You are here
Home > ପଲିଟିକ୍ସ > ବେଲଗାମ ବାପି

ବେଲଗାମ ବାପି

ମାମୁଙ୍କୁ ଚିତାକାଟି ବିଜେଡି ଟିକେଟରେ ଚାନ୍ଦିବାଲିରୁ ବିଧାୟକ ହୋଇଥିବା ବ୍ୟୋମକେଶ ରାୟ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ପ୍ରଥମେ ଡି-ବ୍ରଦର୍ସ ଲିଙ୍କ, ପରେ  ୪୨୦ ଡାକ୍ତର ମୋତିଲାଲ ପ୍ରକରଣରେ ଛନ୍ଦି ହେବା ପରେ ଏବେ ବିଧାନସଭାରେ ଅଶୋଭନୀୟ ଆଚରଣକୁ ନେଇ ଢେର ନିନ୍ଦିତ ହେଲେଣି । ଗୃହରେ ଜାତୀୟ ସଙ୍ଗୀତ ଗାନ ବେଳେ ହୋହଲ୍ଲା କରି ନିଜେ ତ ଅଡୁଆରେ ପଡିଲେ ଆଉ ଦଳକୁ ବି ଅଡୁଆରେ ପକାଇଲେ ବେଲଗାମ ବ୍ୟୋମ ।

ଭୁବନେଶ୍ୱର: ଛାତ୍ର ନେତାରୁ  ଏବେ ବିଧାୟକ । ତା’ ପୁଣି କମ ବୟସରେ । ମାମୁଙ୍କ ଟିକେଟ କାଟି ଚାନ୍ଦବାଲି ବିଧାନସଭା ଆସନରୁ ବିଜେଡି ଟିକେଟରେ ଜିତି ପ୍ରଥମ କରି ବିଧାନସଭାକୁ ଆସିଛନ୍ତି ବିଧାୟକ ବ୍ୟୋମକେଶ ରାୟ । ହେଲେ ବିଧାନସଭାକୁ ଆସିବାର ବର୍ଷ ଦୁଇଟାରେ ବିଧାୟକ ବ୍ୟୋମକେଶଙ୍କ ନାଁ ରେ ଆସିଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ । ଯାହାକି ବିଜେଡିକୁ ଅଡୁଆରେ ପକାଇଛି । ବିଧାନସଭା ଚଳିତ ମୌସୁମୀ ଅଧିବେଶନରେ ବିଧାୟକ ବ୍ୟୋମକେଶ ରାୟ ଓରଫ ବାପିଙ୍କ ଆଚରଣ ବିଜେଡିକୁ ସମାଲୋଚିତ କରିଛି । ମୌସୁମୀ ଅଧିବେଶନର ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ ବେଳେ ବ୍ୟୋମକେଶ ବିଧାନସଭାରେ ହୋ-ହଲ୍ଲା କରିଥିଲେ । ଯାହାକି ଜାତୀୟ ସଂଙ୍ଗୀତ ପ୍ରତି ଅସମ୍ମାନ । ବାପିଙ୍କର ଏଭଳି ଆଚରଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଥାନାରେ ମାମଲା ରୁଜୁ ହେଲା । କଥା ଏତିକିରେ ଅଟକି ନଥିଲା । ଜାତୀୟ ସଙ୍ଗୀତକୁ ଅପମାନ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ କଦାପି ସମ୍ଭବପର ନୁହେଁ । କାରଣ ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ଉଚିତ ବୋଲି ବିରୋଧୀ ଅଡି ବସି ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିବାକୁ ଚେଷ୍ଟା କଲେ । ଶେଷରେ ବିଧାୟକ ବ୍ୟୋମକେଶ ନିଜେ ନିଜର ଦୋଷ ସ୍ୱୀକାର କରିଛନ୍ତି । ଦଳର ଛାତ୍ରମୋର୍ଚ୍ଚାକୁ ସମ୍ଭାଳୁଥିବା ବିଧାୟକ ବାପିଙ୍କ ଏପରି ଆଚରଣ ବିଜେଡିକୁ ବଦନାମ କରିଛି । ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାବେଳେ ଛାତ୍ର ବିଜେଡି ସଭାପତିଙ୍କ ଜାତୀୟ ସଂଗୀତକୁ ଅବମାନନା କରିବା କଥାକୁ ବିରୋଧୀ ଛାତ୍ରନେତା କ୍ୟାମ୍ପସରେ ପ୍ରଚାର କରୁଛନ୍ତି ।
ବିଧାୟକ ବ୍ୟୋମକେଶଙ୍କ ଏହି ଗୋଟିଏ କାରନାମା ଦଳକୁ ବଦନାମ କରିନି ।  ବାପିଙ୍କ ନାଁରେ ଆହୁରି ଅନେକ ଅଭିଯୋଗ ଆସିଛି ଯାହାକୁ ନେଇ ବିଜେଡି ଅଡୁଆରେ ପଡିଛି । ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ ଲିଙ୍କରେ ବାପି ଛନ୍ଦି ହୋଇଥିଲେ । ପରୋକ୍ଷରେ ବାପି ଧଳସାମନ୍ତଙ୍କ ଠାରୁ ଏକ ସ୍କର୍ପିଓ ଗାଡି ନେଇଥିବା କଥା ଉଠିଥିଲା । ବିରୋଧୀ ନବୀନ ପଟ୍ଟନାୟକ ଓ ବାପିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ସେମିତି ଜାଲ ସରକାରୀ ବିଜ୍ଞପ୍ତି ଜାରି କରି କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗରେ ଡାକ୍ତର ମୋତିଲାଲ ଗୌ÷ଡଙ୍କ ସହ ତାଙ୍କ ସଂପର୍କକୁ ନେଇ ସବୁଠି ଏବେ ଚର୍ଚ୍ଚା । ବିଧାୟକ ବ୍ୟୋମକେଶଙ୍କ ସହ ମୋତିଲାଙ୍କ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏସବୁକୁ ନେଇ ଅଡୁଆରେ ପଡୁଛି ବିଜେଡି ।

ONA

Leave a Reply

Top