You are here
Home > ଅଧିକ ଖବର > ବୁଲୁଛି ବାଇକ, ତୁଟୁନି ବିବାଦ

ବୁଲୁଛି ବାଇକ, ତୁଟୁନି ବିବାଦ

ରାୟଗଡ଼ା: ୨୦୧୯ ସାଧାରଣ ନିର୍ବାଚନରେ ମିଶନ ୧୨୦ ପାଇଁ ଉତ୍ତର ପ୍ରଦେଶ ରଣନୀତି ଓଡିଶାରେ ଆପଣେଇଛି ବିଜେପି । ଏହାର ପ୍ରଥମ ସ୍ତରରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରପାଇଁ ଗୋଟିଏ ଲେଖାଏଁ ବାଇକ ପହଞ୍ଚିଛି । ବାଇକରେ ଗାଁ ଗାଁ ବୁଲି ବିଜେପିର ବାର୍ତ୍ତା ବାଣ୍ଟିବାକୁ ଯୋଜନା ହୋଇଛି । ଉତ୍ତରପ୍ରଦେଶ ନମ୍ବର ଥିବା ଏହି ବାଇକରେ ଆସନ୍ତା ପୌର ନିର୍ବାଚନ ପର୍ଯ୍ୟନ୍ତ ଜଣେ ତାଲିମପ୍ରାପ୍ତ ସ୍ଥାନୀୟ ଯୁବକ ସହ ଆଉ ଜଣେ ଜିଲ୍ଲା ବାହାରର ଯୁବକ  ବୁଲିବେ । ଲୋକଙ୍କ ନିକଟକୁ ଯିବାବେଳେ କଣ କହିବେ ଓ ବିଜେପି ସପକ୍ଷରେ କିଭଳି ଗୁପ୍ତ ପ୍ରଚାର କରିବେ ତାହାର ତାଲିମ ମଧ୍ୟ ଏମାନଙ୍କୁ ଦିଆଯାଇଛି । ଏଭଳିକି ଭୋଟରଙ୍କ ନିକଟକୁ ଯିବାବେଳେ ସ୍ଥାନୀୟ ନେତାଙ୍କୁ କେଉଁଠି ସାମିଲ କରିବେ ଓ କେଉଁଠି ନାହିଁ ତାହା  ମଧ୍ୟ ବିସ୍ତୃତ ଭାବେ ବୁଝାଯାଇଛି । ଯେତେ ଦୁର୍ଗମ ଗାଁ ହେଲେ ମଧ୍ୟ ସେଠାକୁ ଯାଇ ଲୋକଙ୍କ ସହ ଆଲୋଚନା କରି କେନ୍ଦ୍ରର ମୋଦି ସରକାରଙ୍କ ବାର୍ତ୍ତା ପହଞ୍ଚାଇବାକୁ ନିଦେ୍ର୍ଦଶ ରହିଛି । ବୁଥ କମିଟି ଗଠନକରି ସ୍ଥାନୀୟ ନେତୃବୃନ୍ଦ ଲୋକଙ୍କ ସହ ଯୋଡି ହେବାକୁ ଦଳ ଗୁରୁତ୍ତ୍ୱ ଦେଉଥିବାବେଳେ ବର୍ତ୍ତମାନ ବାଇକ ଗାଁକୁ ଯିବା ନିଶ୍ଚିତଭାବେ ଏକ ବଡ ଯୋଜନା ବୋଲି ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରୁଛନ୍ତି । ହେଲେ ରାୟଗଡା ଜିଲ୍ଲାରେ ବିଜେପିର ଦୂର୍ବଳ ସଂଗଠନ କଥା କାହାକୁ ଅଛପା ନୁହଁ । ସମସ୍ତ ୩ ବିଧାନସଭା କ୍ଷେତ୍ରରେ ଦଳୀୟ ନେତାଙ୍କ ମଧ୍ୟରେ  ମନମାଳିନ୍ୟ ରହିଛି । ନୂଆ ବିଜେପି ଓ ପୁରୁଣା ବିଜେପି ନାମରେ ଦୁଇ ଭାଗ ରହିଥିବା ଚର୍ଚ୍ଚାବି ହେଉଛି । ପ୍ରାର୍ଥୀ ହେବାକୁ ପ୍ରତିଯୋଗିତା ବିଜେପିରେ ନଥିବାବେଳେ ମନମାଳିନ୍ୟ ହିଁ ଏକ ବଡ ବିପଦ ବୋଲି କୁହାଯାଉଛି । ଜିଲ୍ଲାର