You are here
Home > ଏକ୍ସକ୍ଲୁସିଭ୍ > ଯୋଗୀଙ୍କ ଶରଣ ପଶିବେ ଆଶିଷ!

ଯୋଗୀଙ୍କ ଶରଣ ପଶିବେ ଆଶିଷ!

ଭୁବନେଶ୍ୱର:୨୦୦୪ ବ୍ୟାଚର ଆଇପିଏଏସ୍ ଅଫିସର ଆଶିଷ ସିଂ । ନିଜ ଘର ଉତ୍ତରପ୍ରଦେଶର ଆଜମଗଡ୍ । ଗଞ୍ଜାମକୁ କ୍ରାଇମ ଫ୍ରି କରିବା ପାଇଁ ସେ ଥିଲେ ବଦ୍ଧପରିକର । କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା । ଆଉ ଏଠାରେ ଯେଉଁ ପ୍ରଶାସନିକ ଅଧିକାରୀ ଭଲ ପ୍ରଦର୍ଶନ କରନ୍ତି ସେ ନବୀନଙ୍କ ଗୁଡବୁକରେ ସ୍ଥାନ ପାଇବାର ନଜିର ରହିଛି । ଉଦାହରଣ ସ୍ୱରୂପ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷିଣୀ ବ୍ୟକ୍ତିଗତ ସଚିବ । କିଛି ବର୍ଷ ତଳେ ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ । ମନରେଗାରେ ପ୍ରଶଂସନୀୟ କାମ ଯୋଗୁ ସେ ଆସିଲେ ନବୀନ ନିବାସ । କୁହାଯାଉଛି ବର୍ତ୍ତମାନ ସେ ନବୀନଙ୍କ ଟିମର ସବୁଠାରୁ ପାୱାରଫୁଲ ପ୍ରଶାସକ । ସେହି ରାସ୍ତାରେ ଯିବାକୁ ଗଞ୍ଜାମ ଏସପି ଆଶିଷ ସିଂ ବି ଚେଷ୍ଟା କରିଥିଲେ । ନବୀନଙ୍କୁ ବେଶ୍ ଖୁସ୍ କରିବା ପାଇଁ ଚଲାଇଲେ ଯୋଜନା । ହେଲେ ଏବେ ଥକି ଗଲେଣି । ଏଥିପାଇଁ ଓଡିଶା ଛାଡି ୟୁପି ମୁହାଁଇବାକୁ ଆଶିଷ ମନସ୍ଥ କରିଥିବା ଶୁଣିବାକୁ ମିଳିଛି ।
୧୯୮୦ ପୋଲିସ ଆଇନ ବଳରେ ଗଞ୍ଜାମ ଓ ବ୍ରହ୍ମପୁରକୁ ଦୁଇଟି ଅଲଗା ପୋଲିସ ଜିଲ୍ଲା କରାଯାଇଛି । ହେଲେ ଗଞ୍ଜାମ ଏସ୍୍ି ଆଶିଷ ସିଂଙ୍କୁ ଦୁଇ ଥର ବ୍ରହ୍ମପୁର ଏସପି ଭାବେ ଅତିରକ୍ତ ଦାୟିତ୍ୱ ମିଳିଛି । ନବକଳେବର ସମୟରେ ଗଞ୍ଜାମରୁ ବଦଳି ହୋଇ ସେ ପୁରୀ ଯାଇଥିଲେ । ହେଲେ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ସହ ଅପଡ ଯୋଗୁ ଗଞ୍ଜାମ ଫେରି ଆସିଲେ ବୋଲି ଚର୍ଚ୍ଚା ହେଲା । ୧୮ ମାର୍ଚ୍ଚ ୨୦୧୬ରେ ସେ ପୁଣି ଫେରିଲେ ଗଞ୍ଜାମ ଓ ଏକସଙ୍ଗେ ଦୁଇଟି ପୋଲିସ ଜିଲ୍ଲାର ଦାୟିତ୍ୱ ଗ୍ରହଣ କଲେ । ଗତ କିଛି ଦିନ ହେବ ତାଙ୍କ ବିରୋଧରେ ବିରୋଧୀ ବିଜେପି ବେଶ ଗର୍ଜନ କରୁଛି । ତାଙ୍କୁ ବିଜୁ ଜନତା ଦଳର ଏଜେଣ୍ଟ ବୋଲି ଆଖ୍ୟା ଦେଇଛି । ଛତ୍ରପୁର କାଉନସିଲର ତଥା ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ଆଶିଷଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ବି ଅନେକ ପ୍ରଶ୍ନ ଉଠିଲାଣି । ଅଭିଯୁକ୍ତ କୃଷ୍ଣ ନାୟକଙ୍କ ପର୍ଦ୍ଦାଫାସ କରିବା ବେଳେ ତାଙ୍କୁ ବିଜେପି ନେତା ବୋଲି ସେ କହି ଦେଲେ । ସେବେଠାରୁ ବିଜେପିର ସ୍କାନରରେ ଆଶିଷ ।
କୃଷ୍ଣ ନାୟକ ଗିରଫ ପରେ ମାର୍କେଟକୁ ଏକ ଭିଡିଓ ସିଡି ଆସିଲା । ଯେଉଁଥିରେ ହତ୍ୟାକାଣ୍ଡରେ ଅଭିଯୁକ୍ତ କୃଷ୍ଣ ଏବଂ ତାଙ୍କ ସହଯୋଗୀଙ୍କୁ ଫେରାର୍ କରିବାକୁ ବିଜେପି ମୁଖପାତ୍ର ତଥା ଗଞ୍ଜାମ ବିଜେପି ପ୍ରଭାରୀ ଗୋଲକ ମହାପାତ୍ର ସହଯୋଗ କରିଥିବା କଥାର ସ୍ୱୀକାରୋକ୍ତି ରହିଛି । ଏହି ଅଭିଯୋଗରେ ଗୋଲକଙ୍କୁ ମଧ୍ୟ ପୋଲିସ ଜେରାର ସାମ୍ନା କରିବାକୁ ପଡିଛି । ବ୍ରହ୍ମପୁରରେ ନଭେମ୍ବର ୧ ତାରିଖରେ ଦୁଇ ଦୁଇ ଥର ସେ ଜେରା ହୋଇଛନ୍ତି । ସବୁ ଭାବୁଥିଲେ, ଗୋଲକଙ୍କୁ ପୋଲିସ ଗିରଫ କରିବ । ହେଲେ ତାହା ହେଲାନି । କାରଣ ଗୋଲକ ବି ଟାଣୁଆ ଆଇନଜୀବୀଙ୍କ ସହ ଯାଇଥିଲେ ଛତ୍ରପୁର ଥାନା । ଆଇନଜୀବୀ ଥିଲେ ହାଇକୋର୍ଟଙ୍କ ଜଣେ ବରିଷ୍ଠ ଓକିଲଙ୍କ ଟିମରୁ । ସେହି ସିନିୟର ଆଡଭୋକେଟ୍ ଗତ ନିର୍ବାଚନରେ କଂଗ୍ରେସ ଟିକେଟରେ ସାଂସଦ ପ୍ରାର୍ଥୀ ହୋଇଥିଲେ । ହେଲେ କିଛି ଦିନ ତଳେ ତାଙ୍କ ବଡ ଭାଇ ତଥା ପୂର୍ବତନ ବିଧାୟକ ବିଜେପିରେ ଯୋଗ ଦେବାରୁ, ସେ ବିଜେପି ମୁହାଁ ହୋଇଛନ୍ତି । ସେପଟେ ଥାନା ବାହାରେ ଶକ୍ତି ପ୍ରଦର୍ଶନ ବି କଲା ବିଜେପି । ଫଳରେ ଗୋଲକଙ୍କୁ ଗିରଫ କରିବା ଗଞ୍ଜାମ ପୋଲିସ ପାଇଁ କାଠିକର ପାଠ ହେଲା ।
ଯାହା ଖବର ମିଳିଛି ଏସପି ଆଶିଷ ସିଂ ଏବେ କୁଆଡେ ବିଜେପିକୁ ଭୟ କରୁଛନ୍ତି । ସେ କାଳେ ବୁଝି ପାରିଛନ୍ତି ଯେ ବିଜେଡି ତାଙ୍କୁ ବ୍ୟବହାର କରୁଛି । ଦୁଇ ଦୁଇଟି ପୋଲିସ ଜିଲ୍ଲାର ବୋଝ ଦେଇ ତାଙ୍କୁ ରାଜନୈତିକ ସ୍ତରରେ ବ୍ୟବହାର କରାଯାଉଛି । ସେପଟେ ଆଶିଷ କେନ୍ଦ୍ର ସରକାରଙ୍କ କର୍ମଚାରୀ । ଯଦି ସେ ବିଜେପିର ରାଜନୈତିକ ଶତ୍ରୁ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବେ, ତାହାର ଜବାବ ତାଙ୍କୁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଦେବେ । ଭବିଷ୍ୟତରେ ହୁଏତ ତ ତାଙ୍କ ପଦୋନ୍ନତିର ରାସ୍ତାରେ ବାଧା ସୃଷ୍ଟି ହୋଇପାରେ । ଏପଟେ ବିଜେଡିକୁ ସହଯୋଗ ନକଲେ ରାଜ୍ୟ ସରକାରଙ୍କ ରୋଷର ଶୀକାର ହେବାକୁ ପଡିବ । ଏପରିସ୍ଥିତିରେ ବର୍ତ୍ତମାନ ତାଙ୍କ ପାଇଁ କେନ୍ଦ୍ରୀୟ ଡେପୁଟେସନ୍ ହିଁ ଠିକ୍ ନିର୍ଣ୍ଣୟ ବୋଲି ଆଶିଷ ଭାବୁଛନ୍ତି । ତେଣୁ ନିଜ ରାଜ୍ୟ ଉତ୍ତର ପ୍ରଦେଶକୁ ଫେରିବା ଯୋଜନାରେ ଆଶିଷ ଅଛନ୍ତି ବୋଲି ଖବର ମିଳିଛି । ଏଥିପାଇଁ କେନ୍ଦ୍ର ବିଜେପି ସହ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ମୋଦିଙ୍କ ଗୁଡ ବୟ ଯୋଗୀ ଆଦିତ୍ୟନାଥ ମଧ୍ୟସ୍ଥତା କରିବା ପାଇଁ ଆଶିଷ ପ୍ଲାନିଂ କରିଥିବା ଦିଲ୍ଲୀ ବିଜେପି ସୂତ୍ରରୁ ଖବର ମିଳିଛି । ବିଜେପି ବି ଏହି ଡିଲିଂରେ ରାଜି ହୋଇପାରେ । କାରଣ ଗଞ୍ଜାମ ଜିଲ୍ଲାରେ ବିଜେପି ପାଇଁ ଆଶିଷ ବାଧକ ହେଉଛନ୍ତି । ବିଜେପି ବି ଅନୁଭବ କରୁଛି ଯେ ଆଶିଷ ନ ଗଲେ, ନବୀନଙ୍କ ଗଞ୍ଜାମ ଜିଲ୍ଲାରେ ପଦ୍ମ ଫୁଟିବା ଅସମ୍ଭବ । ହେଲେ ଗୋଟିଏ କଥା ସତ ଯେହେତୁ ଆଶିଷ ଓଡିଶା କ୍ୟାଡର ଆଇପିଏସ୍ ଅଫିସର, ତେଣୁ ଦିନେନା ଦିନେ ତ ତାଙ୍କୁ ପୁଣି ଓଡିଶା ଫେରିବାକୁ ପଡିବ । ହୁଏତ କିଛି ବର୍ଷ ପରେ ସେ ଫେରିବା ବେଳକୁ ଓଡିଶାରେ ବିଜେଡିର ସ୍ଥିତି ଦୁର୍ବଳ ହୋଇ ଯାଇଥିବ । ଯାହା ଆଶିଷଙ୍କ ପାଣିପାଗକୁ ସୁହାଇ ପାରେ । ନ ହେଲେ ଯେଉଁ ଦଳ ବି ସରକାର କରୁ, ସରକାରୀ କର୍ମଚାରୀଙ୍କୁ ରଙ୍ଗ ବଦଳାଇବାକୁ ସମୟ ଲାଗିବ ନାହିଁ ।

ONA

Leave a Reply

Top