You are here
Home > ଅଧିକ ଖବର > ମୟୂରଭଞ୍ଜରେ ହେବ ଉପନିର୍ବାଚନ!

ମୟୂରଭଞ୍ଜରେ ହେବ ଉପନିର୍ବାଚନ!

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପାର୍ଲାମେଣ୍ଟକୁ ନିୟମିତ ଆସୁନାହାନ୍ତି ମାନ୍ୟବର ସାଂସଦ । ତେଣୁ ସେଲିବ୍ରିଟି ସାଂସଦମାନଙ୍କ ସଭ୍ୟପଦ ରଦ୍ଦ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଏଭିତ୍ତିରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ଅଭିନେତ୍ରୀ ରେଖା ଓ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସମାଜବାଦୀ ପାର୍ଟି ସାଂସଦ ନରେଶ ଅଗ୍ରୱାଲ । ଯଦିଓ ସଂସଦରେ ଅନୁପସ୍ଥିତ ରହିବା ନେଇ କୌଣସି ସାଂସଦଙ୍କ ସଭ୍ୟ ପଦ ରଦ୍ଦ ହେବାର ନଜିର ନାହିଁ, ତଥାପି ଏହାର ଫାଇଦା ନେବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟି । ଗତ ଅଢେଇ ବର୍ଷ ଭିତରେ ଥରେ ମାତ୍ର ଲୋକସଭାକୁ ଯାଇଥିବା ମୟୂରଭଞ୍ଜର ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଟାର୍ଗେଟ କରିବାକୁ ଯାଉଛି ବିଜେପି । ସମାଜବାଦୀ ପାର୍ଟିର ବାଉନ୍ସରରେ ବିଜେଡିକୁ ଘାଇଲା କରିବାକୁ ଆରମ୍ଭ ହୋଇଛି ରଣନୀତି । ବିଭିନ୍ନ ଇସୁ୍ୟରେ ସୁପ୍ରିମକୋର୍ଟରେ ବାରମ୍ବାର ଧକ୍କା ଖାଇବା ପରେ ଏହି ପ୍ରସଙ୍ଗକୁ ଆଉ ସର୍ବୋଚ୍ଚ ନ୍ୟାୟାଳୟକୁ ନେବାକୁ ଅମଙ୍ଗ ବିଜେପିର ତୁଙ୍ଗ ନେତୃତ୍ୱ । ତେଣୁ ଲୋକସଭା ବାଚସ୍ପତିଙ୍କ କୋର୍ଟକୁ ବଲ୍୍ ଫିଙ୍ଗି ଏହାର ଭରପୂର ଫାଇଦା ନେବାକୁ ଅନେଇ ବସିଛି ବିଜେପି । ଯଦି ବାଚସ୍ପତି ଏନେଇ ରୁଲିଂ ଦିଅନ୍ତି ତେବେ ବିଜେପି ପାଇଁ ହେବ କଚେ-ପୁଅ-ବାର । ମୟୂରଭଞ୍ଜରେ ହେବ ଉପ-ନିର୍ବାଚନ, ଆଉ ସିଧା ଏଥିରୁ ଉପକୃତ ହେବାକୁ ଅନେଇ ବସିଛି ରାଜ୍ୟ ବିଜେପି ।
