You are here
Home > ଲାଟେଷ୍ଟ > ବିଧାନସଭାରେ ଅନାହାର ମୃତୁ୍ୟ ପ୍ରସଙ୍ଗ: ରାଜସ୍ୱମନ୍ତ୍ରୀଙ୍କ ବକ୍ତବ୍ୟ ଦାବି କଲେ ବିରୋଧୀ

ବିଧାନସଭାରେ ଅନାହାର ମୃତୁ୍ୟ ପ୍ରସଙ୍ଗ: ରାଜସ୍ୱମନ୍ତ୍ରୀଙ୍କ ବକ୍ତବ୍ୟ ଦାବି କଲେ ବିରୋଧୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ବାଲିଛଡା ଗ୍ରାମରେ ଜଣେ ଯୁବକ ରଙ୍କନିଧି ଖୁରାମ ଅନାହାରରେ ମୃତୁ୍ୟ ହୋଇଥିବା ନେଇ ଗଣମାଧ୍ୟରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହି ପ୍ରସଙ୍ଗ ସୋମବାର ବିଧାନସଭାରେ ଉଠିଛି । ବିରୋଧୀଳ ଦଳ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇବା ସହ  ସମସ୍ତ ପ୍ରଶାସନ ଓ ସରକାରୀ ଅଧିକାରୀମାନେ ଏ ବିଷୟରେ ଜାଣି ମଧ୍ୟ ଅନାହାର ମୃତୁ୍ୟ ହେବା ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇ ଯାଇଥିବା ପ୍ରମାଣିତ ହୋଇଛି ବୋଲି କହିଥିଲେ । ନରସିଂହ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ଗୃହରେ ବକ୍ତବ୍ୟ ଦିଅନ୍ତୁ ବୋଲି ଦାବି କରିଥିଲେ  । କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ଓ ବିଜେପି ବିଧାୟକ ରବି ନାରାୟଣ ନାୟକ ମଧ୍ୟ ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ଗୃହରେ ବକ୍ତବ୍ୟ ଦେବାକୁ ବାଚସ୍ପତିଙ୍କୁ ରୁଲିଂ ଦେବାକୁ ଦାବି କରିଥିଲେ । ମାତ୍ର ବାଚସ୍ପତି ଓ ଉପବାଚସ୍ପତି ଏ ସମ୍ପର୍କରେ କୌଣସି ରୁଲିଂ ନଦେବା କାରଣରୁ ଉଭୟ ବିଜେପି ଓ କଂଗ୍ରେସର ବିଧାୟକମାନେ ହଟ୍ଟଗୋଳ କରିଥିଲେ  । ଫଳରେ ଉପ ବାଚସ୍ପତି  ଶ୍ରୀ ସାନନ୍ଦ ମାରାଣ୍ଡି ଗୃହକୁ ୧୧.୫୬ରୁ ୧୨.୫୫ ଯାଏ ଗୃହ ମୁଲତବୀ ରହିଲା  ବୋଲି ଘୋଷଣା କରିଥିଲେ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତଥାପନ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ବାଲିଛଡା ଗ୍ରାମରେ ଅସହାୟ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧାଙ୍କ ଦୁଇ ମାନସିକ ଭିନ୍ନକ୍ଷମ ପୁଅଙ୍କ ମଧ୍ୟରୁ ସାନପୁଅ ରଙ୍କନିଧି ଖୁରାଙ୍କ ମୃତୁ୍ୟ ହୋଇଛି । ବୃଦ୍ଧା ଓ ତାଙ୍କର ବଡ ପୁଅଙ୍କ ଅବସ୍ଥା ଭଲ ନାହିଁ ବୋଲି ଗ୍ରାମବାସୀ ବିଡିଓଙ୍କୁ ଜଣାଇଛନ୍ତି ।
  ନରସିଂହ କହିଥିଲେ ଯେ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଗାଁର ଏକ ଭଙ୍ଗା କୁଡିଆରେ ରନ୍ଦ୍ରାବତୀ ଓରଫ୍ ରଖୁ ଖୁରା ତାଙ୍କର ଦୁଇ ମାନସିକ ଭିନ୍ନକ୍ଷମ ପୁଅଙ୍କ ସହ ରହୁଥିଲେ । ତାଙ୍କର ଜମି ବାଡି କିମ୍ବା ରାସନ କାର୍ଡ ନାହିଁ । ଏ ସମ୍ପର୍କରେ ପୂର୍ବରୁ ଗଣମାଧ୍ୟମରେ ରିପୋର୍ଟ ପାଇବା ପରେ ଜୁନାଗଡ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଜୟନ୍ତ ପ୍ରହରାଜ ମେଡିକାଲ ଟିମ୍ ସହ ପରିବାରକୁ  ଭେଟି ଭିନ୍ନକ୍ଷମ ପୁଅ ମାନଙ୍କର  ଭତ୍ତା ପାଇଁ ଅନଲାଇନ୍ ଆବେଦନ କରିଥିଲେ । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପାଇଁ ଭବାନୀପାଟଣା ଡାକ୍ତରଖାନାରୁ ଡାକ୍ତର  ଆସିଥିଲେ  । ତାଙ୍କ ସମ୍ପର୍କରେ ମାନବିକ ଅଧିକାର କମିଶନ ମଧ୍ୟ ଜିଲ୍ଲାପାଳ ଡି ବୃନ୍ଦାଙ୍କୁ ନୋଟିସ୍ ଦେଇ ଉକ୍ତ ପରିବାରକୁ ସହୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶରେ ଅନ୍ୟ ଅଧିକାରୀମାନେ ଉକ୍ତ ପରିବାରକୁ ଭେଟିବା ସହ ତାଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେ ନେଇ ଆଲୋଚନା  କରି ଆସିଥିଲେ । ଏସବୁ ସତ୍ତ୍ୱେ ଉକ୍ତ ଯୁବକମାନଙ୍କ ମୃତୁ୍ୟ ହୋଇଯାଇଛି । ସରକାର ଓ ପ୍ରଶାସନ କହି ପାରିବେ ନାହିଁ ଯେ ତାଙ୍କୁ ଏ ସମ୍ପର୍କରେ ଜଣାନଥିଲା । ସରକାର  ଓ ପ୍ରଶାସନକୁ ସବୁ ଜଣା ଥାଇ ମଧ୍ୟ କିଛି କରାଯାଇ ପାରିଲା ନାହିଁ ଓ ଜଣଙ୍କର ମୃତୁ୍ୟ ହୋଇଗଲା । ତେଣୁ ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ବିଫଳ ହୋଇଛି ତାହା ସ୍ପଷ୍ଟ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏପରି ମାମଲା ପାଇଁ  ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଉତରଦାୟୀ କରାଯିବ ଆବଶ୍ୟକ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହ ଦେଓ ଓ  ବିଜେପି ବିଧାୟକ ରବି ନାୟକ ମଧ୍ୟ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ତେବେ ରୁଲିଂ ନ ମିଳିବାରୁ ଉଭୟ ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଯାଇ ହଟ୍ଟଗୋଳ କରିଥିଲେ । ଫଳରେ ଉପବାଚସ୍ପତି ଶ୍ରୀ ସନନ୍ଦ ମାରାଣ୍ଡି ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
  ସେହିପରି ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗରେ ସବୁ ଦଳକୁ ସାଥିରେ ନେବା ପରିର୍ତ୍ତେ ପ୍ରଶାସନିକ ଓ ଆଇନଗତ ଲଢ଼େଇ ମାଧ୍ୟମରେ ଲଢ଼ି ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବେ ବୋଲି ଘୋଷଣା କରିଥିଲେ । ଏ ସମ୍ପର୍କରେ କୋର୍ଟ  ଯିବା ସହ ଟି୍ରବୁ୍ୟନାଲ ଗଠନ ପାଇଁ ମଧ୍ୟ ଆବେଦନ କଲେ । ମାତ୍ର ବର୍ତ୍ତମାନ ଯାଏ ମାମଲା ଲିଷ୍ଟେଡ୍ ହୋଇ ନାହିଁ । ଅନ୍ୟ ପକ୍ଷରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମହାନଦୀ ୩୦ରେ  ସେପ୍ଟେମ୍ପରରେ ଅର୍ପା ପ୍ରକଳ୍ପକୁ ଅନୁମୋଦନ  ମିଳିଛି । ତେଣୁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କର କେହି ଅଧିକୃତ କେହି ମନ୍ତ୍ରୀ ଗୃହରେ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ।

ONA

Leave a Reply

Top