You are here
Home > ସ୍ପୋର୍ଟସ୍ > ବିଦା ହେବେ କୁମ୍ବଲେ

ବିଦା ହେବେ କୁମ୍ବଲେ

ଭୁବନେଶ୍ୱର: ବିଦା ହେବେ ଟିମ୍ ଇଣ୍ଡିଆର ସଫଳ କୋଚ୍ ଅନୀଲ କୁମ୍ବଲେ । ଖେଳାଳିଙ୍କ ବାର୍ଷିକ ଅନୁଦାନ ଓ ନିଜ ପ୍ରାପ୍ୟ ପାଇଁ ଆକ୍ରାମକ ଆଭିମୁଖ୍ୟ କୁମ୍ବଲେଙ୍କ ପାଇଁ ବୁମେରାଂ ସାବ୍ୟସ୍ଥ ହୋଇଛି । ମେନ୍ ଇନ୍ ବ୍ଲୁ କୁ ବର୍ଷକ ମଧ୍ୟରେ ଯଥାସାଧ୍ୟ ସଫଳତା ଦେଇଥିଲେ ବି ବୋର୍ଡ କର୍ମକର୍ତ୍ତାଙ୍କ ମନ ଜିଣିବାରେ ସଫଳ ହୋଇପାରି ନାହାନ୍ତି କୁମ୍ବଲେ । ଫଳରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ପଦ ହରାଇବାକୁ ପଡିବ । ଦିନ କେଇଟା ଆଗରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଶାୟୀ ପ୍ରାର୍ଥୀମାନେ ମେ’ ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଯାହା ପରେ ବିସିସିଆଇର ପରାମର୍ଶ ଦାତା କମିଟିର ସଦସ୍ୟ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣ ଆବେଦନକାରୀଙ୍କ ସାକ୍ଷାତକାର ନେବେ । ତେବେ କୁମ୍ବଲେଙ୍କ ପାଇଁ ମୁଖ୍ୟ କୋଚ୍  ହେବା ଲାଗି ଯଥେଷ୍ଟ ସୁଯୋଗ ରହିଛି । କାରଣ ତାଙ୍କୁ ମୁଖ୍ୟ କୋଚ୍ ନିମନ୍ତେ ଆବେଦନ କରିବାକୁ ପଡିବ ନାହିଁ । ସେ ସିଧାସଳଖ ଫେସ୍ ଟୁ ଫେସ୍ ସାକ୍ଷାତକାରରେ ଭାଗ ନେଇପାରିବେ । ହେଲେ ବିସିସିଆଇର ନିଷ୍ପତ୍ତିକୁ ସେ କେତେଦୂର ଗ୍ରହଣ କରିପାରିବେ ତାହାର ପୂର୍ବ ଅନୁମାନ ଲଗାଇବା ବଡ ମୁସକିଲ୍ ।
ବିସିସିଆଇ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପ୍ରଶାସନିକ କମିଟି (ସିଓଏ)ର ନୂଆ ପ୍ରତିନିଧି, ସିଏସି ସହ କୋଚ୍ମାନଙ୍କର ସାକ୍ଷାତକାର ଉପରେ ପୂରା ନଜର ରଖିବ । କୋଚ୍ମାନଙ୍କ ସାକ୍ଷାତକାର ସମ୍ପୂର୍ଣ୍ଣ ନିରପେକ୍ଷ ଓ ଦକ୍ଷତା ଅନୁଯାୟୀ ଚୟନ ହେବ ।  କୁମ୍ବଲେଙ୍କ କାର୍ଯ୍ୟକାଳରେ ଭାରତ ଘରୋଇ ମାଟିରେ ୧୩ଟି ଟେଷ୍ଟରୁ ୧୦ଟି ବିଜୟ ହାସଲ କରିଛି । ଏହା ମଧ୍ୟରେ ଭାରତ ଦୁଇଟି ଡ୍ର’ ଓ ଗୋଟିଏରେ ପରାସ୍ତ ହୋଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ସାଙ୍ଗକୁ ଘରୋଇ ମାଟିରେ ନୁ୍ୟଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟେଷ୍ଟ ସିରିଜ୍ ଜିତିଥିଲା । ଏହା ସାଙ୍ଗକୁ ଦିନିକିଆରେ ମଧ୍ୟ ଭଲ ପ୍ରଦର୍ଶନ ଦେଖାଇଥିଲା ଭାରତ । ନୁ୍ୟଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜିତି ଭାରତ ନୂଆ କୀର୍ତ୍ତିମାନ ରଚିଥିଲା । ସଫଳ ହୋମ୍ ସେସନ୍ ସହ ଭାରତ ଟେଷ୍ଟ ର୍ୟାଙ୍କିଙ୍ଗର ଏକ ନମ୍ବର ସ୍ଥାନକୁ ଉଠିଥିଲା । ଏହା ସମସ୍ତ ଶ୍ରେୟ ଆକ୍ରମଣାତ୍ମକ ସ୍ୱଭାବର ଅଧିନାୟକ ବିରାଟ କୋହଲି ଓ କୋଚ୍ ଅନୀଲ କୁମ୍ବଲେଙ୍କୁ ଯାଉଛି ।
କୁମ୍ବଲେଙ୍କ କାର୍ଯ୍ୟକାଳ ଜୁନ୍ ୧ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଚାମ୍ପିଅନ୍ସ ଟ୍ରଫି ପରେ ଶେଷ ହୋଇଯିବ । ଭାରତର ସବୁଠାରୁ ସଫଳତମ ବୋଲର ତଥା ପୂର୍ବତନ ଟେଷ୍ଟ ଅଧିନାୟକ ୪୬ ବର୍ଷୀୟ କୁମ୍ବଲେଙ୍କୁ ଗତବର୍ଷ ଜୁନ୍ ୨୩ ତାରିଖରେ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । କୁମ୍ବଲେଙ୍କ ନାମରେ ୬୧୯ଟି ଟେଷ୍ଟ ଓ ୩୩୭ଟି ଦିନିକିଆ ୱିକେଟ୍ ରହିଛି ।
ଖେଳାଳିଙ୍କ ଅନୁଦାନ ବୃଦ୍ଧି ନେଇ କୁମ୍ବଲେଙ୍କ ଆଭିମୁଖ୍ୟକୁ ବିସିସିଆଇ ପସନ୍ଦ କରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଯେଉଁ ସମୟରେ ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚିଛି, ସେହି ସମୟରେ ନୂଆ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିଥାନ୍ତା କିନ୍ତୁ ବୋର୍ଡ ତାହା କରି ନାହିଁ । ଯଦି ବର୍ତ୍ତମାନ ବିସିସିଆଇ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତ କରିବ, ତାହାଲେ କୁମ୍ବଲେ ଆଉ ଏଭଳି କରିପାରିବେ ନାହିଁ । ଏ ଦୃଷ୍ଟିରୁ କୁମ୍ବଲେଙ୍କୁ ହଟାଇ ଦେଲେ ସବୁ ଅଡୁଆ ବିସିସିଆଇ ପାଇଁ ସହଜ ହୋଇଯିବ ।

ONA

Leave a Reply

Top