You are here
Home > ଅଧିକ ଖବର > ବିଗାଡ଼ି ଦେଲା ବିଧାୟକଙ୍କ ମେସେଜ୍

ବିଗାଡ଼ି ଦେଲା ବିଧାୟକଙ୍କ ମେସେଜ୍

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ଓଡିଶା କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । କାହା ପଲା କେବେ ଭାରି ରହୁଛି ତ ଆଉ କେବେ ହାଇକମାଣ୍ଡଙ୍କ ଗୁଡବୁକ୍ରେ ଅଚାନକ କେହି ବି ସାମିଲ ହୋଇଯାଉଛି । ଏହାରି ଭିରେ ଘୁଞ୍ଚିଘୁଞ୍ଚି ଯାଉଛି ନୂଆ ପିସିସି ସଭାପତି ଚୟନ ପ୍ରକ୍ରିୟା । ନୂଆ ସଭାପତିଙ୍କ ନାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସୋନିଆ ଗାନ୍ଧିଙ୍କ ଅନୁମୋଦନ ପାଇଁ ଯାଉଥିବା ସମୟରେ ବି ଫାଇଲ ଅଟକି ଯାଇଛି । ରାଜ୍ୟ କଂଗ୍ରେସର ଜଣେ କୁହାଳିଆ ବରିଷ୍ଠ ବିଧାୟକଙ୍କ ଏସ୍ଏମ୍ଏସ୍ ପାଇବା ପରେ କିଛି ଦିନ ପାଇଁ ପିସିସି ପରିବର୍ତ୍ତନ ଚର୍ଚ୍ଚାରେ ରୋକ୍ ଲାଗିଛି । ଆଉ ଏବେ ଏହି ମେସଜକୁ ନେଇ ଉଠୁଛି ପଡୁଛି କଂଗ୍ରେସ ରାଜନୀତି ।
ପଶ୍ଚିମ ଓଡିଶାର ଭକ୍ତ ଚରଣ ଦାସ ହୋଇଥାନ୍ତେ ପିସିସି ମୁଣ୍ଡିଆଳ । ଏଆଇସିସିର ମୁଖପାତ୍ର ପଦରେ ରହି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ବିଶ୍ୱାସ ଭାଜନ ହୋଇ ପାରିଛନ୍ତି ଭକ୍ତ । ପ୍ରସାଦ ହରିଚନ୍ଦନ ହଟିବା ପରେ ପୂର୍ବତନ ସାଂସଦ ଭକ୍ତ କୁଆଡେ ରାଜ୍ୟ କଂଗ୍ରେସ ଭାର ସମ୍ଭାଳି ଥାନ୍ତେ । ଏଥିପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇ ସାରଥିଲେ ରାହୁଲ । ଆଉ ଓଡିଶା କଂଗ୍ରେସ ଫାଇଲକୁ ପଠାଇ ଦେଇଥିଲେ ସୋନିଆଙ୍କ ରାଜନୈତିକ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ପାଖକୁ । କେବଳ ବାକି ଥିଲା ସୋନିଆଙ୍କ ଦସ୍ତଖତ । ହଠାତ୍ ସବୁକିଛି ହୋଇଗଲା ଓଲଟ ପାଲଟ । ସୋନିଆଙ୍କ ପାଖରେ ଫାଇଲ୍ ପହଞ୍ଚ ିପାରିଲାନି । କାରଣ ଅହମ୍ମଦ ପଟେଲଙ୍କ ପାଖରେ ପହଞ୍ଚିଲା ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ବିଧାୟକଙ୍କ ଟେକ୍ସଟ୍ ମେସେଜ । “ପିସିସି ପରିବର୍ତ୍ତନ ସମୟରେ ଯଦି ବିଧାୟକ ଦଳକୁ ବିଶ୍ୱାସକୁ ନିଆ ନଯିବ ତେବେ ଓଡିଶାରେ ସ୍ଥିତି ସାଂଘାତିକ ହେବ”ା ଭକ୍ତଙ୍କୁ ବିରୋଧ କରି ଖୋଲାଖୋଲି ଅସନ୍ତୋଷ ଜାହିର କଲେ କୁହାଳିଆ ବିଧାୟକ । ଅହମ୍ମଦ ପଟେଲ ତୁରନ୍ତ ମେସେଜଟିକୁ ରାହୁଲ ବାବାଙ୍କୁ ଫରୱାର୍ଡ କଲେ । ଆଉ ଏଇଠି ବିଗିଡି ଗଲା ସବୁ ଖେଳ । ଓଡିଶା କଂଗ୍ରେସର ସଭାପତି ହେବାରୁ ଅଳ୍ପକେ ଝୁଣ୍ଟିଲେ ଭକ୍ତ ଦାସ । ସେପଟେ ରାଜ୍ୟ କଂଗ୍ରେସର ସ୍ଥିତି ପରଖିବାକୁ ଗଠନ ହେଲା ନୂଆ କମିଟି । ତିନି ଜଣ ସାଂସଦଙ୍କୁ ନେଇ ଗଠିତ ଟିମ ଏହାରି ଭିତରେ ଓଡିଶା ଆସିବ । ଆଉ ସବୁ ନେତାଙ୍କୁ ଭେଟି ଚର୍ଚ୍ଚା-ଆଲୋଚନା କରିବା ପରେ କେନ୍ଦ୍ର ନେତୃତ୍ୱକୁ ରିପୋର୍ଟ ଦେବ । ଏହା ରିପୋର୍ଟ ଆଧାରରେ ହିଁ ପିସିସି ସଭାପତି ଚୟନ ହେବ ବୋଲି କୁହାଯାଉଛି । ଏ ସବୁ ନାଟକବାଜୀର ପରେ କଂଗ୍ରେସ ଉପାଧ୍ୟକ୍ଷଙ୍କ ସହ ନରସିଂହ ମିଶ୍ର କରିଛନ୍ତି କବାଟକିଳା ଆଲୋଚନା । ଶୁଣିବାକୁ ମିଳୁଛି ଭକ୍ତଙ୍କୁ ପିସିସି ସଭାପତି କରିବାକୁ ନରସିଂହ ବି ବିରୋଧ କରିଛନ୍ତି । ହେଲେ ରାହୁଲ, ନିରଞ୍ଜନ ପଟ୍ଟନାୟକଙ୍କ ନାଁ ଶୁଣିଲା ବେଳକୁ ଚିହିଁକି ଉଠୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଯେନା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପ୍ରସାଦ ହରିଚନ୍ଦନ ରାହୁଲଙ୍କ କାନରେ କି ମନ୍ତ୍ର ଫୁଙ୍କିିଛନ୍ତି କେଜାଣି, ନିରଞ୍ଜନଙ୍କୁ ପିସିସି ସଭାପତି ଦେବାର ମୁଡରେ ନାହିଁ ଏଆଇସିସି । ତେଣୁ ଭକ୍ତ ଓ ନିରଞ୍ଜନଙ୍କୁ ବାଦ୍ ଦେଇ ଆଉ କେହି ନେତାଙ୍କୁ ପିସିସି ସଭାପତି କରିବାକୁ ମନ ବଳାଇଲାଣି କେନ୍ଦ୍ରୀୟ ନେତୃତ୍ୱ । ଏଥିପାଇଁ ପ୍ରସ୍ତାବ ଦେବାକୁ ରାହୁଲ ବିଧାୟକ ଦଳକୁ କହିଛନ୍ତି । ଏ ଖବର ପାଇବା ପରେ କାନମୁଣ୍ଡା ଆଉଁସୁଛନ୍ତି ପିସିସି ଉପରେ ଆଖି ରଖିଥିବା ବାବୁ ନିରଞ୍ଜନ । ନିରଞ୍ଜନ ଆଉ ଭକ୍ତଙ୍କୁ ବାଦ ଦେଲେ ପରବର୍ତ୍ତୀ ନାଁ ଆସିଛି ବିଶ୍ୱାଳ ବ୍ରଦର୍ସଙ୍କର । ଏମିତି ବି ଦୁଇ ଭାଇଙ୍କ ବେଶ ଭଲ ପତିଆରା ରହିଛି କଂଗ୍ରେସରେ । ବଡ ଭାଇ ଚିରଞ୍ଜୀବ ବିଶ୍ୱାଳ ନବୀନଙ୍କ ହାୱା ସତ୍ତ୍ୱେ ବି ଜଗତସିଂହପୁରରୁ ବିଧାୟକ ହୋଇଛନ୍ତି । ଆଉ ସାନ ଭାଇ ରଞ୍ଜୀବ ବିଶ୍ୱାଳ ଏବେ ରାଜ୍ୟସଭା ସାଂସଦ । ମାଡାମ ସୋନିଆଙ୍କ ସହ ରଞ୍ଜୀବଙ୍କ ସଂପର୍କ ବେଶ ଭଲ । ତେଣୁ ପିସିସି ଚର୍ଚ୍ଚାରୁ ଭକ୍ତ-ନିରଞ୍ଜନଙ୍କୁ ବାଦ୍ ଦେବା ପରେ ବିଶ୍ୱାଳ ବ୍ରଦର୍ସଙ୍କ ମଧ୍ୟରୁ କାହାକୁ ଜଣେ ପିସିସି ଦାୟିତ୍ୱ ଦିଆଯାଇପାରେ ବୋଲି ରାଜ୍ୟ କଂଗ୍ରେସ ନେତାଏ ଟୁପୁରୁଟାପର ହେଉଛନ୍ତି । ବାପା ବସନ୍ତ ବିଶ୍ୱାଳ ଉପମୁଖ୍ୟମନ୍ତ୍ରୀ ହୋଇଥଇଲେ ମଧ୍ୟ ପିସିସି ସଭାପତି ହୋଇପାରି ନଥିଲେ । ତେଣୁ ପିସିସି ଚୌକି ଅକ୍ତିଆର କରିବାକୁ ବିଶ୍ୱାଳ ବ୍ରଦର୍ସ ପାଣି ପରି ଅର୍ଥ ବୋହାଇ ଦେବେ ବୋଲି କଂଗ୍ରେସ ଗ୍ରୁପ୍ରେ ଚର୍ଚ୍ଚା ହେଉଛି ।

ONA

Leave a Reply

Top