ତିନିଟି ବିଧାନସଭା କ୍ଷେତ୍ରରୁ ରାୟଗଡାରେ କାଳିରାମ ମାଝି, ବିଷମକଟକରେ ଶିବ ଶଙ୍କର ଉଲ୍ଲାକା ବିଧାୟକ ପ୍ରାର୍ଥୀ ହେବେ ବୋଲି ପ୍ରାୟତଃ ଦଳ ଭିତରେ ନିଷ୍ପତ୍ତି ହୋଇଛି । ହେଲେ ଗୁଣପୁର ଆସନରୁ କିଏ ପ୍ରାର୍ଥୀ ହେବେ ତାହା ଜଣାପଡୁନାହିଁ । ସ୍ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗଙ୍କ ପୁତ୍ର ଶିଶିର ଗମାଙ୍ଗ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି । ହେଲେ ସ୍ଥାନୀୟ ନେତା ତଥା ସଂଗଠନ କାର୍ଯ୍ୟରେ ଥିବା ନେତୃବୃନ୍ଦ ଶିଶିରଙ୍କ ସପକ୍ଷରେ ନାହାଁନ୍ତି । ତେବେ ବିଜେଡି ଛାଡି ବିଜେପିରେ ଯୋଗଦେଇ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟର ସ୍ୱାଦ ଚଖାଇଥିବା ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକାଙ୍କ ଝିଅ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗି ପ୍ରାର୍ଥୀନୀ ହେବାର ଶୁଣାଯାଉଛି । ସୁଜାତା ବର୍ତ୍ତମାନ ସୁଦ୍ଧା ଦଳରେ ସାମିଲ ହୋଇନଥିଲେ ବି ବାପାଙ୍କ ପଥରେ ଅଗ୍ରସର ହୋଇ ପୌର ନିର୍ବାଚନ ପରେ ବିଜେପିରେ ସେ ସାମିଲ ହେବେ ବୋଲି ଦଳରେ ଆଲୋଚନା ହେଉଛି । ଯାହାର ନିର୍ଦ୍ଦିଷ୍ଟ ଚିତ୍ରପଟ ନଜରକୁ ଆସିନାହିଁ । ଏଣେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଭଳି ଜାତୀୟ ସ୍ତରର ନେତା ଏହି ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ସେ ପରିଚାଳନା କରିବେ । ହେଲେ ଦେଖିବାର କଥା ମିଶନ ୧୨୦ + ରେ ରାୟଗଡା ଜିଲ୍ଲାରୁ କେତୋଟି ଆସନ ସାମିଲ ହେଉଛି । କାରଣ ପଞ୍ଚାୟତ ନିର୍ବାଚନରେ ଦଳ ଖାତା ଖୋଲି ୪ ଟି ଜିଲ୍ଲା ପରିଷଦ ଆସନରେ ବିଜୟ ହେବାସହ ମୁନିଗୁଡା ବ୍ଲକ ଅଧ୍ୟକ୍ଷ ହାତେଇଛି । ସେହି ଟ୍ରେଣ୍ଡ ବର୍ତ୍ତମାନ ବଜାୟ ରଖିବାକୁ ଦଳ ସକ୍ଷମ ହେଉଛି ନା ନାହି ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡିବ ।

ONA

Leave a Reply

Top