You are here
Home > ଅଧିକ ଖବର > ସାହସୀ ଜିତେ

ସାହସୀ ଜିତେ

ଗୋଟିଏ ଛେଳି ଥିଲା । ତାର ଗୋଟେ ଛୁଆ ଥିଲା । ଦୁହେଁ ଜଙ୍ଗଲରେ ଚରୁଥିଲେ । ଘାସ ଚରୁ ଚରୁ ଛେଳିକୁ ଶୋଷ ଲାଗିଲା । ତା ଛୁଆକୁ ବି ଶୋଷ ଲାଗିଲା । ଛେଳି କହିଲା, ଚାଲ ପାଣି ପିଇ ଆସିବା ଛୁଆ ବି କହିଲା, ହଁ ମାଆ ଚାଲ ପାଣି ପିଇବା । ପାଇ ପିଇବାକୁ ଛେଳି ନଦୀ ଆଡେ ଚାଲିଲା, ପଛେ ପଛେ ତା ଛୁଆ । ଦୁହେଁ କଥା ହୋଇ, ହସି ଗାଇ, ଚାଲିଥାନ୍ତି । ବାଟରେ ତା ଛୁଆକୁ ଛେଳି କହିଲା, ସାହାସରେ କାମ କଲେ ସକଟ ସହଜରେ ଟଳିଯାଏ । ଧୈର୍ଯ୍ୟ ରଖିଲେ ବିପଦ ବେଳେ ଆପେ ଆପେ ରାସ୍ତା ବାହାରି ଆସେ । ମାଆ କଥାକୁ ଛୁଆ ମନରେ ଗଣ୍ଠି କରିନେଲା । ଦୁହେଁ ନଦୀ କୂଳରେ ପହଂଚିଲେ । ସେଠି ପଂହଚି ଛେଳି ନଦୀକୁ ପ୍ରଣାମ କଲା । ନଦୀ ଦୁହିଁଙ୍କୁ ସ୍ୱାଗତ କଲା । ଆଉ କହିଲା, ଗଧିଆ ଆସିବା ସମୟ ହୋଇ ଗଲାଣି, ଶୀଘ୍ର ପାଣି ପିଇ ପଳାଅ । ଗଧିଆ ଭାରି ଦୁଷ୍ଟ, ସେ ମୋ ଭଳି ଛୋଟ ଛୁଆଙ୍କୁ ମାରି ଖାଇଯାଏ । ସେ ଭାରି ଗର୍ବୀ । ତୁମେ କାହିଁକି ତାକୁ ପାଖକୁ ଆସିବାକୁ ମନା କରୁନ । ପାଣି ପିଇବାକୁ କାହିଁକି ମନା କରି ଦେଉନ । ଛେଳି ଛୁୁଆ ଏତକ କଥା ନଦୀକୁ କହିଲା । ନଦୀ ହସିଲା, ଆଉ କହିଲା- ମୁଁ ଜାଣିଛି ଗଧିଆ ଭାରି ବଦମାସ । ଛୋଟ ଛୋଟ ଜୀବ ଜନ୍ତୁଙ୍କୁ ହଇରାଣ ହରକତ କରିବା କାମ ମୋର ବିଲକୁଲ ପସନ୍ଦ ନୁହେଁ । କିନ୍ତୁ କଣ କରିବି । ସେ ମୋ ପାଖକୁ ଯେତେବେଳେ ଆସେ, ଶୋଷିଲା ଥାଏ । ଶୋଷ ମେଂଟାଇବା ମୋର ଧର୍ମ । ମୁଁ ତାକୁ ମନା କରି ପାରିବିନି । ଛେଳି ଆଉ ତା ଛୁଆକୁ ଜୋର ଶୋଷ ଲାଗୁଥିଲା । ଦୁହେଁ ନଦୀର ପାଣି ପିଇଲେ । ପାଣଇ ବହୁତ ଥଣ୍ଡା ଆଉ ମିଠା ଥିଲା । ଦୁହେଁ ମନଭରି ପାଣି ପିଇଲେ । ପାଣି ପିଇ ଦୁହେଁ ହେଉଡି ମାରିଲେ । ହେଉଡି ମାରିବାରୁୁ ପେଟରେ ଟିକିଏ ଜାଗା ବାହାରିଗଲା । ଦୁହେଁ ପୁଣିଥରେ ପାଣି ପିଇବାକୁ ଲାଗିଲେ । ନଦୀ କିଛି କହିବାକୁ ଚାହୁଁଥିଲା, କିନ୍ତୁ ଦୁହିଁଙ୍କୁ ପାଣି ପିଇବା ଦେଖି ଚୁପ ରହିଗଲା ।
