You are here
Home > ଲାଟେଷ୍ଟ > ବିଜେଡିରେ ମିଶିଲେ ସୁବଳଙ୍କ ପତ୍ନୀ

ବିଜେଡିରେ ମିଶିଲେ ସୁବଳଙ୍କ ପତ୍ନୀ

ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ରୀତା
ସୁବଳଙ୍କ ପରିବାର ବିକ୍ରି ହୋଇଗଲେ: ତାରା
ଭୁବନେଶ୍ୱର: ଦିବଂଗତ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଶନିବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସପରିବାର ରୀତା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସୁବଳଙ୍କ ପତ୍ନୀ ରୀତା ସାହୁ, ପୁଅ ସୁମିତଙ୍କ ସହ ବହୁ ସମର୍ଥକ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।
  ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି
ଏହି ଅବସରରେ ରୀତା କହିଛନ୍ତି ଯେ, ସ୍ୱାମୀଙ୍କ ଅଧୂରା ସ୍ୱପ୍ନକୁ ସାକରା କରିବାକୁ ଚେଷ୍ଟା କରିବି । ବିଜେପୁରର ବିକାଶ ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛି । ବିଜେପୁର ଆସନରୁ ମୁଁ ନିର୍ବାଚନ ଲଢ଼ିବି । ବିଜେଡିରେ ମିଶିବା ପାଇଁ ମଧ୍ୟ ସ୍ୱାମୀଙ୍କ ଇଚ୍ଛା ଥିଲା ବୋଲି ରୀତା କହିଛନ୍ତି ।
  କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ଖାଲି ପଡିଛି । ଏହି ସିଟ ପାଇଁ ନିକଟରେ ଉପ ନିର୍ବାଚନ ହେବାର ଅଛି । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ବିଭିନ୍ନ ରାଜନୈତିକ ଦଳରେ ମାନସମନ୍ଥନ ଚାଲିଛି । ମାତ୍ର ଏହି ସମୟରେ  କଂଗ୍ରେସରୁ ସମସ୍ତ ସମ୍ପର୍କ ତୁଟାଇ ବିଜେଡି ନୂଆ ସମ୍ପର୍କ ଯୋଡିଛନ୍ତି । ବିଜେପୁର  ଉପନିର୍ବାଚନରେ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ରୀତା ନିର୍ବାଚନ ଲଢ଼ିବାକୁ ସ୍ପଷ୍ଟ କରିସାରିଥିବାରୁ ତାଙ୍କୁ ହିଁ ବିଜେଡିର ପ୍ରାର୍ଥୀ କରାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
  ଏହି ମିଶ୍ରଣ ସମାରୋହରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଭୂପିନ୍ଦର ସିଂ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ପଶ୍ଚିମ ଓଡ଼ିଶାର  ବହୁ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଦିନକ ଆଗରୁ ସୁବଳଙ୍କ ପରିବାର ବହୁ ସମର୍ଥକଙ୍କ ସହ ଭୁବନେଶ୍ୱରରେ ଥିଲେ । ପ୍ରାୟ ୩୦୦ରୁ ୪୦୦ ଗାଡିରେ  ୪ ହଜାରରୁ ଉଦ୍ଧ୍ୱର୍ ସମର୍ଥକ ଭୁବନେଶ୍ୱରରେ ପହଞ୍ଚିଥିଲେ ।
  ଦିବଂଗତ ବିଧାୟକ ଓ ସାଂସଦଙ୍କ ପତ୍ନୀ ବିଜେଡିରେ ମିଶିବା କଥା କିଛି ନୂଆ ନୁହେଁ । ଏହାର ବହୁ ନଜିର ରହିଛି । ଆଉ ଏମିତି ସ୍ଥିତିରେ ବିଜେଡି ହିଁ ବିଜୟ ଲାଭ କରିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀର  ନିକୁଞ୍ଜବିହାରୀ ସିଂ ଦେହାନ୍ତ ପରେ ତାଙ୍କ ପତ୍ନୀ କିଶୋରମଣୀ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ଟିଟିଲାଗଡର ବିଜେଡି ନେତା ଅଭିମନୁ୍ୟ ସାହୁଙ୍କ ହତ୍ୟା ପରେ ତାଙ୍କ ସ୍ତ୍ରୀ ଟୁକୁନି ସାହୁ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ବିଜେଡି ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଦେହାନ୍ତ ପରେ ସମ୍ପୃକ୍ତ ଆସନରୁ ତାଙ୍କ ପତ୍ନୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂ ସାଂସଦ ହୋଇଛନ୍ତି ।
  ସୁବଳଙ୍କ ପରିବାର ବିକ୍ରି ହୋଇଗଲେ: ତାରା
ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା କଥାକୁ କଂଗ୍ରେସ ସହଜରେ ହଜମ କରିପାରିନି । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସୁବଳଙ୍କ ପରିବାର ଲୋକେ ବିକ୍ରି ହୋଇଗଲେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି ।  ତେବେ ବିଜେପୁରରେ କଂଗ୍ରେସ ସଂଗଠିତ ହୋଇ ଲଢ଼ିବ ଓ ଜିତିବ ବୋଲି କହିଛନ୍ତି ତାରା ବାହିନୀନତି ।
  ଗତ ଅଗଷ୍ଟ ୨୨ ତାରିଖରେ ବରିଷ୍ଠ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଥିଲା । ଦୀର୍ଘଦିନ ଧରି ସେ କ୍ୟାନସରରେ  ପଡିତ ଥିଲେ  ।

ONA

Leave a Reply

Top