You are here
Home > ଅଧିକ ଖବର > ବିଜେଡିକୁ ଅଡୁଆ ନଗରପାଳ

ବିଜେଡିକୁ ଅଡୁଆ ନଗରପାଳ

ଝାରସୁଗୁଡ଼ା : ବିଜେଡି ଏମିତି ଗୋଟିଏ କଣ୍ଟା ତିଆରି କରିଛି ଯାହା ଢ଼ୋକିଲେ କାଟୁଛି, କାଢ଼ିଲେ କାଟୁଛି । ଯଦି ନକାଢ଼ିବ ତେବେ ସେହି କଣ୍ଟା କ୍ୟାନ୍ସର ରୋଗ ସୃଷ୍ଟି କରିବ ଭବିଷ୍ୟତରେ ବିଜେଡି ପାଇଁ । ଏଠାରେ ଆମେ ସୁଚାଇବାକୁ ଚାହିଁବୁ ଯେ ଠିକ୍ ଦୁଇ ବର୍ଷ ତଳେ ବେଲପାହାଡ଼ ପୌରପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ୧୯ଟି ୱାର୍ଡରୁ ୧୬ଟିରେ ବିପୁଳ ବିଜୟ ହାସଲ କରିଥିଲା । ସେତେବେଳେ କାହାକୁ ନଗରପାଳ କରାଯିବ ତାକୁ ନେଇ ଦଳରେ ଅନେକ କସରତ ହେବା ପରେ ଦଳର ପର୍ଯ୍ୟବେକ୍ଷକ ଭାବେ ରହିଥିବା ତକ୍ରାଳୀନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ଓ ପୂର୍ବତନ ବିଧାୟକ ଅନୁପ ସାଏ । ଜଣେ ପୁରୁଣା କର୍ମୀ ପର୍ଶୁରାମ ସାହୁଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିଲେ । ସାହାଙ୍କ ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦଳର ଅନେକ ବରିଷ୍ଠ ନେତା ବିରୋଧ କରିଥିଲେ ମଧ୍ୟ ହାଇକମାଣ୍ଡ ମୋହର ଆଗରେ ମୁହଁ ଖୋଲି ନଥିଲେ । ସେ ଯେଉଁ ଦିନଠାରୁ ଗାଦିରେ ବସିଲେ ପ୍ରଥମ ଦିନରୁ ହିଁ ବିବାଦ ତାଙ୍କୁ ପିଛା କରିବା ଆରମ୍ଭ କଲା । ପ୍ରଥମେ ବେଲପାହାଡ଼ ସହରରେ ଏଲ୍ଡି ଲାଇଟ୍ ଲଗାଇବାକୁ ହୋଇଥିବା ଟେଣ୍ଡରରେ ଅନିୟମିତତା ହୋଇଥିବାରୁ ସେ ଭିଜିଲାନ୍ସ ଜାଲରେ ପଡ଼ି ବାରମ୍ବାର ଜେରାର ସମ୍ମୁଖୀନ ହେଲେ । ପୁଣି କେତେବେଳେ ବିଗ ବଜାରରେ ନିଜ ସମର୍ଥକଙ୍କ ଗୋଡ଼ାଇ ଗୋଡ଼ାଇ ଚପଲ ମାଡ଼ ଦେଇ ଚର୍ଚ୍ଚାରେ ତ କେତେବେଳେ ମହିଳାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରି ଥାନା ପୋଲିସର ଦ୍ୱାରସ୍ଥ ହେବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପର୍ଶୁରାମ । ଏବେ ପୁଣି ବେଲପାହାଡ଼ ପୌରାଞ୍ଚଳରେ ଜଳ ସଙ୍କଟ ଯୋଗୁଁ ଚର୍ଚ୍ଚାରେ ସେ । କାରଣ ମହିଳାମାନେ ତାଙ୍କୁ ଘେରାଉ କରିବା ସହ ତାଙ୍କ ଉପରକୁ ଚୂଡ଼ିମାଡ଼ କରିବା ସହ ଗାଦି ଛାଡ଼ିବାକୁ ଦେଇଥିଲେ ଖୋଲାଖୋଲି ଆହ୍ୱାନ । ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ଗତ ୨୨ ତାରିଖରେ ପୌରାଞ୍ଚଳର ୨ ନମ୍ବର ୱାର୍ଡ ବାସିନ୍ଦା ଗତ ସପ୍ତାହକ ତଳୁ ଅଧିକ ଜଳ କଷ୍ଟ ଭୋଗିବାରୁ ବାଧ୍ୟହୋଇ ୭ ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଅବରୋଧ କରି ରଖିବାରୁ ସାଧାରଣ ଯାତ୍ରୀ ପ୍ରବଳ ଖରାରେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ବେଲପାହାଡ଼ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ହାଣ୍ଡି, ବାଲଟି, ଗରା ରଖି ସକାଳ ୬ଟାରୁ ରାସ୍ତା ଅବରୋଧ କରିଥିଲେ ମହିଳା । ଜୁନାଡିହି ଗ୍ରାମରେ ଗତ ସପ୍ତାହକ ତଳୁ ପାନୀୟ ଜଳ ସଙ୍କଟ ଦେଖାଦେଲାଣି । ସ୍ଥାନୀୟ କାଉନସିଲର ତଥା ଉପନଗରପାଳଙ୍କୁ ବାରମ୍ବାର ଗୁହାରୀ କରି ଫଳ କିଛି ନମିଳିବାରୁ ଶେଷରେ ଆଜି ମହିଳାମାନେ ନିଜର ଛୋଟ ଶିଶୁଙ୍କୁ କାଖରେ ଧରି ପ୍ରବଳ ଖରା ସତ୍ତ୍ୱେ ରାଜାରାସ୍ତାରେ ୭ ଘଣ୍ଟା ପର୍ଯ୍ୟନ୍ତ ବସି ରହିଥିଲେ । ପରିସ୍ଥିତି ଏପରି ହୋଇଥିଲା ଆନେ୍ଦାଳନ ସ୍ଥଳରେ ଜଣେ ମହିଳାଙ୍କ ସମେତ ୨ ଜଣ ଅଚେତ ହୋଇପଡ଼ିଥିଲେ । ୪୭ ଡିଗ୍ରୀ ତାପମାତ୍ରା ସହି ନପାରି ସେମାନଙ୍କୁ ଝାଉଁ ମାରିବାରୁ ଆନେ୍ଦାଳନ ସ୍ଥଳରେ ହିଁ ଉଭୟଙ୍କ ଶରୀରରେ ସାଲାଇନ୍ ଦିଆଯାଇଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା କେବଳ ପାଣି ଦରକାର । ୭ ଘଣ୍ଟା ଧରି ରାସ୍ତା ଅବରୋଧ ହେବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିସହ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା । ପରିସ୍ଥିତିର ଗମ୍ଭୀରତା ଦେଖି ପ୍ରଶାସନ ପକ୍ଷରୁ ଲ୍ଖନପୁର ତହସିଲଦାର, ବେଲପାହାଡ଼ ପୌରପରିଷଦ ନିର୍ବାହି ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ବେଲପାହାଡ଼ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଚାଲି ଚାଲି ବୁଲିଥିଲେ । ସେମାନଙ୍କୁ ଖରାରେ ଚଲାଇ ସମସ୍ୟା ଦେଖାଇଥିଲେ ସ୍ଥାନୀୟ ଲୋକେ । ପରିସ୍ଥିତି ଅନୁଧ୍ୟାନ ପରେ ଆନେ୍ଦାଳନକାରୀଙ୍କୁ ବୁଝାଇବାର ପ୍ରୟାସ କରିଥିଲେ ଅଧିକାରୀଗଣ ।
