You are here
Home > ଏକ୍ସକ୍ଲୁସିଭ୍ > ସନା ସେନା ହେବ ପଲିଟିକାଲ ପାର୍ଟି

ସନା ସେନା ହେବ ପଲିଟିକାଲ ପାର୍ଟି

ରାଜ୍ୟରେ ଆଉ ଏକ ନୂଆ ରାଜନୈତିକ ଦଳ ସୃଷ୍ଟି ହେବାକୁ ଯାଉଛି । ବ୍ୟକ୍ତିଗତ ଉଦ୍ୟମରେ ଏହି ରାଜନୈତିକ ପାର୍ଟି ତିଆରି ହେବାର ଉଦ୍ୟମ ଆରମ୍ଭ ହୋଇଛି । ଖଣି ଖାଦନ ଭରା କେନ୍ଦୁଝର ଜିଲ୍ଲାରୁ ଏହି ପଲିଟିକାଲ ପାର୍ଟିର ଆକ୍ଟିଭିଟି ଜୋର ଧରିବ । ଜନ ସମୃଦ୍ଧି ପାର୍ଟ୍ଟି ନାଁରେ ଗଢା ହେବାକୁ ଯାଉଥିବା ରାଜନୈତିକ ଦଳର ମଙ୍ଗ ଧରିବେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବୋଲି ଚାଲିଛି ଚର୍ଚ୍ଚା ।

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ । ଖଣି ଖାଦନରେ ଭରା । କେବଳ ଓଡିଶା ନୁହେଁ ଦେଶର ମାନ ଚିତ୍ରରେ ବେଶ ଭଲ ଭାବରେ ଜଣା ଚମ୍ପୁଆ । ହେଲେ ଏଠିକା ରାଜନୀତିକୁ ନେଇ ବି ବେଶ ଚର୍ଚ୍ଚା ହୁଏ ରାଜ୍ୟ ରାଜନୀତିରେ । କାହିଁକି ସାରା ରାଜ୍ୟରେ ବିଜେଡି- ବିଜେପିର ହାଓା ଚାଲିଛି,ହେଲେ ତାହା ଚମ୍ପୁଆ ସୀମାକୁ ଛୁଇଁ ପଶି ପାରୁନି । ରାଜ୍ୟର ୧୧୭ ନିର୍ବାଚନ ମଣ୍ଡଳୀରେ ସବୁଠି ବିଜେଡିର ବାନା ଉଡୁଥିବାବେଳେ ଚମ୍ପୁଆରେ ଉଡୁୁଛି ସନା ସେନାର ବାନା । ଏଠି ୧୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚର୍ଚ୍ଚା ଅପେକ୍ଷା ଅଧିକ ଜୟଗାନ ହେଉଛି ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କର । ଏଠି ଚାଲେ ସନାଙ୍କ ରାଜ । ଖଣି ଶ୍ରମିକ ନେତାରୁ ସନାତନ ହୋଇପାରିଛନ୍ତି ବିଧାୟକ । ଅବଶ୍ୟ ଅମାପ ଧନ ସଂପତ୍ତିର ଅଧିକାରୀ ସନାତନ ମହାକୁଡ ଜନସେବା ଲାଗି ସ୍ଥାନୀୟ ଲୋକଙ୍କର ମନ ଜିଣିଛନ୍ତି । ଆଉ ଦରକାର ପଡିଲେ ଧନ ଦେଇ ସବୁ କିଣିପାରନ୍ତି ବୋଲି ତାଙ୍କୁ ନେଇ ଚର୍ଚ୍ଚା ବି ହେଉଛି । ଏମିତିକି ପ୍ରତିମାସରେ ସେ ନିଜ ଅଞ୍ଚଳରେ ମାସିକିଆ ଭତ୍ତା ବାଣ୍ଟିବା ଚର୍ଚ୍ଚା ବି ରହିଛି ତାଙ୍କ ନାଁରେ । ସେଥିପାଇଁ ଗଲା ନିର୍ବାଚନରେ ଏଠି ନବୀନ କି ମୋଦି ବାଣୀ କାମ କଲାନି । କୌଣସି ରାଜନୈତିକ ଦଳ ନୁହେଁ, ସନାତନଙ୍କୁ ଦେଇଛନ୍ତି ସମର୍ଥନ ।