ପାଣି ପିଇସାରି ଛେଳି ମୁହଁ ଉଠାଇ ଦେଖିଲା, ତା ଆଗରେ ଲାଲ ଲାଲ ଆଖି କରି ଗଧିଆ ଠିଆ ହୋଇଛି । ତାର ରକ୍ତ ଜମାଟ ହୋଇଗଲା । ଛେଳି ଛୁଆ ବି ଗଧିଆକୁ ଦେଖି ତାଟକା ହୋଇଗଲା । କିଛି ସମୟ ଯାଏଁ ଦୁହିଁଙ୍କୁ କିଛି ବୁଦ୍ଧି ବାଟ ଦେଖା ଗଲାନି ।
ଗଧିଆ କହିଲା, ଆରେ ବାଃ, ଥଣ୍ଡା ଥଣ୍ଡା ପାଣି ସାଙ୍ଗକୁ ଗରମ ଗରମ ଖାଇବା ବି ମିଳିଗଲା । ଭଲ ହେଲା ତୁମେ ଦିହେଁ ଏଠି ମିଳିଗଲ । ମୋଟେ ଜୋର ଭୋକ ଲାଗିଲାଣି । ଆଗ ତୁମକୁ ଖାଇ ପେଟ ପୁରାଇବି, ତାପରେ ପାଣି ପିଇବି । ସେତେବେଳକୁ ଛେଳି ଏବଂ ଛେଳି ଛୁଆଙ୍କ ମୁଣ୍ଡରେ ଚେତା ପଶି ସାରିଲାଣି । ଛି ଛି, ତୁମେ କେତେ ଗନ୍ଧ ହେଉଛ । ମୁହଁସାରା ମାଛି ଭଣଭଣ ହେଉଛନ୍ତି । ଲାଗୁଛି ତୁମେ ମାସେ ହେଲାଣି ମୁହଁ ଧୋଇନ, ଛେଳି ଛୁଆ କହିଲା । ଏକଥା ଶୁଣି ଗଧିଆ ଟିକିଏ ଶଙ୍କିଗଲା । ସେତେବେଳେ ଛେଳି ତା ତୁ ଛୁଆକୁ କହିଲା- ତୁ ବୁଝି ପାରିବୁନି । ଗଧିଆ ହେଉଛି ଜଙ୍ଗଲର ମନ୍ତ୍ରୀ, ବଡ ଲୋକଙ୍କ ବଡ କଥା, ଆମେ କେମିତି ବୁଝାଇପାରିବା । ବୋଧହୁଏ ମୁହଁ ନଧୋଇବାକୁ ଗଧିଆ ଦାଦା ଶପଥ ନେଇଛନ୍ତି ।
ଗଧିଆ ଗରଗର ହୋଇ କହିଲା , ବେକାର କଥା କହୁଛ, ମୁଁ ଟିକିଏ ଆଗରୁ ବାଲିରେ ଘସି ମୁହଁ ସଫା କରିଥିଲି । ଛେଳି ଛୁଆ ସାହସ ଜୁଟାଇ କହିଲା, ଗଧିଆ ଦାଦା ତୁମେ ପୁରା ମିଛ କହୁଛ । ମୁହଁ ଧୋଇଥିଲେ ଏମିତି ଦେଖା ଯାଉଥାନ୍ତ । ଟିକିଏ ନଦୀ ପାଣିରେ ନିଜ ମୁହଁକୁ ଦେଖ, ସତ ଜାଣିପାରିବ ।ଗଧିଆ ଭାବିବାକୁ ଲାଗିଲା, ଛେଳିଟା ବଡ- ତା କଥାରେ ଭରସା ନାହିଁ । କିନ୍ତୁ ଛୋଟ ଛେଳି ଛୁଆଟା କଣ ମିଛ କହିବ । ସକାଳେ ବାଲିରେ ରଗଡି ମୁହଁ ସ‘ା କରିଥିଲି, ସେଥିରୁ କିଛି ଅସନା ମାଟି ମୁହଁରେ ଲାଗି ଯାଇଥିବ ବୋଧେ । ଏମିତି ଅପରିଷ୍କାର ପାଟିରେ ଏମାନଙ୍କୁ ଖାଇଲେ ପେଟକୁ ମଇଳା ଚାଲିଯିବ । ପୁଣି ନଦୀ ପାଣିରେ ମୁହଁକୁ ଦେଖି ଅସଲ କଥା ଜାଣିବାରେ କିଛି ଅସୁବିଧା ନାହିଁ । ମୁଁ ନଦୀ ପାଣିରେ ମୁହଁ ଦେଖୁ ଦେଖୁ ଏାମାନେ ଯେ ଦୌଡି ପଳାଇବେ ତାହା ଅସମ୍ଭବ । ଆଉ ଦୌଡି କେତେ ବାଟ ଯିବେ, ଗୋଟିଏ ଖେପାରେ ଦୁହିଁଙ୍କୁ ମାଡି ବସିବି ।
