You are here
Home > ଟୁରିଜିମ୍ > ବିଶ୍ୱ ଐତିହ୍ୟ ତାଲିକାରେ ଭିତରକନିକା

ବିଶ୍ୱ ଐତିହ୍ୟ ତାଲିକାରେ ଭିତରକନିକା

ଭୁବନେଶ୍ୱର: ବିଶ୍ୱର ୯ଟି ପ୍ରାକୃତିକ ପରିବେଶସ୍ଥଳୀ ମଧ୍ୟରେ ଭିତରକନିକା ଚିହ୍ନଟ ହୋଇଛି । ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ୟୁନିୟନ୍ (ଆଇୟୁସିଏନ୍) ଏକ ୫ ଜଣିଆ ବିଶେଷଜ୍ଞ ଦଳ ଭିତରକନିକାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଓଡିଶା ଆସିଛନ୍ତି । ଏମାନେ ଆସନ୍ତାକାଲି ଏହି ଅଞ୍ଚଳ ଗସ୍ତ କରିବେ । ଆଜି ଏହି ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ବୈଠକ କରିଥିଲେ । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଭିତରକନିକାର ସୁରକ୍ଷା, ସଂରକ୍ଷଣ, ଜୈବ ବିବିଧତା, ଲୋକଙ୍କ ସହଭାଗିତା, ପର୍ୟ୍ୟଟନ ଭିତ୍ତିଭୂମି ଓ ଲୋକଙ୍କ ଜୀବନ ଜୀବୀକା, ଗୁଣାତ୍ମକ ପରିବେଶ ସମ୍ପର୍କରେ ଏହି ପ୍ରତିନିଧି ଦଳ ଅନୁଧ୍ୟାନ କରିବ । ଏହି ଟିମ୍ ସେମାନଙ୍କ ରିପୋର୍ଟ ୱାର୍ଡ ୟୁନିୟନ୍କୁ ପ୍ରଦାନ କରିବ । ଏହି ଅବସରରେ ଉନ୍ନୟନ କମିଶନର ଆର୍ ବାଲ୍କ୍ରିଷ୍ଣନ କହିଛନ୍ତି ଯେ ପ୍ରାକୃତିକ ପରିବେଶକୁ ରକ୍ଷଣାବେକ୍ଷଣ କରିବା ଓଡିଶାର ସଂସ୍କୃତି । ଓଡିଶା ଉପକୂଳରେ ଅନେକ ଏଭଳି ପରିବେଶସ୍ଥଳୀ ରହିଛି । ସେହିଭଳି ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ଅନେକ ପ୍ରାକୃତି ପରିବେଶ ରହିଛି । ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର ଓ ମୁଖ୍ୟ ବନ୍ୟ ସଂରକ୍ଷକ ସିଦ୍ଧାନ୍ତ ଦାସ ଭିତରକନିକାର ପରିବେଶ ପରିଚାଳନା ସମ୍ପର୍କରେ ଏହି ଟିମ୍କୁ ସୂଚନା ଦେଇଥିଲେ । ସେମାନେ ଦର୍ଶାଇଥିଲେ ଯେ ୧୯୬୧ ମସିହାରେ ଭିତରକନିକାକୁ ସଂରକ୍ଷିତ ଜଙ୍ଗଲଭାବେ ଘୋଷଣା କରାଯାଇଥିଲା । ୧୯୭୫ରେ ୬୭୨ କି.ମି. ପରିମିତ ଅଞ୍ଚଳକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା । ଏହାର ୧୪୫ କି.ମି. କେନ୍ଦ୍ରୀୟ ଅଞ୍ଚଳକୁ ଜାତୀୟ ପାର୍କଭାବେ ୧୯୯୮ରେ ଘୋଷଣା କରାଯାଇଥିଲା । ଏହି ସ୍ଥାନକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି । ୨୦୦୨ରେ ଏହା ରାମସର୍ ସ୍ଥଳୀଭାବେ ଘୋଷଣା ହୋଇଥିଲା । ଏହି ଜଙ୍ଗଲରେ ୩୦୦ଟି ବିରଳ ପ୍ରଜାତିର ବୃକ୍ଷରାଜି ରହିଛି । ପ୍ରାୟ ୮୦୦ ପରିବାର ଏହା ଉପରେ ନିର୍ଭରଶୀଳ । ଏହାଛଡା ଲୁଣି ପାଣି ଏଠାକୁ ଆସୁଥିବାରୁ କୁମ୍ଭୀର ପ୍ରଜନନ କେନ୍ଦ୍ରଭାବେ ଏହା ବିଶ୍ୱରେ ଜଣାଶୁଣା । ବିଭିନ୍ନ ପ୍ରଜାତିର ପ୍ରାୟ ୩୦୦ ପ୍ରକାର ବିଦେଶୀ ପକ୍ଷୀ ଓ ଅଲିଭ୍ ରିଡ୍ଲେ କଇଁଛ ଏଠାକୁ ଆସିଥାନ୍ତି । ଏହି ବୈଠକରେ ଗୃହ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୃଷି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ONA

Leave a Reply

Top