You are here
Home > ଅଧିକ ଖବର > ବିଜେପି କା ଜୟ-ଭକ୍ତ

ବିଜେପି କା ଜୟ-ଭକ୍ତ

 ଜୟ-ଭକ୍ତଙ୍କ ରଣନୀତି ସଫଳ ହେଲେ ଓଡିଶା ରାନୀତିରେ ଭୂକମ୍ପ ଆସିବ । ପଦ୍ମ ସହ ହାତ ମିଳାଇ ନିଜ ଦଳର ଚେର କାଟିବା ପାଇଁ ସେମାନଙ୍କ ଯୋଜନା କେତେଦୂର ସଫଳ ହେବ? ହାତ ଛାଡି ପଦ୍ମ ଧରିବାକୁ କଳାହାଣ୍ଡିର ଦଳିତ ଫେସ ଭକ୍ତ ବାବୁ ନସରପସର ହେଉଥିବା ବେଳେ, ବେଳ କାଳ ଉଣ୍ଡି ଶଙ୍ଖରେ ଫୋକ ପଶାଇବା ଯୋଜନାରେ ଅଛନ୍ତି ବୈଜୟନ୍ତ ଓରଫ ଜୟ ପଣ୍ଡା । ୨୦୧୯ ଫାଇନାଲ ପୂର୍ବରୁ ସେ ନବୀନଙ୍କୁ ମାଷ୍ଟର ଷ୍ଟ୍ରୋକରେ ଘାଇଲା କରିବା ଯୋଜନାରେ ଅଛନ୍ତି ।
ଭୁବନେଶ୍ୱର: ଉପାନ୍ତ ମାଲକାନଗିରିରୁ ଉପକୂଳ ନୀଳଗିରି ସବୁଠି ଫୁଟୁଛି ପଦ୍ମ । ଗାଁ ଗାଁ ବୁଲି ସଂଗଠନ ଦୃଢ କରିବାକୁ ୨୦୦୯ ମସିହାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଥିଲେ, ସେହି ‘ଏକ୍୍ଲା ଚଲୋ’ ଫର୍ମୁଲା ଏବେ ଫେଲ୍ ମାରିଲା । କେଉଁଠି ରହିଗଲା ଭୁଲ, ତାକୁ ସମୀକ୍ଷା କରିବା ପାଇଁ ହାତରେ ଏବେ କେବଳ ଦେଢ ବର୍ଷ ସମୟ । ଆଉ ଏବେଠାରୁ ସଜାଗ ନ ହେଲେ ପୌରାଞ୍ଚଳରେ ବିଜେଡି ବାନା ଛିଣ୍ଡି ଯିବ । ସେପଟେ ପଂଚାୟତ ନିର୍ବାଚନର ଅନୁଭୂତିକୁ ପାଥେୟ କରି ୨୦୧୯ର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି ବିଜେପି । ହେଲେ ଏକ ନମ୍ବର ସ୍ଥାନରେ ଥିବା ବିଜେଡିର ସହଯୋଗ ବିନା ବିଜେପି କିପରି ଉଡାଇବ ବାନା? ଦାମ ବାବୁ ବି କହିଛନ୍ତି ଯେ ବିଜେଡିରେ ରହିଛନ୍ତି ବିଭୀଷଣ । ଯେଉଁ ମାନେ ଦଳରେ ରହି ବିଜେପି ପାଇଁ କାମ କଲେ । ହେଲେ କେବଳ ବିଜେଡି ନୁହେଁ, କଂଗ୍ରେସରେ ବି ରହିଛନ୍ତି ବିଭୀଷଣ । ନ ହେଲେ କଂଗ୍ରେସ ଗଡ ଭୁଶୁଡିଲା କିପରି?
 କଳାହାଣ୍ଡିରେ ବିଜେପିର ବିଜୟର ଶ୍ରେୟ ପାଇଁ ହକଦାର ଜାତୀୟ କଂଗ୍ରେସ ସଂପାଦକ ଭକ୍ତ ଚରଣ ଦାସଙ୍କ ନିରବତା । ଏପରିକି ଭକ୍ତ ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା । ଭକ୍ତ କଳାହାଣ୍ଡିରେ ଚୁପ୍ ବସିବାରୁ କଂଗ୍ରେସ ଭୋଟ ଗଲା ବିଜେପି ପକେଟକୁ । କାରଣ ଦୁଇଟି ହୋଇ ପାରେ । ବିଜେପି ଯିବାକୁ ଭକ୍ତଙ୍କ ଏହା ପ୍ରଥମ ସୋପାନ ତ ଅନ୍ୟଟି ହେଉଛି ପ୍ରସାଦ ହରିଚନ୍ଦନଙ୍କୁ ପାନେ ଦେବା! ଯଦି ଭକ୍ତଙ୍କ ବିଜେପି ଡେଇଁବା ଖବର ଉପରେ ନଜର ପକାଯାଏ ତ ଏହା କିଛି ଅସମ୍ଭବ ନୁହେଁ । କାରଣ ସବୁବେଳେ କ୍ଷମତାରେ ରହିବା ଲାଳସାରେ ଭକ୍ତ!
