You are here
Home > ପଲିଟିକ୍ସ > ରାଗିଲେ ତାରା!

ରାଗିଲେ ତାରା!

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପିତି ଓରଫ ଭାଲୁ ଭାଇନାଙ୍କ ବିଧାନସଭାରେ ଉପସ୍ଥାନ ହାର ଅଧିକ । କେବେ କ୍ରୋଧ ସ୍ୱର ତି ପୁଣି କେବେ ବାଚସ୍ପତିଙ୍କ ପୋଡିଅମକୁ ଚଢିବା । ବିଜେଡିର ବିଶାଳ ବିଧାୟକ ସେନାଙ୍କ ଉପସ୍ଥିତିରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ତାରା ଏସବୁ ଅବତାର ନିଅନ୍ତି ବୋଲି ଚର୍ଚ୍ଚା । ଅବଶ୍ୟ ବିରୋଧୀ ଦଳରେ ତାରା ହି ସେହି ବ୍ୟକ୍ତି ଯିଏ ସବୁ ପ୍ରସଙ୍ଗରେ ମୁହଁ ଖୋଲନ୍ତି ଓ ଆଲୋଚନାରେ ଭାଗ ନିଅନ୍ତି । ହେଲେ ଏହି ତାରାଙ୍କୁ ଯେ ତାଙ୍କ ଦଳୀୟ ବିଧାୟକ କେତେ ଥର ବିରୋଧ କରିଛନ୍ତି, ତାହା ଅଛପା ନୁହେଁ । କିଏ ତାରାଙ୍କ ବିରୋଧରେ ଦିଲ୍ଲୀରେ ଡେରା ପକାଇଲାଣି, ତ ପୁଣି କିଏ ବିରୋଧୀ ଦଳ ମୁଖ୍ୟ ସଚେତକ ହେବ ବୋଲି ହାଇକମାଣ୍ଡଙ୍କ ପାଖରେ ଫେରାଦ୍ ହେଲାଣି । ଏତେ ସବୁ ପରେ ବି ତାରାଙ୍କ ଦମ୍ଭର ସହ ଠିଆ ହୋଇଛନ୍ତି । ତେବେ  ବିଧାନସଭାର ଗତ ବଜେଟ୍ ଅଧିବେଶନରେ ଏପରି କ’ଣ ହେଲା ଯେ ନିଜ ଦଳର ବିଧାୟକଙ୍କ ଉପରେ ରାଗିଲେ ତାରା?
ରାଜ୍ୟର ବିଗୁଡୁଥିବା ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବିଧାନସଭାରେ ଆଲୋଚନା ହେଉଥାଏ । ତାରା କୋରାପୁଟ ଓ ଜୟପୁରରେ ଡାକ୍ତର ବଦଳି ଘଟଣା ବଖାଣୁଥାନ୍ତି । ଜୟପୁରରୁ କାହିଁକି ବାରମ୍ବାର ଡାକ୍ତର ବଦଳି କରି ଜିଲ୍ଲା ହେଡକ୍ୱାଟର କୋରାପୁଟ ପଠାଯାଉଛି, ସେ ସଂପର୍କରେ ତାରା ଗୃହର ଦୃଷ୍ଟି ଆକର୍ଷଣ କରୁଥିଲେ । ତାରାଙ୍କୁ ଶାସକ ଦଳ ପକ୍ଷରୁ ବି କେହି ବିରୋଧୀ କରୁ ନଥାନ୍ତି । ହେଲେ ହଠାତ୍ ତାରାଙ୍କ ପଛ ପଟୁ କିଏ ଜଣେ କହିଲେ ଯେ ଭାଲୁ ଭାଇନା କାହିଁକି କୋରାପୁଟ କୋରାପୁଟ ହେଉଛ! କିଛି ସମୟ ଯାଏ ଭାଲୁ ଭାଇନା ବୁଝି ପାରିଲେନି ଯେ କିଏ କହିଲା । ପ୍ରଥମେ ଭାବିଲେ ଯେ ତାଙ୍କୁ ଯେପରି ଶାସକ ଦଳ ବିରୋଧ କରେ କିଛି କହିବା ପୂର୍ବରୁ, ସେହି କଥା ହି ହୋଇଥିବ । କିନ୍ତୁ ପରେ ଯାହା ଜାଣିବାକୁ ପାଇଲେ, ତାହା ତାଙ୍କ ପାଦ ତଳୁ ମାଟି ନେଇଗଲା ।
