You are here
Home > ଏକ୍ସକ୍ଲୁସିଭ୍ > ବଦଳିବ ବିଜେଡି ରଣନୀତି

ବଦଳିବ ବିଜେଡି ରଣନୀତି

ଲଗାତାର ୪ଟି ଟର୍ମ ରାଜ୍ୟ ଶାସନରେ ଥିବା ବିଜେଡି ତାର ରଣନୀତି ବଦଳାଇବ । ପୂର୍ବରୁ କୃଷକ ଓ ମହିଳା ଭୋଟ ଉପରେ ଭରସା କରୁଥିବା ବିଜେଡି ଏଥର ନୂଆ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇଛି । ସେଥିଲାଗି ବରପୁତ୍ର ମାନଙ୍କୁ ଆୟୁଧ କରି ସାମାଜିକକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛି । ସରକାରଙ୍କ ବିଭିନ୍ନ ଯାଜନାର ନାମକରଣରୁ ଏହାର ଆଭାସ ବି ମିଳିଛି । ତେବେ ଦଳର ଆସନ୍ତା ପ୍ରତିଷ୍ଠା ଦିବସରୁ ଏହାର ରୁପରେଖକୁ ଆହୁରି ଶାଣିତ କରିବାକୁ ବ୍ଲୁ-ପ୍ରିଣ୍ଟ ତିଆରି କରିଛି ଦଳ ।
ଭୁବନେଶ୍ୱର: ଆଉ ମାସକ ପରେ ୨୦ତମ ଜନ୍ମଦିନ ପାଳିବ ବିଜେଡି । ଆଉ ଏହି ଦିନରୁ ବିଜୁ ଜନତା ଦଳ(ବିଜେଡି) ନିଜର ରଣନୀତିରେ ପରିବର୍ତନ କରିବା ପାଇଁ ନିଷ୍ପତି ନେଇଛି । ଦେଶର ଏକ ପ୍ରମୁଖ ଆଞ୍ଚଳିକ ଦଳ ଭାବେ ପରିଗଣିତ ହେଉଥିବା ବିଜେଡି ଏବେ ରାଜ୍ୟରେ ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ନିଜର ସାମାଜିକୀକରଣ ଭାବମୂର୍ତି ଉପରେ ଗୁରୁତ୍ୱ ଦେଇଛି । ଆଉ ସେହି ରଣନୀତି ଉପରେ କାର୍ଯ୍ୟ କରୁଛି ।
ବିଜୁ ପଟ୍ଟନାୟକଙ୍କ ନାଁରେ ପ୍ରତିଷ୍ଠିତ ଏହି ଦଳ ଦୀର୍ଘ ସାଢ଼େ ୧୭ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଛି । ବିଜୁଙ୍କ ନାଁରେ ଏକ ଡଜନରୁ ଊଦ୍ଧ୍ୱର୍ ସରକାରୀ ଯୋଜନା ଘୋଷଣା କରି ବିରୋଧୀ ଦଳଙ୍କ ଦ୍ୱାରା ସମାଲୋଚିତ ହେବା ପରେ ରାଜ୍ୟର ଅନ୍ୟ ଦୁଇ ବରପୁତ୍ର ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ନାଁରେ ସରକାରୀ ଯୋଜନା କରି ଚୁପ୍ ବସିଥିଲା । ଏବେ ଗତ କିଛି ମାସ ହେଲା ରାଜ୍ୟର ଅନ୍ୟ ବରପୁତ୍ର ଯଥା ଭୀମ ଭୋଇ, ଗଙ୍ଗାଧର ମେହେର, ଶହୀଦ ଲକ୍ଷ୍ମଣ ନାୟକ, ପଣ୍ଡିତ ରଘୁନାଥ ମୁର୍ମୁ, ପାର୍ବତୀ ଗିରି ଓ ନବକୃଷ୍ଣ ଚୌଧୁରୀଙ୍କ ନାଁରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ନାମିତ କରି ନିଜକୁ ‘ବିଜୁ ବଳୟରୁ’ ଊଦ୍ଧ୍ୱର୍ରେ ବୋଲି ସନ୍ଦେଶ ଦେଇଛି । ଖୁବଶୀଘ୍ର ଆଉ କିଛି ବରପୁତ୍ରଙ୍କ ନାଁରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମ ଓ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଜଣାପଡ଼ିଛି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୁବାବୁଙ୍କ ନାଁରେ ପ୍ରତିଷ୍ଠିତ ହୋଇଥିବା ବିଜେଡି ଏବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ବ୍ରାଣ୍ଡ୍’୍କୁ ଆଗକୁ ବଢ଼ାଇବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି । ବିଜୁଙ୍କ ନାଁରେ ରାଜ୍ୟବାସୀଙ୍କ ଭାବାବେଗକୁ ନିଜ ଆଡ଼କୁ ଆକର୍ଷିତ କରି ନବୀନଙ୍କ ଭାବମୂର୍ତି ଆଧାରରେ ୪ଥର ନିର୍ବାଚନ ଜିଣିବା ପରେ ଏବେ ସେହି ରଣନୀତିରେ ପରିବର୍ତନର ଆବଶ୍ୟକତା ଥିବା ଅନୁଭବ କରିଛି । ରାଜ୍ୟରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଉଭା ହୋଇଥିବାବେଳେ ବିଜୁଙ୍କ ନାଁକୁ ଧରି