You are here
Home > ଅଧିକ ଖବର > ମହିଳାଙ୍କ ଦାୟିତ୍ୱ ଅରୁଣଙ୍କର

ମହିଳାଙ୍କ ଦାୟିତ୍ୱ ଅରୁଣଙ୍କର

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ଏଲ୍ପିଜି ଗ୍ୟାସ ରିହାତି ଉଚ୍ଛେଦକୁ ନେଇ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ ଜୋରଦାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବିପିଏଲ ପରିବାରକୁ କମ ଟଙ୍କାରେ ରନ୍ଧନ ଗ୍ୟାସ ସଂଯୋଗ ଦେଇ ମହିଳାମାନଙ୍କ ସମର୍ଥନ  ହାସଲ ପାଇଁ ଉଦ୍ୟମ କରୁଛି ବିଜେପି । ଅଥଚ ଗ୍ୟାସ ଦର ସିଲିଣ୍ଡର ପିଛା ମାସକୁ ୪ ଟଙ୍କା ବୃଦ୍ଧି କରି ୨୦୧୮ ମାର୍ଚ୍ଚ ସୁଦ୍ଧା ସବସିଡି ପ୍ରତ୍ୟାହାର ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ବିଜେପିର ଏହି ଉଦ୍ୟମକୁ ପ୍ରତିହତ କରିବା ସହ ଓଡିଆ ମହିଳାଙ୍କ ମନରେ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ଭରିବାକୁ ହେବ । ତେଣୁ ଗ୍ୟାସ ସବସିଡି ପ୍ରତ୍ୟାହାର ଓ ମୂଲ୍ୟ ବୃଦ୍ଧିକୁ ନେଇ ଯୁଦ୍ଧଂଦେହି ଡାକରା ଦେଇଛି ବିଜୁ ଜନତା ଦଳ । ଏଥିପାଇଁ ଆଗକୁ ଆସିଛି ବିଜୁ ମହିଳା ଜନତା ଦଳ । ଦଳର ମହିଳା ଶାଖା ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଦେଇଛି ସ୍ମାରକପତ୍ର ପ୍ରଦାନ । ହେଲେ ବହୁ ଆଡମ୍ବରରେ ଲଘୁକ୍ରିୟା ପରି ବିଜେଡିର ଏହି ଚାଲ୍କୁ ଫ୍ଲପ କରିଛି ମହିଳା ମୋର୍ଚ୍ଚା ।
ସେପଟେ ଦାୟିତ୍ୱ ନେଇଥିବା ଯୁବ ବିଧାୟକ ବି ମହିଳାଙ୍କୁ ଏକାଠି କରିବାରେ ସକ୍ଷମ ହୋଇପାରି ନାହାନ୍ତି । ରଙ୍ଗୀନ ମିଜାଜର ହସଖୁସିଆ ବିଧାୟକ ଜଣକ ହାତରୁ ମନ୍ତ୍ରୀ ଦାୟିତ୍ୱ ଗଲା ପରେ ଏଥର ମହିଳା ସମାବେଶର ଦାୟିତ୍ୱରେ ଥିଲେ । ନୟାଗଡର ଏହି ବିଧାୟକଙ୍କର ନାରୀମାନଙ୍କ ସହ ଟିକେ ଭଲ ସଂପର୍କ । ଖାସ ସେଇଥିପାଇଁ ତ ବିଜୁ ଛାତ୍ର ଜନତା ଦଳ ହେଉ କି ବିଜୁ ଯୁବ ଜନତା ଦଳ ସବୁଠି ସବୁବେଳେ ସେ ପ୍ରାଧାନ୍ୟ ବିସ୍ତାର କରି ରହିଥାନ୍ତି । ବିସିଜେଡିର ଦାୟିତ୍ୱ ନେବା ପର ଠାରୁ ତାଙ୍କ ଇଙ୍ଗିତରେ ଗଠିତ କାର୍ଯ୍ୟକାରିଣୀ କମିଟିରେ ବିଗତ ବର୍ଷ ଅପେକ୍ଷା ଅଧିକ ଝିଅଙ୍କୁ ସୁଯୋଗ ମିଳୁଛି । ତେଣୁ ବିଜେଡିର ଛାମୁଆ ସଂଗଠନ ମହିଳା ମୋର୍ଚ୍ଚାର ଆୟୋଜିତ ସଭାର ବି ଏଥର ଦାୟିତ୍ୱ ନେଇଥିଲେ ଅରୁଣ ସାହୁ । ସଭାନେତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଉଷା ଦେବୀ ଯୁବନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସହ ରାଜଧାନୀର ବଛା ବଛା ଲେଡି କର୍ପୋରେଟରଙ୍କୁ ଏଥର ରାଜଭବନ ଆଣିବାର ଦାୟିତ୍ୱ ଦେଇଥିଲେ ବାବୁ ଅରୁଣ । ଏଥିରୁ ଯଥାସମ୍ଭବ ଦୂରେଇ ରଖାଯାଇଥିଲା ଭୁବନେଶ୍ୱରର ୩ ବିଧାୟକ ଓ ମେୟରଙ୍କୁ । ତେଣୁ ବିଧାୟକ ଓ ମେୟର ମହିଳାଙ୍କୁ ଏକଜୁଟ କରିବାରେ ମନ ଦେଇ ନଥିଲେ । ହେଲେ ଅରୁଣ ଭରସିଥିବା ନେତ୍ରୀମାନେ, ମହିଳାଙ୍କୁ ଆଣି ବିଜେପି ବିରୋଧରେ ଗର୍ଜିବାରେ ଫେଲ ମାରିଛନ୍ତି । ଯାହାକୁ ନେଇ ଏବେ ବିଜେଡି ରାଜନୀତି ସରଗରମ । ଭୁବନେଶ୍ୱର ପାୱାର ହାଉସ ଛକରେ ଆୟୋଜିତ ମହିଳା ସଭା ସେତେଟା ସଫଳ ହୋଇପାରିନି । ମହିଳାଙ୍କ ଅନୁପସ୍ଥିତି ଦେଖି ହତଚକିତ ଅରୁଣ, ତାଙ୍କ ୟଙ୍ଗ ବ୍ରିଗେଡମାନଙ୍କୁ ଖବର ଦେଇଥିଲେ । ଏହାପରେ ମହିଳା ସମାବେଶ ତତ୍କ୍ଷଣାତ୍ ପୁରୁଷ ସମାବେଶରେ ପରିଣତ ହୋଇଥିଲା । ଆଉ ସମାବେଶ ପରେ ଦାୟିତ୍ୱରେ ଥିବା ଅରୁଣଙ୍କ ମୁଣ୍ଡରେ ଚଡକ ପଡିଛି । ନିକଟରେ ମନ୍ତ୍ରୀ ପଦ ତ ଯାଇଥିଲା, ଆଉ ଏବେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ବି ଠିକ୍ ରୂପେ ପାଳନ କରିପାରିଲେନି । ତେଣୁ ସେ ହରଡଘଣାରେ ପଡିଛନ୍ତି ।
ଗ୍ୟାସ ସବସିଡି ପ୍ରତ୍ୟାହାର ନିଷ୍ପତ୍ତି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିବା ବିଜେଡି, ଶେଷରେ ମୌକାକୁ ହାତଛଡା କରିଛି । ରାଜଧାନୀରେ ସମାବେଶ ଲାଗି ଆବଶ୍ୟକ ସଂଖ୍ୟକ ମହିଳାଙ୍କୁ ଏକାଠି କରିପାରିନି । ଦାୟିତ୍ୱ ନେଇଥିବା ଯୁବ ବିଧାୟକ ଅରୁଣ ସଭା ପର ଠାରୁ ଚୁପ୍ । ସୁପ୍ରିିମୋଙ୍କୁ ଏ ନେଇ କି ରିପୋର୍ଟ ଦେବେ ତାହା ଜାଣି ପାରୁନାହାନ୍ତି ସେ । ଏଭିତରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିପାରିନପାରି ସୁଯୋଗ ହାତଛଡା କରିଥିବା ଅରୁଣ ସାହୁ କିପରି ସୁପ୍ରିିମୋଙ୍କ ରୋଷର ଶିକାର ନହେବେ, ସେଥିପାଇଁ ଭଲ ଫନ୍ଦି ବାଛିଛନ୍ତି । ମହିଳା ମୋର୍ଚ୍ଚାର ସଭାପତିଙ୍କ ଆଡକୁ ଅଙ୍ଗୁଳି ଉଠାଇ ଖସିଯିବାକୁ ବସିଛନ୍ତି ଅରୁଣ ସାହୁ ବୋଲି ଚର୍ଚ୍ଚା । ସଭାନେତ୍ରୀ ପ୍ରମିଳା ମଲ୍ଲିକ ଯେତେବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସେତେବେଳେ ରାଜ୍ୟର କୋମଳମତି ଶିଶୁମାନଙ୍କ ପ୍ରତି ଆଖି ବୁଜି ଦେଇଥିଲେ । ମଧ୍ୟାହ୍ନ ଭୋଜନରେ ଡାଲି ମହାଦୁର୍ନୀତିର କଳଙ୍କରୁ ସେ ଏବେ ବି ମୁକ୍ତ ହୋଇପାରି ନାହାନ୍ତି । ରାଜ୍ୟର ମହିଳାମାନେ ସେବେ ଠାରୁ ପ୍ରମିଳାଙ୍କ ଠାରୁ ଆସ୍ଥା ତୁଟାଇ ଦେଇଛନ୍ତି । ତେଣୁ ଡାଲ୍୍ଖାଇ ବିଧାୟିକା ମଲ୍ଲିକଙ୍କ ଡାକରାରେ ରାଜଧାନୀକୁ ଆସିବାକୁ ଅନେକ ମହିଳା ଅମଙ୍ଗ ହୋଇଥିବା ନିଜର ଖାସ୍ ଲୋକଙ୍କ ଜରିଆରେ ନବୀନ ନିବାସକୁ ରିପୋର୍ଟ ପଠାଇବାକୁ ଅରୁଣ ସାହୁ ଉଦ୍ୟମ କରୁଥିବା ଶୁଣାଯାଉଛି ।

ONA

Leave a Reply

Top