You are here
Home > ବଡ଼ଖବର > ବଦଳିବ ମନ୍ତ୍ରୀ ପରିଷଦ

ବଦଳିବ ମନ୍ତ୍ରୀ ପରିଷଦ

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଚାଲିଛି ସମୀକ୍ଷା । ବିଜେପି ଦ୍ୱିତୀୟ ନମ୍ବରରେ ଥିବାରୁ ନବୀନ ବିଚଳିତ । ଏହାରି ଭିତରେ ଆସିଛି ଗୁଇନ୍ଦା ରିପୋର୍ଟ ।  ବିଶେଷକରି ୮ ମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେଡି ଲାଗି ଘାତକ ହେଉଛି, ଆଉ ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ । ନବୀନଙ୍କ ଚତୁର୍ଥ ପାଳି ମନ୍ତ୍ରିମଣ୍ଡଳର ଖୁବଶୀଘ୍ର ହେବ ପ୍ରଥମ ଅଦଳବଦଳ । ବିଦା ହୋଇପାରନ୍ତି ୪ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୮ମନ୍ତ୍ରୀ ।
ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ଖୁବଶୀଘ୍ର ବଦଳିବ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ । କିଛି ହଟିବେ, ଆଉ କିଛି ଏଣ୍ଟି୍ରମାରିବେ । କିଛି ପାୱାରଫୁଲ ମନ୍ତ୍ରୀଙ୍କ ପାୱାର ଲସ୍ ହେବାକୁ ଯାଉଥିବା ବେଳେ ଆଉ କିଛିଙ୍କର ହେବ ପାୱାର କଟ୍ । ଏନେଇ ପ୍ରମାଦ ଗଣୁଛନ୍ତି ମନ୍ତ୍ରିମଣ୍ଡର ଏକାଧିକ ମନ୍ତ୍ରୀ  । ବିଶେଷ କରି ଯୁବ ମନ୍ତ୍ରୀଙ୍କର ଟେନସନ୍ ବଢିଯାଇଛି । କାରଣ ଦଳର ସୁପ୍ରିମୋ ସେମାନଙ୍କ ଉପରେ ଖପ୍ପା ଅଛନ୍ତି । ଆଉ ନବୀନଙ୍କ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରଥମ ଅଦଳ ବଦଳରେ ଅବିଭକ୍ତ ପୁରୀ ଜିଲ୍ଲା ବେଶୀ ପ୍ରଭାବିତ ହେବ । ଅବିଭକ୍ତ ପୁରୀ ଜିଲ୍ଲାର ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ବାବଦରେ ଗୁଇନ୍ଦା ରିପୋର୍ଟ ନକରାତ୍ମକ ଥିବା ଶୁଣିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ ଆଇନ ବିଭାଗ ସମ୍ଭାଳିବା ପରେ ଅରୁଣଙ୍କର ଦାୟିତ୍ୱବୋଧ ବଢିବା ବଦଳରେ ମନ୍ତ୍ରୀଙ୍କ ଯୋଗୁ ସରକାର ବେଶୀ ଅଡୁଆରେ ପଡିଛନ୍ତି । ନବକଳେବର ସମୟରେ ଦଇତାପତିଙ୍କ ସହ ଅନନ୍ତ ଶୟନ ଭଙ୍ଗୀରେ ଫଟୋ ଉଠାଇବା ହେଉ କିମ୍ବା ସରକାରୀ ବିଜ୍ଞପ୍ତିକୁ ଜାଲିଆତି କରୁଥିବା ଡାକ୍ତର ମୋତିଲାଲ ଗୌଡର ଗଡଫାଦର ହେବା ଅରୁଣଙ୍କ ଲାଗି ମହଙ୍ଗା ପଡିବ । ଏପରିକି ପଞ୍ଚାୟତ ନିର୍ବାଚନରେ ଅରୁଣଙ୍କ ପଡୋଶୀ ନିର୍ବାଚନ ମଣ୍ଡଳୀ ରଣପୁରରେ ବିଜେଡି ଧରାଶାୟୀ ହେବା ଆଇମମନ୍ତ୍ରୀଙ୍କ ସାଙ୍ଗଠନିକ ଦକ୍ଷତାକୁ ନେଇ ନବୀନ ନିବାସ ନାଖୁସ ।  
ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ପରି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରହିଛନ୍ତି ହିଟ୍ ଲିଷ୍ଟରେ । ସଞ୍ଜୟଙ୍କ ଠାରୁ ପ୍ରଥମେ ରାଜ୍ୟ ଯୁବ ବିଜେଡିର ସଭାପତି ପଦ ଛଡାଇ ନିଆଗଲା ଏବେ ମନ୍ତ୍ରିମଣ୍ଡଳରୁ ବିଦା ହେବାର ସମୟ ଆସିଛି ବୋଲି ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହୁଛନ୍ତି ।  