You are here
Home > ଏକ୍ସକ୍ଲୁସିଭ୍ > ଲୁଲୁ ସେନାରେ ଖାକି ବାକୁ

ଲୁଲୁ ସେନାରେ ଖାକି ବାକୁ

ଭୁବନେଶ୍ୱର:୧୪ଫେବୃଆରି, ୨୦୧୬ । ସାରା ଦୁନିଆ ଭାଲେଣ୍ଟାଇନସ୍ ଡେ ଅର୍ଥାତ୍ ପ୍ରେମ ଦିବସ ପାଳନ କରୁଥିଲା । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଠଓଜ-୧୬ -୧୬ ସରକାରୀ କ୍ୱାଟର୍ସ ବି ଥିଲା ଉତ୍ସବମୁଖର । କାରଣ କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ଭାଇଙ୍କର ବି ଏହି ତାରିଖରେ ଜନ୍ମଦିନ । ଯେଉଁ ସମର୍ଥକ ଚାହୁଁଥିଲେ ଲୁଲୁଙ୍କୁ ପ୍ରଦେଶ କଂଗ୍ରେସ କିମିଟି ସଭାପତି କରିବା ପାଇଁ, ସେମାନେ ଜାଣି ସାରିଥିଲେ ଯେ ଲୁଲୁ କେବେ ବି ପିସିସି ମଙ୍ଗୁଆଳ ହୋଇ ପାରିବେନି । ଯେଉଁଥି ପାଇଁ ଲୁଲୁଙ୍କ ଜନ୍ମଦିନରେ ହି ସେମାନେ ଅଣ-ସ୍ୱିକୃତୀପ୍ରାପ୍ତ ସଂଗଠନ ଲୁଲୁସେନା ଗଠନ କଲେ । ଲୁଲୁସେନା ରହିଲା ଚର୍ଚ୍ଚାରେ । କାଷ୍ଟିଂ କାଉଚରେ ଅଭିଯୋଗରେ ଫଶିଥିବା ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଉପରେ କାଳି ମାଡ ହେଉ ବା ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟ ଅଫିସ ଘେରାଉ, ସକ୍ରିୟ ଭାବେ ଭୂମିକା ଗ୍ରହଣ କରୁଥିଲା ଲୁଲୁସେନା । ହେଲେ ୮ନଭେମ୍ବର, ୨୦୧୬ରେ ଲୁଲୁଙ୍କ ମୃତ୍ୟୁ ପରେ କିଛି ଦିନ ପାଇଁ ସେନା ଥମି ଗଲା । ଏବେ ସେନାକୁ ଲୁଲୁଙ୍କ ସାନ ଭାଇ ଲଳିଟେନ୍ଦୁ ଓରଫ ବେବି ଓ ଝିଅ ତାନିଆ ପରିଚାଳନା କରୁଛନ୍ତି । ତେବେ ବହୁ କମ୍ ଲୋକ ଜାଣନ୍ତି ଯେ ଏମାନଙ୍କ ବ୍ୟତୀତ ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ବି ଲୁଲୁସେନାର ପ୍ରଚ୍ଛଦପଟ୍ଟର କଳାକାର ।
କିଛି ଦିନ ତଳେ ଲୁଲୁଙ୍କ କ୍ୱାଟର୍ସକୁ ପୁରୀ ପୋଲିସ ଆସିଥିଲା । ଖବର ଥିଲା ଯେ ଲୁଲୁଙ୍କ ଘରେ ଛପି ରହିଛି ନିମାପଡାର ଜଣେ କୁଖ୍ୟାତ ଅପରାଧୀ । ହେଲେ ପୋଲିସ କ୍ୱାଟର୍ସ ଭିତରକୁ ଯାଇ ପାରିଲେ ନାହିଁ । କାରଣ ଲୁଲୁସେନାର ରହିଛି ଅଭେଦ୍ୟ ଘେର । ସେମାନେ ପୋଲିସକୁ ଭିତରକୁ ପଶିବା ପାଇଁ ଦେଲେନି । ବାଧ୍ୟ ହୋଇ ଫେରିଗଲା ପୁରୀ ପୋଲିସ । ଏହା ଆଗରୁ ଲୁଲୁସେନା ପକ୍ଷରୁ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀଙ୍କୁ ଫୋନ୍ ଗଲା । ସେମାନେ ପୁରୀ ପୋଲିସର ତଲାସି ଅଭିଯାନ ବାବଦରେ ରାଜଧାନୀର ଜଣେ ଖାକିବାବୁଙ୍କ ପାଖରେ ବଖାଣିଲେ ଏବଂ ୩ଟି ଚେତାବନୀ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, କଟକରେ ପୋଲିସ ଡିଜି ଅଫିସ ଘେରାଉ, ପୁରୀ ଏସପି ଅଫିସ ଘେରାଉର ଧମକ ଦେଲା ଲୁଲୁ ସେନା । ଭୁବନେଶ୍ୱରିଆ ଖାକିବାବୁ ଜଣକ କୁଆଡେ ଏଥିରେ ସହମତି ପ୍ରକାଶ କଲେ । ହେଲେ ତୃତୀୟ ଧମକ ପୋଲିସ ବାବୁଙ୍କ ଖାକି ପୋଷାକ ଖୋଲି ଦେଇଥାନ୍ତା । ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ଅଣ୍ଡା ମାଡର ଧମକ । ବାସ୍! ଏତିକିରେ ଝାଳନାଳ ହୋଇ ଗଲେ ପୋଲିସ ବାବୁ । କାରଣ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ କାନ୍ଧରେ । ତା’ପରେ କୁଆଡେ ବାଧ୍ୟ ହୋଇ ଲୁଲୁଙ୍କ ଝିଅଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ଅଣ୍ଡାମାଡ ବନ୍ଦ କରାଇବାରେ ସକ୍ଷମ ହେଲେ ସେହି ପୋଲିସ ବାବୁ ଜଣକ ।
ଲୁଲୁସେନାକୁ ଯେ ଏହି ଥରକ ପୋଲିସ ବାବୁ ଜଣଙ୍କ ଅଟକାଇ ଦେଲେ, ତାହା ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଅଣ୍ଡାମାଡ ଘଟଣା ପରେ ଯେଉଁ ସୁରକ୍ଷା କାରକେଡ୍ ବଢାଇ ଦିଆଗଲା, ସେଥିପାଇଁ ହି ଖାସ୍ କରି ସେହି ପୋଲିସ ବାବୁଙ୍କୁ ସଏମ୍ ସିକ୍ୟୁରିଟି ଡ୍ୟୁଟି ଦିଆଯାଇଛି । ପୂର୍ବରୁ ମଧ୍ୟ ଏହି ଖାକି ବାବୁ ଭୁବନେଶ୍ୱର କମିସନରେଟ୍ରେ ଥିବା ସମୟରୁ ହି ଲୁଲୁଙ୍କ ସହ ବେଶ୍ ଭଲ ଭାବେ ପରିଚିତ । ଲୁଲୁଙ୍କ ଘରକୁ ଯିବା ଆସିବା ଲାଗି ରହିଥାଏ । ଏନେଇ ତକ୍ରାଳୀନ ପୋଲିସ କମିସନର ମଧ୍ୟ ତାଙ୍କୁ ତାଗିଦ୍ କରିଥିବା ଶୁଣିବାକୁ ମିଳିଛି । ହେଲେ ବ୍ୟକ୍ତିଗତ ସଂପର୍କକୁ ହତାଦର ନକରି ସେ ଲୁଲୁଙ୍କ ସହ ସଂପର୍କ ରଖିଥିଲେ । ଯାହା ତାଙ୍କ ପାଇଁ ବରଦାନ ସଦୃଶ ହେଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ଅଣ୍ଡାମାଡ ପରେ ଗୁଇନ୍ଦା ବିଭାଗ ଉପରେ ପ୍ରଶ୍ନ ଉଠିଲା । କାହିଁକି ଅଣ୍ଡାମାଡ ଖବର ପୂର୍ବରୁ ନଥିଲା? ସେ ସମୟରେ କୁହାଗଲା ଯେ ଲୁଲୁଙ୍କ ଅନୁଗତମାନେ ହି କେବଳ ଅଣ୍ଡାମାଡ ପରି କାମ କରି ପାରିବେ । ଯେଉଁଥି ପାଇଁ ଘର ଭିତରୁ ଜଣେ ମଧ୍ୟସ୍ଥି ବାଛି ଏସବୁ ରୋକିବାକୁ ହେବ! ଖାସ୍ ଏଥି ପାଇଁ ହି ଭୁବନେଶ୍ୱର ଏସିପି ଟ୍ରାଫିକ୍ଙ୍କୁ ହଟାଇ ଏହି ପୋଲିସ ବାବୁଙ୍କୁ ନିୟୋଜିତ କରାଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦାୟିତ୍ୱରେ । କାରଣ ଖାକି ବାବୁଙ୍କର ମିଡିଆ ସହ ବି ସଂପର୍କ ଭଲ । କିଛି ବି ଘଟିବା ପୂର୍ବରୁ ସେ ମିଡିଆଠାରୁ ଖବର ପାଇ ଏହା ଦମନ କରିବାରେ ସିଦ୍ଧହସ୍ତ । ଚର୍ଚ୍ଚା ହେଉଛି, ବିଜେପି ହେଉ ବା କଂଗ୍ରେସ, ସମସ୍ତଙ୍କ ସହ ଫିକସିଂ କରିବାରେ ମାହିର ନବୀନ ବାବୁ, ଲୁଲୁ ଗଲା ପରେ ବି ତାଙ୍କ ଭୟରୁ ଖାକି ପୋଷାକଧାରୀଙ୍କୁ ମିଡିଏଟର କରିଛନ୍ତି ଅଣ୍ଡାର ଫଣ୍ଡାରୁ ବର୍ତ୍ତିବା ପାଇଁ ।

ONA

Leave a Reply

Top