You are here
Home > ଗସିପ ଖବର > ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ବାହାନା, ଛୁଟି କାଟିବାକୁ ଅଷ୍ଟେଲିଆ ଯିବାକୁ ସରକାରି ଟିମ୍ ସଜବାଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ବାହାନା, ଛୁଟି କାଟିବାକୁ ଅଷ୍ଟେଲିଆ ଯିବାକୁ ସରକାରି ଟିମ୍ ସଜବାଜ

ଅଷ୍ଟ୍ରେଲିଆରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ସେହି ପ୍ରତିଯୋଗିତାରେ ଭାରତ ପ୍ରତିନିଧିତ୍ୱ କରୁଛି । କିନ୍ତୁ ଏହି କ୍ରୀଡ଼ାକୁ ଉପଭୋଗ କରିବା ଓ ଗ୍ରୀଷ୍ମ ଛୁଟି କଟାଇବା ପାଇଁ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ସଜବାଜ ହେଉଛି । ତା’ପୁଣି ରାଜକୋଷ ଅର୍ଥରେ । ଚର୍ଚ୍ଚା ହେଉଛି କ୍ରୀଡ଼ା ବିଭାଗ ସହ ଜଡ଼ିତ ପ୍ରାୟ ୭ ଜଣ ପଦାଧିକାରୀଙ୍କ ଏକ ଟିମ୍ କୁଆଡ଼େ ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କିଭଳି ହେଉଛି ତାକୁ ଦେଖିବା ପାଇଁ ଅଷ୍ଟ୍ରେଲିଆ ଯିବ । କାଳେ କେବଳ ଅଫିସର୍ମାନେ ଗଲେ ଗଣମାଧ୍ୟମରେ ଏନେଇ ନକାରାତ୍ମକ ଖବର ପ୍ରକାଶ ପାଇବ, ସେହି ଆଶଙ୍କାରେ ଟିମ୍ର ନେତୃତ୍ୱ ନେବାକୁ କ୍ରୀଡ଼ା ମନ୍ତ୍ରୀଙ୍କୁ ମଧ୍ୟ ସାଙ୍ଗରେ ନିଆଯାଉଛି । କ୍ରୀଡ଼ା ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କଠୁ ଆରମ୍ଭ କରି ତାଙ୍କର କିଛି ସହଯୋଗୀ ଏବଂ କ୍ରୀଡ଼ା ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଫିସର୍ ମଧ୍ୟ ଏହି ପ୍ରତିନିଧି ଦଳରେ ଅଷ୍ଟ୍ରେଲିଆ ଯାଉଛନ୍ତି । ପ୍ରଶ୍ନ ଉଠୁଛି, ଏଭଳି ବ୍ୟୟବହୁଳ ଗସ୍ତ ପାଇଁ ସରକାରୀ ସ୍ତରରେ କିଭଳି ଅନୁମତି ମିଳୁଛି । ରାଜକୋଷର ଅର୍ଥକୁ ଏଭଳି ଖୁଲମ୍ଖୁଲା ଲୁଟ୍ ପାଇଁ ଅନୁମତି ଦେବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କ’ଣ ଏହାର ହିସାବ-ନିକାସ କରିବାକୁ ଉଚିତ୍ ମଣୁନାହିଁ । ସଂଘୀୟ ବ୍ୟବସ୍ଥାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ଖେଳାଳିଙ୍କ ଭଲମନ୍ଦ ବୁଝିବା ପାଇଁ ଭାରତ ସରକାରଙ୍କ ପ୍ରତିନିଧି ଦଳ ଅଷ୍ଟ୍ରେଲିଆରେ ଡେରା ପକାଇଥିବାବେଳେ ଓଡ଼ିଶା ସରକାର ନିଜସ୍ୱ ଟିମ୍ ପଠାଇ ଏତେ ବ୍ୟୟଭାର ମୁଣ୍ଡାଇବାର କ’ଣ ଯଥାର୍ଥତା ରହିଛି । କୁହାଯାଉଛି, କେବଳ କିଛି ଅଫିସର୍ ନିଜର ଗ୍ରୀଷ୍ମ ଛୁଟି ଅଷ୍ଟ୍ରେଲିଆରେ ବିତାଇବାକୁ ଚାହୁଁଥିବାରୁ ସେମାନଙ୍କ ତୁଷ୍ଟୀକରଣ ପାଇଁ ଏଭଳି ଅନୁମତି ଦିଆଯାଇଛି ।

ONA

Leave a Reply

Top