You are here
Home > ପଲିଟିକ୍ସ > ରାଣୀ-ରମେଶ ମେଣ୍ଟ

ରାଣୀ-ରମେଶ ମେଣ୍ଟ

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ପଞ୍ଚାୟତ ନିର୍ବାଚନ ପରେ ବ୍ଲକ ଅକ୍ତିଆରକୁ ନେଇ ଚିନ୍ତାରେ ସବୁ ରାଜନୈତିକ ଦଳ । ଯେଉଁଥିପାଇଁ ପଞ୍ଚାୟତରେ ସମିତି ସଭ୍ୟଙ୍କ ଦେଖା ନାହିଁ । ଚର୍ଚ୍ଚା ହେଉଛି, ଆଶାୟୀ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ନବ ନିର୍ବାଚିତ ସମିତି ସଭ୍ୟଙ୍କୁ  ଗୋପନ ସ୍ଥାନରେ ଲୁଚାଇ ରଖିଛନ୍ତି । ଠିକ୍ ମାର୍ଚ୍ଚ ୧୧ ତାରିଖରେ ଏମାନେ ଅଜ୍ଞାତବାସରୁ ସାରି ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେବେ । ତେବେ ପଞ୍ଚୟତ ସମିତି ଗଠନ କରିବା ପାଇଁ ବିଜୁ ଜନତା ଦଳ ଯେତେ ସହଜ ଭାବୁଥିଲା, ତାହା ସେତେଟା ସହଜ ନୁହେଁ । କାରଣ ବିଜେପି ଓ କଂଗ୍ରେସଠାରୁ ବିଜେଡିକୁ ବିଜେଡିର ଭୟ ହିଁ ବେଶିି ଗ୍ରାସ କରିଛି । ସେଥିପାଇଁ ଚଳିତ ମାସ ୧୦ ତାରିଖରେ ନବୀନ ନିବାସରେ ବିଜେଡି ବିଧାୟକଙ୍କ ଏକ ଜରୁରୀ ବୈଠକ ବସିଥିଲା । ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହୁଇପ୍ ମଧ୍ୟ ଜାରି କଲେ । କିନ୍ତୁ ଅଧିକାଂଶ ସ୍ଥାନରେ ଶାସକ ଦଳରେ ରହିଛି ଆଭ୍ୟନ୍ତରୀଣ କନ୍ଦଳ । ନିଜ ନିର୍ବାଚନୀ ଜିଲ୍ଲା ଗଞ୍ଜାମ ଅଧିକ ମୁଣ୍ଡବ୍ୟଥାର କାରଣ ପାଲଟିଛି ବିଜେଡି ସଭାପତିଙ୍କ ଲାଗି । ନବୀନ ପଟ୍ଟନାୟକଙ୍କ ପଡୋଶୀ ନିର୍ବାଚନୀ କ୍ଷେତ୍ର ସାନଖେମୁଣ୍ଡିରେ ବ୍ଲକ ଅଧ୍ୟକ୍ଷ ପଦକୁ ବିବାଦ ମୁଣ୍ଡ ଟେକିଛି ।
ସାନଖେମୁଣ୍ଡିରେ ରହିଛି ୨୬ଟି ସମିତି ସଭ୍ୟ ପଦ । ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ଆଶାୟୀଙ୍କ ସଂଖ୍ୟା ବଢିବାରୁ ସ୍ଥାନୀୟ ବିଜେଡି ବିଧାୟକ ତଥା ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡୁଛି । ତାଙ୍କ ଚେକ୍ ଦେଉଛନ୍ତି ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ । ୧୩ ଜଣ ସମିତି ସଭ୍ୟ ନନ୍ଦିନୀଙ୍କ କ୍ୟାମ୍ପର ହୋଇଥିବାବେଳେ ଲତିକାଙ୍କ ପାଖରେ ବି ଅଛନ୍ତି ୧୩ ଜଣ ସଭ୍ୟ । ଆଉ ଲତିକାଙ୍କୁ ସମର୍ଥନ କରୁଛନ୍ତି ଯୁବ ବିଜେଡି ନେତା ମଙ୍ଗଳୁ ପାତ୍ର ।  ମଙ୍ଗଳୁଙ୍କ ସମର୍ଥନରେ ପୁରୀରେ ସମିତି ସଭ୍ୟଙ୍କୁ ଗୋପନ ରଖା ଯାଇଥିବା ଶୁଣିବାକୁ ମିଳୁଛି । ତେବେ ଲତିକାଙ୍କ କ୍ୟାମ୍ପର୧୩ ଜଣ ସଭ୍ୟଙ୍କ ମଧ୍ୟରୁ କିଛି ସଭ୍ୟ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ପାଖ ଲୋକ । ସେମାନେ ରାଣୀ ନନ୍ଦିନୀ ଦେବୀଙ୍କୁ ବିରୋଧ କରି ଲତିକାଙ୍କ ଶିବିରକୁ ଯାଇଥିବା ସୂଚନା ମିଳିଛି ।
