You are here
Home > ଅଧିକ ଖବର > ମିଷ୍ଟେକରୁ ମାଫ୍

ମିଷ୍ଟେକରୁ ମାଫ୍

ଭୁବନେଶ୍ୱର: ନିଲମ୍ବିତ ନେତା ଜୟନାରାୟଣ ମିଶ୍ର ପୁଣି ବିଜେପିକୁ ଫେରିଲେ । ସମ୍ବଲପୁରରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ମାଡ ମରା ଘଟଣାରେ ୬ ବର୍ଷ ଲାଗି ଦଳରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ଚୟନ ସମୟରେ ଗତ ମାର୍ଚ୍ଚ ୧୨ରେ ବିଜେପି ପର୍ଯ୍ୟବେକ୍ଷକ ସମୀର ମହାନ୍ତିଙ୍କ ଉପରେ ଜୟଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୬ ବର୍ଷ ପାଇଁ ନିଲମ୍ବନ ହୋଇଥିବା ଜୟ ମାସ କେଇଟା ଭିତପେ ଦଳକୁ ଫେରିଲେ କେମିତି, ତାହା କେବଳ ରାଜ୍ୟ ବିଜେପି ନେତୃତ୍ୱ ହିଁ ହି ଜାଣିଛି । ହେଲେ ଫେରାଇଆଣିବାର ଅସଲ କାରଣ ନକହିବାରୁ ତାହାର ଯଥେଷ୍ଟ ଫାଇଦା ଉଠାଉଛନ୍ତି ଜୟ । ସମ୍ବଲପୁରରେ ତ ଏପରି ପ୍ରଚାର ହୋଇଛି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳକୁ ଫେରିବା ପାଇଁ ଜୟଙ୍କୁ କୁଆଡେ ନେହୁରା ହୋଇଥିଲେ । ହେଲେ ପ୍ରକୃତରେ ତାଙ୍କ ଫେରିବା ରହସ୍ୟ କୌଣସି କମେଡି ଡ୍ରାମା ଠାରୁ କମ୍ ନୁହେଁ ।
ଚଳିତ ମାସ ୬ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱର ଉପକଣ୍ଠ ପାହାଳ ଠାରେ ଦଳୀୟ ନେତୃବୃନ୍ଦଙ୍କୁ ସମ୍ବୋଧନ କଲେ । ତାହା ପୁଣି ଏକ ବଡ ହୋଟେଲରେ । ତାଙ୍କୁ କେଉଁମାନେ ଭେଟିବେ, ସେ ତାଲିକା ବି ଆଗରୁ ପ୍ରସ୍ତୁତ ହୋଇଥିଲା । ହେଲେ ତାଲିକା ପ୍ରସ୍ତୁତ କରିବାରେ କିଏ ଜଣେ ଅଳସୁଆମୀ କରି ଦେଲା । କାହିଁକି ନୂଆ ତାଲିକା କରିବାର କଷ୍ଟ କରିବେ, କମ୍ପୁ୍ୟଟରରୁ ପୁରୁଣା ତାଲିକାର ପ୍ରିଣ୍ଟ ଆଉଟ ଦେଇ ଦେଲେ । ଯେଉଁ ପ୍ରିଣ୍ଟଆଉଟରେ ଏକ ବଡ ସ୍ଥାନରେ ଥିଲେ ଜୟ । ଫଳରେ ଭୁବନେଶ୍ୱର ବିଜେପି ଅଫିସରେ କାମ କରୁଥିବା ଜଣେ ବେତନଧାରୀ କର୍ମଚାରୀ ଜୟଙ୍କୁ ନିମନ୍ତ୍ରଣ କରି ଦେଲେ । ପରେ ଏ କଥା ବିଜେପି ସଂଗଠନ ସଂପାଦକ ଶାରଦା ଶତପଥୀ ଜାଣିବାକୁ ପାଇଲେ । ତୁରନ୍ତ ଫୋନ୍ କରି ଜୟଙ୍କୁ ଆସିବାକୁ ବାରଣ କରିଥିବାର ଶୁଣିବାକୁ ମିଳୁଛି । ଆଉ ତାଙ୍କ ନିଲମ୍ବନକୁ ସ୍ପେସାଲ କେସ୍ ଭାବେ ବିଚାର କରାଯିବା କଥା ଜୟଙ୍କୁ କହିଲେ ।
ବିଜେପିରେ ବସିଲା କୋର କମିଟି ବୈଠକ । ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀଙ୍କୁ ମତାମତ ଲୋଡାଗଲା । କାରଣ ସମ୍ବଲପୁରରେ ସୁରେଶ ଓ ଜୟ ବିବାଦ କଥା ସମସ୍ତେ ଜାଣନ୍ତି । ଶୁଣିବାକୁ ମିଳିଛି, ଦଳର ହିତ ହେଲେ ବାରଣ କରିବେନି ବୋଲି କୁଆଡେ କହି ଜୟଙ୍କ ଫେରାଇ ଆଣିବା ପ୍ରସ୍ତାବରେ ସୁରେଶ ମୋହର ମାରିଲେ । ଏହା ପରେ ଜୟନାରାୟଣଙ୍କୁ ଦିଲ୍ଲୀ ଯିବାକୁ କୁହାଗଲା । ସେ ଦିଲ୍ଲୀ ଯାଇ ବହୁ କଷ୍ଟରେ ଅମିତ ଶାହଙ୍କୁ ଭେଟିଲେ । ସମୀର ମହାନ୍ତିଙ୍କୁ ଆକ୍ରମଣର କୈଫିୟତ୍ ବି ଦେଲେ । ଏପରିକି ଭବିଷ୍ୟତରେ ବିଶୃଙ୍ଖଳା ଘଟାଇବେନି ବୋଲି ଲିଖିତ ଭାବେ ସ୍ପଷ୍ଟୀକରଣ ବି ଦେଇଥିବା ଖବର ମିଳିଛି ।
ଏ ସବୁ ପରେ ଜୁଲାଇ ୨୨ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ହେଲେ ପ୍ରକୃତି କିପରି ବଦଳିବ! ଦିଲ୍ଲୀରୁ ଫେରି ସେ ଯେପରି ଛାତି ଫୁଲାଇ କହୁଛନ୍ତି ଅମିତ ଶାହଙ୍କ ନେହୁରା ଗପ, ସତରେ ଲାଗିବ ଯେପରି କେବଳ ଜୟ ହିଁ ଶାହଙ୍କ ଓଡିଶାର ମିଶନ-୧୨୦କୁ ସାକାର କରିପାରିବେ । କଥାରେ ଅଛି,“ଗାଲୁଆଙ୍କ ବାରବାଟୀ ଚାଷ!”ବେତନଭୋଗୀ କର୍ମଚାରୀଙ୍କ ମିଷ୍ଟେକ୍ରୁ ଜୟଙ୍କ ପାଖକୁ ଫୋନ ଗଲା, ଆଉ ତାଙ୍କ ଉପରୁ ନିଲମ୍ବନ ହଟିଲା; ସେକଥା ଜୟ ବାବୁ ଢୋକି ପକାଉଛନ୍ତି । ଅବଶ୍ୟ ଜୟଙ୍କ ପରି ନେତାଙ୍କୁ ଠିକଣା ବାଟରେ ନେବାକୁ ବିଜେପି ନେତୃତ୍ୱ ସମ୍ବଲପୁରରେ ଅମିତାଭ ଚକ୍ରବର୍ତ୍ତୀଙ୍କୁ ବସାଇଲାଣି ।

ONA

Leave a Reply

Top