ଗଧିଆ ଧମକ ଦେଇ କହିଲା, ଦେଖ ମୁଁ ମୁହଁ ଧୋଇବାକୁ ଯାଉଛି, ଖସି ପଳାଇବାର ଚେଷ୍ଟା ବିଳକୁଲ କରନି । ନହେଲେ ମାରିଦେବି । ଛେଳି ହାତ ଯୋଡି କହିଲା, ଆମ ମାନଙ୍କର ଜନ୍ମ ତ ହେଇଛି ଆପଣମାନଙ୍କ ପେଟର ଭୋକ ମେଂଟାଇବାକୁ । ଆମେ ଜଙ୍ଗଲର ମନ୍ତ୍ରୀଙ୍କ ଭୋଟ ମେଂଟାଇପାରିବୁ ଆମ ପାଇଁ ଏହାଠୁ ଆଉ ବଡ ସୌଭାଗ୍ୟ କଣ ଅଛି । ଆପଣ ଆରାମରେ ଯାଇ ମୁହଁ ଧୋଇ ଆସନ୍ତୁ, ଏଇଠୁ ମାତ୍ର ୨୦ପାଦ ଦୁରରେ ନଦୀ ପାଣି ବେଶ ସଫା, ସେଠି ଯାଇ ମୁହଁ ଧୋଇ ଆସନ୍ତୁ, ଆଉ ଯଦି ବିଶ୍ୱାସ ହେଉନୁ ତେବେ ମୁଁ ଆପଣଙ୍କ ସାଙ୍ଗରେ ଯାଉଛି । ଛେଳିର ଏକଥା ଗଧିଆ ମନକୁ ପାଇଗଲା । ସେ ନଦୀର ସେହି ଜାଗାକୁ ଗଲା ଯେଉଁଠିକୁ ଯିବାକୁ ଛେଳି କହିଥିଳା । ସେଠି ନଦୀ ବହୁତ ଗଭୀର ଥିଲା, ଆଉ କୂଳ ଥିବା ଭାରି ଖସଡା । ସେଠି ପହଂଚି ଯେମିତି ଗଧିଆ ନଦୀରେ ମୁହଁ ଦେଖିବାକୁ ପାଣି ଆଡକୁ ନଇଁଛି, ପଛରୁ ଛେଳି ନିଜର ସବୁ ବଳ ଲଗାଇ ଗଧିଆକୁ ଜୋରରେ ଧକ୍କା ଦେଲା । ଗଧିଆ ନିଜର ମୋଟା ଚେହେରା ସମ୍ଭାଳି ପାରିଲାନି, ନଦୀ ଭିତରେ ଖସି ପଡିଲା । ସେ ଯେମିତି ନଦୀରେ ପଡିଛି ସେମିତି ଛେଳି ଜଙ୍ଗଲ ଆଡକୁ ଦୌଡିଲା, ପଛେ ପଛେ ଛେଳି ଛୁଆ । ଦୁହେଁ ବହୁତ ଦୁର ସୁରକ୍ଷିତ ସ୍ଥାନରେ ପହଂଚିଗଲେ । ଛେଳି ତା ଛୁଆକୁ ଗେଲ କଲା । ଛୁଆ ବି ସାହସୀ ଭଳିଆ ତା ମାଆକୁ ଦେଖୁଥିଲା । ଦୁଇ ଜଣଙ୍କ ମୁହଁରେ ଆତ୍ମବିଶ୍ୱାସ ଝଲକୁଥିଲା । ଛେଳି କହିଲା କିଛି ବୁଝିଲୁ । ଛୁଆ କହିଲା ହଁ, ସାହର ସହ କାମ କଲେ ବିପଦ ଟଳି ଯାଏ । ଆଉ ଧୈର୍ଯ୍ୟ ରଖିଲେ ରକ୍ଷା ପାଇବାର ବାଟ ମିଳିଯାଏ । ଛେଳି କହିଲା ସାବାସ । ଏହାପରେ ଦୁହେଁ ମନଭରି ହସିଲେ ।

ONA

Leave a Reply

Top