You are here
Home > ଲାଟେଷ୍ଟ > ମମତା ଓ ପଙ୍କଜ ପାଇବେ ଜାତୀୟ ସାହସିକତା ପୁରସ୍କାର

ମମତା ଓ ପଙ୍କଜ ପାଇବେ ଜାତୀୟ ସାହସିକତା ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାର ମମତା ଦଳେଇ ଓ କେନ୍ଦୁଝରର ପଙ୍କଜ ମହନ୍ତ ୨୦୧୭ବର୍ଷ ପାଇଁ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଏମାନଙ୍କୁ ପୁରସ୍କାର ପ୍ରଦାନ କରିବେ । ଏ ନେଇ ଭାରତୀୟ ଶିଶୁ କଲ୍ୟାଣ ତରଫରୁ ଘୋଷଣା କରାଯାଇଛି । ମାତ୍ର ୬ ବର୍ଷର ଝିଅ ମମତା ନିଜର ସାହସିକତା ପାଇଁ କୁମ୍ଭୀର ମୁହଁରୁ ନିଜ ବଡ଼ ଭଉଣୀକୁ ଉଦ୍ଧାର କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ବାଙ୍କୁଆଳ ଗାଁର ଅଶାନ୍ତି (୧୦) ଧୋଇ ହେବାକୁ ପୋଖରୀକୁ ଯାଇଥିଲେ । ଏହି ସମୟରେ ଏକ ବଡ଼ ବଉଳା କୁମ୍ଭୀର ତାଙ୍କ ଉପରକୁ ଆକ୍ରମଣ କରିଥିଲା । ବଡ଼ ଉଭଣୀକୁ କୁମ୍ଭୀର ଝାମ୍ପି ନେବାର ଦେଖି ମମତା ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଏକ ବାଡ଼ି ସାହାଯ୍ୟରେ କୁମ୍ଭୀରକୁ ଆଘାତ ଦେଇଥିଲେ । ଶେଷରେ କୁମ୍ଭୀର ଅଶାନ୍ତିଙ୍କୁ ଛାଡ଼ି ଦେଇଥିଲା । ସେହିପରି କେନ୍ଦୁଝର କାଟୁଳିଗ୍ରାମର ପଙ୍କଜ ମହନ୍ତ ନିଜର ଉପସ୍ଥିତି ବୁଦ୍ଧି ଯୋଗୁଁ ତିନି ଜଣ ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ତିନି ଜଣ ମହିଳା ବୈତରଣୀ ନଦୀ ବିହିଡଲ ଗ୍ରାମରେ ଗାଧୋଉଥିବା ବେଳେ ଚୋରାବାଲିରେ ଫସି ଯାଇଥିଲେ । ସେଠାରେ ଥିବା ପଙ୍କଜ ଏହାକୁ ଦେଖି ତୁରନ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ । ରାଜ୍ୟ ସରକାର ଏହି ଦୁଇ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର ଦେବାକୁ ତାଙ୍କ ନାମ ସୁପାରିଶ କରିଥିଲେ ।ଆସନ୍ତା ୨୪ରେ ଦେଶର ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥିବା ୭ ଜଣ ବାଳିକା ଓ ୧୧ ଜଣ ବାଳକ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କୁ ମରଣୋତ୍ତର ପୁରସ୍କାର ମଧ୍ୟ ମିଳିବ । ପୁରସ୍କାର ବାବଦକୁ ମାନପତ୍ର, ମେଡାଲ ଓ ୪୦ ହଜାର ଟଙ୍କା ଅର୍ଥ ରାଶି ଦିଆଯିବ । ଏହି ସମସ୍ତ ସାହାସୀ ବାଳିକା ଓ ବାଳକମାନେ ଆସନ୍ତା ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ଅଂଶ ଗ୍ରହଣ କରିବେ । 

ONA

Leave a Reply

Top