ଶୁଣିବାକୁ ମିଳିଛି, ଭାଲୁଙ୍କୁ ପଛ ପଟୁ କୋରାପୁଟ ନାଁ ନ କହିବା ପାଇଁ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣ ଷଗଡିଆ ମନା କରୁଥାନ୍ତି । କାରଣ ଭାଲୁଙ୍କ ଅଭିଯୋଗ ଥିଲା ଯେ ଜୟପୁରରୁ ଡାକ୍ତର କୋରାପୁଟ ବଦଳି କରାଯାଉଛି । ଯାହାକୁ ସହଜରେ ହଜମ କରି ପାରିଲେ ନାହିଁ କୃଷ୍ଣ । ଏ ତ ଗୃହ ଭିତର ଘଟଣା ଥିଲା । ଆଲୋଚନା ସରିବା ପରେ ବିଧାନସଭା ଲବିର ଘଟଣା ଆହୁରି ରୋଚକ । କ୍ରୋଧରେ ଜଳୁଥିବା ଭାଲୁ ସିଧା ଗଲେ ନିଜ ଦଳ ବିଧାୟକ କୃଷ୍ଣଙ୍କ ପାଖକୁ । ସୂଚନା ମିଳିଛି, ଭାଲୁ କୁଆଡେ ରାଗରେ କୃଷ୍ଣଙ୍କୁ ଚପଲ ଉଠାଇଲେ । ହେଭିୱେଟ୍ ବିଧାୟକଙ୍କ ଚପଲର ଓଜନ ସମ୍ଭାଳି ପାରିଲେନି କୃଷ୍ଣ । କାଳେ ଭାଲୁ ଚପଲରେ ଉତ୍ତମ ମଧ୍ୟମ କରି ଦେବେ, ଅନ୍ୟ ବିଧାୟକମାନେ ରୋକିଲେ ।
କଥା ଯାହା ହେଉ ନା କାହିଁକି, କୃଷ୍ଣଙ୍କ ଦିନ ଭଲ ଚାଲୁନି । ବିଧାନସଭାର ଗତ ଅଧିବେଶନ ଆରମ୍ଭରୁ ହି କୃଷ୍ଣ ପେଟ ଯନ୍ତ୍ରଣାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଅଧବେଶନ ଶେଷ ଆଡକୁ ଆସିଲେ । କହୁଥିଲେ ସୁସ୍ଥ ଅଛନ୍ତି, ପେଟ ଭଲ ଅଛି! ହେଲେ ଭାଲୁଙ୍କ କଥାକୁ କାହିଁକି ହଜମ କରି ପାରିଲେନି କେଜାଣି? ପୂର୍ବରୁ ବି ଭାଲୁଙ୍କ ବିରୋଧରେ କୃଷ୍ଣ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହୁଏ । କଂଗ୍ରେସ ବିଧାୟକଙ୍କ ଗୋଟାଏ ଗୋଷ୍ଠି ଭାଲୁଙ୍କୁ ବାଦ୍ ଦେଇ ନବ କିଶୋର ଦାସଙ୍କୁ ମୁଖ୍ୟ ସଚେତକ କରିବା ପାଇଁ ଲବି କରୁଥିଲେ । ଏବେ ୧୬ ବିଧାୟକ ଥିବା କଂଗ୍ରେସ ଦଳ ଗୃହ ଭିତରେ ପରସ୍ପରକୁ ଟାର୍ଗେଟ କରିବାରୁ ଦଳୀୟ କନ୍ଦଳ ଖୋଲାଖୋଲି ଭାବେ ପଦାରେ ପଡୁଛି । ଯାହାର ଫାଏଦା ଶାସକ ଦଳ ନେବା ସ୍ୱାଭାବିକ । ପୁଣି ଯଦି ଭାଲୁ ବାହିନୀପତି ଓ ପ୍ରଫୁଲ୍ଲ ମାଝୀଙ୍କୁ ଶୃଂଖଳାଗତ କାରଣୁ ଦଳରୁ ନିଲମ୍ବନ କରାଯାଏ, କଂଗ୍ରେସ ବିରୋଧୀ ଆସନରେ ବି ବସି ପାରିବନି । ସେଥିପାଇଁ ଏବେ କଂଗ୍ରେସ ଗୋଷ୍ଠି କନ୍ଦଳ ଓ ହାତରୁ ଚପଲକୁ ବାଦ୍ ଦେଇ ହାତ ମିଶାଇ କାମ କରିବାର ସମୟ ଆସିଛି ।

ONA

Leave a Reply

Top