You are here
Home > ଲାଟେଷ୍ଟ > ରୋହିତଙ୍କ ତୃତୀୟ ଦ୍ୱିଶତକ

ରୋହିତଙ୍କ ତୃତୀୟ ଦ୍ୱିଶତକ

ମୋହାଲି: ଟିମ ଇଣ୍ଡିଆର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମାଙ୍କ ରାଜ୍ ମୋହାଲିରେ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ରୋହିତ ୨୦୮ରନର ଅପରାଜିତ ଇନିଂସ୍ ଖେଳି ଇତିହାସ ରଚିଛନ୍ତି ।
ଦିନିକିଆ କ୍ରିକେଟରେ ଏହା ରୋହିତଙ୍କ ତୃତୀୟ ତଥା ଅନ୍ତର୍ଜାତୀୟ କ୍ରିକେଟରେ ସପ୍ତମ ଦ୍ୱିଶତକ । ତାଙ୍କ ନାଁରେ ମଧ୍ୟ ଦିନିକିଆ କ୍ରିକେଟରେ ବ୍ୟକ୍ତିଗତ ସର୍ବାଧିକ ରନ ସଂଗ୍ରହ କରିବାର ବିଶ୍ୱ ରେକର୍ଡ ରହିଛି । ମୋହାଲି ସଫଳତାକୁ ମିଶାଇ ରୋହିତ ତୃତୀୟ ଡବଲ ସେଞ୍ଚୁରୀ ଲଗାଇବାରେ ବିଶ୍ୱର ପ୍ରଥମ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି । ରୋହିତ ୧୫୩ଟି ବଲରୁ ୧୨ଟି ଛକା ଓ ୧୩ଟି ଚୌକା ବଳରେ ୨୦୮ ରନ୍ କରିଛନ୍ତି ।
ପ୍ରଥମେ ଧୀମା ବ୍ୟାଟିଂ କରି ମୋହାଲି ପିଚ୍ରେ ସେଟ୍ ହୋଇଥିଲେ ରୋହିତ । ୧୧୫ ବଲର ସମ୍ମୁଖୀନ ହୋଇ ରୋହିତ ଶତକ ପୂରଣ କରିଥିଲେ । ପରେ ପରେ ତାଙ୍କ ରନ ସଂଗ୍ରହ କରିବାର ହାର ଦ୍ରୁତ ହୋଇଥିଲା । ୧୩୩ ବଲରୁ ୧୫୦ରନ୍ ଓ ୨୦୦ରନ୍ ପୁରଣ କରିବା ପାଇଁ ଆଉ ୧୮ଟି ଖେଳିଥିଲେ ରୋହିତ । ୧୧୫ ବଲରୁ ଶତକ କରିବା ପରେ ଆଉ ଶହେ ରନ୍ ପାଇଁ ମାତ୍ର ୩୬ଟି ବଲର ସମ୍ମୁଖୀନ ହୋଇଥିଲେ । ପ୍ରଥମ ଶହେ ରନ୍ ପୂରଣ କରିବା ବେଳେ ତାଙ୍କ ଷ୍ଟ୍ରାଇକରେଟ୍ ୮୭ଥିଲା । ୧୦୦ରୁ ୨୦୦ ମଧ୍ୟରେ ତାଙ୍କ ଷ୍ଟ୍ରାଇକରେଟ୍ ୨୮୪କୁ ବୃଦ୍ଧି ପାଇଥିଲା । ରୋହିତ ୩ଟି ଯାକ ଦ୍ୱିଶତକ ଘରୋଇ ମାଟିରେ ହାସଲ କରିଛନ୍ତି ।
ରୋହିତ ଏହା ପୂର୍ବରୁ ଘରୋଇ ମାଟିରେ ଦୁଇ ଥର ଦ୍ୱିଶତକ ହାସଲ କରିଥିଲେ । ୧୪ ନଭେମ୍ବର ୨୦୧୪ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ କ୍ୟାରିୟର ଶ୍ରେଷ୍ଠ ଇନିଂସ୍ ୨୬୪ ରନର ପାଳି ଖେଳିଥିଲେ ରୋହିତ । ତାହା ପୁଣି ଶ୍ରୀଲଙ୍କା ବିପକ୍ଷାରେ ଥିଲା । ଏହାପୂର୍ବରୁ ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁରୁରେ ରୋହିତ ୨୦୯ରନ୍ର ପାଳି ଖେଳିଥିଲେ ।
୨୦୧୦ରେ ସଚିନ୍ କେନ୍ଦୁଲକର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗ୍ୱାଲିୟରରେ ୨୦୦ରନ୍ କରି ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଦ୍ୱିଶତକ ଅର୍ଜନ କରିବାର ଗୌରବ ପାଇଥିଲେ । ୨୦୧୧ରେ ପୂର୍ବତପ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୧୯ରନର ଇନିଂସ୍ ଖେଳି ସଚିନଙ୍କୁ ଅତିକ୍ରମ କରିଥିଲେ । ୨୦୧୩ରେ ରୋହିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ରନ୍ କରିଥିବା ବେଳେ ୨୦୧୪ରେ ଇଡେନରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ରନର ଇନିଂସ୍ ଖେଳିଥିଲେ । ସେହିଭଳି ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍ ୨୦୧୫ ବିଶ୍ୱକପର ଏକ ମ୍ୟାଚ୍ କାନବେରାରେ ଜିମ୍ବାୱେ ବିପକ୍ଷରେ ୨୧୫ରନ୍, ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ୱିଲିଂଟନ୍ରେ ୨୨ ମାର୍ଚ୍ଚ ୨୦୧୫ରେ ୨୩୭ରନର ଇନିଂସ୍ ଖେଳିଥିଲେ ।  
ମହିଳା କ୍ରିକେଟରେ ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଲାର୍କ ଡେନମାର୍କ ବିପକ୍ଷରେ ୧୯୯୭ ଡିସେମ୍ବର ୧୬ରେ ମୁମ୍ବାଇରେ ୨୨୯ ରନର ଇନିଂସ୍ ଖେଳିଥିଲେ ।

ONA

Leave a Reply

Top