ଚିଟଫଣ୍ଡରେ ସମ୍ପୃକ୍ତି ସାଙ୍ଗକୁ ପାଜାରୋ ବିବାଦକୁ ନେଇ ମନ୍ତ୍ରୀଙ୍କଠାରୁ ପାୱାର କାଢ଼ିବାକୁ ଯାଉଛନ୍ତି ନନୀବ । ସେପଟେ ନବୀନଙ୍କ ଫେଭରିଟ୍ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଆହୁରି ପାୱାରଫୁଲ ହେବାକୁ ଯାଉଛନ୍ତି । ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ପ୍ରଣବଙ୍କୁ ନିଜ ବିଭାଗ ସହ ଅଧିକ ଦାୟିତ୍ୱ ମିଳିପାରେ ।
 ନିକଟରେ ନବୀନ ଦିଲ୍ଲୀ ଗସ୍ତ ପୂର୍ବରୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତର୍ନ ନେଇ ସୂଚନା ଦେଇଥିଲେ । ଦିଲ୍ଲୀରେ ରହଣୀ ସମୟରେ ନିଜ ବିଶ୍ୱସ୍ଥ ତଥା ସାମ୍ବାଦିକରୁ ସାଂସଦ ହୋଇଥିବା ବ୍ୟକ୍ତିଙ୍କ ସହ ପରାମର୍ଶ କରିଥିଲେ । କିନ୍ତୁ ଓଡ଼ିଶା ଫେରିବା ପରେ ନିରବ ରହିଲେ ନବୀନ । କାରଣ ସେତେବେଳେ ଭୁବନେଶ୍ୱରରେ ଶକ୍ତିପ୍ରଦର୍ଶନ ନେଇ ବିଜେପି ସଜବାଜ କରିଥିଲା । ଜାତୀୟ କାର୍ଯ୍ୟକାରିଣୀ ନାଁରେ ବିଜେପି  ୨୦୧୯ ନିର୍ବାଚନ ପାଇଁ ଯୋଜନାରେ ମାତିଥିଲା । ଚୁପ ରହି ନବୀନ ବିଜେପିର ଲୋକପ୍ରିୟତାର ଟେମ୍ପରେଚର ମାପୁଥିଲେ । ଯଦି ବିଜେପିର କାର୍ଯ୍ୟକାରିଣୀ ପୂର୍ବରୁ ନବୀନ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ଘୋଷଣା କରିଥାନ୍ତେ, ତେବେ ଏହି ନିଷ୍ପତ୍ତି ମୋଦିଙ୍କ ରୋଡ ସୋ ଆଗରେ ଫିକା ପଡି ଯାଇଥାନ୍ତା । କିନ୍ତୁ ଏବେ ସ୍ଥିତି ସୁଧୁରିଛି । ଇତିମଧ୍ୟରେ ମନ୍ତ୍ରିମାନେ ପ୍ରାୟ ୩ବର୍ଷ ସମୟ ପୂରଣ କରିବାକୁ ଯାଉିଛନ୍ତି ।
ଏବେ ତୃତୀୟ ମହଲାରେ ନବୀନ କବଟ କିଳି ଗୁପ୍ତ ମନ୍ତ୍ରଣା କରୁଛନ୍ତି । କାହାକୁ ରଖିବେ କାହାକୁ କାଢ଼ିବେ ଆଉ କିଏ ନୂଆ କରି ମନ୍ତ୍ରୀ ହେବେ । ପ୍ରଥମ ଥର ମନ୍ତ୍ରୀ ହୋଇଥିବା ପ୍ରଦୀପ ପାଣିଗ୍ରହୀଙ୍କୁ ନବୀନ ହଟାଇବାକୁ ଚାହୁଁଥିଲେ ନିଜ ଜିଲ୍ଲା ଗଞ୍ଜାମର ରାଜନୈତିକ ସନ୍ତୁଳନ ବଜାୟ ରଖିବାକୁ ପ୍ରଦୀପଙ୍କୁ ହଟାଇ ନପାରନ୍ତି ନବୀନ ।
ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି, ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଲାଲ ବିହାରୀ ହିମିରିକା ଓ ଏମଏସଏମଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ନିଜ ନିଜ ଗଡରେ ବିଫଳ ହୋଇଛନ୍ତି । ସାଧାରଣ ନିର୍ବାଚନକୁ  ୩ବର୍ଷ ବିତି ନଥିବାବେଳେ ଏହି ମନ୍ତ୍ରୀଙ୍କ ଅଞ୍ଚଳରେ ବିଜେଡି ଠାରୁ ମୁହଁ ଫେରାଇ ନେଲେ ଭୋଟର । ସେଥିପାଇଁ ନବୀନ ଏହି ମନ୍ତ୍ରୀମାନଙ୍କୁ ବିଦା କରିବାକୁ ନିଷ୍ପତ୍ତିି ନେଇଥିବା କୁହାଯାଉଛି । ଏପଟେ କିନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁରରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିଛି । କିନ୍ତୁ ମାଲକାନଗିରି ଓ ରାୟଗଡାରେ ଶାସକ ଦଳ ଚିତପଟାଙ୍ଗ ମାରିଛି । ଯଦିଓ ରାୟଗଡା ଉପଖଣ୍ଡରେ ବିଜେଡିର ପ୍ରଦର୍ଶନ ଭଲ ରହିଛି ତଥାପି ଜିଲ୍ଲାର ଗୁଣୁପୁର ଉପଖଣ୍ଡରେ ଦଳ ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଜୋନ୍୍ ଅକ୍ତିଆର କରିଛି । ଯାହାକୁ ନେଇ କ୍ୟାବିନେଟ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଅଛନ୍ତି ।  