You are here
Home > ଅଧିକ ଖବର > ସଞ୍ଜୟଙ୍କୁ ନବୀନ ନିବାସ ମନା!

ସଞ୍ଜୟଙ୍କୁ ନବୀନ ନିବାସ ମନା!

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ଓଡିଶାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଭବିଷ୍ୟତ ସବୁବେଳେ ସୂତା ଖିଅରେ । ଯିଏ ବି ଖାଉଟିଙ୍କ କଲ୍ୟାଣ ବିଭାଗ ପାଇଛି, ତାକୁ ସତେ ଯେପରି ଶନି ଗ୍ରାସ କରିଛି । ହବିବୁଲ୍ଲା ଖାନ, ଗଣେଶ୍ୱର ବେହେରା, ବେଦପ୍ରକାଶ ଅଗ୍ରୱାଲ, ମନମୋହନ ସାମଲ, ଶାରଦା ନାୟକ ଓ ପ୍ରତାପ ଦେବ ଏହି ବିଭାଗର ମନ୍ତ୍ରୀ ହେବା ପରେ ଶନିଦଶା ଭୋଗିଛନ୍ତି । ଏମାନେ ପରବର୍ତ୍ତୀ ନିର୍ବାଚନରେ ପରାଜିତ ହୋଇଛନ୍ତି ବା ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି । ଏହି କ୍ରମରେ ଏବେ ଯୋଡି ହୋଇଯାଇଛନ୍ତି ମନ୍ତ୍ରୀ ଦାସବର୍ମା । ଗତ ମେ’୬ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସଞ୍ଜୟ ଦାସବର୍ମା । ଅବଶ୍ୟ ସେତେବେଳେ ସଂଗଠନ ପାଇଁ୧୦ ମନ୍ତ୍ରୀ ସାମୂହ ଭାବେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ୟଙ୍ଗ ବ୍ରିଗେଡ ସଞ୍ଜୟଙ୍କ ସମେତ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂହଦେଓ, ସୁଦାମ ମାରାଣ୍ଡି ଓ ପ୍ରଦୀପ ପାଣିଗ୍ରାହୀ ସୁପ୍ରିମୋ ନବୀନଙ୍କ ନିଦେ୍ର୍ଦଶରେ ମନ୍ତ୍ରୀ ପଦ ଛାଡି ବିଜେଡି ସଂଗଠନ ସୁଦୃଢ କରିବାରେ ମାତିଛନ୍ତି । ଶୁଣିବାକୁ ମିଳୁଛି, କୁଆଡେ ପ୍ରଣବ ପ୍ରକାଶଙ୍କ ଛଡା ଆଉ କାହାର ବି ଇଚ୍ଛା ନଥିଲା ମନ୍ତ୍ରୀ ପଦ ଛାଡିବାକୁ । ହେଲେ ବାଧ୍ୟବାଧକତାରେ ସେମାନଙ୍କୁ ମନ୍ତ୍ରୀ ପଦ  ଛାଡିବାକୁ ପଡିଲା  । ତକ୍ରାଳୀନ ଯୁବ ବିଜେଡି ରାଜ୍ୟ ସଭାପତି ସଞ୍ଜୟ ସଂଗଠନ କଥା ଶୁଣିଲେ ନାକ ଟେକୁଥିଲେ । ଯେଉଁଥିପାଇଁ ଦାସବର୍ମା, ନବୀନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ପ୍ରଶ୍ନ କରିଥିବା ଶୁଣିବାକୁ ମିଳିଛି ।