ରାଜ୍ୟରେ ପଟ୍ଟ ପରିବର୍ତ୍ତନର ଆଭାସ ଦେଇଛି ପଞ୍ଚାୟତ ନିର୍ବାଚନ ଫଳାଫଳ । ୧୭ ବର୍ଷ ପରେ ବିଜେଡି ଠାରୁ ମୁହଁ ଫେରାଇ କଡ ଲେଉଟାଇବା ଆରମ୍ଭ କରିଛନ୍ତି ରାଜ୍ୟବାସୀ । ମୟୂରଭଞ୍ଜରୁ ହିଁ ଶୁଭିଛି ଯୁଦ୍ଧ ଦୁନ୍ଦୁଭି । ୫୬ ଜିଲ୍ଲା ପରିଷଦ ଆସନରୁ ୪୯ଟିରେ ପଦ୍ମ ଫୁଟାଇ ସଭିଙ୍କୁ ଚକମା ଦେଇଛନ୍ତି ମୟୂରଭଞ୍ଜର ଭୋଟର । ଜିଲ୍ଲା ତମାମ ବିଜେପି ହାୱା ବହୁଥିବା ସମୟରେ ଏହାକୁ ହାତଛଡା କରିବାର ମୁଡ୍ରେ ନାହିଁ ଦଳ । ମୟୂରଭଞ୍ଜର ଆଦିବାସୀ ମହିଳାଙ୍କୁ ଝାଡଖଣ୍ଡର ରାଜ୍ୟପାଳ କରି ବିଜେପି ଆଗରୁ ଉତ୍ତର ଓଡିଶାରେ ସ୍ଥିତି ସୁଦୃଢ କରିଛି । ତେଣୁ ଯେକୌଣସି ପ୍ରକାରେ ମୟୂରଭଞ୍ଜ ଲୋକସଭା ସିଟକୁ ହାତେଇବା ଯୋଜନାରେ ଅଛନ୍ତି ପଦ୍ମ ଦଳିଆ । ଖାସ ସେଇଥିପାଇଁ ତ ଖୁବ ଶୀଘ୍ର ସଂରକ୍ଷିତ ଲୋକସଭା ଆସନ ମୟୂରଭଞ୍ଜରେ ବାଇ-ଇଲେକ୍ସନ କରାଇ ଦେବା ମୁଡ୍୍ରେ ବିଜେପି ।
ଚିଟ୍୍ଫଣ୍ଡରେ ଦୁର୍ନୀତିରେ ଘାଣ୍ଟି ଚକଟି ହୋଇ ଜେଲରେ ଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଗୋଟି ଚାଳନା କରୁଛି ବିଜେପି । ନବଦିଗନ୍ତି ଚିଟଫଣ୍ଡ ଦୁର୍ନୀତିରେ ୨୦୧୪ ନଭେମ୍ବର ୪ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ହାଁସଦା । ଇତିମଧ୍ୟରେ କାଳେ ସଭ୍ୟପଦ ରଦ୍ଦ ହୋଇଯିବ ତେଣୁ ଥରେ ମାତ୍ର କୋର୍ଟଙ୍କ ଅନୁମତି ମାତ୍ର ସଂସଦରେ ଉପସ୍ଥାପନ ପକାଇଥିଲେ । ତାହା ପୁଣି ମାର୍ଚ୍ଚ ୨୦ ତାରିଖ ୨୦୧୫ ମସିହାରେ । ଏହାରି ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ମାତ୍ର ଜେଲର ଚାରିକାନ୍ଥ ମଧ୍ୟରୁ ବାହାରିବାରେ ସକ୍ଷମ ହୋଇପାରି ନାହାନ୍ତି ରାମଚନ୍ଦ୍ର । ତାଙ୍କର ସବୁ ପ୍ରଚେଷ୍ଟା ଫେଲ୍ ମାରିଛି । ଏମିତିକି ସୁପ୍ରିମକୋର୍ଟରେ ତାଙ୍କର ବେଲ୍୍ ପିଟିସନ ଖାରଜ ହୋଇସାରିଛି । ଯେହେତୁ ନବଦିଗନ୍ତ ଚିଟପଣ୍ଡ ସଂସ୍ଥାର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ, ତେଣୁ ରାମଚନ୍ଦ୍ରଙ୍କ ବିରୋଧରେ ଅନେକ ତଥ୍ୟ ପ୍ରମାଣ ଲାଗିଛି ସିବିଆଇ ହାତରେ । ଏସବୁକୁ ଦେଖିଲେ ସହଜରେ ସିବିଆଇ ପଞ୍ଝାରୁ ମକୁଳିବା ହାଁସଦାଙ୍କ ପାଇଁ କାଠିକର ପାଠ ହେବ । ଆଉ ବର୍ତ୍ତମାନ ପରିସ୍ଥିତିରେ ଯଦି ମୟୂରଭଞ୍ଜରେ ଉପ ନିର୍ବାଚନ ହୁଏ, ତାହା ହେବ ବିଜେଡି ପାଇଁ ଜୀବନ-ମରଣ ସମସ୍ୟା । ତେଣୁ ବିଜେପି ପାଇଁ ଏହା ଉପଯୁକ୍ତ ସମୟ ଥିବାରୁ ଶୁଭସ୍ୟ ଶୀଘ୍ରମ ନୀତିରେ ଉପ ନିର୍ବାଚନ କରାଇ ବିଜେଡି ଉପରେ ଭାରି ପଡି ପରିବର୍ତ୍ତନର ଧାରାକୁ ଆଗକୁ ବଢାଇବାର ମୁଡ୍ରେ ଅଛି ରାଜ୍ୟ ବିଜେପି ।
ଏମିତି ବି ମୟୂରଭଞ୍ଜରେ ଉପନିର୍ବାଚନ ନୂଆ କଥା ନୁହେଁ । ୧୯୯୪ ରେ ସାଂସଦ ଭାଗେ ଗୋବର୍ଦ୍ଧନଙ୍କ ପରଲୋକ ପରେ ହୋଇଥିଲା ଉପନିର୍ବାଚନ । ଯେଉଁଥିରେ ଲକ୍ଷ୍ମଣ ଟୁଡୁଙ୍କୁ ହରାଇ ବିଜୟୀ ହୋଇଥିଲେ କଂଗ୍ରେସର ସୁଶିଳା ତିରିଆ । ସେତେବେଳେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟତୀତ ଜନତା ଦଳର ପୂରା ମନ୍ତ୍ରିମଣ୍ଡଳ ବାରିପଦାରେ ଡେରା ପକାଇଥିଲା । ଏସବୁ ସତ୍ତ୍ୱେ ପରାଜୟର ସାମ୍ନା କରିବାକୁ ପଡିଥିଲା ବିଜୁ ବାବୁଙ୍କୁ । ଯାହା ରାଜ୍ୟରେ ଶାସନ ବ୍ୟବସ୍ଥା ବଦଳୁଥିବାର ଅଭାସ ଦେଇଥିଲା । ଆଉ ପରେ ସତକୁ ସତ ୧୯୯୫ରେ ବିଜୁ ପଟ୍ଟନାୟକଙ୍କୁ ହଟାଇ ଶାସନ ଗାଦି ଦଖଲ କରିଥିଲା କଂଗ୍ରେସ । ସେହିପରି ୧୯୯୯ ମସିହାରେ ପୁଣି ଥରେ ପୂରା ଦେଶରେ ଚର୍ଚ୍ଚାରେ ରହିଲା ମୟୂରଭଞ୍ଜ । ମନୋହରପୁର ନନ୍୍ ଦୁଷ୍କର୍ମ ଘଟଣା ରାଜ୍ୟ ଶାସନର ଡୋରିକୁ ଦୋହଲାଇ ଦେଇଥିଲା । ଆଉ ଶାସନ ପରିବର୍ତ୍ତନର ଆଭାସ ବି ଦେଇଥିଲା । ଏହାପରେ ଜାନକୀ ପଟ୍ଟନାୟକ ଶାସନ ଗାଦିରୁ ହଟିଛନ୍ତି, ଆଉ ୧୭ ବର୍ଷ ହେଲା କଂଗ୍ରେସ ରହିଛି ବିରୋଧୀ ଦଳରେ । ଏସବୁ ହିଁ ବୟାନ କରୁଛି ସବୁବେଳେ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ଆଭାସ ଦେଇଛି ମୟୂରଭଞ୍ଜ । ତେଣୁ ଏବେ ସମାଜବାଦୀ ପାର୍ଟିର ନରେଶ ଅଗ୍ରୱାଲଙ୍କ ବାଣରେ ମୟୂରଭଞ୍ଜ ସାଂସଦଙ୍କୁ ହଟାଇ ଓଡିଶା ବିଜେଡିକୁ ଘାଇଲା କରି ଶାସନ କ୍ଷମତା ଦଖଲ କରିବାକୁ ଆଖେଇଛି ଭାରତୀୟ ଜନତା ପାର୍ଟି । ଆଉ ମୟୂରଭଞ୍ଜ ଲୋକସଭା ଉପନିର୍ବାଚନ ଆଢୁଆଳରେ ରାଜ୍ୟ ରାଜନୀତିର ଟେମ୍ପରେଚର ମାପିବାକୁ ବିଜେପି କ୍ଷେତ୍ର ପ୍ରସ୍ତୁତି କରୁଛି ।

ONA

Leave a Reply

Top