ସନାତନ ମହାକୁଡ । ସ୍ୱାଧୀନ ଭାବେ ଲଢି ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ତତ୍ତ୍ୱପ୍ରକାଶ ଶତପଥି ଓରଫ କମେଡି କିଙ୍ଗ ପପୁ ପମ୍ ପମ୍ଙ୍କୁ ପରାଜିତ କରିଥିଲେ । ହୁଏତ ୨୦୦୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ, ହେଲେ ୨୦୧୪ ସ୍ୱାଧୀନ ଲଢି ଜିତିଲେ । ହେଲେ ଏଯାଏ କୌଣସି ରାଜନୈତିକ ଦଳରେ ଯୋଗ ଦେଇ ନାହାନ୍ତି । ତାଙ୍କ ଅନୁଗତମାନେ ସନା ସେନା କରି ସନାତନଙ୍କ ପାଇଁ କାମ କରୁଛନ୍ତି । ହେଲେ ବିନା ରାଜନୈତିକ ପରିଚୟ ରଖିଥିବା ସନା ସେନା ଏବେ ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ଆରମ୍ଭ କରିଛି ଯୋଜନା ବୋଲି ଭିତିରି ଖବର ମିଳିଛି । ହେଲେ ସନା ସେନା ନାଁରେ ନୁହେଁ, ବରଂ ଜନ ସମୃଦ୍ଧି ପାର୍ଟ୍ଟି ନାଁରେ ରାଜନୀତି ମଇଦାନକୁ ଓହ୍ଲାଇବେ ସନାତନ ମହାକୁଡ । ଏଥିଲାଗି ଜନ ସମୃଦ୍ଧି ପାର୍ଟ୍ଟି ନାଁରେ ରାଜନୈତିକ ଦଳ ଗଞିବାକୁ ଆବେଦନ କରିବେ ସନାତନ ବୋଲି ସୂଚନା ମିଳିଛି । ଏସଂପର୍କୀତ କାଗଜ ପତ୍ର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା କୁହାଯାଉଛି । ପଂଜିକରଣ ପାଇଁ ସନାତନ ମହାକୁଡ ଖୁବ୍ ଶୀଘ୍ର ଆବେଦନ କରିବେ ବୋଲି ଶୁଣିବାକୁ ମିଳିଛି । ଏମିତିବି ନିର୍ବାଚନରେ ପ୍ରାର୍ଥୀ ଦେବା ସନାତନ ମହାକୁଡଙ୍କ ପାଇଁ କିଛି ନୂଆ କଥା ନୁହେଁ,ଗତ ସାଧାରଣ ନିର୍ବାଚନରେ ବି ନିଜର ପ୍ରାର୍ଥୀ ଦେଇଥିଲେ ସନାତନ । କେନ୍ଦୁଝର ଲୋକସଭା ଏମପି ପ୍ରାର୍ଥୀ ସହ ତେଲକୋଇ, ଘସିପୁରା, ଆନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ସବୁ ବିଧାନସଭା ଆସନରେ ସ୍ୱାର୍ଧୀନ ପାର୍ଥୀ ଦେଇ କଂଗ୍ରେସ, ବିଜେଡି ଓ ବିଜେପି ସହ ଲଢି ଥିଲେ ସନାତନ ମହାକୁଡ । ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ଦିନରେ ଏକ ବିରାଟ ପଟୁଆରରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଯାହା ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା । ଗତ ଥର ଥିଲା ସନାତନ ମହାକୁଡଙ୍କ ଏହା ଟ୍ରେଲର ଆଉ ଏଥର ସେ ରିଅଲ ପଲିଟିକାଲ ଓାରକୁ ଓହ୍ଲାଇବା ଲାଗି ମଞ୍ଚ ପ୍ରସ୍ତୁତିରେ ଲାଗିଲେଣି ।
