You are here
Home > ଅଧିକ ଖବର > ସଞ୍ଜୟଙ୍କ ଦେହରୁ ବିଜୟ ବାସ୍ନା?

ସଞ୍ଜୟଙ୍କ ଦେହରୁ ବିଜୟ ବାସ୍ନା?

♦ ଛାତ୍ର-ଯୁବ ବିଜେଡି ମଧ୍ୟରେ ଶୀତଳ ଯୁଦ୍ଧ
♦ ନାଟ ଲଗାଉଛନ୍ତି ୨ ଯୁବ ବିଧାୟକ
♦ ବିଜୟ ମାର୍କା ସଞ୍ଜୟ ଆଉ ଶ୍ରୀକାନ୍ତ ମାର୍କା ଅରୁଣ
♦ ସଞ୍ଜୟଙ୍କୁ ପାନେ ଦେବା ପାଇଁ କଥା ଉଡାଉଛନ୍ତି ଅରୁଣ

ଭୁବନେଶ୍ୱର, (ସଞ୍ଜୟ ପ୍ରଧାନ): ବିଜୁ ଜନତା ଦଳର ଦୁଇ ଛାମୁଆ ସଂଗଠନ ହେଉଛନ୍ତି ଯୁବ ଓ ଛାତ୍ର । ହେଲେ କିଛି ମାସ ତଳେ ଦଳର ଏହି ଦୁଇ ସଂଗଠନର ନୂଆ ରାଜ୍ୟ କମିଟି ଗଠନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଚାଲିଥିବା ଖବର ମିଳିଛି । ଏହାର ମୁଖ୍ୟ କାରଣ କୁଆଡେ ୨ ସଂଗଠନର ଦାୟିତ୍ୱରେ ଥିବା ଦୁଇ ଯୁବ ବିଧାୟକ । ରାଣା ପ୍ରତାପ ପାତ୍ର ରାଜ୍ୟ ଛାତ୍ର ବିଜେଡିର ସଭାପତି ହୋଇଥିବାବେଳେ ଅମରେଶ ପତ୍ରୀ ଯୁବ ବିଜେଡି ସଭାପତି ଅଛନ୍ତି । ହେଲେ ଛାତ୍ର ଗୋଷ୍ଠୀଙ୍କୁ ମନିଟରିଂ କରୁଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସେହିପରି ଦଳର ଯୁବ ସଂଗଠନ ରହିଛି ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଅଧୀନରେ । ମନ୍ତ୍ରିମଣ୍ଡଳ ଅଦଳବଦଳରେ ବିଦା ହୋଇଥିବା ଅରୁଣ ଓ ସଞ୍ଜୟଙ୍କ ଭିତରେ ମନମାଳିନ୍ୟ ଚାଲିଛି । ଏପରିସ୍ଥିତିରେ ସଞ୍ଜୟଙ୍କ ପାଖ ଲୋକ ଛାତ୍ର ବିଜେଡି ସଭାପତି ରାଣା ହୋଇଥିବାବେଳେ ଅମରେଶ ହେଉଛନ୍ତି ଅରୁଣଙ୍କ ଅନୁଗତ । ଅମରେଶଙ୍କ ପଦକୁ ନେଇ ସଞ୍ଜୟ ଖୁସି ନଥିବା ଚର୍ଚ୍ଚା ହେଉଛି । କାରଣ ଅମରେଶ ଦାୟିତ୍ୱ ନେବାର ୧୫ ଦିନ ମଧ୍ୟରେ ତାଙ୍କ ପଦ ବଦଳି ଯାଇଥିଲା । ହେଲେ ପୁଣି ଅରୁଣଙ୍କ ସହଯୋଗରେ ପଦ ଫେରି ପାଇଥିଲେ ଅମରେଶ ।