୧୯୮୫ ମସିହାରେ ବିଜୁ ପଟ୍ଟନାୟକଙ୍କ ଆହ୍ୱାନରେ ଜନତା ପାର୍ଟିରୁ ଭବାନୀପାଟଣାରୁ ବିଧାୟକ ହୋଇଥିଲେ ଭକ୍ତ । ଏହା ପରେ ୧୯୮୯ରେ ଜନତା ଦଳରୁ ଲୋକସଭାକୁ ଯାଇଥିଲେ । ୧୯୯୦ ମସିହାରେ ବିଶ୍ୱନାଥ ପ୍ରତାପ ସିଂହଙ୍କୁ ଛାଡି ସମାଜବାଦୀ ଜନତା ପାର୍ଟି ମୁଖ୍ୟ ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ହୋଇ କ୍ଷମତାରେ ରହିଥିଲେ । ଛୋଟେ ଲୋହିୟା କିଶନ ପଟ୍ଟନାୟକଙ୍କ ଅନୁଗତ ଭକ୍ତଙ୍କୁ କ୍ଷମତାରେ ରହିବା ଲାଗି ଅନ୍ୟ ଦଳମାନଙ୍କ ସହ ଫିକସିଂ କରିବା କଳା ଭଲ ଭାବେ ଜଣା । ବେଦାନ୍ତ ବିରୋଧୀର ବାନା“ଗ୍ରୀନ କଳାହାଣ୍ଡି” ଜରିଆରେ ଉଡାଇ୨୦୦୯ରେ ପ୍ୟାରୀ ମହାପାତ୍ରଙ୍କ ସହ ସେ ଭିତିରିଆ ବୁଝାମଣା କରିଥିବାର ଶୁଣିବାକୁ ମିଳେ । ସେଥିପାଇଁ ବିଜେଡି ପକ୍ଷରୁ କଳାହାଣ୍ଡି ପାଇଁ ସୁବାସ ନାୟକଙ୍କ ପରି ଦୁର୍ବଳ ପ୍ରାର୍ଥୀଙ୍କୁ ଠିଆ କରାଯାଇଥିଲା । ଯେଉଁଥିପାଇଁ ପରିଷ୍କାର ହୋଇଥିଲା ଭକ୍ତଙ୍କ ବିଜୟ ପଥ ।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭକ୍ତ ବିଜେଡିରେ ମିଶିବେ ବୋଲି ବି ଯୋଜନା କରୁଥିଲେ ବୋଲି ସୂଚନା ରହିଛି । ହେଲେ ତାଙ୍କୁ ଚେକ୍ ଦେଇଥିଲେ ଅର୍କକେଶରୀ ଦେଓ । ସେବେଠାରୁ ବାଟ ଖୋଜୁଛନ୍ତି ଭକ୍ତ । ଛତିଶଗଡ କଂଗ୍ରେସ ପ୍ରଭାରୀ ଥିବାରୁ ଛତିଶଗଡ ବିଜେପି ନେତାଙ୍କ ସହ ଭକ୍ତଙ୍କ ସଂପର୍କ ଉତ୍ତମ । ଶୁଣିବାକୁ ମିଳିଛି ବିଜେପି ସହ-ସଙ୍ଗଠନ ସମ୍ପାଦକ ସୌଦାନ ସିଂଙ୍କ ସହ ମିଶି ଅମିତ ଶାହାଙ୍କୁ ଭେଟି ସାରିଛନ୍ତି ଭକ୍ତ । ଦାନ ମାଝି ନିଜ ସ୍ତ୍ରୀର ଶବ କାନ୍ଧରେ ବୋହିବା ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ବିଶ୍ୱ ଦରବାରରେ ନିନ୍ଦିତ କରିଥିବା ଭକ୍ତଙ୍କୁ ନେଇ କେନ୍ଦ୍ରୀୟ ବିଜେପି ଭାରି ଆଶାୟୀ । ଓଡିଶା ବିଜେପିର ଫେସ୍ ଧର୍ମେନ୍ଦ୍ର ପ୍ରଧାନ ବି ଭକ୍ତଙ୍କ ରାଜନୈତିକ ମାହାତ୍ମ୍ୟକୁ ଭଲ ଭାବେ ଜାଣନ୍ତି । ଦଳିତ ଫେସ୍ ଲଢୁଆ ଭକ୍ତ ବିଜେପିରେ ମିଶିଲେ ପଶ୍ଚିମ ଓଡିଶାରେ ସଂଗଠନ ମଜଭୁତ ହେବା ସହ ଦଳିତ ଭୋଟ ବି ପଦ୍ମ ସପକ୍ଷରେ ଯିବ । ଏଥିପାଇଁ  ପ୍ରଦୀପ୍ତ ନାଏକଙ୍କୁ ଭବାନୀପାଟଣାରୁ ଏବଂ ଜୁନାଗଡରୁ କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓଙ୍କୁ ବିଜେପିରୁ ବିଜୟୀ କରାଇବାର ପଥ ସୁଗମ କରିବାକୁ ଭକ୍ତ ବି ଡିଲିଂ ହୋଇଥିବା ଚର୍ଚ୍ଚା ହେଉଛି ।
