You are here
Home > ଏକ୍ସକ୍ଲୁସିଭ୍ > ସୁନା ସ୍ମଗଲିଂ ପଛରେ ନେତା

ସୁନା ସ୍ମଗଲିଂ ପଛରେ ନେତା

ସତରେ କ’ଣ ରାଜ୍ୟରେ ସୁନା ସ୍ମଗଲିଂ ଚାଲିଛି । ଯଦି ଚାଲିଛି ତେବେ ସୁନା ସ୍ମଗଲିଂ ପଛରେ କିଏ? କାହିଁକି ଏହାର ଗୁମର ଖୋଲିପାରୁନି? ଜାଣିଶୁଣି ଏହା ଉପରେ ପରଦା ଢାଙ୍କି ଦିଆଯାଉଛି କି? ରାଜ୍ୟରେ ଚାଲିଥିବା ସୁନା ସ୍ମଗଲିଂ ପଛରେ ସତରେ କ’ଣ ରହିଛି ରାଜନୈତିକ ପୃଷ୍ଠ ପୋଷକତା । ଭୁବନେଶ୍ୱର ଏୟାରପୋର୍ଟରୁ ଚୋରା ସୁନା ଚାଲାଣ ଧରାପଡିବା ପରେ ଏହା ଉପରୁ ପରଦା ନ ହଟିବାରୁ ଚାଲିଛି ଏମିତି ଚର୍ଚ୍ଚା । କୁହାଯାଉଛି ଏହି ସୁନା କାରବାରରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଉପକୂଳ ଜିଲ୍ଲାର ଜଣେ ଯୁବ ନେତାଙ୍କ ହାତ ଥିବାରୁ ଏହାକୁ ଚପାଇ ଦିଆଯାଉଛି ।

