You are here
Home > ଅଧିକ ଖବର > ସାର୍ଟିଫିକେଟ୍ ସତ?

ସାର୍ଟିଫିକେଟ୍ ସତ?

ନିର୍ବାଚନ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସବୁବେଳ ଚର୍ଚ୍ଚାରେ ନେତା । ହେଲେ ଏବେ ଏହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ନେଇଛନ୍ତି ଶାସକ ଦଳର ଉପକୂଳ ଓଡିଶାର ଜଣେ ଟାଣୁଆ ବିଧାୟକ ଓ ଜଣେ ଟାଣୁଆ ସାଂସଦ । ଉଭୟେ ରାଜ୍ୟ ବାହାରେ ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢିଥିଲେ ବି ସାର୍ଟିଫିକେଟକୁ ନେଇ ଉଭୟଙ୍କ ସତ୍ୟ ପାଠରେ ରହିଛି ଭିନ୍ନତା । ସାଂସଦ ତଥାଗତ ସତପଥୀ ସତ୍ୟପାଠରେ ସେ ପାଠ ପଢିଥିବା ପଣ୍ଡିଚେରୀର ଶ୍ରୀଅରବିନ୍ଦ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଫ୍ ଏଜୁକେସନର ଇନ୍ଷ୍ଟିଚ୍ୟୁଟରୁ ସାର୍ଟିଫିକେଟ ମିଳେନି ବୋଲି ଦର୍ଶାଇଛନ୍ତି । ହେଲେ ବିଧାୟକ ଦେବାଶିଷ ସାମନ୍ତରାୟ କିନ୍ତୁ ସେଇ ଇନଷ୍ଟିଚ୍ୟୁଟରୁ କଳାରେ ସ୍ନାତକ ଡିିଗ୍ରୀ ହାସଲ କରିଥିବା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି କାହିଁକି ଉଭୟଙ୍କ ସତ୍ୟପାଠରେ ସାର୍ଟିଫିକେଟକୁ ନେଇ ରହିଛି ଦ୍ୱନ୍ଦ ।
ଭୁବନେଶ୍ୱର: ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ସବୁ ସମୟରେ ଚର୍ଚ୍ଚାର କେନ୍ଦ୍ର ରହିଛି । କିଏ ମାଟ୍ରିକ୍ ପାସ୍ ନ କରି ମନ୍ତ୍ରୀ ହୋଇଛନ୍ତି ତ ପୁଣି କିଏ ମୁକ୍ତ ସ୍କୁଲ ଅଧୀନରେ ଦଶମ ପରୀକ୍ଷା ଦେଉଛନ୍ତି । ଯେବେ ରମେଶ ମାଝୀ ପ୍ରଥମ ଥର ଆଇଟି ମନ୍ତ୍ରୀ ଥିଲେ, ସେ ସମୟରେ ତାଙ୍କର ମାଟ୍ରିକ ଯୋଗ୍ୟତା ନଥିବା ବିରୋଧୀଙ୍କୁ ବେଶ ଖୋରାକ୍ ଯୋଗାଇଥିଲା । ହେଲେ ଓଡିଶା ନେତାଙ୍କ ନିର୍ବାଚନୀ ସତ୍ୟପାଠକୁ ଯଦି ମେଳ କରାଯାଏ, ଦୁଇଜଣ ନେତାଙ୍କ ଏପରି ଶିକ୍ଷାଗତ ଯୋଗ୍ୟତା ମିଳିଛି ଯେଉଁଥିରେ ରହିଛି ଢେର ବ୍ୟତିକ୍ରମ । ଗୋଟାଏ ଅନୁଷ୍ଠାନରୁ ସଂପୃକ୍ତ ଦୁଇ ଜଣ ନେତା ପାସ୍ ହୋଇଛନ୍ତି । ହେଲେ ଜଣେ ନେତା ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତାରେ ଲେଖିଛନ୍ତି ଯେ ସେହି ଶିକ୍ଷାନୁଷ୍ଠାନ କୌଣସି ସାର୍ଟିଫିକେଟ୍ ପ୍ରଦାନ କରେନି, ଅଥଚ ଅନ୍ୟ ଜଣେ ନେତା ନିଜକୁ ସେହି ଶିକ୍ଷାନୁଷ୍ଠାନରୁ ବି.ଏ. ପାସ୍ ବୋଲି ଦର୍ଶାଇଛନ୍ତି । ସେହି ଦୁଇ ଜଣ ନେତା ହେଉଛନ୍ତି ବିଜୁ ଜନତା ଦଳର ବିଧାୟକ ଦେବାଶିଷ ସାମନ୍ତରାୟ ଓ ସାଂସଦ ତଥାଗତ ସତପଥୀ । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ବୁକରେ ଅଛନ୍ତି । ବଡ କଥା ହେଉଛି, ଉଭୟ ହେଉଛନ୍ତି ବିଜେଡିର ତୁଣ୍ଡ ଡାକ୍ତର ଦାମୋଦର ରାଉତଙ୍କ ଚରମ ଶତ୍ରୁ ।
