You are here
Home > ଅଧିକ ଖବର > ରାଧାରାଣୀଙ୍କ ହୋମକମିଂ

ରାଧାରାଣୀଙ୍କ ହୋମକମିଂ

ଝାରସୁଗୁଡା : ଓଡ଼ିଶା ସାରା ଶଙ୍ଖନାଦ । କିନ୍ତୁ ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡା ଜିଲ୍ଲାରେ ବିଜେଡି ବ୍ୟାକଫଟ୍ରେ । ବ୍ରଜରାଜନଗର ଆସନରୁ ଗତ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଜେଡି ଲଢ଼ାଇବା ସତ୍ତ୍ୱେ ସେ ଚିତପଟ୍ଟାଙ୍ଗ୍ ମାରିଲେ । ଝାରସୁଗୁଡାରେ ଏବେ ରାଜ କରୁଛି କଂଗ୍ରେସ । ବିଜେଡି ସୁପ୍ରିମୋଙ୍କୁ ନାକେଦମ କରି ଦେଉଥିବା ଝାରସୁଗୁଡାର କଂଗ୍ରେସ ବିଧାୟକ  ନବ କିଶୋର ଦାସ ଓ ବ୍ରଜରାଜନଗର ବିଜେପି ବିଧାୟକା ରାଧାରାଣୀ ପଣ୍ଡା ଏବେ ନବୀନ ଚାଳିଶା ଗାଉଛନ୍ତି । ପୁଅ ବିଶାଲଙ୍କ ରାଜନୈତିକ ଭବିଷ୍ୟତ ଚିନ୍ତାରେ କଂଗ୍ରେସ ବିଧାୟକ ନବ କିଶୋର ଦାସ । ତେବେ ନବ ବାବୁ ଭାବୁଛନ୍ତି ଦଳ ଡେଇଁଲେ ଲାଭ ଅଛି; ସେଥିପାଇଁ ସେ ବିଜେଡି ଆଡେ ମୁହାଁଉ ଥିବାର ଖବର ଆସିଲାଣି । ସେପଟେ ବ୍ରଜରାଜନଗର ବିଧାୟକ ରାଧାରାଣୀ ପଣ୍ଡାଙ୍କ ହୋମ-କମିଂ ହୋଇପାରେ । ବିଜୁ ଜନତା ଦଳ ଗଠନ ହେବା ପରେ ପ୍ରଥମ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ହିଁ  ବ୍ରଜରାଜ ନଗରର ଉପ ନିର୍ବାଚନରେ ଲଢିଥିଲେ । ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ଅକାଳ ବିୟୋଗ ପରେ ୧୯୯୮ରେ ବିଜେଡି ଟିକେଟରେ ଲଢି ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ରାଧାରାଣୀ । ତେଣୁ ରାଧାରାଣୀଙ୍କ ବିଧାନସଭା ପାଇଁ ଯାତ୍ରା ପ୍ରଥମେ ବିଜେଡି ଶିବିରରୁ ଆରମ୍ଭ ହୋଇଥିଲା । ହେଲେ ବିଜେଡି-ବିଜେପି ମେଣ୍ଟ ପରେ ବ୍ରଜରାଜନଗର ବିଜେପି ଖାତାରେ ପଡିବାରୁ ରାଧାରାଣୀଙ୍କ ବିଜେଡି ମୋହ ଭଙ୍ଗ ହୋଇଥିଲା । କିନ୍ତୁ ବିଜୁ ଜନତା ଦଳ ପ୍ରତି ତାଙ୍କର ଦୁର୍ବଳତା ଆଜି ବି ରହିଛି । ସେଥିପାଇଁ ତ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଧାୟିକା  ରାଧାରାଣୀଙ୍କୁ ଫେରି ଆସିବାକୁ କହିଲେଣି ।
