You are here
Home > ଅଧିକ ଖବର > ଭଙ୍ଗା ଯୋଡାରେ ସାମ୍ବାଦିକ

ଭଙ୍ଗା ଯୋଡାରେ ସାମ୍ବାଦିକ

ଆଠ ବର୍ଷ ତଳେ ହୋଇଥିଲା ଡିଭୋର୍ସ; ସାକ୍ଷିଥିଲେ
ସାମ୍ବାଦିକ । ଏବେ ପୁଣି  ପଡିବ ଗଣ୍ଠି । ଦୁଇ ଦଳ ଭିତରେ ହେବ ମଧୁ ଚନ୍ଦ୍ରିକା । ଏବେ ଏହି ମିଳନର ସାକ୍ଷୀ ହେବାକୁ ଯାଉଛନ୍ତି ଅନ୍ୟ ଜଣେ ସାମ୍ବାଦିକ । ଉଭୟ ନବୀନ ଓ ମୋଦିଙ୍କ ଭାରି କ୍ଲୋଜ ସେହି ସାମ୍ବାଦିକ ଜଣଙ୍କ ଲେଖୁଛନ୍ତି ପଦ୍ମ-ଶଙ୍ଖ ହନିମୁନର ସ୍କ୍ରିପ୍ଟ ।
ଭୁବନେଶ୍ୱର,(ଅମ୍ବୁଜ ବିଶୋୟୀ): ବିହାରରେ ପୁଣି ଥରେ ସରକାରକୁ ଫେରିଛି ଜେଡିୟୁ ଓ ବିଜେପି ମେଣ୍ଟ । ନମୋ-ନୀତୀଶ ଏକାଠି ହେବା ପରେ ଦେଶରେ ବଦଳିଛି ରାଜନୈତିକ ସମୀକରଣ । ଏକଦା ମୋଦିଙ୍କ କଟ୍ଟର ବିରୋଧୀ ବୋଲାଉଥିବା ନୀତୀଶ ପଦ୍ମ ଦଳିଆଙ୍କ ସହ ମେଣ୍ଟ କରି ମୋଦି ଅଛୁଆଁ ନୁହେଁ ବୋଲି ବାର୍ତ୍ତା ଦେଇଛନ୍ତି । ନୀତୀଶ, ବିଜେପିର ହାତ ଧରିବା ପରେ ଓଡିଶାରେ ସୃଷ୍ଟି ହେଲାଣି ମୃଦୁ ଗୁଂଜରଣ । ନୀତୀଶଙ୍କ ରାସ୍ତାରେ କାଳେ ନବୀନ ଯିବେ ବୋଲି ମଧ୍ୟ ଚର୍ଚ୍ଚା ଧରିଲାଣି । କାରଣ ନବୀନ ଓ ନୀତୀଶଙ୍କ କାର୍ଯ୍ୟଶୈଳୀ ପ୍ରାୟ ଏକ ପ୍ରକାରର । ଏହି ଦୁଇ ନେତା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିଲେ । ମେଣ୍ଟରୁ ଓହରିବା ସତ୍ତ୍ୱେ ମଧ୍ୟ ଅନେକ କ୍ଷେତ୍ରରେ ଦୁହେଁ ମୋଦି ସରକାରଙ୍କୁ ସାବାସୀ ଦେବାକୁ ଭୁଲି ନାହାନ୍ତି । ବିମୁଦ୍ରୀକରଣ, ଜିଏସଟି ଭଳି ପ୍ରସଙ୍ଗକୁ ନବୀନ-ନୀତୀଶ ସ୍ୱାଗତ କରିଥିବାବେଳେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେବାକୁ ବି ଦୁଇ ନେତା ଆଗେଇ ଅସିଥିଲେ । ୨୦୧୩ରେ ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱକୁ ବିରୋଧ କରି ବିଜେପି ସହ ସମ୍ପର୍କ ତୁଟାଇ ଥିବା ନୀତୀଶ ୪ବର୍ଷ ପରେ ପୁଣି ବିଜେପି ଫୋଲ୍ଡରେ । ସେପଟେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମାଣନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ୨୦୦୯ରେ ସାଂପ୍ରଦାୟିକତାର ଦ୍ୱାହି ଦେଇ ବିଜେପି ସହ ମେଣ୍ଟ ତୁଟାଇଥିବା ନବୀନ ଏଯାଏଁ ମୋଦିଙ୍କ କବ୍୍ଜାକୁ ଆସି ପାରିନାହାନ୍ତି ସତ; ମାତ୍ର ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ଲଗାତାର ଭଲ ସଂପର୍କରେ ରହିଛନ୍ତି । ଖାସ୍ ସେଇଥିପାଇଁ ତ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ହୁଅନ୍ତୁ କି ନୀତିନ ଗଡକରୀ ଓଡିଶା ଆସିବା ମାତ୍ରେ ନବୀନ ନିବାସକୁ ଧାଇଁଯାଆନ୍ତି । ସବୁବେଳେ କେନ୍ଦ୍ରୀୟ ଅବହେଳାର ଦ୍ୱାହି ଦେଉଥିବା ନବୀନଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀମାନଙ୍କର ରହିଛି ଅତ୍ୟନ୍ତ କୋହଳ ମନୋଭାବ । ଆଉ ଏହାହିଁ ସୂଚେଇ ଦେଉଛି କି ଆଗାମୀ ଦିନରେ ପୁଣି ଥରେ ଓଡିଶାରେ ବିହାର ସ୍ଥିତିର ପୁନରାବୃତ୍ତି ହେବ । ଆବଶ୍ୟକତା ହେଉ କି ବାଧ୍ୟବାଧକତା-ବିଜେପି ସହ ହାତ ମିଳାଇବାକୁ ଯାଉଛି ବିଜେଡି ।
ସବୁଠୁ ବଡ କଥା ହେଉଛି ୨୦୦୯ରେ ବିଜେଡି ସହ ମେଣ୍ଟ ଭାଙ୍ଗିଥିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର । ଆଉ ଏବେ ପୁଣି ଜଣେ ବରିଷ୍ଠ ସାମ୍ବାଦିକ ବିଜେଡି ସହ ମେଣ୍ଟ ଯୋଡିବାକୁ ଯାଉଛନ୍ତି । ସେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆଖି-କାନ । ରାଜ୍ୟସଭା ପାଇଁ ରାଷ୍ଟ୍ରପତି ଯେଉଁ ସାଂସଦଙ୍କୁ ମନୋନୀତ କରନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ସେହି ପ୍ରଭାବଶାଳୀ ସାମ୍ବାଦିକ । ସେ ହେଉଛନ୍ତି ଜାତୀୟ ସ୍ତରରେ ପ୍ରତିଷ୍ଠିତ ସାମ୍ବାଦିକ ତଥା ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତା । ସିଏ ବି ନ୍ୟାସନାଲ ମିଡିଆରେ ନବୀନ ବାବୁଙ୍କର ଇମେଜ ବିଲଡିଂ ପାଇଁ ଲାଗି ପଡିଛନ୍ତି । ନବୀନ ବାବୁଙ୍କ ସହ ସପନ ବାବୁଙ୍କର ସଂପର୍କ ବେଶ ନିବିଡ । ସେଥିପାଇଁ ସପନ ବାବୁ ଯେବେ ବି ଓଡିଶା ଆସନ୍ତି କୌଣସି ତାରକା ହୋଟେଲରେ ବିଶ୍ରାମ ନିଅନ୍ତି ନାହିଁ, ସିଧା ଆସିଥାନ୍ତି ନବୀନ ନିବାସ । ତେଣୁ ନବୀନ ଓ ମୋଦିଙ୍କ ମଧ୍ୟରେ ସଂପର୍କର ସେତୁ ସପନ ଦାସଗୁପ୍ତା ଗଢିବେ ବୋଲି ନବୀନ ନିବାସରୁ ଶୁଣିବାକୁ ମିଳୁଛି । ଯେପରି ଅରୁଣ ଜେଟଲୀ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବାର ଟେର ରାଜ୍ୟ ବିଜେପି ନେତୃତ୍ୱ ପାଇପାରିନଥିଲେ ସେହିପରି ପଦ୍ମ ଓ ଶଙ୍ଖ ଭିତରେ ମିଡିଏଟର ସାଜିଥିବା ବାବୁ ସପନଙ୍କ ସଂପର୍କରେ ସେମାନେ ଅନ୍ଧାରରେ ରହିଛନ୍ତି ।
