You are here
Home > ଲାଟେଷ୍ଟ > ଶପଥ ନେଲେ ଭେଙ୍କେୟା

ଶପଥ ନେଲେ ଭେଙ୍କେୟା

ନୂଆଦିଲ୍ଲୀ: ଶୁକ୍ରବାର ଦେଶର ୧୩ତମ ଉପରାଷ୍ଟ୍ରପତି ଭାବେ ଶପତ ନେଇଛନ୍ତି ଭେଙ୍କେୟା ନାଇଡୁ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ପାଠ ଉତ୍ସବର ଆୟୋଜନ କରାଯାଇଥିଲା  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଓ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଭେଙ୍କେୟା ନାଇଡୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
  ଆସନ୍ତୁ ନଜର ପକାଇବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କେଉଁ ସବୁ ସୁବିଧା ସୁଯୋଗ ପାଇବେ… ।
   ସାଧାରଣତଃ ଉପରାଷ୍ଟ୍ରପତି ପଦବୀ ପାଇଁ କୌଣସି ବେତନର  ନିୟମ ନାହିଁ । କିନ୍ତୁ ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ହୋଇଥାନ୍ତି । ତେଣୁ ଏହି ପଦବୀ ପାଇଁ ଭେଙ୍କେୟାଙ୍କୁ ପ୍ରତିମାସରେ ଦରମା ବାବଦକୁ ୧ ଲକ୍ଷ ୨୫ ହଜାର ଟଙ୍କା ମିଳିବ  । ଉପରାଷ୍ଟ୍ରପତିଙ୍କୁ ରହିବା ପାଇଁ ଏକ ବାସଭବନ ଦିଆଯାଏ । ଏହି ଘରଟି ୬, ମୋଲାନା ଆଜାଦ୍ ରୋଡରେ ରହିଛି । ଏହାବାଦ ତାଙ୍କୁ ଯାତ୍ରା ଓ ଚିକିତ୍ସା ବାବଦକୁ ଖର୍ଚ୍ଚ ଦିଆଯାଇଥାଏ । ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତିଙ୍କ ଅଧିକାର ମିଳିଥାଏ । ଯଦି ଉପରାଷ୍ଟ୍ରପତି କୌଣସି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ କର୍ତ୍ତବ୍ୟ କରୁଛନ୍ତି, ତେବେ ରାଷ୍ଟ୍ରପତିଙ୍କୁ ଦିଆଯାଉଥିବା ବେତନ ଓ ବିଶେଷ ଅଧିକାର ତାଙ୍କୁ ମିଳିଥାଏ । ଆହୁରି ମଧ୍ୟ ଉପରାଷ୍ଟ୍ରପତିଙ୍କୁ ଅବସର ପରେ ପେନସନ୍ ବାବଦକୁ ଦାରମାର ୫୦% ପ୍ରଦାନ କରାଯାଇଥାଏ  ।
ଆସନ୍ତୁ ଜାଣିବା ଭେଙ୍କେୟାଙ୍କ ସମ୍ପର୍କରେ….
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୧୯୪୯ ମସିହା ଜୁଲାଇ ୧ ତାରିଖରେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ନେଲ୍ଲୋରରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ରାଜନୀତି ବିଜ୍ଞାନରେ ସେ ସ୍ନାତକ କରିଥିଲେ । ବିଶାଖାପାଟଣା  କଲେଜରେ ସେ ଆନ୍ତଃରାଷ୍ଟ୍ରୀୟ ଆଇନ୍ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ  । କଲେଜରେ ପଢ଼ିବା ସମୟରେ ରାଜନୀତିରେ ମନୋନିବେଶ କରିଥିଲେ  । କଲେଜ କ୍ୟାରିୟରରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବାକ ସଂଘ ବା ଆରଏସ୍ଏସ୍ରେ ସାମିଲ ହୋଇଥିଲେ ।
  ଭେଙ୍କେୟା ନାଇଡୁ ୧୯୭୨ ମସିହାରେ ହୋଇଥିବା ‘ଜୟ ଆନ୍ଧ୍ର’ ଆନେ୍ଦାଳନ ସମୟରେ ଚର୍ଚ୍ଚା ପରିସରକୁ ଆସିଥିଲେ  । ୧୯୭୫ ମସିହାରେ ଦେଶରେ ଜରୁରୀ  କାଳୀନ ସ୍ଥିତି ଜାରି ହୋଇଥିବା ବେଳେ ସେ ଗିରଫ ହୋଇ ଜେଲ ଯାଇଥିଲେ  । ୧୯୭୭ରୁ ୧୯୮୦ ମଧ୍ୟରେ ସେ ଜନତା ପାର୍ଟିରୁ ଯୁବ ଶାଖା ଅଧ୍ୟକ୍ଷ ଥିଲେ । ୨୯ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ  । ସେ ଦୁଇ ଥର ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ  । ସେ କର୍ଣ୍ଣାଟକରୁ ୩ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ  ।
  ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ଭେଙ୍କେୟା ନାଇଡୁ ବିରୋଧୀ ଦଳ ପ୍ରାର୍ଥୀ  ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ୨୭୨ଟି ଭୋଟରେ ପରାସ୍ତ କରିଥିଲେ । ତାଙ୍କୁ ୫୧୬ଟି ଭୋଟ ମିଳିଥିବା ବେଳେ ଗୋପାଳକୃଷ୍ଣଙ୍କୁ ୨୪୪ଟି ଭୋଟ୍ ମିଳିଥିଲା । ଅଗଷ୍ଟ ୫ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହୋଇଥିଲା ।

ONA

Leave a Reply

Top