You are here
Home > ଲାଟେଷ୍ଟ > ସିସୋର ଚିଟଫଣ୍ଡ ମାମଲା: ୫ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ସିସୋର ଚିଟଫଣ୍ଡ ମାମଲା: ୫ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର: ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସିବିଆଇ ଏହି ଘଟଣାରେ ଗତକାଲି ସଂଧ୍ୟାରେ ୫ ଜଣଙ୍କ ନାଁରେ ଦ୍ୱିତୀୟ ଚାର୍ଜସିଟ ଦାଖଲ କରିଛି । କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ସମେତ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ, ପ୍ରତିମା ହୋତା ଏବଂ ପ୍ରଦୀପ ହୋତାଙ୍କ ନାଁରେ ଭୁବନେଶ୍ୱର ସ୍ପେଶାଲ ଜର୍ଜ ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି ।  ସିସୋର୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ୬୦ ଜଣ ସାକ୍ଷୀ ରହିଛନ୍ତି ।  ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି । ଏହା ସହିତ ପ୍ରତିମା ହୋତା ଏବଂ ପ୍ରଦୀପ ହୋତା ନାଁରେ ୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଛି ।  ଅନ୍ୟପକ୍ଷରେ ଜେଲ୍‌ରୁ ମୁକୁଳିବାର ୨୪ ଘଣ୍ଟା ମଧ୍ୟରେ ଗିରଫ ହୋଇଥିବା ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସିବିଆଇ ୪ ଦିନିଆ ରିମାଣ୍ଡରେ ନେବା ପରେ ଗତକାଲି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ପ୍ରଶାନ୍ତଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ପ୍ରଶାନ୍ତ ଦାସ କରିଥିବା ଜାମିନ ଆବେଦନ ନେଇ ଗତକାଲି ପ୍ରତିପକ୍ଷ ଓକିଲ ଯୁକ୍ତି ବାଢିବା ପରେ କାଗଜପତ୍ର ଯାଂଚ କରିବାକୁ କୋର୍ଟ ୭ ଦିନ ସମୟ ନେଇଥିବା ସୂଚନା ମିଳିଛି । ଆସନ୍ତା ୧୮ ତାରିଖକୁ ଜାମିନ ଆବେଦନର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।  ଉଲ୍ଲେଖଯୋଗ୍ୟ, ସିସୋର୍‌ ସହିତ ଜମିକିଣା ବିକା ନେଇ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସେପ୍ଟେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ସିବିଆଇ ଗିରଫ କରିଥିଲା । ସେହିପରି ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଗତ ୫ ତାରିଖ ଦିନ ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ମୁକୁଳିବା ପରେ ଆଜି ତା’ପର ଦିନ ତାଙ୍କୁ ଗିରଫ କରାଯାଇଥିଲା । ୩ ଜଣଙ୍କ ଠାରୁ ୨୭ ଲକ୍ଷ ୫୯ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ଢେଙ୍କାନାଳ ପୋଲିସ ତାଙ୍କୁ ଗିରଫ କରିଥିଲା । ଯାହାର ଜାମିନ ଆବେଦନର ଶୁଣାଣୀ ଆସନ୍ତା ୧୮ ତାରିଖରେ ହେବ । 

ONA

Leave a Reply

Top