ପୌରାଞ୍ଚଳର ୧୯ଟି ଯାକ ୱାର୍ଡରେ ଜଳ ସଙ୍କଟ ରହିଥିବା ବେଳେ ୩ଟି ଟ୍ୟାଙ୍କର ସମସ୍ୟାର ସମାଧାନ କରି ପାରୁନି । ତେଣୁ ଖୁବ ଶୀଘ୍ର ୨ ନମ୍ବର ୱାର୍ଡରେ ୩ଟି ନଳକୂପ ଖୋଲାଯିବା ପ୍ରତିଶ୍ରୁତି ଦେବା ସହ ସବୁଦିନ ପାଇଁ ବେଲପାହାଡ଼ର ଜଳ ସଙ୍କଟ ଦୂର ପାଇଁ ହୀରାକୁଦରୁ ପାଣିଆଣି ପାଇପ ମାଧ୍ୟମରେ ଯୋଗାଇବାକୁ ପ୍ରଶାସନିକ ମଞ୍ଜୁରୀ ମିଳି ସାରିଥିବା ପ୍ରତିଶ୍ରୁତି ଦେବା ପରେ ଦିନ ଗୋଟାଏରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପରିସ୍ଥିତି ପୁଣି ବିଗିଡ଼ିଥିଲା ତାହି ପରଦିନ ଅର୍ଥାତ ୨୩ ତାରିଖରେ । ପାଣି ନେଇ ଜୁନାଡିହିରେ ଗଣ୍ଡଗୋଳ ହେବାରୁ ଥାନାରେ ସ୍ଥାନୀୟ କାଉନ୍ସିଲର ତଥା ଉପାଧ୍ୟକ୍ଷା ଅନୁପମା ଭୈସାଙ୍କ ନାଁରେ ଏତଲା ଦେଇ ସ୍ଥାନୀୟ ମହିଳା ନଗରପାଳଙ୍କୁ ଘେରି ଚୂଡ଼ିମାଡ଼ କରିଥିଲେ । ବେଲପାହାଡ଼ର ଏହି ଚାଲାକ ନଗରପାଳ ପରିସ୍ଥିତି ଦେଖି ଗୋଟି ଚାଳନା କରି ନିଜ ଗାଦିକୁ ସୁରକ୍ଷିତ ରଖିବାର ପ୍ରୟାସ କରୁଛନ୍ତି ସତ । କିନ୍ତୁ ବିଜେଡିର ଦୁର୍ଗ ଭୁଷୁଡୁଛି । ତେଣୁ ଆଉ କାଳ ବିଳମ୍ବ ନକରି ପର୍ଶୁରାମଙ୍କୁ ଗାଦିଚୁ୍ୟତ କରିବାକୁ ଅନ୍ୟ ସମସ୍ତ କାଉନ୍ସିଲର ଅଣ୍ଟା ଭିଡିଲେଣି ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ  । ବେଲପାହାଡ଼ର ଏହି ଅପାରଗ ନଗରପାଳଙ୍କୁ ଅଧିକ ଦିନ ଗାଦିରେ ରହିବା ଚାହୁଁଛି ବିରୋଧି ବିଜେପି ଓ କଂଗ୍ରେସ । କାରଣ ସେମାନେ ମଉକା ଦେଖି କେବଳ ଅପମାନିତ କରିବା ଛଡ଼ା ନଗରପାଳଙ୍କ ବିରୋଧରେ ଆଖି ଦୃଶିଆ ଆନେ୍ଦାଳନ କରିନାହାନ୍ତି । ତେଣୁ ପ୍ରଶ୍ନ ଉଠୁଛି ପର୍ଶୁରାମଙ୍କ ଗଡ୍ ଫାଦର କିଏ? ଏତେସବୁ ଅପବାଦ ମିଳିବା ପରେ ବି ସେ ଗାଦିରେ ରହିଛନ୍ତି ।

ONA

Leave a Reply

Top