You are here
Home > ଅଧିକ ଖବର > ବିଜେଡି ପାଇଁ ବିଜେଡି କଣ୍ଟା

ବିଜେଡି ପାଇଁ ବିଜେଡି କଣ୍ଟା

ଘଟଗାଁ : ପଞ୍ଚାୟତ ନିର୍ବାଚନ ନେଇ ଏବେ ସାରା ଓଡିଶାରେ ଉଷ୍ମତା ଜୋର ଧରବାରେ ଲାଗିଥିବା ବେଲେ ବିଭିନ୍ନ ଦଳର ନେତା ମାନଙ୍କର ହୃତସ୍ପନ୍ଦନ ବଢିଗଲାଣି  । ଏହି ପରିପ୍ରେକ୍ଷୀରେ ଘଟଗାଁ ବ୍ଲକରେ ସବୁ ରାଜନୈତିକ ଦଳର ନେତାମାନେ ଡେରା ପକାଇ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲାଗି ପଡିଛନ୍ତି । ବିଜେଡି , ବିଜେପି ଓ କଂଗ୍ରେସ ବ୍ୟତୀତ କେନ୍ଦୁଝର ଜିଲ୍ଲାରେ ସମାନ୍ତରଳ ଶାସନ କରିବା ପାଇଁ ଚେଷ୍ଟା କରୁଥିବା ବାହୁବଳୀ ବିଧାୟକ ସନାତନ ମହାକୁଡ ମଧ୍ୟ ନିର୍ବାଚନୀ ଦୌଡରେ ସାମିଲ ହୋଇଛନ୍ତି  । ଶାସକ ବିଜେଡି ଦଳ ପ୍ରଚାର ପ୍ରସାରରେ ବହୁ ଆଗକୁ ମାଡିଯାଉଥିବାର ପରିଲକ୍ଷିତ ହେଉଥିଲେ ମଧ୍ୟ ପ୍ରାର୍ଥୀ ଚୟନକୁ ଦଳୀୟ ଅସନ୍ତୋଷ ରହିଛି । ବିଶେଷକରି ଘଟଗାଁ ବ୍ଲକର ୨୭ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଚୟନରେ ବିଜେଡି ପୁରୁଣା ଓ ବିଶ୍ୱସ୍ତ କର୍ମୀଙ୍କୁ ଅଣଦେଖା କରିଥିବାରୁ ଦଳୀୟ ଅସନ୍ତୁଷ୍ଟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଯାହା ବିଜେଡି ପାଇଁ ବିଜେଡି କଣ୍ଟା ସାଜିଥିବା ଆଲୋଚନା ହେଉଛି  । ଘଟଗାଁ ବ୍ଲକର ଉପରଡିହା ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଭଗବାନ ଖଣ୍ଡା ସରପଞ୍ଚ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ହେଲେ ତାଙ୍କୁ ଟିକେଟ ନମିଳିବାରୁ ସେ ବର୍ତ୍ତମାନ ନିରବ ରହି ଗୋପନୀୟ ଭାବେ ଅନ୍ୟ ଦଳର ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଥିବା ଶୁଣାଯାଉଛି  । ସେହିପରି ବଡ ମଶିଣାବିଲ୍ଲାରେ ମଧ୍ୟ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ ସାନ୍ତରାପୁରରେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ଶାନ୍ତନୁ ସିଂକୁ ବିଜେଡି ଟିକେଟ ନଦେବାରୁ ସେ ବିଜେପିରେ ଯୋଗ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି  । ଏହି ପରି ଅଧାରୁ ଅଧିକ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ବିଜେଡି ଭୁଲ ନିଷ୍ପତ୍ତି ନେଇଥିବା ଯୋଗୁଁ ବହୁ ପୁରୁଣା କର୍ମୀ ନିଜ ନିଜ ରାସ୍ତା ବାଛିନେଇଛନ୍ତି । ଯାହା ଏବେ ଜିଲ୍ଲା ବିଜେଡି ସୁପ୍ରିମୋଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି  । ସେହିପରି ଦଳୀୟ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ବିବାଦ ଆଉ ଦୁଇ ପାଦ ଆଗରେ ଅଛି  । ବ୍ଲକର ସଦରମହକୁମା ମୁକୁନ୍ଦପୁର ପାଟଣା ପଞ୍ଚାୟତର ସମିତି ସଭ୍ୟ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ହୋଇଛନ୍ତି , ଆଉ ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଲେ ପୁରୁଖା ବିଜେଡି ନେତା । ଫଳରେ ଏହି ପଞ୍ଚୟତରେ ବିରୋଧୀମାନେ ଫାଇଦା ଚକ୍କରରେ ଅଛନ୍ତି । ସେହିପରି ଗଦାଧରପୁର ପଞ୍ଚାୟତରେ ନୂଆକରି ବିଜେଡିରେ ଯୋଗ ଥିବା କିଶୋର ବାରିକଙ୍କ ପତ୍ନୀ ଅନିତା ବାରିକଙ୍କୁ ଟିକେଟ ମିଳିବା ପରେ ଏଠାକାର ପୁରୁଣା ବିଜେଡି କର୍ମୀ ଏହାକୁ ହଜମ କରିପାରିନଥିଲେ  । ଫଳରେ ଶେଷ ମୁହୂର୍ତ୍ତରେ ଏଠାରେ ମଧ୍ୟ ବିଦୋ୍ରହ ଦେଖା ଯାଇଥିଲା ଓ ଜଣେ ପୁରୁଣା ବିଜେଡି କର୍ମୀଙ୍କ ସ୍ତ୍ରୀ ଅଞ୍ଜଳି ବାରିକ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି  । ଏଠାରେ ବିଜେଡି କର୍ମୀ ମାନେ ଉପରେ ଅନିତାଙ୍କୁ ସମର୍ଥନ ଦେଉଥିବା ବେଳେ ଭିତରେ ଭିତରେ ଅଂଜଳିଙ୍କୁ ଜିତାଇବାର ରାସ୍ତା କରୁଥିବା ଦେଖାଯାଉଛି । ଢେଙ୍କିକୋଟ ପଞ୍ଚାୟତରେ ମଧ୍ୟ ଅନୁରୁପ ସ୍ଥିତି । ଏଠାରେ ସୁନନ୍ଦା ସାହୁ ବିଜେଡି ସମର୍ଥନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଦ୍ରୋହୀ ଭାବେ ଲକ୍ଷ୍ମୀପ୍ରିୟା ସାହୁ ମଇଦାନକୁ ଓହ୍ଲାଇଛନ୍ତି  । ଆହୁରି ମଧ୍ୟ ବ୍ଲକର ବଡପିଛୁଳା, ତରା, ତୋରାଣିପୋଖରି, ପଣ୍ଡାପଡା ପରି ଅନେକ ପଞ୍ଚାୟତରେ ବିଜେଡି ଦୁଇଭାଗ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇଛି  । ବିଜେଡି ଟିକେଟ ବଣ୍ଟନରେ ହୋଇଥିବା ତ୍ରୁଟି ପାଇଁ ବିଜେଡି ଏବେ ଘଟଗାଁ ବ୍ଲକରେ ଦୁଇଭାଗ ହୋଇଯାଇଛି । କିନ୍ତୁ ଏଠାରେ ବିରୋଧୀ ଏତେ ମାତ୍ରାରେ ଦୁର୍ବଳ ଯେ ଭାଗ ଭାଗ ହୋଇଯାଇଥିବା ବିଜେଡିକୁ ମଧ୍ୟ ସାମ୍ନା କରିବା ପାଇଁ ସକ୍ଷମ ହୋଇପାରିବେ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଯାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ  ।

ONA

Leave a Reply

Top