You are here
Home > ଅଧିକ ଖବର > ଶାଶୂ ଘରେ ଝିଅ

ଶାଶୂ ଘରେ ଝିଅ

କଟକ : ମନରେ ଥିଲା ଅସୁମାରୀ ସ୍ୱପ୍ନ । ବାହା ହେବେ, ବୋହୂ ସାଜି ସ୍ୱାମୀଙ୍କ ହାତ ଧରି ଶାଶୂଘରକୁ ଯିବେ । ଗଢିବେ ନୂଆ ଘର ସଂସାର । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପାଦରୁ ଅଳତା, ହାତରୁ ମେହେନ୍ଦୀ ଲିଭିନି । ନୂଆ ସଂସାର ଆରମ୍ଭ ହେବା ଆଗରୁ ସବୁକିଛି ଭାଙ୍ଗି ଗଲା । ଛାରଖାର କରିଦେଲା ବିଧିର କ୍ରୁରତା । ଏବେ ନୂଆ ଠିକଣା, କିନ୍ତୁ ପରିଚୟରେ ଆସିଛି ପରିବର୍ତ୍ତନ । ବୋହୂ ବଦଳରେ ଶାଶୂ ଘରେ ଏବେ ଝିଅର ପରିଚୟ । ଆଉ ଝିଅର ପରିଚୟ ଖୁସିରେ ମିଳିନି । ଏହା କୌଣସି ନାଟକର ସଂଳାପ ନୁହେଁ, ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣରେ ଅଳ୍ପକେ ବର୍ତ୍ତି ଯାଇଥିବା ନବବଧୂ ରୀମା ସାହୁଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଛି ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ସୌମ୍ୟଶେଖର ସାହୁଙ୍କ ସହ ରୀମା ସାହୁଙ୍କର ଗତ ଫେବ୍ରୁଆରୀ ୧୮ରେ ବିବାହ ହୋଇଥିଲା । ବାହାଘର ଭୋଜି ଦିନ ସେମାନଙ୍କ ନିକଟକୁ କୋରିଅର ଯୋଗେ ଏକ ପାର୍ସଲରେ ଉପହାର ଆସିଥିଲା । କିଏ ଜାଣିଥିଲା ଯେ ଏହି ପାର୍ସଲରେ ମୃତ୍ୟୁଦୂତ ହିଁ ଆସିଛି । ଫେବ୍ରୁଆରୀ ୨୩ରେ ସେମାନେ ପାର୍ସଲ ଖୋଲି ଦେଖିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ସାତ ଜନମ ପାଇଁ ହାତ ଧରିଥିବା ତାଙ୍କ ସ୍ୱାମୀ ସୌମ୍ୟଶେଖର ସବୁଦିନ ପାଇଁ ଆଖି ବୁଜିଥିଲେ । ଆଉ ସୌମ୍ୟଙ୍କ ଜେଜେମାଆଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଘର ଭିତର ଛିନଛତର ହୋଇଯାଇଥିଲା । ଆହତ ରୀମାଙ୍କୁ ପ୍ରଥମେ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଫେବ୍ରୁଆରୀ ୨୫ ତାରିଖରେ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରୀମା ଏସ୍ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ୩ ନମ୍ବର କ୍ୟାବିନରେ ରହି ଚିକିତ୍ସିତ ହେଉଥଲେ । ତାଙ୍କ ଶରୀରର ୩୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ବେଳେ ପାଟଣାଗଡ଼ ପୋଲିସ ଏସ୍ସିବି ମେଡିକାଲରେ ରୀମାଙ୍କର ବୟାନ ରେକର୍ଡ କରିଥିଲା । ପ୍ରାୟ ୧ମାସ ପରେ ରୀମା ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ । ଏହା ପରେ ସେ ଖୁବ ଭାଙ୍ଗି ପଡିଥିଲେ । ନ୍ୟାୟ ପାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ୪ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏହାର ତଦନ୍ତ ଭାର ହାତକୁ ନେଇଥିଲା । ଏବେ ବି ଘଟଣାର ତଦନ୍ତ ଚାଲୁ ରହିଛି । ଅପରାଧୀ ଧରାପଡିନାହିଁ । ଏଭିତରେ କଟକ ଏସସିବି ମେଡିକାଲରେ ପ୍ରାୟ ଦେଢ ମାସ ଧରି ଚିକିତ୍ସିତ ହେବା ପରେ ରୀମା ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବା ପରେ ସେ ଘରକୁ ଫେରିଛନ୍ତି । ନବ ବିବାହିତା ରୀମା ସାହୁ କହିଛନ୍ତି, ସେ ଆଉ ବିବାହ କରିବେ ନାହିଁ । ପୂରା ଜୀବନ ଏକାକୀ କାଟିଦେବେ । ଶାଶୂଘରେ ଝିଅ ହୋଇ ରହିବେ । ଏଥିରେ ମଧ୍ୟ ଶାଶୂଘର ଲୋକେ ତାଙ୍କୁ ସମ୍ମତି ଦେଇଛନ୍ତି । ବି·ର ବ୍ୟବସ୍ଥା ପ୍ରତି ତାଙ୍କର ଆସ୍ଥା ରହିଛି ବୋଲି ରୀମା ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି । ଅଭିଯୁକ୍ତ ଗିରଫ ହେଲେ ସେ ନ୍ୟାୟ ପାଇପାରିବେ । ଏଥିପାଇଁ ଆବଶ୍ୟକ ହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ ଜଣାଇବେ ବୋଲି କହିଛନ୍ତି । ଏହି ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ କେବଳ ବଲାଙ୍ଗିର, ଭୁବନେଶ୍ୱରନୁହେଁ ରାଜ୍ୟ ବାହାରେ ବି ତନାଘନା ତଦନ୍ତ ଚଳାଇଛି । ରାୟପୁରରୁ ଉପହାର ପାର୍ସଲ ଆସିଥିବା କୋରିଅର ସଂସ୍ଥାର ଏକାଧିକ କର୍ମଚାରୀଙ୍କୁ ପଚରାଉଚରା କରିଛି । ହେଲେ ଏହି ପାର୍ସଲ କିଏ ପଠାଇଥିଲା, କାରଣ କ’ଣ ତାହା ଖୋଜି ପାଇନି କ୍ରାଇମବ୍ରାଞ୍ଚ ଏସଆଇଟି । ତେବେ ଖୁବଶୀଘ୍ର ଅପରାଧୀ ଧରାପଡିବ ବୋଲି ରୀମାଙ୍କ ପରିବାର ଆଶା ରଖିଛନ୍ତି ।

ONA

Leave a Reply

Top