You are here
Home > ଅଧିକ ଖବର > ବିଧାୟକ ହଟହଟ୍ଟା : ପ୍ରସାଦ ନଟଆଉଟ୍

ବିଧାୟକ ହଟହଟ୍ଟା : ପ୍ରସାଦ ନଟଆଉଟ୍

ପ୍ରଦେଶ କଂଗ୍ରେସ କମିଟିରେ ସଭାପତି ଚୌକିକୁ ନେଇ ଚାଲିଥିବା ମ୍ୟାଚରେ ପ୍ରସାଦଙ୍କୁ ଓାକଭର ମିଳିଛି । ବିଧାୟକ ଦଳର ସବୁ ଗୁଗୁଲି ସତ୍ତେ ନଟଆଉଟ ରହିଛନ୍ତି ପ୍ରସାଦ । ସଭାପତି ପଦରୁ ପ୍ରସାଦଙ୍କୁ ହଟାଇବା ଲାଗି ଧାଁ ଦୌଡ କେବଳ କୁହୁଡିରେ ପହଁରିବା ପରି ହୋଇଛି । ସବୁ ଚାଲରେ ବିଫଳ ହେବା ପରେ ଏବେ ନିଜ କାନ ମୁଣ୍ଡା ଆଉଁସି ବସିଛନ୍ତି ବିଧାୟକମାନେ  । ସେପଟେ ଏଆଇସିସି ଚୌକିରେ ରାହୁଲ ବସିବାଯାଏ ନିଜ ପଦ ଯିବାର ନାହଁ ଜାଣିବା ପରେ ଏବେ ଆହୁରି ଆଗ୍ରେସିଭ ମୁଡକୁ ଆସିଛନ୍ତି ପ୍ରସାଦ । ସାଙ୍ଗଠନିକ ନିର୍ବାଚନ ବାହାନାରେ ପୁଣି କରିଚାଲିଛନ୍ତି ନିଜର ଶକ୍ତି ବୃଦ୍ଧି ।  ଯାହା ପ୍ରସାଦ ବିରୋଧି ବିଧାୟକଙ୍କ ଲାଗି ଶକ୍ତ ଚାପୁଡା ବୋଲି ଚାଲିଛି ଚର୍ଚ୍ଚା ।
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଦୀର୍ଘ ଦିନରୁ ଯେଉଁ କସରତ ଚାଲୁଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି  । ଏହି ଆଭାସ ସଭାପତି ହଟାଅ ଅଭିଯାନରେ ମାତିଥିବା ବିଧାୟକଙ୍କ ଲାଗି ବୁମେରାଂ ପାଲଟିଛି । ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ଚୌକିରୁ ହଟାଇବାକୁ ବିଧାୟକଙ୍କ ଭିତରେ ମେଳି ହୋଇଥିଲା । ପ୍ରସାଦଙ୍କୁ ହଟାଇବା ଲାଗି ଏକ ଗୋଷ୍ଠି ଜିଦ ଧରିଥିଲେ । ଏହି ଗୋଷ୍ଠୀ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖରେ ଫେରାଦ୍ ବି ହୋଇଥିଲେ । ହେଲେ ଏବେ ସେମାନଙ୍କ ଗାଲରେ ଶକ୍ତ ଚାପୁଡା ବାଜିବା ପରି ହୋଇଛି । ତେବେ ପ୍ରସାଦ ବିରୋଧୀ ଅଭିଯାନରେ ବି ଥିଲା ବିଭାଜନ । ୧୬ ଜଣ ବିଧାୟକ ସିନା ବାହାରେ ପ୍ରସାଦ ହଟାଓ ଦାବିରେ ଗର୍ଜନ କରୁଥିଲେ, ହେଲେ ରାହୁଲ ଗାନ୍ଧୀଙ୍କ ପାଖରେ ଓଲଟା କହିଥିବା ଶୁଣିବାକୁ ମିଳିଛି । ନ ହେଲେ ଏତେ ସବୁ ବିରୋଧ ସତ୍ତ୍ୱେ, ପ୍ରସାଦଙ୍କ ଅସ୍ତିତ୍ୱ ଦୋହଲିଲାନି କାହିଁକି ?