ଉଭୟ ଦେବାଶିଷ ସାମନ୍ତରାୟ ଓ ତଥାଗତ ସତପଥୀ ପଣ୍ଡିଚେରୀ ସ୍ଥିତ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ୍ ଏଜୁକେସନରୁ ଶିକ୍ଷା ଗ୍ରହଣ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନ ଶ୍ରୀଅରବିନ୍ଦଙ୍କ ଆଶ୍ରମ ଅଧୀନରେ ରହିଛି । ଯେଉଁଠି ୧୮ ବର୍ଷର ପାଠ୍ୟକ୍ରମ ରହିଛି । କିଣ୍ଡରଗାର୍ଟେନ, ଲୋୟର ସେକେଣ୍ଡାରି, ହାୟର ସେକେଣ୍ଡାରି ଓ ଉଚ୍ଚଶିକ୍ଷା । ଉଚ୍ଚଶିକ୍ଷାରେ କଳା ଓ ବିଜ୍ଞାନ ଶିକ୍ଷା ଦିଆଯାଇଥାଏ । ତଥାଗତ ଓ ଦେବାଶିଷଙ୍କ ନିର୍ବାଚନୀ ସତ୍ୟପାଠରେ ସେମାନେ ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରିଥିବା ଦର୍ଶାଇଛନ୍ତି । ହେଲେ ଦୁହିଁଙ୍କ ପାଠପଢା ଓ ସାର୍ଟିଫିକେଟକୁ ନେଇ ଦ୍ୱନ୍ଦ୍ୱ ରହିଛି । ଦେବାଶିଷ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ ଏଜୁକେସନରୁ ଶିକ୍ଷା ଲାଭ କରିଥିବା ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି । ଏପରିକି ୧୯୮୨ ମସିହାରେ ସେଠାରୁ କଳାରେ ସ୍ନାତକ ଡିିଗ୍ରୀ ହାସଲ କରିଥିବା ଉଲ୍ଲେଖ କରିଛନ୍ତି ।
ଅନ୍ୟପଟେ ତଥାଗତଙ୍କ ସତ୍ୟପାଠ ଅଧାରରେ ସେ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ ଏଜୁକେସନରେ ପାଠ ପଢିଛନ୍ତି । ତେବେ ଏଠାରୁ କେବେ କୌଣସି ଶିକ୍ଷାଗତ ସାର୍ଟିଫିିକେଟ୍ ମିଳେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । କେଉଁ ବର୍ଷ ଶିକ୍ଷା ସମାପନ କଲେ, ସେ ସଂପର୍କରେ ମଧ୍ୟ କିଛି ତଥ୍ୟ ପ୍ରଦାନ କରି ନାହାନ୍ତି । ଏ ତଥ୍ୟ ଉଭୟଙ୍କ ୨୦୧୪ ନିର୍ବାଚନୀ ସତ୍ୟପାଠକୁ ତର୍ଜମା କରିବା ପରେ ମିଳିଛି । ଶ୍ରୀଅରବିନ୍ଦ ଆଶ୍ରମର ୱେବସାଇଟରୁ ମିଳିଥିବା ତଥ୍ୟ ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛି । କାରଣ ଏହି ଶିକ୍ଷାନୁଷ୍ଠାନ କୌଣସି ଡିଗ୍ରୀ ବା ଡିପ୍ଲୋମା ପ୍ରଦାନ କରେନି ବୋଲି ଦର୍ଶାଯାଇଛି । ହେଲେ ଯଦି କୌଣସି ଛାତ୍ର ସଫଳତା ସହ ଉଚ୍ଚଶିକ୍ଷା ସମାପନ କରେ, ଅନୁରୋଧକ୍ରମେ ସାର୍ଟିଫିକେଟ ପାଇଥାନ୍ତି ବୋଲି କୁହାଯାଇଛି ।
