You are here
Home > ଅଧିକ ଖବର > ଶ୍ରେଷ୍ଠ ସରପଞ୍ଚଙ୍କୁ ନାଲିଆଖି

ଶ୍ରେଷ୍ଠ ସରପଞ୍ଚଙ୍କୁ ନାଲିଆଖି

ରାୟଗଡ଼ା : ଦେଶର ସର୍ବଶ୍ରେଷ୍ଠ ସରପଞ୍ଚ ଭାବେ ସମ୍ମାନିତ ଡ୍ରିଞ୍ଜ ଜାକାସିକା ଓ ତାଙ୍କ ଭାଇ ଜିତୁ ଜାକାସିକାଙ୍କୁ ଲାଲ ବାହିନୀର ନାଲି ଆଖି । ମାଓବାଦୀଙ୍କ ବାସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟି ପକ୍ଷରୁ ଉଭୟଙ୍କୁ ଚେତାବନୀ ସହ ପ୍ରଜାକୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅବମାନନା କଲେ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି । ହେଲେ ଉଭୟ ଡ୍ରିଞ୍ଜ ଜାକାସିକା ଓ ଜିତୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଜାକୋର୍ଟ ନୁହଁ ନିୟମଗିରି ବାସିନ୍ଦା ସେମାନଙ୍କ ବାବଦରେ ନିଷ୍ପତ୍ତି ନେବେ ।
ଡଙ୍ଗରିଆ ଜନଜାତି କନ୍ଧ ସଂପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ବିଷମକଟକ ବ୍ଳକ କୁର୍ଲି ପଞ୍ଚାୟତର ସରପଞ୍ଚ ଡ୍ରିଞ୍ଜ ଜାକାସିକା ଭିସା ପାଇବା ପରେ କିଛି ଦିନ ତଳେ ଇଣ୍ଡୋନେସିଆର ବାଲିକୁ ଯାଇଥିଲେ । ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଉନ୍ନତି ପାଇଁ ସେ କାର୍ଯ୍ୟ କରିଆସୁଛନ୍ତି । ଦେଶର ଶ୍ରେଷ୍ଠ ସରପଞ୍ଚ ଭାବେ ପୁରସ୍କୃତ ହୋଇଛନ୍ତି ଡ୍ରିଞ୍ଜ । ଏଣେ ତାଙ୍କ ଭାଇ ଜିତୁ ଜାକାସିକା ରାୟଗଡା ଜିଲ୍ଲା ଆଦିବାସୀ ବିକାଶ ପରିଷଦର ସଦସ୍ୟ ରହିଛନ୍ତି । ଏବେ ମାଓବାଦୀମାନେ ଡ୍ରିଞ୍ଜ ଓ ତାଙ୍କ ଭାଇ ଜିତୁଙ୍କୁ ଧମକ ଦେଇଛନ୍ତି । ମାଓବାଦୀମାନେ ଅଭିଯୋଗ କରିଛନ୍ତି ଯେ, ଡ୍ରିଞ୍ଜ ଓ ଜିତୁ ମିଳିତ ଭାବେ କୁର୍ଲି, ହୁଟେସି, ମୁଣ୍ଡବାଲି, ହୁଣ୍ଡାଝୋଲି ଆଦି ଗାଁରେ ବସବାସ କରୁଥିବା ନିଜ ସଂପ୍ରଦାୟର ଲୋକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ନିୟମଗିରିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି ତାକୁ ବିରୋଧ କରିବାକୁ ପ୍ରବର୍ତ୍ତାଉଛନ୍ତି । ଖଣି ଖନନ ହେଲେ ବିକାଶ ହେବ ବୋଲି କହି ଭୁବନେଶ୍ୱରରେ ର୍ୟାଲି କରାଯାଉଥିବା ମାଓବାଦୀମାନେ ପ୍ରେସ ବିବୃତ୍ତିରେ ଅଭିଯୋଗ କରିଛନ୍ତି । ୨୦୧୩ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିୟମଗିରିରେ ଆୟୋଜିତ ପଲ୍ଲୀସଭାରେ ସେଠାକାର ବାସିନ୍ଦା ଖଣି ଖନନକୁ ପ୍ରତ୍ୟାଖାନ କରିଥିଲେ । ତଥାପି ପୁଣିଥରେ ପଲ୍ଲୀସଭା କରିବା ପାଇଁ ସେମାନଙ୍କ ସମର୍ଥକ ହିଁ ହାଇକୋର୍ଟରେ ଆବେଦନ କରିଥିବା ମାଓବାଦୀମାନେ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ଏଥିପାଇଁ ପ୍ରଜାକୋର୍ଟରେ ସେମାନେ ହାଜିର ହେବାକୁ ଫତୁଆ ଜାରି କରିଛନ୍ତି । ଏନେଇ ମାଓବାଦୀଙ୍କ ବାସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟିର ସମ୍ପାଦକ ଉମାକାନ୍ତ ଏକ ପ୍ରେସ ବିବୃତ୍ତିି ଜାରି କରି ଏହି ଚେତାବନୀ ଦେଇଛନ୍ତି । ସେପଟେ ପ୍ରତିକ୍ରିୟାରେ ଡ୍ରିଞ୍ଜ ଓ ତାଙ୍କ ଭାଇ ଜିତୁ କହିଛନ୍ତି, ଡଙ୍ଗରିଆ ଜନଜାତିଙ୍କର ସାମାଜିକ ଓ ଆର୍ôଥକ ବିକାଶ ପାଇଁ କାର୍ଯ୍ୟ କରିବା ବେଳେ ରାଜନୈତିକ ଅଭିସନ୍ଧି ରଖି କିଛି ବ୍ୟକ୍ତି ସେମାନଙ୍କ ବିରୋଧରେ ମାଓବାଦୀଙ୍କୁ ମତାଉଛନ୍ତି । ହେଲେ ଗରିବ ଆଦିବାସୀଙ୍କ ଉନ୍ନତି ପାଇଁ କାମ କରୁଛୁ । ତେଣୁ ମରିବାର ଭୟ ନାହିଁ । ଆମ ବାବଦରେ ଯାହା କିଛି ନିଷ୍ପତ୍ତି କେବଳ ନିୟମଗିରି ବାସିନ୍ଦା ନେବେ । କୁର୍ଲି ପଞ୍ଚାୟତବାସୀ ବୈଠକ କରି ଏହି ଧମକ ସମ୍ପର୍କରେ ସେମାନଙ୍କ ନିଷ୍ପତ୍ତି ନେବେ । ତେବେ ଆମେ କେବେ ବି ବେଦାନ୍ତ କାରଖାନା ପାଇଁ କାର୍ଯ୍ୟ କରୁନୁ । ବରଂ ଗତ ୧୫ ବର୍ଷ ହେବ ନିୟମଗିରିର ଲୋକଙ୍କୁ ସାଥିରେ ନେଇ ନିୟମଗିରି ସଂଗଠନ ନାମରେ ଆନ୍ଦୋଳନ ଜାରି ରହିଛି । ଆମ ସମ୍ପ୍ରଦାୟର ଲୋକଙ୍କ ସହିତ ଆନ୍ଦୋଳନରେ ସାମିଲ ହୋଇଛୁ । ବେଦାନ୍ତ ବିରୋଧରେ ଆମେ ଲଢ଼େଇ କରୁଛୁ ବୋଲି ଡ୍ରିଞ୍ଜ କହିଛନ୍ତି । ସେହିଭଳି ଗତ ଜାନୁଆରୀ ୨୬ ତାରିଖରେ ଡ୍ରିଞ୍ଜଙ୍କ ଇଣ୍ଡୋନେସିଆର ବାଲି ଗସ୍ତକୁ ମଧ୍ୟ ମାଓବାଦୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ‘ପରଦେଶ’ ନାମକ ଏକ ସିନେମା ସୁଟିଂ ପାଇଁ ଡ୍ରିଞ୍ଜ ବାଲିକୁ ଯାଇଥିବା ମାଓବାଦୀମାନେ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ଡ୍ରିଞ୍ଜ ଖଣ୍ଡନ କରିଛନ୍ତି । ଡ୍ରିଞ୍ଜ କହିଛନ୍ତି ଯେ, ସିନେମା ସୁଟିଂ ନୁହଁ ବରଂ ଫିଲ୍ମ ଫେଷ୍ଟିଭାଲକୁ ମୁଁ ଅତିଥି ଭାବେ ଯାଇଥିଲି । ବିଭିନ୍ନ ଦେଶର ଆଦିବାସୀଙ୍କ ସମ୍ପର୍କରେ ବିଭିନ୍ନ ସିନେମା ସେଠାରେ ପ୍ରଦର୍ଶିତ ହୋଇଥିଲା । ଆଉ ସେଠି ଅତିଥି ଭାବେ ଯୋଗଦେଇ ମୁଁ ବ୍ୟକ୍ତିିଗତ ଭାବେ ଖଣି ଖନନ ଓ ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁୁ ବିରୋଧ କରିଥିଲି । ବର୍ତ୍ତର୍ମାନ ଡଙ୍ଗରିଆ କନ୍ଧମାନେ ଯେଉଁ ସ୍ଥିତିରେ ଅଛନ୍ତି ପୂର୍ବରୁ ସେହିଭଳି ନଥିଲା । ମୁଣ୍ଡକୁ ଛଣ ଛପର ଖଣ୍ଡିଏ ନଥିବା ବେଳେ ମୁଁ ବ୍ୟକ୍ତିଗତ ଭାବେ ସଂଗ୍ରାମ କରି ସେମାନଙ୍କ ପାଇଁ ଇନ୍ଦିରା ଆବାସ ଓ ଅନ୍ୟ ଯୋଜନା ଆମ ପଞ୍ଚାୟତକୁ ଆଣିଛି । ସେହିଭଳି ଡଙ୍ଗରିଆ ସମ୍ପ୍ରଦାୟର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଜାରି ରଖିଛି । ଯାହାକୁ ନିୟମଗିରିର କିଛି ଲୋକ ବିରୋଧ କରି ଅପପ୍ରଚାର ଚଳାଇଛନ୍ତି । ତେବେ ମାଓବାଦୀଙ୍କ ଏହି ଧମକ ନେଇ ପୋଲିସରେ କୋ÷ଣସି ଅଭିଯୋଗ କରାଯିବ ନାହିଁ ବୋଲି ଉଭୟ ଡ୍ରିଞ୍ଜ ଓ ଜିତୁ କହିଛନ୍ତି ।

ONA

Leave a Reply

Top