ପିସିସି ପଦରୁ ହଟାଇବା ଲାଗି କଂଗ୍ରେସର ଗୋଟିଏ ଗୋଷ୍ଠି ଜିଦ ଧରିଥିଲେ । ବାରମ୍ବାର ଦିଲ୍ଲୀ ଦୈଡୁଥିଲେ । ଏହା ପଛରେ କାଳେ ସଭାପତି ପଦକୁ ଆଖେଇଥିବା ନିରଞ୍ଜନ ପଟ୍ଟନାୟକଙ୍କ ହାତ ଥିଲା ବୋଲି ଚର୍ଚ୍ଚା ବି ହେଲା । ଆଉ କଂଗ୍ରେସର ଏହି ଗୋଷ୍ଠିକୁ ଡାକି ରାହୁଲ ଗାନ୍ଧୀ ବାରମ୍ବାର କଥା ହେଲେ । କଥା ଏତିକିରେ ଛିଣ୍ଡିଲାନି ଯେ, ପିସିସି ବଦଳ ନେଇ ନେତା ଓ କର୍ମୀଙ୍କ  ମନ ଜାଣିବାକୁ ଭୁବନେଶ୍ୱର ଆସିଲେ ଏଆଇସିସିର ତିନିଜଣିଆ ପର୍ଯ୍ୟବେକ୍ଷକ ଟିମ । ହେଲେ ଏହି ଟିମ ଭୁବନେଶ୍ୱରରେ ତିନି ଦିନ କାଳ ନେତା ଓ କର୍ମୀଙ୍କ ସହ ଆଲୋଚନା କଲେ । ରାହୁଲଙ୍କୁ ରିପୋର୍ଟ ବି ଦେଲେ । ହେଲେ ଫଳ ଶୂନ । ଏହାରି ଭିତରେ ମାସେରୁ ଅଧିକ ସମୟ ବିତିଲାଣି ଆଉ ପିସିସି ପରିବର୍ତ୍ତ ଚର୍ଚ୍ଚା ଥମିଲାଣି । ହେଲେ ଏବେ ଆଉ ଏକ ଚର୍ଚ୍ଚା ଚାଲିଛି । ତାହା ହେଲା ଏହି ଟିମ ଆସିବା ପଛରେ କାଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ହାତ ଥିଲା । ପରିବର୍ତ୍ତନ ଚର୍ଚ୍ଚା ଟାଳିବାକୁ କାଳେ ସେ ଏଆଇସିସିରେ ନିଜ ଆଡୁ ଏହି ପ୍ରସ୍ତାବ ଦେଇଥିଲେ । ଯେଉଁଥିପାଇଁ ରିପୋର୍ଟ ପାଇବା ପରେ କେବଳ ନାମକୁ ମାତ୍ର ଦଳୀୟ ନେତାଙ୍କୁ ଡାକି ତାଙ୍କ ସହ ଆଲୋଚନା କଲେ ରାହୁଲ, ହେଲେ ନିଷ୍ପତ୍ତି ଶୁଣେଇଲେନି ।
    ଯଦି ପ୍ରସାଦ ବଦଳିବାର ଥାନ୍ତା, ତେବେ ପଂଚାୟତ ନିର୍ବାଚନ ବିଫଳତା ପରେ ହିଁ ବିଦା ହୋଇଥାନ୍ତେ । ସେ କଥା ବୋଧେ ତାଙ୍କ ବିରୋଧୀ ବୁଝି ପାରୁ ନାହାନ୍ତି । ସାପ ବି ମରିବ, ଲାଠି ବି ଭାଙ୍ଗିବନି ନୀତିରେ ପ୍ରସାଦଙ୍କୁ ରାହୁଲ ଛାୟା ସମର୍ଥନ ଦେଇ ଆସୁଛନ୍ତି । ପ୍ରଥମେ ଅସୁସ୍ଥ ଆଈଙ୍କୁ ଦେଖିବା ପାଇଁ ଇଟାଲି ପଳାଇଲେ । ଆଉ ଛୁଙ୍କ ଛାଡି ଦେଇ ଅନ୍ୟମାନଙ୍କ ଦ୍ୱାରା କୁହାଇଲେ ଯେ ଇଟାଲିରୁ ଫେରିବା ପରେ ପରିବର୍ତ୍ତନ ହେବ । ଏପରି ଖବର ଯୋଗୁ କିଛି ଦିନ ପାଇଁ ପ୍ରସାଦ ବିରୋଧୀ ଧ୍ୱନୀ ଥଣ୍ଡା ପଡିଗଲା । ରାହୁଲ ଭାରତ ଫେରିବା ପରେ ପୁଣି କିଛି ଦିନ ପାଇଁ ପ୍ରସାଦ ବିରୋଧୀ ନାରା ଚାଲିଲା । ହେଲେ ଆମେରିକା ଗସ୍ତରେ ଚାଲି ଯାଇ ସମାନ ପରିବର୍ତ୍ତନର ଛୁଙ୍କ ମାରିଲେ ରାହୁଲ । ପୁଣି ଭାରତ ଫେରି ସେ ଏପରି ବାତାବରଣ ସୃଷ୍ଟି କଲେ ଯେପରି ଦୁର୍ଗା ପୂଜା ପରେ ପରିବର୍ତ୍ତନର ଧାରା ଆରମ୍ଭ ହେବ! ହେଲେ ତାହା ବି ହେଲାନି ।