ପ୍ରାୟ ବର୍ଷେ ହେବ ଜେଲରେ ଥିବା ସତ୍ତ୍ୱେ, ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ବି ପ୍ରଭାବ ରଖିଛନ୍ତି ରମେଶ ଜେନା । ଚର୍ଚ୍ଚା ହେଉଛି, ସେଥିଲାଗି ରମେଶଙ୍କ ସହଯୋଗ ଲୋଡିଛନ୍ତି ବିଧାୟକ ନନ୍ଦିନୀ ଦେବୀ । ବୁଝାମଣା ଅନୁସାରେ ରମେଶଙ୍କୁ ଜେଲରୁ ମୁକୁଳାଇବାରେ ନନ୍ଦିନୀ ସହଯୋଗ କରିବେ, ବଦଳରେ ରମେଶଙ୍କ ସମର୍ଥକ ସମିତି ସଭ୍ୟ ନନ୍ଦନୀ ଦେବୀଙ୍କ ପ୍ରାର୍ଥୀଙ୍କୁ ବ୍ଲକ ଅଧ୍ୟକ୍ଷ କରାଇବାରେ ସହଯୋଗ କରିବେ । ଏମିତି ବି ରମେଶ ନିଜ ଦଳ କଂଗ୍ରେସ ଉପରେ ଖପ୍ପା । କାରଣ ତାଙ୍କୁ ଖଲାସ କରିବା ପାଇଁ ଦଳ ପକ୍ଷରୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆ ଗଲାନି । ଯେଉଁଥିପାଇଁ ସେ ବିଜେପିରେ ମିଶିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ହେଲେ ଜେଲରେ ଥିବାରୁ ବିଜେପିରେ ମିଶ୍ରଣ ପାଇଁ ମଧ୍ୟସ୍ଥି ପାଉନାହାନ୍ତି । ଏହାର ଫାଇଦା ଉଠାଉଛନ୍ତି ରାଣୀ ନନ୍ଦିନୀ ଦେବୀ । ଚର୍ଚ୍ଚା ହେଉଛି ବିଜେଡି ବିଧାୟକ ନନ୍ଦିନୀ ଦେବୀ ହେଉଛନ୍ତି ବିଜେପି ଓ ରମେଶଙ୍କ ମଧ୍ୟରେ ସେତୁ । ପୂର୍ବରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ନନ୍ଦିନୀ ଦେବୀଙ୍କର ପଦ୍ମ ଦଳିଆଙ୍କ ସହ ଭଲ ସମ୍ପର୍କ ରହିଛି । ସେ କୁଆଡେ ରମେଶଙ୍କୁ ଜେଲରୁ ମୁକୁଳାଇବା ସହ ବିଜେପିରେ ମିଶାଇବେ ବୋଲି ଡିଲିଂ କରିଛିନ୍ତି । ବଦଳରେ ଲତିକାଙ୍କ ଶିବିରରେ ଥିବା ତାଙ୍କର କିଛି ସଭ୍ୟ ନନ୍ଦିନୀଙ୍କୁ ସମର୍ଥନ କରିବେ । ଯେଉଁଥି ପାଇଁ ନନ୍ଦିନୀଙ୍କ ପ୍ରାର୍ଥୀ ହେବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ।