ଏମିତି ବି କେତେ ଦିନ ହେଲାଣି ବିଜେପିର ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀପ ରାୟଙ୍କ ସହ ରାଧାରାଣୀ ବିଜେଡିରେ ମିଶୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏବେ ଝାରସୁଗୁଡା ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଜିଲ୍ଲାପାଳଙ୍କୁ ରାଧାରାଣୀ ପଣ୍ଡା କୁଆଡେ ଗଲେ ବୋଲି ପଚାରିବା ସେହି ଚର୍ଚ୍ଚାକୁ ଆହୁରି ରୋଚକ କରିଛି । ଏପରିକି ସମୀକ୍ଷା ବୈଠକରେ ବିଧାୟକ ରାଧାରାଣୀ ଏଣ୍ଟ୍ରି ମାରିବା ମାତ୍ରେ ମନ୍ତ୍ରୀ ତାଙ୍କ ହାତରୁ ଫୁଲତୋଡା ଧରିବା ପୂର୍ବରୁ “ତୁ କେବେ ଆସୁଛୁ । ଶୀଘ୍ର ଚିନ୍ତା କର ତୁ ହେଉଛୁ ଆମର ଭବିଷ୍ୟତ । ତୋ ପାଇଁ ସୁଯୋଗ ଅଛି” । ମନ୍ତ୍ରୀଙ୍କର ଏହି ଦି’ପଦ କଥା ରାଧାରାଣୀଙ୍କ ବିଜେଡିକୁ ଫେରିବାର ଚର୍ଚ୍ଚାରେ ସିଲ୍ ମାରିଦେଲା । ଏପରିକି ରାଧାରାଣୀଙ୍କୁ ଆଗାମୀ ଦିନର ମୁଖ୍ୟମନ୍ତ୍ରୀଙ୍କ ଯାହା କାମ କରିବାର କଥା ଶୀଘ୍ର କର ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ । ଏହାପରେ ରାଧାରାଣୀ କହିଥିଲେ “ଆପଣଙ୍କ ଆଶୀର୍ବାଦ ସାର” ।
ଝାରସୁଗୁଡା ଜିଲ୍ଲାରେ ଏବେ ଆଲୋଚନା ଯେ ରାଧାରାଣୀଙ୍କୁ ଫେରାଇ ନେବାକୁ ନବୀନ ନିବାସ ନିଷ୍ପତ୍ତି ନେଇଛି! ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ବିଜେଡିର ମହିଳା ନେତାଙ୍କ ପ୍ରତି ନବୀନ ବିମୁଖ ଥିବା ଜଣାପଡିଛି । କାରଣ ଗତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବାରୁ ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରତିବାଦକୁ ନବୀନ ହଜମ କରି ପାରୁନାହାନ୍ତି । ସେପଟେ ଅତାବିରା ବିଧାୟିକା ସ୍ନେହାଙ୍ଗିନି ଛୁରିଆଙ୍କୁ ମନ୍ତ୍ରିମଣ୍ଡଳରେ ରଖିବା ସତ୍ତ୍ୱେ ଗତ ପଞ୍ଚାୟତ ନିର୍ବାଚନରେ ଫେଲ୍ ମାରିଛନ୍ତି ଛୁରିଆ ମ୍ୟାଡାମ୍ । ଅନ୍ୟପକ୍ଷରେ ବିଜେଡି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରମିଳା ମଲ୍ଲିକ ଦିନକୁ ଦିନ ବିବାଦୀୟ ହୋଇ ପଡୁଛନ୍ତି । ଏଥିପାଇଁ ବିଜେଡି ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ଯୋଜନା କରି ରାଧାରାଣୀଙ୍କ ଉପରେ ନଜର ରଖିଛି ନବୀନ ନିବାସ ।
ଏମିତି ବି ବିଜୁ ପଟ୍ଟନାୟକଙ୍କ ଯୋଗୁ ରାଧାରାଣୀ ରାଜନୀତିରେ ପ୍ରବେଶ କରିଛନ୍ତି । ଏବେବି ତାଙ୍କ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପ୍ରତିଦିନ ମାଲ୍ୟାର୍ପଣ କରୁଛନ୍ତି ରାଧା । ତେଣୁ ବିଜେଡି ପ୍ରତି ରାଧାଙ୍କ ମନରେ ମଧ୍ୟ ଦୁର୍ବଳତା ରହିଥାଇପାରେ ଓ  ମନ୍ତ୍ରୀ ପଦ ଆଶାରେ ସେ ବିଜେଡିକୁ ଲମ୍ଫ ମାରିବେ ବୋଲି ଚର୍ଚ୍ଚା ହେଉଛି ।

ONA

Leave a Reply

Top