ଏଥିପାଇଁ ଯୋଜନା ବଦ୍ଧ ଭାବେ ସାରା କେନ୍ଦୁଝରରେ ସଂଗଠନ ଆରମ୍ଭ କରିଛନ୍ତି ସନାତନ ବାବୁ । ମାଆ ତାରିଣୀଙ୍କ ପୀଠ ଘଟଗାଁଠାରୁ ଆରମ୍ଭ କରି ପାଟଣା, ଆନନ୍ଦପୁର,କେନ୍ଦୁଝର,ଯୋଡା,ବଡବିଲ, ସବୁଠାରେ ସନା ସେନାର ପୋଷ୍ଟର । ଯେଉଁଠି ସନାତନ ମହାକୁଡ କେନ୍ଦୁଝରର ସମାଜସେବୀ ଭାବେ ଚିତ୍ରଣ କରାଯାଇଛି । ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଜନ ସମୃଦ୍ଧି ପାର୍ଟ୍ଟି ପଂଜିକୃତ ହୋଇ ନିର୍ବାଚୀ ଚିହ୍ନ ପାଇଯାଏ, ସନାତନ ଏକାକୀ କେନ୍ଦୁଝରର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବେ ବୋଲି ଖବର ମିଳିଛି । ଦଳ ଗଢିବା ଲାଗି ସନାତନଙ୍କ ପାଖରେ ଅର୍ଥ ବଳ କି ବାହୁବଳର ଅଭାବ ନଥିବା କୁହାଯାଉଛି । ଏହା ଭିତରେ ସନାତନଙ୍କ ସମ୍ପତ୍ତି ୨୦୦୯ରୁ ୨୦୧୪ ଭିତରେ ୧୭୦୦ ପ୍ରତିଶତ ବୃଦ୍ଧି ପାଇ ୬୯ କୋଟି ହୋଇଥିଲା । ଯାହା ୨୦୧୭ ସୁଦ୍ଧା ୧୦୦ କୋଟି ଅତିକ୍ରମ କରିଯାଇଥିବା ଅନୁମାନ କରାଯାଉଛି । କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସନାତନଙ୍କ ସମ୍ପତ୍ତି ଦେଖିଲେ ପ୍ରାର୍ଥୀ ଦେବା କଥା କି ଦଳ ଗଢିବା କଥା ଚିନ୍ତାକରିବା ସନାତନଙ୍କ ଲାଗି ଅସମ୍ଭବ ପରି ଲାଗୁନି । ହେଲେ ସନାତନଙ୍କ ରାସ୍ତାରେ ମଧ୍ୟ ରହିଛି ଅନେକ କଣ୍ଟା ।
ମାର୍ଚ୍ଚ ୧, ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଗସ୍ତରେ ଗଲେ କେନ୍ଦୁଝର । ଯେଉଁଠି ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ । ହେଲେ ଜିଲ୍ଲାର ବିଜେଡିକର୍ମୀ ଓ ବିଧାୟକଙ୍କଠାରୁ ସକ୍ରିୟ ଥିଲା ସନା ସେନା । ସନା ସେନା ଲେଖାଥିବା ହଳଦିଆ କପଡା ମୁଣ୍ଡରେ ଗୁଡାଇ ହଜାର ହଜାର ସନାତନ ମହାକୁଡ ସମର୍ଥକ ପହଞ୍ଚିଲେ ଏହି କାର୍ଯକ୍ରମରେ । ସନା ସେନାର ବିଶାଳ ସମୁଦ୍ରରେ କେଉଁଠି ଭାସିଗଲା ବିଜେଡି । ଚର୍ଚ୍ଚା ହେଲା, ବିଜେଡିରେ ଯୋଗ ଦେବା ଯୋଜନାରେ ଏ ଥିଲା ସନାତନ ମହାକୁଡଙ୍କ ଶକ୍ତି ପ୍ରଦର୍ଶନ । ହେଲେ ସମୟକ୍ରମେ ବିବାଦ ଘେରକୁ ସନାତନ ଟାଣି ହେବାରୁ ବିଜେଡି ବି ହାତ ଧରିଲାନି ।  ଜୁଲାଇ ୯, ୨୦୧୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରେ ବି ଆସିଲେ ସନାତନ । ବେଆଇନ ଖଣି ଉତ୍ତୋଳନ ଓ ପରିବହନ ଅଭିଯୋଗ ସନାତନଙ୍କ ଜତଗଜନନୀ ଟ୍ରାନସପୋଟସ୍ ଉପରେ ଚଢାଉ ହେଲା । ତଦନ୍ତର ସମ୍ମୁଖୀନ ହେଲେ ବାହୁବଳୀ ବିଧାୟକ ସନାତନ ମହାକୁଡ । ଏହା ପରେ ସନାତନଙ୍କ ବିରୋଧରେ ଆସିଲା ମହିଳା ନିର୍ଯାତନା ଅଭିଯୋଗ । ପୁଅ ପଙ୍କଜ କବିତା ମହାକୁଡ ନାମକ ଝିଅକୁ ପ୍ରତାରଣ ଦେଇଥିବା ଅଭିଯୋଗ ଆସିଲା ୨୦୧୬ ମସିହା ମାସରେ । ଯେଉଁଥିରେ କବିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାମଲା ଚପାଇବାକୁ ସନାତନ ଉଦ୍ୟମ କରିଥିବା ଅଭିଯୋଗ ଆସିଲା । ଏହି ସଙ୍କଟ ଟଳି ନଥିଲା ଯେ ହାଇକୋର୍ଟଙ୍କ ବେଡି ପଡିଲା । ଏପ୍ରିଲ ୨୨, ୨୦୧୬ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନ ସନାତନ ଜବରଦଖଲ କରିଥିବା ଜମିର ପାଚେରୀ ଭାଙ୍ଗିଲା । ବଡବିଲ ତହସିଲର ଉଚ୍ଛାବାଲି ମୌଜାର ୫ ଏକର ଜମିରେ ଜବର ଦଖଲ ହୋଇଥିଲା । ସେଠି ସନାତନଙ୍କ ଶୀତତାପ ନିୟନ୍ତ୍ରିତ ଗୁହାଳ ଘରକୁ ନେଇ ସାରା ରାଜ୍ୟରେ ଯୋର ଧରିଥିଲା ଚର୍ଚ୍ଚା ।  ବୃହତ ଝାଡଖଣ୍ଡ ଗଠନ ପାଇଁ ଦୀର୍ଘ ଦିନର ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ଉପରେ ଆଖେଇଛନ୍ତି ଝାଡଖଣ୍ଡ ସରକାର । ଅନେକ ପ୍ରୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ଅଙ୍କୁଶ ଲଗାଇଛନ୍ତି । ତେବେ ଯଦି ସାରା କେନ୍ଦୁଝରରେ ଜନ ସମୃଦ୍ଧି ପାର୍ଟ୍ଟିର ଶାସନ ଚାଲେ, ତେବେ ନବୀନ ରହିବେ ବ୍ୟାକ ଫୁଟରେ । ହେଲେ କେନ୍ଦୁଝର ମାଟିର ଓଡିଆ ପୁଅ ସନାତନ ଯେ ଓଡିଶାକୁ ଝାଡଖଣ୍ଡ ହାତରେ ଟେକି ଦେବେ, ତାହା କହିବା ଠିକ୍ ନୁହେଁ । କାରଣ ଜନ ସମୃଦ୍ଧି ପାର୍ଟ୍ଟି ଗଠନ କରି ଓଡିଶା ମାନଚିତ୍ରରେ ଖଣି ଅଂଚଳର କେନ୍ଦୁଝରକୁ ସନାତନ ଏକ ସ୍ୱତନ୍ତ୍ର ସ୍ଥାନ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ONA

Leave a Reply

Top