ଦ୍ୱନ୍ଦ୍ୱର କାରଣ ଯେ ଯଦି ଅନୁରୋଧକ୍ରମେ ଏଠାରୁ ସାର୍ଟିଫିକେଟ ମିଳେ, ତେବେ ତଥାଗତ ବାବୁ କିପରି ଦର୍ଶାଇଛନ୍ତି ଯେ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ ଏଜୁକେସନ କେବେ ବି ସାର୍ଟିଫିକେଟ୍ ଦିଏ ନାହିଁ । ଏହି କ୍ରମରେ ଦେବାଶିଷଙ୍କ ଶିକ୍ଷାଗତ ଯୋଗ୍ୟତାକୁ କ୍ଲିନଚିଟ ମିଳି ପାରେ । କାରଣ ସେ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ୍ ଏଜୁକେସନରୁ କଳାରେ ଉଚ୍ଚଶିକ୍ଷା ଲାଭ କରିଥିବା ଦର୍ଶାଇଛନ୍ତି । ହେଲେ କେଉଁଠାରେ ବି ଶିକ୍ଷାନୁଷ୍ଠାନ ସାର୍ଟିଫିକେଟ ପ୍ରଦାନ କରୁ ନଥିବା ଉଲ୍ଲେଖ କରି ନାହାନ୍ତି । ଏପରି ସ୍ଥିତିରେ ହୁଏତ ତଥାଗତ ବାବୁ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ ଏଜୁକେସନରୁ ସମସ୍ତ ପାଠ୍ୟକ୍ରମ ସଫଳତା ସହ ପାସ୍ କରି ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ହୁଏତ ଏହି କାରଣରୁ ପାଠ ସମାପନ ହୋଇଥିବା ବର୍ଷ ଉଲ୍ଲେଖ କରି ନାହାନ୍ତି ବୋଲି କଟାକ୍ଷ କରୁଛନ୍ତି ତଥାଗତଙ୍କ ସମାଲୋଚକ । ଉଚ୍ଚଶିକ୍ଷା ଲାଭ କରି ନଥିବା ସତକୁ ଲୁଚାଇବାକୁ ଯାଇ ତଥାଗତ ବାବୁ ଶ୍ରୀଅରବିନ୍ଦ ଇଣ୍ଟରନାସନାଲ୍ ସେଣ୍ଟର ଅଫ୍ ଏଜୁକେସନ ସାର୍ଟିଫିକେଟ୍ ଦିଏ ନାହିଁ ବୋଲି ଉଲ୍ଲେଖ କରି କୁହେଳିକା ସୃଷ୍ଟି କରୁଥିବା ବିଜେଡିର କିଛି ନେତା ଥଟ୍ଟା କରୁଛନ୍ତି । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ ପୁଣି ଉଚ୍ଚଶିକ୍ଷା ଲାଭ କରି ନାହାନ୍ତି; ଏହାଠାରୁ ହୁଏତ ଲଜ୍ଜାର ବିଷୟ ଆଉ କିଛି ନାହିଁ । ନିର୍ବାଚନୀ ସତ୍ୟପାଠରେ ନିଜର ବୃତ୍ତି ସାମ୍ବାଦିକ ବୋଲି ତଥାଗତ ବାବୁ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ କିଛି ନେତା ତଥାଗତଙ୍କୁ ଅପାଠୁଆ ସାମ୍ବାଦିକ କହି କଟାକ୍ଷ କରୁଛନ୍ତି । ତେବେ ତଥାଗତ ତ କଟାକ୍ଷରେ ମାଷ୍ଟ୍ରି କରିଛନ୍ତି । କେବେ ନିଜ ଭାଷଣରେ ବିଜେଡି ନେତାଙ୍କୁ ଚୋର କହି ତ ପୁଣି କେଉଁଠି ନିଜ ଦୈନିକ ଖବରକାଗଜ ମାଧ୍ୟମରେ ଶାସକରୁ ବିରୋଧୀ ଯାଏ ସମସ୍ତଙ୍କୁ ସଂହାର କରିବାରେ ସେ ସିଦ୍ଧହସ୍ତ । ତେଣୁ ତଥାଗତଙ୍କ ଶିକ୍ଷାଗତ ଯୋଗ୍ୟତାର ଦ୍ୱନ୍ଦ୍ୱକୁ ନେଇ ଯେଉଁଠି ଚର୍ଚ୍ଚା ଜୋର, ସେଠାରେ ତାକୁ ମଜାରେ ଉଡାଇ ଫାଇଦା ନେବା ଲକ୍ଷ୍ୟରେ ଶଙ୍ଖୁଆ ଥିବା କୁହାଯାଉଛି ।

ONA

Leave a Reply

Top