ପ୍ରାୟ ୩ ବର୍ଷ ଧରି ମନ୍ତ୍ରୀ ପଦରେ ରହି କ୍ଷମତା ଉପଭୋଗ କରିଥିବା ସଞ୍ଜୟଙ୍କୁ ବୋଧେ ଏହା ଅପମାନ ପରି ଲାଗିଲା । ନ ହେଲେ ଏଟି ଚିଟଫଣ୍ଡ ଦୁର୍ନୀତି ଓ ପାଜେରୋ ଗାଡି ପ୍ରସଙ୍ଗରେ ତ କେବେ ଠାରୁ ତାଙ୍କୁ ବିଦା କରି ପାରିଥାନ୍ତେ ମୁଖ୍ୟମନ୍ତ୍ରୀ । ସେତେବେଳେ ଯଦି ବିଦା କଲେନି, ଏବେ କାହିଁକି? ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ସଞ୍ଜୟ ସିଧା ନବୀନ ନିବାସ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡ୍ୟାନଙ୍କ ମଧ୍ୟରେ କିଛି ଆଲୋଚନା ଚାଲିଥିଲା । ସେହି ସମୟରେ କୁଆଡେ ସଞ୍ଜୟ ପୁର୍ନବାର ମନ୍ତ୍ରୀ ପଦ ପାଇଁ ପାଟି ଫିଟାଇଥିବା ନେଇ ଖବର ମିଳିଛି । ଏଥିରେ ଉଭୟ ଅରାଜି ହେବାରୁ ମନ୍ତ୍ରୀ ପଦ ଯିବାର କାରଣ ପଚାରିଥିଲେ ଦାସବର୍ମା । ବିରକ୍ତ ହୋଇ ପାଣ୍ଡ୍ୟାନ ବାବୁ ଓ ମୁଖ୍ୟମନ୍ତ୍ରୀ ସଞ୍ଜୟଙ୍କୁ ଭଲମନ୍ଦ ଶୁଣାଇଥିଲେ । ବେଶ କିଛି ସମୟ ଗାଳି ଶୁଣିବା ପରେ ସେଠାରୁ ପଳାଇ ଆସି କିଛି ଦିନ ପାଇଁ ଦଳୀୟ ନେତାଙ୍କ ଠାରୁ ସଞ୍ଜୟ ଦୂରତା ରକ୍ଷା କରିଥିବା ନେଇ ସୂଚନା ମିଳିଛି ।
ସେପଟେ ଯାହା ଖବର ରହିଛି, ସଞ୍ଜୟଙ୍କ ଉପରେ ନବୀନ ପୂର୍ବରୁ ହିଁ ବିରକ୍ତ । ଏ ନେଇ ଅନେକ କାରଣ ରହିଛି । ନବୀନଙ୍କ ଖାସମଖାସ୍ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ସଞ୍ଜୟଙ୍କ କଥା କଟାକଟି ବି ଏହାର ବଡ କାରଣ । କିଛି ମାସ ତଳେ ଯାଜପୁର ବିଧାୟକ ପ୍ରଣବଙ୍କ ଭାଇଙ୍କ ବିବାହ ଭୁବନେଶ୍ୱରର ତାରକା ହୋଟେଲରେ ହୋଇଥିଲା । ସେଠାରେ ସଞ୍ଜୟ ଓ ଦେବାଶିଷଙ୍କ ମଧ୍ୟରେ ଏପରି ଝଗଡା ହୋଇଥିଲା ଯାହା ବ୍ୟକ୍ତିଗତ ସ୍ତରକୁ ଚାଲି ଯାଇଥିଲା । ମନ୍ତ୍ରୀ ପଦ ଯିବା ପଛରେ ଦେବାଶିଷଙ୍କର ହାତ ଅଛି ବୋଲି ସେ ଅଭିଯୋଗ କଲେ । କ୍ରୋଧୀ ଦେବାଶିଷ ଶୁଣାଇ ଦେଲେ ଯେ-ଯିଏ ମନ୍ତ୍ରୀ ପଦ ନେଇ ପାରିବ, ସେ କ୍ୟାରିୟର ବି ଖତମ୍ କରି ପାରିବ! ଦେବାଶିଷ ସେହି ଘଟଣା ନବୀନଙ୍କ ପାଖରେ ବଖାଣି ଥିଲେ । ସେହିପରି ରାଜ୍ୟ ଯୁବ ବିଜେଡି ସଭାପତି ପଦରୁ ତାଙ୍କୁ ହଟାଇ ଅମରେଶ ପତ୍ରୀଙ୍କୁ ବସାଇବା ନିଷ୍ପତ୍ତିକୁ ହଜମ କରି ପାରିଲେନି ସଞ୍ଜୟ । ସେଥିପାଇଁ ଯୋଜନା କରି ଅମରେଶଙ୍କୁ ୨ସପ୍ତାହ ମଧ୍ୟରେ ଭୁବନେଶ୍ୱର ଯୁବ ବିଜେଡି ଜୋନ ସଂଯୋଜକ କଲେ । ପରେ ନବୀନ ପୁଣି ଥରେ ରାଜ୍ୟ ସଭାପତି ପଦ ଅମରେଶଙ୍କୁ ଦେଇଥିଲେ ।
ଏବେ ଆଉ ସଞ୍ଜୟଙ୍କର ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯିବା ଆସିବା ଏକପ୍ରକାର ବନ୍ଦ ହୋଇଯାଇଛି । ଏପରିକି କାଁଭାଁ ନବୀନ ନିବାସ ଯାଉଛନ୍ତି । ଆଗରୁ ଯେଉଁ ଥାଟରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲେ, ତାହା ଏବେ ବନ୍ଦ । ଯଦି ବି ଆସୁଛନ୍ତି ପ୍ରଣବ କି ଅତନୁଙ୍କ ପରି ନେତାଙ୍କ ଗାଡି ପଛରେ ବସି । ନବୀନ ବି ଅନୁଭବ କଲେଣି ଯେ ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ବ୍ରହ୍ମଗିରି ବିଜେଡି ପାଇଁ ଅସୁରକ୍ଷିତ ହୋଇଯାଇଛି । ଲୁଲୁଙ୍କ ପରିବାର ପ୍ରତି ସମ୍ବେଦନ ହାୱା ବୋହୁଛି, ଯାହାକି ଆଗାମୀ ନିର୍ବାଚନରେ ସଞ୍ଜୟଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ । ଆଉ ଯଦି ସଞ୍ଜୟ ବିଜେଡି ଲାଗି କଣ୍ଟା ସାଜନ୍ତି, ଏଟି ଚିଟଫଣ୍ଡ ଦୁର୍ନୀତିରେ ତାଙ୍କୁ ଜେଲ ବି ପଠା ଯାଇ ପାରିବ । କାରଣ ନବୀନଙ୍କ ଦିଲ୍ଲୀ ଲବି ଓ କେନ୍ଦ୍ର ବିଜେପି ନେତାଙ୍କ ସହ ଉତ୍ତମ ସଂପର୍କ କଥା ଅଛପା ନୁହେଁ । ସେପଟେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ  ସମ୍ପର୍କ ଭଲ । ଲଳିତେନ୍ଦୁଙ୍କ ରାଜନୈତିକ କ୍ୟାରିୟର ଲାଗି ଧର୍ମେନ୍ଦ୍ରଙ୍କର ଇଛା ପୂରଣ କରିବାକୁ ସଞ୍ଜୟଙ୍କୁ ବଳି ପକାଇବାକୁ ନବୀନ ପଛାଇବେ ନାହିଁ । ଶୁଣିବାକୁ ମିଳିଛି, ସଞ୍ଜୟ ଯଦି ଶୃଙ୍ଖଳାକୁ ନ ଫେରିନ୍ତି, ତେବେ ସେ ଯେ କୌଣସି ମୁହୂର୍ତ୍ତରେ  ନବୀନଙ୍କ ତାଲିକାରୁ ବାଦ୍ ପଡି ପାରନ୍ତି!

ONA

Leave a Reply

Top