ଯଦି ଲତିକା ପ୍ରଧାନଙ୍କ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ହୁଅନ୍ତି, ତେବେ ୨୦୧୯ ବିଧାନସଭା ନିର୍ବାଚନରେ ହୁଏତ ସାନଖେମୁଣ୍ଡିରୁ ବିଜେଡି ଟିକେଟ ସେ ପାଇ ପାରନ୍ତି । କାରଣ ଲତିକାଙ୍କ ସଂଗଠନ ସାନଖେମୁଣ୍ଡିରେ ଖୁବ ସକ୍ରିୟ ରହିଛି । ଏମିତ ତ ଲତିକା ପ୍ରଧାନ ଜଣେ ବିଧାୟକ ହେବାକୁ ଯୋଗ୍ୟ ବୋଲି ବିଜେଡି ସୁପ୍ରିମୋ ବିଚାର କରୁଛନ୍ତି । ସେଥିପାଇଁ ୨୦୧୪ ବିଧାନସଭା ନିର୍ବାଚନରେ ଲତିକାଙ୍କୁ କବିସୂର୍ଯ୍ୟନଗର ଆସନରୁ ଟିକେଟ ମିଳିଥିଲା, ଅବଶ୍ୟ ପର ମୁହୂର୍ତ୍ତରେ ମହାରାଣୀ ଭି. ସୁଜ୍ଞାନ ଦେଓଙ୍କ ଜିଦରେ ଲତିକାଙ୍କ ଟିକେଟ୍ କଟା ଯାଇଥିଲା ।
ସେହିପରି ଦାଓପେଞ୍ଚର ମାହିର ନବୀନ ପଟ୍ଟନାୟକ ୨୦୧୪ ନିର୍ବାଚନ ଆଗରୁ ବିଜେପି ନେତ୍ରୀ ନନ୍ଦିନୀ ଦେବୀଙ୍କୁ ଦଳରେ ମିଶାଇ ରମେଶ ଜେନାଙ୍କୁ ପରାଜିତ କରିିଦେଲେ । ନନ୍ଦିନୀଙ୍କ ନିଜ ଭୋଟ୍ ସହ ବିଜେଡି ଭୋଟ ରମେଶଙ୍କୁ ପରାଜିତ କରିବାରେ ସହାୟକ ହେଲା । ନନ୍ଦିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲତିକାଙ୍କୁ କବିସୂର୍ଯ୍ୟନଗର ପଠା ଯାଇଥିଲା । ଲତିକାଙ୍କୁ ଟିକେଟ ମିଳିବାରୁ ସେତେବେଳେ ତାଙ୍କ ସାଂସଦ ପିତା ନିତ୍ୟାନନ୍ଦ ପ୍ରଧାନଙ୍କୁ ଆଉ ଆସ୍କାରୁ ପ୍ରାର୍ଥୀ କରି ନଥିଲେ ନବୀନ । ହେଲେ ଏବେ ସାନଖେମୁଣ୍ଡିରେ ଲତିକା ସକ୍ରିୟ ହେଲେଣି । ଆଉ ତାଙ୍କ ସମର୍ଥିତ ସଭ୍ୟ ଯଦି ବ୍ଲକ ଅଧ୍ୟକ୍ଷ ପଦ ହାତାନ୍ତି, ଆହୁରି ବଢିବ ଲତିକାଙ୍କ ସାଂଗଠନିକ ପତିଆରା । ସେ ସ୍ଥିତିରେ ରାଣୀ ନନ୍ଦିନୀ ଦେବୀଙ୍କ ଟିକେଟ କଟିବାରେ ଯଥେଷ୍ଟ ସମ୍ଭାବନା ରହିଛି । ରାଣୀ ନିଜ ପତିଆରା ପାଇଁ ପୁରୁଣା ପ୍ରତିନ୍ଦ୍ୱନ୍ଦ୍ୱୀ ରମେଶ ଜେନାଙ୍କ ସହ ଭିତିରିଆ ବୁଝାମଣା କରିଥିବା ଚର୍ଚ୍ଚା ହେଉଛି । ବିଚକ୍ଷଣ ନନ୍ଦିନୀ ଦେବୀ ଜାଣନ୍ତି ଜେଲରେ ଥିବା ରମେଶ ଜେନା ଯଦି ଦୋଷୀ ସାବ୍ୟସ୍ତ ହୋଇ ଯାଅନ୍ତି, ତେବେ ସେ ଆଉ ନିର୍ବାଚନ ଲଢି ପାରିବେନି । ସେତେବେଳେ ବିଜେପି ଡଙ୍ଗାରେ ବସି ନିର୍ବାଚନ ବୈତରଣୀ ପାର ହେବାକୁ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ହିଁ ସହାୟକ ହେବେ ।
ଏଭିତରେ ବୋଧେ ରାଣୀ ନନ୍ଦିନୀ ଓ ରମେଶଙ୍କ ଆପୋସ ବୁଝାମଣା  କଥା ନବୀନ ପଟ୍ଟନାୟକଙ୍କ ପାଖରେ ଖବର ପହଞ୍ଚିଲାଣି । ହୁଏତ ସେହି କାରଣରୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ହେଉଥିବା ବିଶ୍ୱ ମହିଳା ଦିବସ କାର୍ଯ୍ୟକ୍ରମରେ ଲତିକାଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଲା, ହେଲେ ବିଜେଡି ବିଧାୟକ ନନ୍ଦିନୀ ଦେବୀଙ୍କର ଦେଖା ନଥିଲା!

ONA

Leave a Reply

Top