You are here
Home > ଅଧିକ ଖବର > ବିଜେଡି-ବିଜେପିି ଚୁପ୍

ବିଜେଡି-ବିଜେପିି ଚୁପ୍

ଭୁବନେଶ୍ୱର: କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ସୁରକ୍ଷା ଦେବାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ପ୍ରମୁଖ ଭୂମିକା ଅଛି ଓ ତାଙ୍କର ଗିରଫ ନିଶ୍ଚିତ ବୋଲି ଦୃଢ଼ୋକ୍ତି ବାଢ଼ୁଥିବା ବିଜେଡି ଏବେ ସମ୍ପୂର୍ଣ୍ଣ ନିରବ । ଗୋଲକଙ୍କ ଭୂମିକାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କିଛିଦିନ ଛକାପଞ୍ଝା ଲାଗି ରହିବା ଏବଂ ପରସ୍ପର ପ୍ରତି କଟୂ ଆକ୍ଷେପକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏବେ ଅଚାନକ ଉଭୟ ପକ୍ଷର ନିରବତା ରାଜନୀତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗୋଲକଙ୍କୁ ଛତ୍ରପୁର ପୁଲିସ୍ ୩ଘଂଟା ଧରି ଜେରା କରିବା ପରଠାରୁ ସବୁକିଛି ଥମିଯାଇଛି । ଗୋଲକଙ୍କ ସମ୍ପୃକ୍ତିକୁ ନେଇ ବିଜେଡି ପକ୍ଷରୁ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରାଯିବା ଓ ଗୋଲକଙ୍କ ଗିରଫ ନିଶ୍ଚିତ ବୋଲି ବିଜେଡି ନେତାମାନେ କହିବା ସତ୍ତେ୍ୱ ୧୦ଦିନ ହେବ ପୁଲିସ୍ ହାତବାନ୍ଧି ବସିବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋଲକଙ୍କ ପ୍ରସଙ୍ଗରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ନକରିବା ପାଇଁ ଉପରୁ ନିର୍ଦ୍ଦେଶ ରହିଛି । ଯେହେତୁ ପୁଲିସ୍ ଏବେ ଏହି ଘଟଣାର ତଦନ୍ତ କରୁଛି, ସେଥିପାଇଁ ରାଜନୀତିକ ବୟାନବାଜିରୁ ଦୂରେଇ ରହିବା ପାଇଁ ଦଳର ମୁଖପାତ୍ର ଓ ନେତାମାନଙ୍କୁ ତାଗିଦ୍ କରାଯାଇଛି । ତେବେ ଗୋଲକ ପ୍ରସଙ୍ଗରେ ବିଜେଡି କାହଁକି ନିଜ ରଣନୀତିରେ ଏଭଳି ପରିବର୍ତନ କଲା ସେ ନେଇ ଅଧିକ କିଛି ତଥ୍ୟ ଦଳୀୟ ନେତାମାନେ କହିପାରୁନାହାନ୍ତି । ଅନ୍ୟପକ୍ଷରେ ବିଜେପି ମଧ୍ୟ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ କୃଷ୍ଣ ନାୟକଙ୍କ ସମ୍ପୃକ୍ତିକୁ ନେଇ ଗଞ୍ଜାମ ଏସ୍ପିଙ୍କୁ ଟାର୍ଗେଟ୍ରୁ ନିଜକୁ ଦୂରେଇ ରଖିଛି । ରାଜନୀତିକ ବିଶେଷଜ୍ଞଙ୍କ ମତରେ ଗୋଲକଙ୍କ ପ୍ରସଙ୍ଗରେ ବିଜେଡି ଯେଭଳି ଆଭିମୁଖ୍ୟ ଆପଣାଇଥିଲା ତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ନେଇଯାଇଥିଲେ । ବିଜେପି ଜାତୀୟ ସଭାପତି ଅମିତ୍ ଶାହଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇ ଗୋଲକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିକୂଳ ପ୍ରଭାବ ରାଜ୍ୟରେ ଦଳୀୟ ସଂଗଠନ ଉପରେ ପଡ଼ିବ ବୋଲି ସତର୍କ କରାଇଥିଲେ । ଆଉ ଏହି କାରଣରୁ ବିଜେଡି ସୁପ୍ରିମୋଙ୍କୁ ଦିଲ୍ଲୀ ଦରବାରରୁ ଗୋଲକ ପ୍ରସଙ୍ଗରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା । ରାଜନୀତିକ ବିଶେଷଜ୍ଞଙ୍କ ମତରେ, ବିଜେଡି ପାଇଁ ଚିଟ୍ଫଣ୍ଡ କେଳେଙ୍କାରୀ ଓ ଖଣି ଦୁର୍ନୀତି ଉଭୟ ପ୍ରସଙ୍ଗ ଏବେ କଂଟା ହୋଇ ରହିଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏହାକୁ ‘ଅମୋଘ ଅସ୍ତ୍ର’ ଭାବେ ବିଜେଡି ବିରୋଧରେ ବ୍ୟବହାର କରିବାର ବିକଳ୍ପ ମଧ୍ୟ ରହିଛି । ମାତ୍ର ରାଜନୀତିକ ବାଧ୍ୟବାଧକତାରୁ ଉଭୟ ପରସ୍ପର ପ୍ରତି ରାଜନୀତିକ ଆରୋପ-ପ୍ରତ୍ୟାରୋପ କରୁଥିଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଭାବମୂର୍ତିକୁ ସୁରକ୍ଷିତ ରଖିବା ଭଳି ରଣନୀତି ଆପଣାଇଛନ୍ତି । ବିଜେପି ଚାହିଁଲେ ଚିଟ୍ଫଣ୍ଡ ଦୁର୍ନୀତି ତଦନ୍ତକୁ ତ୍ୱରାନ୍ୱିତ କରି ଏହା ସହ ଜଡ଼ିତ ବିଜେଡି ନେତାମାନଙ୍କୁ କାଠଗଡ଼ାରେ ଛିଡ଼ା କରାଇ ପାରନ୍ତା । ମାତ୍ର ସେଭଳି ହେଉନି । ଯଦିଓ ବିଜେଡି ସହ କୌଣସି ପ୍ରକାରର ମେଂଟ ହେବ ନାହିଁ ବୋଲି ବିଜେପି କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରିଛନ୍ତି ତଥାପି ଜାତୀୟସ୍ତରର ରାଜନୀତିକ ଦୃଶ୍ୟପଟ୍ଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ସହଯୋଗୀକୁ ମଧ୍ୟ ବିଜେପି ହାତଛଡ଼ା କରିବା ସପକ୍ଷରେ ନାହିଁ । କେନ୍ଦ୍ରର ବିଜେପି ସରକାରକୁ ଗତ ୩ବର୍ଷ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଅକୁଣ୍ଠ ସମର୍ଥନ ଦେଇଛି । ଏହାର ଫାଇଦା ବିଜେଡିକୁ କିଛି ମିଳିନାହିଁ । ତଥାପି ଚିଟ୍ଫଣ୍ଡ ଓ ଖଣି ଦୁର୍ନୀତି ଭଳି ମାମଲାରେ ନିଜର ସମ୍ପୃକ୍ତିକୁ ଅନୁଭବ କରିଥିବା ବିଜେଡି, ବିନା ସ୍ୱାର୍ଥରେ କେନ୍ଦ୍ରକୁ ସମର୍ଥନ ଜଣାଇବାକୁ ବାଧ୍ୟ ହେଉଛି । ବିମୁଦ୍ରାକରଣକୁ ସର୍ବପ୍ରଥମେ ସମର୍ଥନ ଓ ଏବେ ପରବର୍ତିତ ରଣନୀତି ଆପଣାଇ ସମାଲୋଚନା କରୁଥିବା ବିଜେଡି କିନ୍ତୁ ନଭେମ୍ବର ୮ତାରିଖ ଉତ୍ସବରୁ ସମାନ ଦୂରତ୍ୱ ବଜାୟ ରଖିଥିଲା । ଯାହା ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କର ଏକ ସଫଳ ଚାଲ୍ ବୋଲି କୁହାଯାଉଛି । ବିଜେଡି ଯଦି ଏହି ବିମୁଦ୍ରାକରଣକୁ କଳାଦିବସ ଭାବେ ପାଳନରେ ସାମିଲ ହୋଇଥାନ୍ତା ଜାତୀୟସ୍ତରରେ ତାହା ବିଜେପି ପାଇଁ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଥାନ୍ତା । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ହସ୍ତକ୍ଷେପ ଯୋଗୁ ବିଜେଡି ଏହି ବିମୁଦ୍ରାକରଣ କାର୍ଯ୍ୟକ୍ରମ(ଉଲ୍ଲାସ ଦିବସ ବନାମ କଳାଦିବସ)ରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡି ପକ୍ଷରୁ ସିଧାସଳଖ ସମାଲୋଚନା ମଧ୍ୟ ଶ୍ରୀ ଜେଟ୍ଲୀଙ୍କ ହସ୍ତକ୍ଷେପ ଯୋଗୁ ବନ୍ଦ ହୋଇଥିବା କୁହାଯାଉଛି ।
ରାଜନୀତିକ ମହଲରେ ଚର୍ଚ୍ଚା ଅନୁସାରେ, ରାଜ୍ୟ ରାଜନୀତିରେ ବିଜେଡି ଓ ବିଜେପି ପରସ୍ପରକୁ ଟକ୍କର ଦେଉଥିଲେ ମଧ୍ୟ ଜାତୀୟ ଦୃଶ୍ୟପଟ୍ଟରେ ଉଭୟଙ୍କ ମଧ୍ୟରେ ଏକ ଗୋପନ ବୁଝାମଣା ରହିଛି । ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପରେ ହୁଏତ ଏହି ଗୋପନ ରଣନୀତିରେ କିଛି ପରିବର୍ତନ ହୋଇପାରେ । ନଚେତ୍ ଏବେ ଯାହାବି ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ରାଜନୀତିକ ଡ୍ରାମାବାଜି ହେଉଛି ତାହା କେବଳ ଭୋଟର୍ଙ୍କୁ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ ।

ONA

Leave a Reply

Top