ପ୍ଲାନ ମୁତାବକ ଗତ ନଭେମ୍ବର ୧୨ରୁ “ୟୁଥ ଓଡିଶା-ନବୀନ ଓଡିଶା”ନାମରେ ରାଜ୍ୟବ୍ୟାପୀ କ୍ୟାମ୍ପେନ କରିଥାନ୍ତା ବିଜେଡି । ହେଲେ ଯୁବ ନାଁ ଥାଇ ଛାତ୍ରଙ୍କ ନାଁ ନଥିବାରୁ କୁଆଡେ ବିରୋଧ ହେଲା । କୁହାଯାଉଛି, ଏହା ପଛରେ ଥିଲା ସଞ୍ଜୟଙ୍କ ହାତ । ଛାତ୍ର-ଯୁବ ବିବାଦ ବନ୍ଦ କରିବା ପାଇଁ ଶେଷରେ କାର୍ଯ୍ୟକ୍ରମର ନାଁ ବଦଳିଲା । ଏପରିକି ନବୀନଙ୍କ ନାଁକୁ ବି ବାଦ୍ ଦିଆଯାଇ“ଯୁବ-ଛାତ୍ର ସଂପର୍କ ଅଭିଯାନ”ରଖାଗଲା । ଅଭିନେତା ତଥା ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ସଂଯୋଜନାରେ ଗତ ନଭେମ୍ବର ୧୮ରୁ ଏହି କ୍ୟାମ୍ପେନ ଆରମ୍ଭ ହେଲା । ହେଲେ ପୁଣି ଥରେ ବିରୋଧ ମୁଣ୍ଡ ଟେକିଲା । ଆଉ କିଛି ଯୁବ ଓ ଛାତ୍ର କମିଟି ସଦସ୍ୟ କୋଣଠେସା ଅନୁଭବ କରି ବିଦ୍ରୋହ କଲେ ।
ଏହି ବିଦ୍ରୋହକୁ ବନ୍ଦ କରିବା ପାଇଁ ପୁଣି ଥରେ ଛାତ୍ର ଓ ଯୁବ କମିଟିର ବୈଠକ ଡକାଗଲା । ବିଧାନସଭା ଶୀତକାଳୀନ ଅଧବେଶନ ଚାଲିଥିବା ସମୟରେ ଏହି ରୁଦ୍ଧଦ୍ୱାର ବୈଠକ ହୋଇଥିଲା ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ । ଏହାକୁ ପରିଚାଳନା କରିଥିଲେ ରାଜ୍ୟସଭା ସଦସ୍ୟ ପ୍ରତାପ କେଶରୀ ଦେବ । ବୈଠକରେ ଅନେକ ସମୟ ଧରି ଛାତ୍ର ଓ ଯୁବ ସଂଗଠନ କର୍ମକର୍ତ୍ତାଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା । ଶୁଣିବାକୁ ମିଳିଛି, ଏହି ବିବାଦ ପାଇଁ ଅନେକ ନେତା ସଞ୍ଜୟଙ୍କୁ ଦାୟୀ କରିଥିଲେ । ହେଲେ ଏହାଠାରୁ ବଡ ବାଣ ଛାଡିଲେ ଅରୁଣ ସାହୁ । ସେ କୁଆଡେ କହୁ କହୁ କହି ଦେଲେ ଯେ “ସଞ୍ଜୟଙ୍କ ଦେହରୁ ବିଜୟ ମହାପାତ୍ରଙ୍କ ବାସ୍ନା ଯାଇନି” । ଏହା ସତ ଯେ ବିଜେପି ନେତା ବିଜୟ ମହାପାତ୍ରଙ୍କ ଅନୁଗତ ହେଉଛନ୍ତି ସଞ୍ଜୟ । ବିଜୟଙ୍କ ସହ ଓଡିଶା ଗଣ ପରିଷଦ(ଓଜିପି)ରେ ବି ସେ ଥିଲେ । ବିଜୟ ଯେ ତାଙ୍କ ରାଜନୈତିକ ଗୁରୁ, ଏ କଥାକୁ ଖୋଦ୍ ସଞ୍ଜୟ ବି ଅସ୍ୱୀକାର କରନ୍ତି ନାହିଁ । ହେଲେ ବର୍ତ୍ତମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ ରାଜନୈତିକ ଶତ୍ରୁ ହେଉଛନ୍ତି ବିଜୟ ମହାପାତ୍ର । ତାଙ୍କ ଛାଇକୁ ନବୀନ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ନବୀନ ଏପରି ଗୋଟି ଚାଳନା କରୁଛନ୍ତି ଯେ, ୧୭ ବର୍ଷରୁ ଅଧିକ ହେଲା ବିଜୟ ବିଧାନସଭା ମାଡି ପାରୁ ନାହାନ୍ତି ।