ପୁଣି ଥରେ ବିଜେଡି-ବିଜେପି ମେଣ୍ଟ ହେବାର ଅନେକ କାରଣ ରହିଛି । ବିଗତ ୩ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବି ଖରାପ ହେବାରେ ଲାଗିଛି । ୧-ଚିଟଫଣ୍ଡ ଦୁର୍ନୀତିରେ ନବୀନଙ୍କ ସ୍ୱୀକୃତିପ୍ରାପ୍ତ ସ୍ୱାକ୍ଷରକାରୀ ସରୋଜ ସାହୁଙ୍କୁ ଜେରା କରିଛି ସିବିଆଇ । ୨-ପଞ୍ଚାୟତ ନିର୍ବାଚନରେ ବି ଆଶାନୂରୁପ ସଫଳତା ମିଳିପାରିନାହିଁ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜଳିକାଟୁର ପ୍ରାୟ ୨୫ ହଜାର ଭୋଟର ନବୀନଙ୍କ ଠାରୁ ମୁହଁ ଫେରାଇଲେଣି । ଦଳ ଭିତରେ ଥିଲେ ବି ବରିଷ୍ଠ ଓ ଯୁବ ବିଧାୟକ ଏବେ ଦୁଇ ଭାଗ । ସାଂସଦ ବୈଜୟନ୍ତ ପଣ୍ଡା ବିଜେପି ସହ ସୁସଂପର୍କରେ ରହି ବିଭିନ୍ନ ପ୍ରସଙ୍ଗରେ ଟ୍ୱିଟ କରି ନବୀନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି । ଏମିତି ବି କୁହାଯାଉଛି କି ଏଆଇଡିଏମକେର ଗୋଟିଏ ଗୋଷ୍ଠୀକୁ ଧରି ଏନଡିଏ ତାମିଲନାଡୁରେ ପଶିସାରିଲାଣି । ଠିକ ସେହିପରି ବୈଜୟନ୍ତଙ୍କୁ ସାହାରା କରି ଉପକୂଳ ଓଡିଶା ଦଖଲକୁ ନେଇଯାଇପାରେ ବିଜେପି । ତେଣୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପି ସହ ବନ୍ଧୁବାନ୍ଧିବା ବୁଦ୍ଧିମାନର କାମ ହେବ ବୋଲି ନବୀନ ବି ଏକପ୍ରକାର ମନସ୍ଥିର କରି ନେଲେଣି । ୧୯୯୮ରେ ମେଣ୍ଟ ବେଳେ ରାଜ୍ୟର ୨୧ ଲୋକସଭା ଆସନ ଭିତରୁ ବିଜେଡି ୧୨ ଓ ବିଜେଡି ୯ ଟିରେ ନିର୍ବାଚନ ଲଢିଥିଲା । ହେଲେ ଏଥର ମେଣ୍ଟ ହେଲେ ୯ ବଦଳରେ ୧୫ ଲୋକସଭା ଆସନ ମାଗିବ ବିଜେପି ବୋଲି ବିଜେଡି ସୁପ୍ରିମୋଙ୍କୁ ଇସାରା ମିଳି ସାରିଛି । ସେହିପରି ୨୦୦୦ରେ ବିଜେଡି ୮୩ ଓ ବିଜେପି ୬୪ ଆସନରେ ନିର୍ବାଚନ ଲଢିଥିଲେ । ହେଲେ ଏଥର ମେଣ୍ଟ ହେଲେ ବିଜେପି ୬୦ରୁ କମ୍ ଆସନରେ ଲଢିବ । ଏସବୁ ଗଣିତ ଭିତରେ ବିଜେପି ବି ଜାଣିଛି କି ନବୀନ ପଟ୍ଟନାୟକଙ୍କ ସହ ସେମାନେ ଆରମ୍ଭରୁ ମେଣ୍ଟରେ ରହିଛନ୍ତି । କେନ୍ଦ୍ରୀୟ ନେତା ବି ବୁଝିଛନ୍ତି ପଞ୍ଚାୟତ ନିର୍ବାଚନର ସଫଳତା ସତ୍ତ୍ୱେ ମଧ୍ୟ ଆଜି ବି ବିଜୁ ଜନତା ଦଳର ସଙ୍ଗଠନ ତଳସ୍ତରରେ ପୂରା ମଜଭୁତ ରହିଛି । ବିଜେପିର ସ୍ଥିତି ବୁଥସ୍ତରରେ ସେତେଟା ଭଲ ନାହିଁ । ତେଣୁ ୨୦୧୯ରେ ସରକାର ଗଢିବା ସ୍ଥିତିକୁ ଆସିବାକୁ ହେଲେ ବିଜେଡିକୁ ସାଙ୍ଗରେ ଧରି ଯିବାକୁ ହେବ । ଆଉ ଏଥିରେ କୌଣସି କ୍ଷତି ନାହିଁ ବୋଲି ମଧ୍ୟ ଦିଲ୍ଲୀ ନେତୃତ୍ୱକୁ ବୁଝାଇ ଦିଆଗଲାଣି ।  

ONA

Leave a Reply

Top