ଆଦିବାସୀ ବହୁଳ ଓଡିଶାରେ ଅନୁସୂଚିତ ଜାତି-ଜନଜାତି କଲ୍ୟାଣ ମନ୍ତ୍ରୀ ହିମିରିକାଙ୍କ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ବିଦା କରିବାକୁ ନବୀନ ମନସ୍ଥ କରିଥିବା କୁହାଯାଉଛି । ହିମିରାକଙ୍କ ସ୍ଥାନରେ ଅସନ୍ତୁଷ୍ଟ ଥିବା ବିଜେଡି ନେତା ଜୟରାମ ପାଙ୍ଗିଙ୍କ ପୁତୁରା ତଥା ପଟାଙ୍ଗୀ ବିଧାୟକ ପ୍ରଫୁଲ ପାଙ୍ଗିଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ।
ତେବେ ମନ୍ତ୍ରିମଣ୍ଡଳର ନବକଳେବର ଜାଣି ଅନେକ ଆଶାୟୀ ଏବେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ନବୀନନିବାସର ଆଡଭାଇଜରମାନଙ୍କ ପାଖରେ ଚକ୍କର କାଟୁଛନ୍ତି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କ୍ୟାପଟେନଙ୍କ ଅଙ୍କକଷା କହୁଛି ଅବିଭକ୍ତ କଳାହାଣ୍ଡି ଜିଲ୍ଲା କୋଟାରେ ପୁଷ୍ପେନ୍ଦ୍ରଙ୍କୁ ହଟାଇ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ । ସେହିପରି ଯୋଗେନ୍ଦ୍ର ବେହେରା ହଟିଲେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ମନ୍ତ୍ରୀ ହେବେ ବୋଲି ସ୍ୱପ୍ନ ଦେଖୁଛନ୍ତି । ପଶ୍ଚିମ ଓଡିଶା ତଥା ସଂଖ୍ୟାଲଘୁ ଫେସ୍୍ ଭାବେ ଆୟୁବ ଖାଁଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ତାଙ୍କ ପାଖ ଲୋକ କହି ବୁଲୁଛନ୍ତି । ଏପଟେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦରୁ ହଟାଯାଇ ତାଙ୍କ ସ୍ଥାନରେ ଉପମୁଖ୍ୟ ସଚେତକ ଥିବା ରୋହିତ ପୂଜାରୀଙ୍କୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା କୋଟାରେ ମନ୍ତ୍ରୀ ପଦ ମିଳିପାରେ । ସେହିପରି ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ବିଦା କଲା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିମ୍ବା ପ୍ରତାପ ଜେନା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦିଓ ବରିଷ୍ଠତା ଦୃଷ୍ଟିରୁ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପଛରେ ନାହାନ୍ତି ତଥାପି ଚିଟ୍ଫଣ୍ଡ ଠକେଇ ମାମଲାରେ ଫଶି ସେ ଜେଲ ଯାଇଥିବାରୁ ତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ବହୁତ କମ୍ । ସେହିପରି କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଦା ହେବା ପରେ ସରକାରରେ ଉତ୍ତର ଓଡିଶାର ପ୍ରତିନିଧିତ୍ୱ ବଜାୟ ରଖିବା ପାଇଁ ମୁଖ୍ୟ ସଚେତକ ଅନନ୍ତ ଦାସଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି ।

ONA

Leave a Reply

Top