You are here
Home > ଲାଟେଷ୍ଟ > କଂସଙ୍କ ଦରବାରକୁ ନେଇ ବିବାଦ ⇉ ୫ କାଉନସିଲରଙ୍କ ଇସ୍ତଫା

କଂସଙ୍କ ଦରବାରକୁ ନେଇ ବିବାଦ ⇉ ୫ କାଉନସିଲରଙ୍କ ଇସ୍ତଫା

ବରଗଡ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜାଙ୍କ ଦରବାରର ସ୍ଥାନ ପରିବର୍ତ୍ତନକୁ ନେଇ ହେଲାଣି ବିବାଦ। ସ୍ଥାନ ପରିବର୍ତ୍ତନ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ବରଗଡ ମ୍ୟୁନିସିପାଲଟିର ୫ଜଣ କାଉନସିଲର ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଇସ୍ତଫା  ଦେଇଥିବା କାଉନସିଲରଙ୍କ ମଧ୍ୟରୁ 4 ଜଣ ବିଜେଡିର ଏବଂ ଅନ୍ୟ ଜଣେ କଂଗ୍ରେସର । ଇସ୍ତଫା ଦେଇଥିବା ଏହି କାଉନସିଲରମାନେ ହେଉଛନ୍ତି ଅଜିତ ସେଠ୍, ନରେନ୍ ପ୍ରଧାନ, ଶଶୀ ଅଗ୍ରୱାଲ, ବେଦମତୀ ପ୍ରଧାନ ଓ ବାସୁଦେବ ବଗର୍ତ୍ତି। ଏହି କାଉନସିଲରମାନେ ସେମାନଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଧନୁଯାତ୍ରା ମହୋତ୍ସବରେ ଜିଲ୍ଲାପାଳ ତଥା ପ୍ରଶାସନର ଅଯଥା ମନମୁଖୀ ଏବଂ ଏକତରଫା କାର୍ଯ୍ୟ ଦ୍ୱାରା ବରଗଡର ଜନସାଧାରଣ ତଥା ଧନୁଯାତ୍ରାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି । ଏହାର ପ୍ରତିବାଦରେ ସେମାନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ତେବେ କଂସ ମହାରାଜାଙ୍କ ଦରବାରର ସ୍ଥାନ ପରିବର୍ତ୍ତନ ନେଇ ଗତ 28 ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିଲା। ଧନୁଯାତ୍ରା ଆସନ୍ତା ବର୍ଷ ଜାନୁଆରି ୨ରୁ ୧୨ ତାରିଖ  ପର୍ଯ୍ୟନ୍ତ 11 ଦିନ ଧରି ଚାଲିବ । ଏଥର ଧନୁଯାତ୍ରା ପାଇଁ ମହାରାଜ କଂସଙ୍କ ଦରବାର ହାଟପଦା ବଦଳରେ ନିଶାମଣି ସ୍କୁଲ ପଡିଆରେ କରିବାକୁ ନିଷ୍ପତ୍ତି ହୋଇଥିଲା। ପରମ୍ପରା ଅନୁଯାୟୀ ୧୧ ଦିନ ଧରି ମଥୁରା ପାଲଟିବ ବରଗଡ ସହର। ଅମ୍ବାପାଲି ହେବ ଗୋପପୁର। ଆଉ ଦୁଇ ନଗର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା। ଏନେଇ ଧନୁଯାତ୍ରା ପ୍ରସ୍ତୁତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ୭ ଦିନ ଧରି ହାଟପଦାରେ ମହାରାଜ କଂସଙ୍କ ରାଜଦରବାର ହେଉଥିଲା। ଆଉ ୪ଦିନ ନିଶାମଣି ସ୍କୁଲ ପଡିଆରେ ମହାରାଜଙ୍କ ରାଜଦରବାର ଚାଲିଥିଲା। ତେବ ସ୍ଥାନ ଅଭାବ ଯୋଗୁଁ ଏଥର ୧୧ଦିନ ଧରି ନିଶାମଣି ସ୍କୁଲ ପଡିଆରେ କଂସଙ୍କ ରାଜଦରବାର ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ସ୍ଥିର କରିଥିଲା।

ONA

Leave a Reply

Top