You are here
Home > ଲାଟେଷ୍ଟ > ରଥଯାତ୍ରା ସମୀକ୍ଷା ବୈଠକ: ୩୦ ମିନିଟରେ ୧୭ ପ୍ରସ୍ତାବ ଉପରେ ଆଲୋଚନା

ରଥଯାତ୍ରା ସମୀକ୍ଷା ବୈଠକ: ୩୦ ମିନିଟରେ ୧୭ ପ୍ରସ୍ତାବ ଉପରେ ଆଲୋଚନା

ନବୀନ ସନ୍ତୁଷ୍ଟ, ଠିକଠାକ୍ ଚାଲିଛି ରଥଯାତ୍ରା କାମ
ପୁରୀ: ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ନେଇ ପୁରୀରେ ଶନିବାର ସ୍ୱତନ୍ତ୍ର ସମନ୍ୱୟ  କମିଟି ସମୀକ୍ଷା ବୈଠକ ବସିଥିଲା । ରଥଯାତ୍ରାକୁ ଆଉ ସପ୍ତାହେ ବାକି ଥିବା ବେଳେ ସମସ୍ତ ବିଭାଗ ପକ୍ଷରୁ ଠିକ୍ ଭାବେ ପ୍ରସ୍ତୁତି ଚାଲିଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।
 ତେବେ ମାତ୍ର ୩୦ ମିନିଟ୍ ପାଇଁ ଅନୁଷ୍ଠିତ ଏହି ବୈଠକର  ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ  ପ୍ରଶାସନ ଓ ସେବାୟତଙ୍କ ସହଯୋଗ ଲୋଡିଥିଲେ । ତା ପରେ ମାତ୍ର ୩୦ ମିନିଟ୍ ମଧ୍ୟରେ ବୈଠକରେ  ୧୭ଟି ପ୍ରସ୍ତାବକୁ ଅଧିକାରୀମାନେ ଧାଡିବାନ୍ଧି ପଢ଼ି ଶୁଣାଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ପଦୁଟିଏ ମୁହଁ ଖୋଲି ନଥିଲେ । ଏଜେଣ୍ଡାରେ ଥିବା ପ୍ରସ୍ତାବଗୁଡିକୁ ଅଧିକାରୀମାନେ ଜଣକ ପରେ ଜଣେ ପଢ଼ି ଶୁଣାଇ ସାରିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ସାରି ଚାଲି ଯାଇଥିଲେ । ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଯୋଗାଣ, ଗମନାଗମନ, ରାସ୍ତାଘାଟ ନିର୍ମାଣ, ବିଦୁ୍ୟତ ଯୋଗାଣ, ସୁରକ୍ଷା ବ୍ୟବସ୍ଥା  ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହାସହ ଆଇନ୍ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଏବଂ ପର୍ଯ୍ୟଟନ ମନ୍ତ୍ରୀ  ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସେହିଭଳି ପୋଲିସ ମହାନିର୍ଦେଶକଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ କଂଗ୍ରେସ, ବିଜେପି ଓ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପୁରୀ ଆସିବା ପୂର୍ବରୁ ନାଗରିକ ମଞ୍ଚର ୪ଜଣ ସଦସ୍ୟଙ୍କ ସହ ବିଜେପିର ୧୨ ଓ କଂଗ୍ରେସର ୨ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ସେହିଭଳି ସାତସଙ୍ଗ ନିକଟରେ ତିନି ଜଣ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଛି ।

ONA

Leave a Reply

Top