ସେହିପରି ବିଜେପି ସହ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିତିରିଆ ସଂପର୍କ ନେଇ ବି ଚର୍ଚ୍ଚା ହେଉଛି । ଯେଉଁଠି ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ନବୀନ, ଏହି ଫତୱାକୁ ଅବମାନନା କରିବାର କୌଣସି ସୁଯୋଗ ହାତ ଛଡା କରୁ ନାହାନ୍ତି ବୈଜୟନ୍ତ ଓରଫ ଜୟ । କେବେ ଗୋପନରେ ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ତ ଆଉ କେବେ ଜାତୀୟ ଗଣମାଧ୍ୟମରେ ମୋଦିଙ୍କ ବିଦେଶ ନୀତକୁ ପ୍ରଶଂସାରେ ପୋତି ଦେଇଛନ୍ତି । ଶୁଣିବାକୁ ମିଳିଛି, ଜୟଙ୍କ ସହ ବିଜେଡି ଲୋକସଭା ନେତା ଭତ୍ତୃହରି ମହତାବ ବି ପଦ୍ମ ଫୁଟାଇ ପାରନ୍ତି । ଭତ୍ତୃହରିଙ୍କ ପୁଅ ଯେବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଆରୀଙ୍କୁ ବିବାହ କଲେ, ସେବେଠାରୁ ଏହି ପାରିବାରିକ ସଂପର୍କ ରାଜନୈତିକ ସଂପର୍କ ବି ହୋଇଯାଇଛି । ହେଲେ ବୈଜୟନ୍ତ ଚପଳମତି ଖେଳୱାଡ । ବିଜେପିର ବନ୍ଧୁ ଜୟ କେବେ ବି ବିଜେଡି ଛାଡିବେନି । ଜୟ ଭଲ ଭାବେ ଜାଣିଛନ୍ତି ଓଡିଶାରେ ରାଜନୈତିକ ପାଣିପାଗ ବଦଳିଲେ କୌଣସି ମୁହୂର୍ତ୍ତରେ ହୋଇପାରେ ବିଜେପି-ବିଜେଡି ମେଣ୍ଟ । ଯେଉଁଥି ପାଇଁ ସେ ଚଲାଇଛନ୍ତି ବ୍ଲାକମେଲିଂ ରାଜନୀତି । ଏପରିକି ନିଜ ଟିଭି ନ୍ୟୁଜ ଚ୍ୟାନେଲରେ ବି ଚଲାଉଛନ୍ତି ବିଜେପି ସପକ୍ଷରେ ନୁ୍ୟଜ । ଏପରି ହେଲେ ଗେରୁଆ ବାନାର ବିଶ୍ୱାସ ଜିତି ପାରିବେ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ସେ ନବୀନଙ୍କୁ ମାଷ୍ଟରଷ୍ଟ୍ରୋକ ଦେବା ପାଇଁ ଫନ୍ଦି କରୁଛନ୍ତି । ବିଜେଡି ସଂସଦୀୟ ଦଳକୁ ଭାଙ୍ଗି ଏହାର ଏକ ବଡ ଅଂଶକୁ ବିଜେପି ସହ ମିଶାଇବାକୁ ତାଙ୍କର ଯୋଜନା ରହିଛି । ଆଉ ଯଦି ୨୦୧୯ରେ ବିଜେଡି ତାଙ୍କଠାରୁ ମୁହଁ ମୋଡି ଦିଏ, ତେବେ ଧର୍ମେନ୍ଦ୍ରଙ୍କ ପରି ସେ ବି ଯାଇ ପାରନ୍ତି ରାଜ୍ୟସଭା ।

ONA

Leave a Reply

Top