You are here
Home > ଗସିପ ଖବର > ରାଗ ସୁଝାଇଲେ ବୁନୁ

ରାଗ ସୁଝାଇଲେ ବୁନୁ

ଭୁବନେଶ୍ୱର: ବିଜୁ ଜନତା ଦଳର ‘ହକ୍ ପାଇଁ ହରତାଲ’ ଶାନ୍ତିପୂର୍ଣ୍ଣରୁ ହିଂସ୍ର ହୋଇଯିବ ବୋଲି ଶାସକ ଦଳର ନେତାଏ କଳ୍ପନା କରିନଥିଲେ । ବିଧାୟକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ପରିଚାଳିତ ଯୁବ ଏବଂ ଛାତ୍ର ସଂଗଠନ ଆଇନକୁ ହାତକୁ ନେଲେ । ଏପରିକି ଆମ୍ବୁଲାନସ୍, ରୋଗୀ ଓ ମହିଳାଙ୍କୁ ମାଡ ମାରିବାକୁ ବି ପଛାଇଲେ ନାହିଁ । ଟିଭି ନୁ୍ୟଜ ଚ୍ୟାନେଲ ବି ଶାସକ ଦଳର ଗୁଣ୍ଡାଗିରିକୁ ପ୍ରଭାବୀ ଢଙ୍ଗରେ ପରିବେଷଣ କଲେ । ଯାହା ରାଜ୍ୟରେ ନବୀନଙ୍କ ବିଜେଡିରେ ଛବି ଧୂଳିସାତ କରିବା ପାଇଁ ଯଥେଷ୍ଟ ଥିଲା । ଏସବୁ ପାଇଁ ନବୀନ ଭୀଷଣ କ୍ଷୁବ୍ଧ ହୋଇଥିବା ଶୁଣିବାକୁ ମିଳିଛି । ବିଶେଷକରି ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମାଙ୍କୁ ଉତ୍ତମମଧ୍ୟମ ନବୀନ ଶୁଣାଇଥିବା ଚର୍ଚ୍ଚା ହେଉଛି । ତେବେ ଭୁବନେଶ୍ୱର ମେୟର ଅନନ୍ତ ଜେନା ଓରଫ ବୁନୁ ବାବୁ କୁଆଡେ ନିଆଁରେ ଘିଅ ଢାଳିବା କାମ କରିଛନ୍ତି ବୋଲି ନବୀନ ନିବାସର କର୍ମଚାରୀ କହୁଛନ୍ତି ।
ଯେହେତୁ ହରତାଳ ବେଳେ ଅଧିକାଂଶ ହିଂସା ଭୁବନେଶ୍ୱରରେ ଘଟିଥିଲା, ରାଜଧାନୀର ଛାମୁଆ ସଂଗଠକ ବୁନୁଙ୍କୁ ନବୀନ କୈଫିୟତ ମାଗିଥିଲେ ବୋଲି ଶୁଣିବାକୁ ମିଳିଛି । ହେଲେ ରାଜନୀତିର ପୋଖତ୍ ଖେଳୱାଡ ବୁନୁ ଏପରି ଘଟଣାକୁ ବୟାନ କଲେ ଯେ ବିଧାୟକ ସଞ୍ଜୟ ଦାସବର୍ମା ଓ ଦେବୀ ମିଶ୍ରଙ୍କ ଉପରେ ନବୀନ ବିଗିଡି ଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ପ୍ରଥମେ ବୁନୁଙ୍କ ଇସାରାରେ ବସ୍ତିବାସିନ୍ଦା ବିଜେଡି ନାଁରେ ହିଂସାକାଣ୍ଡ ଘଟାଇଥିବା ଖବର ଗଲା ନବୀନ ନିବାସ । ହେଲେ ବୁନୁଙ୍କ ଜବାବ ସବୁ ଗୁଗ୍ଲି କରି ଦେଇଥିବା ଖବର ରହିଛି । କୁଆଡେ ବିଧାୟକ ଦାସବର୍ମା ଭୁବନେଶ୍ୱରରେ ହରତାଲ୍ ପରିଚାଳନା କରୁଥିଲେ । ଯେଉଁଥିପାଇଁ ବୁନୁଙ୍କ ହାତରେ କିଛି ନିୟନ୍ତ୍ରଣ ନଥିଲା । କେବଳ ଟିଭି ନୁ୍ୟଜ ଚ୍ୟାନେଲ ଆଗରେ ମୁହଁ ଦେଖାଇବା ପାଇଁ ସଞ୍ଜୟ ନେତୃତ୍ୱ ନେବା ଆଳ କରିଥିବା ନବୀନଙ୍କ କାନରେ ଭୁବନେଶ୍ୱରର ପ୍ରଥମ ନାଗରିକ ଫୁଙ୍କିଥିବା ଦାସବର୍ମାଙ୍କ ସମର୍ଥକ କହିଛନ୍ତି ।
ଏହା ବି ସତ ଯେ, ବୁନୁ କି ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କୁ କେଉଁଠାରେ ମାଇଲେଜ୍ ନେବାକୁ ସୁଯୋଗ ଦେଲେନି ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ । ହରତାଲ ଦିନ ନା ସଞ୍ଜୟ ଗଲେ ବ୍ରହ୍ମଗିରି ନା ନୟାଗଡ ଗଲେ ଅରୁଣ । ପ୍ରଣବ ତ ସଚିବାଳୟକୁ ହିଁ ଯାଜପୁର ଭାବି ସାରିଲେଣି । ଏଜି ଛକ, ପାୱାର ହାଓସ ଛକ ଓ ରାଜଭବନ ଛକ ଛାଡି ଏହି ତିନି ଜଣ କୁଆଡେ ଯିବାର ନାଁ ହିଁ ନେଲେଣି । କିଛି ସମୟ ଏଜି ଛକରେ ବିଜୟ ମହାନ୍ତି ଓ ବୁନୁ ରହିଲେ । ହେଲେ ଅରୁଣ, ସଞ୍ଜୟ ଓ ପ୍ରଣବଙ୍କ ଆଚରଣରେ ବାଧ୍ୟ ହୋଇ ବାଇକ୍ ରାଲି ଆଳରେ ସ୍ଥାନ ଛାଡିବାକୁ ବାଧ୍ୟ ହୋଇଥିଲେ । ସେପଟେ ମୁଖ୍ୟତଃ ଏଜି ଛକ, ପାୱାର ହାଉସ ଛକ ଓ ରାଜଭବନ ଛକରେ ହିଁ ହିଂସାକାଣ୍ଡ ଘଟିଥିଲା । ଶୁଣିବାକୁ ମିଳିଛି, ପାୱାର ହାଉସ ଛକ ଓ ରାଜଭବନ ଛକରେ ସଞ୍ଜୟଙ୍କ ଇଶାରାରେ ବାରିକେଡ ଖୋଲି ଦେଇଥିଲା ପୋଲିସ୍ । ଯେଉଁଥିପାଇଁ ସେଦିନ ରାଜଭବନ ଛକରେ ଚାଲିଥିବା ବିଜେପି କୃଷକ ମୋର୍ଚ୍ଚାର ଧାରଣାରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ । ସେପଟେ ବିଧାୟକ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ଏଜି ଛକରେ ବିଜେପି କର୍ମୀଙ୍କ ସ୍କର୍ପିଓ ଗାଡି ଭାଙ୍ଗି ଚୁରମାର୍ କଲେ ବିଜେଡି କର୍ମୀ ।
ଦୁଃଖଦ ଘଟଣା ଘଟିଲା ଡେଲଟା ଛକରେ ଯେଉଁଠି ସାଗରିକା କର ନାମକ ମହିଳା ନିଜ କର୍କଟ ରୋଗରେ ପୀଡିତ ଶ୍ୱଶୁରଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱର ଆଣୁଥିଲେ ଚିକିତ୍ସା ପାଇଁ । ଏମାନେ ଆମ୍ବୁଲାନସ୍ ବଦଳରେ ବ୍ୟକ୍ତିଗତ କାରରେ ଆସିବାରୁ ବିଜେଡି କର୍ମୀଙ୍କ ଦ୍ୱାରା ମାଡ ବି ଖାଇଥିଲେ । ଏହି କାରଣରୁ ନବୀନଙ୍କ ପ୍ରତି ସାଗରିକାଙ୍କ ସମ୍ମାନ କ୍ଷୂଣ୍ଣ ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟରେ ମେସେଜ କଲେ । ନବୀନଙ୍କ ପାଇଁ ଏହା ଅସହ୍ୟ ହେଲା । ଯାହାର ଖବର ପାଇ ହରତାଲ ରାତିରେ ଖୋର୍ଦ୍ଧା ଯାଇ ସାଗରିକାଙ୍କ ପରିବାର ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ମେୟର ବୁନୁ ବାବୁ । ବାସ୍! ବୁନୁ କ୍ଷମା କଥା ନବୀନଙ୍କୁ କହି ଦୋଷ କାଟି ଦେଲେ । ହେଲେ ସଞ୍ଜୟଙ୍କ ବିରୋଧରେ ବୁନୁ ଯାହା ନବୀନଙ୍କୁ ଫୁସଫାସ୍ କହିିଥିଲେ, ତାହା ଭାରି ପଡିଲା ସଞ୍ଜୟଙ୍କ ଉପରେ । ଉଭୟ ସଞ୍ଜୟ ଓ ଦେବୀଙ୍କୁ ୧୯ ସେପ୍ଟେମ୍ବର ସକାଳେ ନବୀନ ଡାକି ତାଗିଦ୍ କରିଥିବା ସୂଚନା ମିଳିଛି । ଯାହା ବୁନୁଙ୍କୁ ମନକୁ ଆଶ୍ୱସ୍ତି ଦେଇଛି । କାରଣ ବୁନୁଙ୍କ ବିରୋଧରେ ଉଠିଥିବା ଅଶ୍ଳୀଳ ଭିଡିଓ ଘଟଣାକୁ ପ୍ରଘଟ କରିବାରେ ସଞ୍ଜୟଙ୍କ କିଛି ସମର୍ଥକ ତଥା ବୁନୁ ବିରୋଧୀ ବିଜେଡି କର୍ପୋରେଟରଙ୍କୁ ହାତ ଥିବା ଚର୍ଚ୍ଚା ହୁଏ । ଏହି ଘଟଣାରେ ବୁନି ବୋଧେ ସୁଯୋଗ ଖୋଜୁଥିଲେ ବ୍ୟକ୍ତିଗତ କି ରାଜନୈତିକ ସ୍ତରରେ ନୁହେଁ; ବରଂ ଏପରି ଭାବେ ସଞ୍ଜୟଙ୍କୁ ମଜା ଚଖାଇବେ ଯେପରି ଦଳୀୟ ମୁଖିଆଙ୍କ ଆଖି ତଳକୁ ଖସିଯିବେ ବିଧାୟକ ଦାସବର୍ମା । ଆଉ ଏବେ ତାହା କରି ଦେଖାଇଛନ୍ତି ବୋଲି ଶୁଣାଯାଉଛି ।

ONA

Leave a Reply

Top