You are here
Home > ଅଧିକ ଖବର > ରାୟଗଡ଼ାରେ ପଦ୍ମ ଚେର

ରାୟଗଡ଼ାରେ ପଦ୍ମ ଚେର

ବିଜେଡିରେ ଫାଟ, ଛିଡୁଛି କଂଗ୍ରେସ
ରାୟଗଡ଼ା,(ପ୍ରଶାନ୍ତ ପ୍ରଧାନ): ରାୟଗଡାରେ ପଦ୍ମ ଫୁଟାଇବା ଯୋଜନାରେ ବିଜେପି । ଏଥିପାଇଁ  କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟୁଛି ରାୟଗଡାକୁ । ଜୁନ୍ ପହିଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ୩୦ଅଗଷ୍ଟରେ ଆସୁଛନ୍ତି ଜୁଏଲ ଓରାମ । କଂଗ୍ରେସ ଓ ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗିବା ପାଇଁ ବିଜେପିର ରଣନୀତିର ଏହା ଏକ ଅଂଶ ।ଏବେ ଜିଲ୍ଲାର ୩ଟି ଯାକ ବିଧାନସଭା ଆସନ ବିଜେଡି କବଜାରେ ଥିବାବେଳେ ଜିଲ୍ଲା ପରିଷଦ ରହିଛି କଂଗ୍ରେସ ନିୟନ୍ତ୍ରଣରେ । ତେବେ ୨ଦୁଇ ଦଳକୁ ଚକମା ଦେବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ଆସନ୍ତା ୩୦ତାରିଖରେ ଜୁଏଲ ଓରାମ ବୁଦ୍ଧିଜୀବୀ ଏବଂ ଯୁବବର୍ଗଙ୍କ ସହ ଆଲୋଚନା କରିବେ । ଏତଦବ୍ୟତିତ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସଫଳତା ବାବଦରେ ଲୋକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ । ତେବେ ଜୁଏଲଙ୍କ ଗସ୍ତର ମଞ୍ଜି କଥା ହେଲା କେନ୍ଦ୍ରୀୟ ଯୋଜନାରୁ ରାଜ୍ୟ ସରକାର ଯେପରି ଫାଇଦା ନନେବେ ତା’ର ତଦାରଖ କରିବେ ।
ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଜେପି ନେତାଏ ରାୟଗଡାକୁ ଆସି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏସବୁ ଭିତରେ ବିଜେପି ରାୟଗଡାରେ ଖାତା ଖୋଲିବା ପାଇଁ ଉଦ୍ୟମ ଚଳାଇଛି । ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ଆଖିଦୃଶିଆ ସଂଗଠନ ନଥିବା କାହାକୁ ଅଛପା ନୁହଁ । ତେଣୁ ଦଳୀୟ ନେତାଙ୍କ ଆଖି ରହିଛି ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀ ଉପରେ । ତେଣୁ ବିଷମକଟକ ଠାରେ ଖୋଲାଯାଇଛି ବିଜେପି କାର୍ଯ୍ୟାଳୟ ।ଜୁଏଲଙ୍କ ଗସ୍ତ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ଓ କୋଲନରା ବ୍ଲକକୁ ରହିଛି । ବିଷମକଟକରୁ ବିଜେପି ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲାକା ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି । ବିଷମକଟକ ନିର୍ବାଚନ ମଣ୍ଡଳୀର ମୁନିଗୁଡ଼ା ବ୍ଲକରେ ବିଜେପିର ସ୍ଥିତି ବେଶ ଭଲ ରହିଛି । ବ୍ଲକ ଅଧ୍ୟକ୍ଷ ଠାରୁ ଆରମ୍ଭ କରି ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେପି ଅକ୍ତିଆର କରିଛି  ।
ସେହିପରି ବିଜେପି ଫୋକସ୍ରେ ରହିଛି ଗୁଣୁପୁର ସଂରକ୍ଷିତ ଆସନ । ବିଜେଡି-ବିଜେପି ମେଣ୍ଟ ସମୟରେ ଗୁଣପୁରରୁ ବିଜେପି ପ୍ରାର୍ଥୀ ବିଧାୟକ ଥିଲେ । ବର୍ତ୍ତମାନ ମଧ୍ୟ ବିଜେପି ସପକ୍ଷରେ ପବନ ବୋହୁଛି ।ଗତ ପଞ୍ଚାୟତ ନିର୍ବାଚନରେ ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ଜିଲ୍ଲା ପରିଷଦ ଜୋନ୍ରୁ ୩ଟିରେ ବିଜେପି ଜିତିଛି । ଗୁଣୁପୁରରୁୁ ବିଜେଡିର ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକା କିମ୍ବା ତାଙ୍କ ଝିଅ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗି ନିର୍ବାଚନ ଲଢ଼ିବାର ଶୁଣିବାକୁ ମିଳୁଛି ।ସୁଜାତା ବିଜେପିରେ ସାମିଲ ହୋଇନଥିଲେ ମଧ୍ୟ ବାପାଙ୍କ ପଥରେ ସେ ଅଗ୍ରସର ହୋଇ ପାରନ୍ତି ।
ବହୁ ସମୟରେ ଜାତୀୟ ସ୍ତରର ନେତାଙ୍କୁ ଆଣି ରାୟଗଡାରେ ବିଜେପି ସଂଗଠନ ସୁଦୃଢ କରିବାକୁ ଚେଷ୍ଟା ଚଳାଇଛି । ୧୯୮୪ରେ ଅଟଳ ବିହାରୀ ବାଜପେୟୀ ମୁନିଗୁଡ଼ା ଆସିଥିଲେ । ସେବେଠାରୁ ରାୟଗଡାରେ ଦଳ ଭଲ କରିବ ବୋଲି ଆଶା ରଖଇଛି ବିଜେପି । ସେହିପରି କଂଗ୍ରେସ ସଂଗଠନକୁ ଦୁର୍ବଳ କରିବାକୁ ଯୋଜନା ଚଳାଇଛି ବିଜେପି । ଏହାକୁ ବାସ୍ତବତାରେ ପରିଣତ କରିବାକୁ  ଉଲ୍ଲାକା ପରିବାରର ଶିବଶଙ୍କରଙ୍କୁ ବିଜେପିରେ ସାମିଲ କରି ୨୦୧୪ରେ ସାଂସଦ ଟିକେଟ ପ୍ରଦାନ କଲା । ପରେ ଶିବଶଙ୍କରଙ୍କୁ ଜିଲ୍ଳା ସଭାପତି ପଦ ମଧ୍ୟ ପ୍ରଦାନ କଲା ବିଜେପି ।ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କୁ ଦଳରେ ମିଶାଇ ଓ ପୁଅ ଶିଶିର ଗମାଙ୍ଗଙ୍କୁ ରାଜ୍ୟ ସମ୍ପାଦକ ପଦ ଦେଇ ଆଦିବାସୀଙ୍କୁ ମନନେବାକୁ ଚେଷ୍ଟା କରିଛି । ଏହି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟହାର ବଢିଛି । ଯାହାକି ବିଜେଡିି ଗଡକୁ ହଲେଇବାରେ କିଛିଟା ସଫଳ ହୋଇଛି ବିଜେପି । ଗତ କିଛି ଦିନ ହେବ ବିଜେଡିରେ ଯେଉଁ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଛି ତାହାର ଫାଇଦା ନେବାକୁ ବିଜେପି ଅଣ୍ଡା ଭିଡିଛି ।

ONA

Leave a Reply

Top