    ରାହୁଲ ଗାନ୍ଧୀ ପରିବାରର ସହ ପ୍ରସାଦଙ୍କର ଭଲ ସଂପର୍କ ଥିବା ଚର୍ଚା ହୁଏ । ଆଉ ଏଥିଲାଗି ପ୍ରସାଦଙ୍କ ପ୍ରତି ସବୁ ସମୟରେ ଗାନ୍ଧୀ ପରିବାରର ଏକ ସକରାତ୍ମକ ମନୋଭାବ ରହିଛି । ଯାହା ଏବେ ସ୍ପଷ୍ଟ ହୋଇଛି ବୋଲି ତାକ ନିକଟତମ ମହଲ କହି ବୁଲୁଛି । ରାହୁଲ ଦିନ ଗଡାଇବା ଓ ରୁଦ୍ଧଦ୍ୱାରରେ ଓଡିଶା ନେତାଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାରଣ ଭିନ୍ନ । କଂଗ୍ରେସ ଭିତିରିଆ ମହଲରୁ ମିଳିଥିବା ଖବର ଅନୁଯାୟୀ, ରୁଦ୍ଧଦ୍ୱାରର ୱାନ୍ ଟୁ ୱାନ୍ ସାକ୍ଷାତକାରରେ ନେତାମାନଙ୍କୁ ପ୍ରଲୋଭିତ କରିଛନ୍ତି ରାହୁଲ । ପ୍ରସାଦ ବିରୋଧୀ ଗୋଷ୍ଠୀଙ୍କୁ ପାନେ ଚଖାଇ ନୂଆ ଟିମ୍ କରିବା ଯୋଜନା ରହିଥିବା ସୂଚନା ମିଳିଛି । ତେବେ ଡିଲିଂ ଅନୁସାରେ, ଯେଉଁମାନେ ଚୁପ୍ ରହିବେ, ସେମାନଙ୍କୁ କଂଗ୍ରେସରେ ଭଲ ଥଇଥାନ କରାଯିବ । ଆଉ ସେହି ପ୍ଲାନ ଅନୁସାରେ ପ୍ରସାଦ କୁଆଡେ ସାଙ୍ଗଠନିକ ନିର୍ବାଚନ ବେଳେ ନିଜର ଶକ୍ତି ବୃଦ୍ଧି କରି ଚାଲିଛନ୍ତି । ସେପଟେ ପ୍ରସାଦ ସଂପୂର୍ଣ୍ଣ ନୀରବତା ଫଣ୍ଡା ଆପଣାଉ ଥିବାବେଳେ  ତାଙ୍କ ଶଶୁର ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ମିଡିଆରେ ତାଙ୍କ ସପକ୍ଷରେ କଡା ସାଉଣ୍ଡ ବାଇଟ୍ ଦେଇ ସୁରକ୍ଷା ଦେଉଛନ୍ତି । ଯାହା ପ୍ରସାଦଙ୍କ  ଆଉ ଏକ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି । ପ୍ରସାଦ ଆଣ୍ଡ କୋ’ କାଳେ କିଛି ନେତାଙ୍କୁ ଏକଥା ବି ବୁଝାଇଛନ୍ତି ଯେ, କଂଗ୍ରେସ ହେଉଛି ଭାରତର ସର୍ବପୁରାତନ ଦଳ । ଭବିଷ୍ୟତରେ କଂଗ୍ରେସ ଓ ବିଜେପିର ଲଢେଇ ଜାରି ରହିବ । ଯେଉଁଠି ଆଂଚଳିକ ଦଳର ପ୍ରଭାବ ଆଉ ରହିବନି । ଏପରି ସ୍ଥିତିରେ ରାହୁଲଙ୍କ ଡିଲିଂରେ ରାଜି ହେଲେ ହୁଏତ କଂଗ୍ରେସରେ ରହି ନେତାମାନଙ୍କ ରାଜନୈତିକ ଭବିଷ୍ୟତ ବି ସୁରକ୍ଷିତ ରହିବ । ପ୍ରସାଦ ହଟିବେନି ବୋଲି ଜାଣିସାରିବା ପରେ ଏକ ପ୍ରକାର ନିଜ ଲାଂଜ ଯାକି ବସିଛନ୍ତି ବୋଲି କଂଗ୍ରେସ ରାଜନିତୀରେ ଚର୍ଚ୍ଚା ।

ONA

Leave a Reply

Top