You are here
Home > ଅଧିକ ଖବର > ମରିଯିବ ଇନ୍ଦ୍ରାବତୀ

ମରିଯିବ ଇନ୍ଦ୍ରାବତୀ

ଭବାନୀପାଟଣା : ଆଉ ମିଳିବନି ଇନ୍ଦ୍ରାବତୀରୁ ବିଜୁଳି! ଏସିଆ ମହାଦେଶର ସର୍ବବୃହତ ଜଳଭଣ୍ଡାର ଇନ୍ଦ୍ରାବତୀ ଧୀରେ ଧୀରେ ପୋତି ହେବାରେ ଲାଗିଛି । କମିବାରେ ଲାଗିଛି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା । ଅବବାହିକା ଅଞ୍ଚଳରେ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁଁ ଜଳଭଣ୍ଡାର କ୍ରମଶଃ ପୋତି ହୋଇଯାଉଛି । ଇନ୍ଦ୍ରାବତୀର ଜଳଧାରଣ କ୍ଷମତା ୬୪୨ ମିଟର । ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର ନିମ୍ନରେ ଥିଲା । ପୂର୍ବ ବର୍ଷରେ ଜୁଲାଇ ଶେଷ ସୁଦ୍ଧା ଜଳଭଣ୍ଡାରର ଜଳପତ୍ତନ ୬୩୫ ମିଟରରୁ ଅଧିକ ରହୁଥିଲା । ମାତ୍ର ଏଥର ଜୁଲାଇ ଶେଷ ସୁଦ୍ଧା ଜଳସ୍ତର ୬୩୨ ମିଟର ରହିଛି । ଆଉ ଅଗଷ୍ଟ ପ୍ରଥମ ସପ୍ତାହରେ ଜଳଭଣ୍ଡାରୁ୨୪୦ ମେଗାୱାଟ୍ ବିଦୁ୍ୟତ୍ ଉତ୍ପାଦନ ହେଉଛି । ଜଳଭଣ୍ଡାର ପୂର୍ଣ୍ଣ ହୋଇନପାରିଲେ ବିଦୁ୍ୟତ ଉତ୍ପାଦନ ବ୍ୟାହତ ହେବାର ବି ସମ୍ଭାବନା ରହିଛି ।
ଓଡିଶା ଜଳବିଦ୍ୟୁତ୍ ନିଗମ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି ଇନ୍ଦ୍ରାବତୀ ପ୍ରକଳ୍ପ । ୧୯୭୮ ମସିହାରେ କାମ ଆରମ୍ଭ ହୋଇଥିବା ଇନ୍ଦ୍ରାବତୀରୁ ୧୯୯୯ ମସିହାରେ ବିଦୁ୍ୟତ୍ ଉତ୍ପାଦନ ଆରମ୍ଭ ହେଲା । ୧୫୦ ମେଗାୱାଟ ଶକ୍ତିସମ୍ଫନ୍ନ ୪ଟି ଟରବାଇନ୍ ମାଧ୍ୟମରେ ୬୦୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କରି ରେକର୍ଡ ରଚିଥିଲା ନିଗମ । ମାତ୍ର ଏଥିରେ ଏବେ ବାଧା ଉପୁଜିଲାଣି । ସେପଟେ ଜଳଭଣ୍ଡାରର ପାରିପାଶ୍ୱିର୍କ ବିକାଶ ପ୍ରତି ଆଖିବୁଜି ଦେଇଛି ନିଗମ । ଜଳଭଣ୍ଡାର ସଂଲଗ୍ନ ଅଂଚଳରେ ବ୍ୟାପକ ଜଙ୍ଗଲ କଟା ଯାଉଛି । ହେଲେ ସମପରିମାଣରେ ଚାରା ରୋପଣ ନେଇ ଧ୍ୟାନ ଦେଉ ନାହାନ୍ତି ନିଗମ କର୍ତ୍ତୃପକ୍ଷ । ତେଣୁ ଇନ୍ଦ୍ରାବତୀର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ୨୬୩୦ ବର୍ଗ କିଲୋମିଟର ଅଂଚଳର ବର୍ଷାଜଳ ୧୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ବୃହତ୍ ଇନ୍ଦ୍ରାବତୀରେ ଗଚ୍ଛିତ ରହିଥାଏ । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରକୋପ କମ୍ ଥିବାରୁ ଜଳଭଣ୍ଡାର ଅବବାହିକାରେ ଅଦୌ ଲଗାଣ ବର୍ଷା ହୋଇନାହିଁ । ତେଣୁ ଅଗଷ୍ଟ ମାସର ବଡ ଧରଣର ବର୍ଷା ଉପରେ ସବୁକିଛି ନିର୍ଭର କରୁଛି ।
