହୋଇଯାଇଛି । ବନ୍ଦ ଦ୍ୱାରା ଏମସିଏଲର କୋଇଲା ପରିବହନ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ବ୍ୟାଙ୍କ ସେବା ଏବଂ ସ୍ୱାସ୍ଥ୍ୟ ସେବାକୁ ବନ୍ଦରୁ ବାଦ ଦିଆଯାଇଥିଲା ।
  ଗତ ୧୪ ତାରିଖରେ ଜୁଏଲ ଓରାମଙ୍କ କେନ୍ଦ୍ରାପଡା ଗସ୍ତ ବେଳେ କଂଗ୍ରେସ ତାଙ୍କୁ କଳାପତାକା  ଦେଖାଇଥିବା ବେଳେ ବିଜେଡି ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଥିଲା । ଅଣ୍ଡାମାଡ ଘଟଣାରେ ଆଟ୍ରୋସିଟି ଆକ୍ଟ  ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି  ଜିଲ୍ଲା ବିଜେପି ଦାବି କରିଛି । ଅଣ୍ଡାମାଡ ଘଟଣାରେ ୩୦୭ ଦଫା ଲାଗୁ  ହେଉଥିବା ବେଳେ ଜଣେ ଆଦିବାସୀ ମନ୍ତ୍ରୀଙ୍କୁ ଅଣ୍ଡାମାଡ କରାଯାଇଥିବା ବେଳେ କାହିଁକି ଆଟ୍ରୋସିଟି ଆକ୍ଟ ଲାଗୁ କରାଯାଉ ନାହିଁ ବୋଲି ଦଳ ପକ୍ଷରୁ ପ୍ରଶ୍ନ ଉଠାଯାଇଛି ।

ONA

Leave a Reply

Top