ଏପରି ସ୍ଥିତିରେ ସଞ୍ଜୟଙ୍କ ବିଜୟ ପ୍ରେମକୁ ପୁଣି ଉଜ୍ଜୀବିତ କରିବା ଅର୍ଥ ହେଉଛି ଯେ ବିଜେଡି ରାଜନୀତିରେ ତାଙ୍କୁ ଅଡୁଆରେ ପକାଇବା । ତାହା ପୁଣି ପ୍ରତାପ ଦେବଙ୍କ ଆଗରେ । ଯାହାଙ୍କୁ ପଠାଯାଇଥିଲା ବୈଠକର ସବିଶେଷ ଖବର ନବୀନ ଓ ତାଙ୍କ କ୍ଷମତା ସଂପନ୍ନ ପ୍ରଶାସକଙ୍କୁ ଦେବା ପାଇଁ । ସେ ଯଦି ନବୀନଙ୍କୁ ସଞ୍ଜୟଙ୍କ ବିଜୟ ପଲିସି କଥା କହି ଦେବେ, ତେବେ ଅଡୁଆରେ ପଡି ଯିବେ ସଞ୍ଜୟ । ଆଉ ସମସ୍ତେ ଜାଣିଛନ୍ତି ଯେ ଥରେ ଯଦି ନବୀନ କାହାକୁ ବି ଛି କରିଛନ୍ତି, ତାକୁ ଦ୍ୱିତୀୟ ସୁଯୋଗ ଦିଅନ୍ତି ନାହିଁ । ଅରୁଣଙ୍କ କଟାକ୍ଷରୁ ଯଦି ଏପରି ସଞ୍ଜୟଙ୍କ ସହ ହୁଏ, ତେବେ ରାଜନୀତିରୁ ସେ ଆଉଟ୍ ହେବାର ସମ୍ଭାବନା ରହିଛି । ଆଉ ଗୋଟାଏ କଥା, ଏଟି ଚିଟ୍ଫଣ୍ଡ ଦୁର୍ନୀତିରେ ଜେଲ ବି ଯାଇ ପାରନ୍ତି । ସଞ୍ଜୟଙ୍କୁ ଅରୁଣଙ୍କ ଏପରି ତାତ୍ସଲ୍ୟ ଯେ କେବଳ ମଜା ଥିଲା, ତାକୁ ସାବ୍ୟସ୍ତ କରିବାକୁ ନବୀନଙ୍କ ଠାରୁ ଆରମ୍ଭ କରି ଅନେକ ମହଲରେ କୈଫିୟତ ଦେଇ ସଞ୍ଜୟ ବୁଲୁଥିବା ଶୁଣିବାକୁ ମିଳିଛି । ଏପରିକି ଶ୍ରୀକାନ୍ତ ଜେନାଙ୍କ ଏକଦା ପଟ୍ଟଶିଷ୍ୟ ବୋଲାଉଥିବା ଅରୁଣ ସାହୁ ମନ୍ତ୍ରୀ ପରିଷଦରୁ ଗଲା ପରେ ବାଉଳା ହେଉଛନ୍ତି ବୋଲି ସଞ୍ଜୟଙ୍କ କ୍ୟାମ୍ପ ପ୍ରଚାର ଚଳାଉଛନ୍ତି । ତେବେ ପ୍ୟାରୀ ମହାପାତ୍ରଙ୍କ ଆଶୀର୍ବାଦରେ ବିଧାୟକ ହୋଇ ଠିକଣା ସମୟରେ ପ୍ୟାରୀଙ୍କୁ ଧୋକା ଦେଇ ଛୁ ମାରିଥିବା ସଞ୍ଜୟ-ଅରୁଣଙ୍କ ପାଇଁ ଗୁରୁ ବିଜୟ-ଶ୍ରୀକାନ୍ତ କିଛି ଗୁରୁତ୍ୱ ରଖୁଥିବେ କି ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ONA

Leave a Reply

Top