ସେପଟେ ଇନ୍ଦ୍ରାବତୀରେ ଏବେ କର୍ମଚାରୀ ମରୁଡି । ଇନ୍ଦ୍ରାବତୀ, କପୁର, ମୁରାନ, ପୋଡାଗଡ – ଏହି ୪ଟି ନଦୀବନ୍ଧ ଦାୟିତ୍ୱରେ ଅଛନ୍ତି ୨ଜଣ ନିର୍ବାହୀ ଯନ୍ତ୍ରୀ ଓ ୫ ଜଣ ସହକାରୀ ଯନ୍ତ୍ରୀ । ଫଳରେ ସେମାନଙ୍କ ଦ୍ୱାରା ଜଳଭଣ୍ଡାରର ପାଶ୍ୱର୍ ଅଞ୍ଚଳ ଇନ୍ଦ୍ରାବତୀ, ମୁରାନ କଂକ୍ରିଟ ବନ୍ଧ ସମେତ ପୋଡାଗଡ, କପୁର ମାଟିବନ୍ଧ ତଥା ୮ଟି ଡାଇକ ଅଞ୍ଚଳ ବେଣାଖମାର ଲିଙ୍କ ଚାନେଲ ଆଦି ସର୍ବେକ୍ଷଣ ସମ୍ଭବପର ହେଉନି । ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଅନୂ୍ୟନ ୨୫୦ ଜଣ କର୍ମଚାରୀଙ୍କ ଆବଶ୍ୟକ ରହିଛି । ମାତ୍ର ବିଡମ୍ବନାର କଥା ଯେ ମାତ୍ର ୪୫ ଜଣ କର୍ମଚାରୀଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ତୁଲା ଯାଉଛି । ଜଳଭଣ୍ଡାର ଅବବାହିକା ଓ ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ନିର୍ମିତ ଡ୍ରେନ ପୋତି ହୋଇଗଲାଣି । ମାତ୍ର କାହିଁ କେତେ ଦିନରୁ ଡ୍ରେନକୁ ଆଦୌ ସଫା କରା ଯାଇନାହିଁ । ପୁଣି ଜଳଭଣ୍ଡାରର ପାଖ ପିଚୁ ରାସ୍ତା ଅନାବନା ଜଙ୍ଗଲରେ ପରିପୂର୍ଣ୍ଣ ହୋଇଗଲାଣି । ଇନ୍ଦ୍ରାବତୀରୁ ବିଦୁ୍ୟତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବା ନିଗମ କର୍ତ୍ତୃପକ୍ଷ କଂକ୍ରିଟ ବନ୍ଧର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଆସୁଛି । ସେପଟେ ସମସ୍ୟା ସବୁକୁ ଗମ୍ଭୀରତାର ସହ ଧ୍ୟାନ ଦେଇ ଜଳଭଣ୍ଡାର ଅବବାହିକାରେ ଚାରାରୋପଣ କରିବା ସହ ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଯଦି ଏପରି ନହୁଏ ୧୦୦ ବର୍ଷର ପ୍ରକଳ୍ପ ୫୦ ବର୍ଷ ମଧ୍ୟରେ ଇତିହାସ  ହୋଇଯିବ । ଆଉ ଇନ୍ଦ୍ରାବତୀ ବିଜୁଳି ରାଜ୍ୟବାସୀଙ୍କ ପାଇଁ ସାତ ସପନ ପାଲଟିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ONA

Leave a Reply

Top