You are here
Home > ଅଧିକ ଖବର > ବାବା ନୁହେଁ ଓକିଲ ରାଜ୍

ବାବା ନୁହେଁ ଓକିଲ ରାଜ୍

ଭୁବନେଶ୍ୱର: ବିଜୁ ଜନତା ଦଳର ଏବେ ରକ୍ଷା କବଚ ପାଲଟିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୁରୀ ସାଂସଦ ପିନାକୀ ମିଶ୍ର । ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହ କମିସନ ସମୟରେ ହେଉ କି ନବୀନ ପଟ୍ଟନାୟକଙ୍କ ୨୦୧୪ ହିଞ୍ଜିଳି ବିଧାନସଭା ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ସବୁଠି ଢାଲ ପରି ଠିଆ ହୋଇଛନ୍ତି ପିନାକୀ । କଂଗ୍ରେସ ପରିବାରରେ ଜନ୍ମ ପିନାକୀଙ୍କ ଗୁଣକୁ ୨୦୦୯ ମସିହାରେ ବିଜେଡିର ତକ୍ରାଳୀନ ଛାୟା ସୁପ୍ରିମୋ ପ୍ୟାରୀମୋହନ ମହାପାତ୍ର ପରଖି ତାଙ୍କୁ ବିଜେଡି ସାଂସଦ ଟିକେଟ ଦେଇଥିଲେ । ତା ପୁଣି ପୁରୀରୁ ବିଜେଡି ସାଂସଦଥିବା ବ୍ରଜକିଶୋର ତ୍ରିପାଠୀଙ୍କୁ ବାଦ୍ ଦେଇ । ହେଲେ ଚର୍ଚ୍ଚା ହୁଏ, ନବୀନଙ୍କ ଆଖିରେ ପ୍ୟାରୀଙ୍କୁ ଖଳନାୟକ କରିବାରେ ପିନାକୀଙ୍କ ରହିଛି ବଡ ହାତ । ଯାହା ହେଲେ ବି ଓକିଲ, କଳାକୁ ଧଳା କରିବାର କଳା ତାଙ୍କୁ ବେଶ୍ ଜଣା । ୨୦୧୪ ନିର୍ବାଚନରେ ତ ବିଜେଡିର ମାର୍ଗଦର୍ଶକ ପାଲଟିଥିଲେ ପିନାକୀ । ହୁଏତ ସେ ସମୟରେ ଦଳ ପରିଚାଳନା କରୁଥିଲେ କଳ୍ପତରୁ ଦାସ, ହେଲେ ବିଜେଡିରେ କିଏ ମିଶିବ ଓ କିଏ ଟିକେଟ ପାଇବ, ସେଥିରେ ପିନାକୀଙ୍କ ବଡ ଭୂମିକା ଥିବା ସୂଚନା ମିଳିଛି । ଏଥିଯୋଗୁ  ପୁରୀ ଲୋକସଭା ଆସନରୁ ଜାତିବା ପରେ ସେ ବିଜେଡି ଲୋକସଭା ଓ ରାଜ୍ୟସଭା ସଂଯୋଜକ ବି ହେଲେ । ପୁରୀରେ ପିନାକୀଙ୍କ ଅଖଣ୍ଡ କ୍ଷମତା ଦେଖିବାକୁ ମିଳିଥିଲା । ହେଲେ ବିଜେଡିର ବର୍ତ୍ତମାନର ଦଳୀୟ କନ୍ଦଳ ଯୋଗୁ ପିନାକୀ ପୁରୀରୁ ଦୂରେଇ ଯାଉଥିବା ଖବର ମିଳିଛି । ଯେଉଁଥି ପାଇଁ ସେ ଭୁବନେଶ୍ୱର ଲୋକସଭାରୁ ନିର୍ବାଚନ ଲଢିବେ ବୋଲି ମନସ୍ଥ କରିଥିବା ଭିତିରିଆ ସୂଚନା ମିଳିଛି ।