ଭୁବନେଶ୍ୱର: ୧୬ ନଭେମ୍ବର, ୨୦୧୭ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଧରା ପଡିଲା ସ୍ମଗଲିଂ ହେଉଥିବା ସୁନା । ୩୪ଟି ସୁନା ବାର୍ ମାଲେସିଆର କ୍ୱାଲାଲମ୍ପୁରରୁ ଏୟାର ଏସିଆ ବିମାନ ଯୋଗେ ଭୁବନେଶ୍ୱରକୁ ଗଳାବାଟରେ ଅଣାଯାଉଥିଲା । ୬୬୧.୫ ଗ୍ରାମର ଏହି ସୁନାର ମୂଲ୍ୟ ୧୯.୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ସ୍ମଗଲିଂ କରୁଥିବା କବିର ମହମ୍ମଦ ବକରଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଲା କଷ୍ଟମ୍ସ ବିଭାଗ । ପରେ କବିର ବ୍ୟାଗରୁ ଆହୁରି ୫୦ଗ୍ରାମ ସୁନା ବାହାରିଲା । ଏହାକୁ କଷ୍ଟମ୍ସ ବିଭାଗର ଏକ ବଡ ସଫଳତା ବୋଲି କୁହାଗଲା । ହେଲେ ଜବତ ହୋଇଥିବା ସୁନା ଗଲା କୁଆଡେ? କବିର ମହମ୍ମଦ ମାଲେସିଆରୁ କାହା ପାଇଁ ଏହି ସୁନା ନେଇ ଆସୁଥିଲେ କବିରଙ୍କ ଏହା ଭୁବନେଶ୍ୱର ଆସିବା ପ୍ରଥମ ନା ବହୁବାର ଆସିଛନ୍ତି ତାହା ଏବେବି ସସପେନସ୍ରେ ରହିଛି ।
ଶୁଣିବାକୁ ମିଳିଛି, ରାଜ୍ୟ ରାଜନୀତିର ଜଣେ ଯୁବ ନେତାଙ୍କର କୁଆଡେ ସୁନା ସ୍ମଗଲିଂର ପଛରେ ହାତ ରହିଛି । ସେ ହିଁ ହେଉଛନ୍ତି ଅସଲ କିଙ୍ଗପିନ । ତାଙ୍କ ପାଇଁ ଏହି ସୁନା ସ୍ମଗଲିଂ ଘଟଣା ନୂଆ ନୁହେଁ । ଏପରି ଭାବେ ଅନେକ ଥର କୁଆଡେ ସେ ବିମାନ ଯୋଗେ ବିଦେଶରୁ ଭୁବନେଶ୍ୱରକୁ ସୁନା ସ୍ମଗଲିଂ କରିଥିବା ଚର୍ଚ୍ଚା ହେଉଛି । ଆଉ ଏଥର ବି ତାଙ୍କ ଲାଗି କବୀର ମାଲେସିଆରୁ ସୁନା ଧରି ଭୁବନେଶ୍ୱର ଆସିଥିଲା । ହେଲେ ବେଳ ଖରାପ ପଡିବାରୁ ଧରା ପଡିଗଲା । ଏହି ଯୁବ ନେତା ଜଣଙ୍କର ବେଶୀ ଖ୍ୟାତି ନଥିଲେ ବି ତାଙ୍କର ଦଳରେ କୁଆଡେ ଢେର କାଟ୍୍ତିି ରହିଛି । ୨୦୧୪ ନିର୍ବାଚନରେ ସେ କୁଆଡେ ଉପକୂଳ ଓଡିଶାରୁ ନିର୍ବାଚନ ଲଢିଥିଲେ । ସେତେବେଳେ ନିର୍ବାଚନ ଲଢିଥିବା କେତେ ଜଣ କୋଟିପତି ପ୍ରାର୍ଥୀଙ୍କ ଭିତରେ ସେଥିଲେ ଜଣେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଉପକୂଳ ଜିଲ୍ଲାରୁ ବିଧାୟକ ପଦ ପାଇଁ ଲଢିଥିଲେ । ହେଲେ ଅଳ୍ପକେ ପରାଜିତ ହୋଇଥିଲେ ।
ନିର୍ବାଚନ ହାରିବା ପରେ ଏହି ନେତା ଜଣଙ୍କ ଏବେ ବିଧିବଦ୍ଧ ଭାବେ ଏକ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି । ଆଉ ସେଇ ନେତାଙ୍କ ନାଁରେ ଏକାଧିକ ସୁନା ବ୍ୟାବସାୟିକ ପ୍ରତିଷ୍ଠାନ ଓ ବିଲଡର ସଂସ୍ଥା ଥିବା ବି ଚର୍ଚ୍ଚା ହେଉଛି । ନିଜ ବେପାର ପାଇଁ ସେ କୁଆଡେ ସାଉଦି ଏବଂ ଲଣ୍ଡନରୁ ସୁନା ଚୋରା ଆମଦାନି କରନ୍ତି ବୋଲି ଶୁଣିବାକୁ ମିଳୁଛି । ସୁନା ବ୍ୟବସାୟ ନାଁରେ କଳାକୁ ଧଳା କରିବାରେ କୌଶଳରେ କୁଆଡେ ସେ ବେଶ୍ ସିଦ୍ଧହସ୍ତ । ତେବେ ଗତ ମାସରେ ଭୁବନେଶ୍ୱର ଏୟାରପୋର୍ଟରୁ ଯେଉଁ ସୁନା ଜବତ ହେଲା, ତାକୁ ପୁଣି କିପରି ନିଜ ପାଖକୁ ଫେରସ୍ତ ଆଣିପାରିବେ ସେ ନେଇ ସେ କୁଆଡେ ଯୋଜନା ଚଳାଇଥିବା ଖବର ମିଳିଛି । ଏଥିଲାଗି ସେ କାଳେ ତାଙ୍କ ଦଳର ନେତାଙ୍କ ପାଖରେ ଗୁହାରୀ କରିଛନ୍ତି ।

ONA

Leave a Reply

Top