ପୁରୀରେ କିଛି ଟାଣୁଆ ବିଜେଡି ନେତାଙ୍କ ସହ ପିନାକୀଙ୍କ ସଂପର୍କ ଏବେ ତିକ୍ତ ହୋଇଥିବା ଚର୍ଚ୍ଚା ହେଉଛି । ଆଉ ପୁରୀର ସାହି ରାଜନୀତିରେ ବି ପିନାକୀଙ୍କୁ ଖେଳ ଜମୁନି । କେମିତି ବି ଜମିବ, ପିନାକୀ ଚିଲିକା ନିର୍ବାଚନମଣ୍ଡଳୀ ବାଣପୁରର ମୂଳନିବାସୀ । ହୁଏତ ଚିଲିକା ହେଉଛି ପୁରୀ ଲୋକସଭାର ଅଂଶ, ହେଲେ ଉଭୟ ସ୍ଥାନରେ ପିନାକୀଙ୍କ ସ୍ଥିତି ଭଲ ନଥିବା ଖବର ନବୀନଙ୍କୁ ଗୁଇନ୍ଦା ଦେଇଛି ।  ନୟାଗଡ ଓ ରଣପୁର ବି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସେ । ଯାହା ପିନାକୀଙ୍କୁ ଢେର ଦୂର ହେଉଛି । ନୟାଗଡରେ ଅରୁଣ ସାହୁ ଓ ରଣପୁରରେ ଅରୁଣଙ୍କ ଅନୁଗତ ରବି ନାରାୟଣ ମହାପାତ୍ର ବି ପିନାକୀଙ୍କ କୋର୍ଟରେ ଠିଆ ହୋଇ ପକ୍ଷ ଦେବାକୁ ନାରାଜ । ପୁଣି ରଣପୁରରେ କୁଆଡେ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ପତିଆରା ବଢୁଥିବା ଖବର ମିଳିଛି । ନୟାଗଡ ରାଜ ପରିବାର ଓ ଅରୁଣଙ୍କ ମଧ୍ୟରେ ଯେଉଁ ଛକାପଞ୍ଝା ଚାଲିଛି, ତାହା ବିଜେଡିର କ୍ଷତି ଘଟାଇବା ସହ ପିନାକୀଙ୍କ ଭୋଟ ସଂଖ୍ୟା କମାଇବାରେ ଲାଗିଛି । ପୁରୀରେ ତ ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ନିଜ ହୁକୁମାତି ଚାହାନ୍ତି । ସେ ବି ପିନାକୀଙ୍କ ଆଗରେ ମୁଣ୍ଡ ନୁଁଆଇବାକୁ ନାରାଜ । ଅବଶ୍ୟ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ସଂଜୟ ଭୟ କରୁଥିବା ଚର୍ଚ୍ଚା ସବୁ ସମୟରେ ହୁଏ । ହେଲେ ମହେଶ୍ୱରଙ୍କୁ ରାଜସ୍ୱ ମନ୍ତ୍ରୀ କରିବାରେ ସଂଜୟଙ୍କ ହାତ ଥିବାରୁ, ମହେଶ୍ୱର ବି ଚୁପ୍ । ଗୋଟାଏ ପଟେ ବି ସଂଜୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସଂପର୍କ ତିକ୍ତ ହେଉଛି ତ ଅନ୍ୟପଟେ ପିନାକୀଙ୍କ ସଂପର୍କର ଡୋର ଶକ୍ତିଶାଳୀ ହେଉଛି । ଯାହାକୁ ସଂଜୟ ହଜମ କରି ପାରୁ ନଥିବା ସୂଚନା ମିଳିଛି ।
୨୦୧୫ ମସିହାରେ ପୁରୀରେ ସାମ୍ବାଦିକ ସମ୍ମଳିନୀ କରି ସାମ୍ବାଦିକଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ବି ପିନାକୀ ଛନ୍ଦି ହୋଇଛନ୍ତି । ଯେଉଁଥିପାଇଁ ପୁରୀରେ ପିନାକୀଙ୍କୁ ଲୋକେ ସେତେଟା ଭଲ ପାଉ ନାହାନ୍ତି । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପିନାକୀଙ୍କ ମଧ୍ୟରେ ପୂର୍ବରୁ ହାତାହାତି ଯାଏ କଥା ଯାଇଥିଲା  । ଏବେ ହୁଏତ ବର୍ତ୍ତମାନ ଉମା ଓ ପିନାକୀ ଭଲରେ ମିଶୁଛନ୍ତି, ହେଲେ ଉମାଙ୍କ ମନରେ ରହିଛି ଯେ ପିନାକୀଙ୍କ ଯୋଗୁ ସେ ବିଜେଡିରୁ ନିଲମ୍ବିତ ହୋଇଥିଲେ । ପିପିଲିରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସ୍ଥିତି ଭଲ ନଥିବା ଖବର ଯେବେ ଆସିଲା, ମହାରଥୀ ପୁରୁଣା ଶତ୍ରୁ ତଥା କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ସହ ମିଶିବା କଥା ଚର୍ଚ୍ଚା ହେଉଛି । ପିନାକୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଚିଲିକାରେ ତ ବିଜେପିର ରାଜୁତି ଅଛି । ବର୍ତ୍ତମାନ ବିଜେପିର ବିଭୂତି ଭୂଷଣ ହରିଚନ୍ଦନ ସେଠାରେ ବିଧାୟକ ଅଛନ୍ତି । ଶୁଣିବାକୁ ମିଳିଛି, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ତଥା ବିଭୂତିଙ୍କ ପୁତୁରା ପୃଥ୍ୱୀରାଜ ହରିଚନ୍ଦନ ୨୦୧୯ ନିର୍ବାଚନ ଚିଲିକାରୁ ନିର୍ବାଚନ ଲଢି ପାରନ୍ତି । ପୃଥ୍ୱୀରାଜ ବି ୨୦୧୪ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢି ୨, ୪୯, ୭୭୭ ଭୋଟ ପାଇଥିଲେ ।
ଅପରପକ୍ଷରେ ଭୁବନେଶ୍ୱରରୁ ପାଞ୍ଚ ପାଞ୍ଚ ଥର ସାଂସଦ ରହିଛନ୍ତି ବାବା ପ୍ରସନ୍ନ ପାଟ୍ଟଶାଣୀ । ନବୀନଙ୍କ ବେଶ୍ ଆଶିଷ ବି ଲାଭ କରିଛନ୍ତି ବାବା । ହେଲେ ଯାହା ଶୁଣିବାକୁ ମିଳିଛି, ବାବାଙ୍କ ଜାମାତା ପ୍ରିୟଦର୍ଶୀ ମିଶ୍ର ଉତ୍ତର ଭୁବନେଶ୍ୱରରୁ ପୁଣି ଥରେ ଟିକେଟ ପାଇ ପାରନ୍ତି । ଯେଉଁଥିପାଇଁ ହୁଏତ ବାବା ରେସ୍ରୁ ଆଉଟ ହେବାର ସମ୍ଭାବନା ରହିଛି । ବାବା ଓ ପୃଥ୍ୱୀରାଜଙ୍କ ଭିତରେ ଗତ ଥର ମାତ୍ର ଦୁଇ ଲକ୍ଷ ଭୋଟର ବ୍ୟବଧାନ ଥିଲା । ବାବା ବି ସେତେଟା ସକ୍ରିୟ ହୋଇ ନିର୍ବାଚନମଣ୍ଡଳୀ ବୁଲୁ ନଥିବା ଖବର ମିଳିଛି । ଏପରିକି ଅର୍ଥ ଖର୍ଚ୍ଚ ସମୟରେ ବାବା ହାତ ଟେକି ଦିଅନ୍ତି । ସେପଟେ ପୁରୀରେ ସ୍ଥିତି ଖରାପ ସହ ବିଜେଡି ବିଧାୟକଙ୍କ ସହ ସଂପର୍କରେ ତିକ୍ତତା ଯୋଗୁ ପିନାକୀ ଆଉ ରିସ୍କ ନେବା ମୁଡରେ ନାହାନ୍ତି । ଯାହା ଶୁଣିବାକୁ ମିଳିଛି, ନବୀନ ବି ଚାହୁଁଛନ୍ତି ପିନାକୀ ଦିଲ୍ଲୀରେ ରହି ବିଜେଡି ପାଇଁ ଲବି ଚାଲୁ ରଖନ୍ତୁ । ଯେଉଁଥି ପାଇଁ ଭୁବନେଶ୍ୱରର ସେଫ୍ ଜୋନ ପିନାକୀଙ୍କୁ ଦେଇ ଦିଲ୍ଲୀ ଦରବାରେ ନିଜ କାୟା ବିସ୍ତାର କରିବା ଯୋଜନାରେ ନବୀନ ଥିବା ଚର୍ଚ୍ଚା ହେଉଛି ।

ONA

Leave a Reply

Top