ରାଜ୍ୟ ବିଜେପି ମଧ୍ୟ ଲୋକଙ୍କ ଭାବାବେଗକୁ ନିଜ ଆଡ଼କୁ ନେବାକୁ ପ୍ରୟାସ କରୁଛି । ଓଡ଼ିଶା ରାଜନୀତିରେ ବିଜୁବାବୁଙ୍କ ତୁଳନାରେ ତାଙ୍କ ପୁଅ ନବୀନ ଅଧିକ ଦିନ କ୍ଷମତାରେ ରହିବାରେ ସକ୍ଷମ ହୋଇଛନ୍ତି । ବିଜେଡିର ଥିଙ୍କ୍ଟ୍ୟାଙ୍କ୍ମାନେ ଏବେ ନବୀନଙ୍କୁ ଜଣେ ‘ଜନନେତା’ ଭାବେ ଉପସ୍ଥାପିତ କରିବା ପାଇଁ ରଣନୀତି ଦିଗରେ କାମ କରୁଛନ୍ତି । ଶିଶୁ ଦିବସରେ ପିଲାଙ୍କ ସହ ମନଖୋଲା ହସ ହେଉ ଅବା ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ବିଦାୟବେଳେ ବୃଦ୍ଧବୃଦ୍ଧାଙ୍କ ସହ ନବୀନଙ୍କ ଭାବ ବିନିମୟ ମାଧ୍ୟମରେ ବିଜେଡି ଏବେ ନବୀନ ବ୍ରାଣ୍ଡ୍କୁ ଆଗକୁ ନେବା ଉଦ୍ୟମ କରିଛି । ଓଡ଼ିଶାରେ ଜାତିଗତ ରାଜନୀତି ଫର୍ମୂଲା କାମ ଦେବନି ବୋଲି ଭଲଭାବେ ଜାଣିଥିବା ବିଜେଡି ଏବେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏବେଠୁ ବିଭିନ୍ନ ଫୋରମ୍ ମାଧ୍ୟମରେ ତୃଣମୂଳସ୍ତରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି । କେବଳ ନବୀନଙ୍କ ଭାବମୂର୍ତି ଉପରେ ଭରସା କରି ନିର୍ବାଚନ ଜିଣିବାର ରିସ୍କ ନେବାକୁ ବିଜେଡି ଆଉ ଚାହୁଁନି । କେନ୍ଦ୍ରରେ କ୍ଷମତାସୀନ ବିଜେପିର ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ରଣନୀତିକୁ ମାତ୍ ଦେବା ପାଇଁ ଏହି ବିକଳ୍ପ ମାର୍ଗକୁ ବିଜେଡି ଚୟନ କରିଥିବା ଜଣାପଡ଼ିଛି । ସିବିଆଇ ମାଧ୍ୟମରେ ନବୀନଙ୍କ ଭାବମୂର୍ତିକୁ ଧୂମିଳ କରିବାର ଆଶଙ୍କା ବିଜେଡିକୁ ଘାରିଛି । କାଳେ ସେଭଳି କୌଣସି ସମ୍ଭାବନା ଉପରେ ବିଜେପି ଫୋକ୍ସ କରି ରାଜ୍ୟରେ କ୍ଷମତାସୀନ ହେବାକୁ ଉଦ୍ୟମ କରିପାରେ, ସେଇଥିପାଇଁ ବିଜେଡି ଏବେଠୁ ନିଜର ବ୍ୟାକ୍ଅପ୍ ପ୍ଲାନ୍ କରିଛି । ଯେଉଁଥିରେ ଦଳ ଏବେ ରାଜ୍ୟର ସବୁ ବର୍ଗ ଓ ସବୁ ଅଚଂଳର ଭାବାବେଗ ସହ ଜଡ଼ିତ ଥିବା କିଛି ବରପୁତ୍ରଙ୍କ ନାଁରେ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇ ନିଜର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବାରେ ଲାଗିଛି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାଁରେ ସ୍କିମ୍ ଆଣି ବୁଣାକାର ସମୁଦାୟ, ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାଁରେ ଯୋଜନା ମାଧ୍ୟମରେ ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବନା ସହ ଜଡ଼ିତ ହେବାକୁ ଚେଷ୍ଟା କରିଥିବାବେଳେ ଶହୀଦ ଲକ୍ଷ୍ମଣ ନାୟକ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ମେଡିକାଲ କଲେଜକୁ ଉତ୍ସର୍ଗ କରି ଆଦିବାସୀ ସମୁଦାୟ ଏବଂ ନବକୃଷ୍ଣ ଚୌଧୁରୀଙ୍କ ନାମରେ ଜଳସେଚନ ଯୋଜନା କରି ଉପକୂଳ ଓଡ଼ିଶାର ଲୋକଙ୍କ ହୃଦୟକୁ ଜିଣିବାକୁ ଲକ୍ଷ୍ୟ ରଖିଛି । ଆଗାମୀ ଦିନରେ ଉତର ଓଡ଼ିଶାର କିଛି ବରପୁତ୍ରଙ୍କ ନାଁରେ ସ୍କିମ୍ କରିବାର ଲକ୍ଷ୍ୟ ରହିଛି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳ ଏବେ ନିଜର ବିଭିନ୍ନ ୱିଙ୍ଗ୍ ଗଠନ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିଛି । ଦଳ ବୁଦ୍ଧିଜୀବୀ ଫୋରମ୍, ବିଜୁ ଯୁବ ବାହିନୀ, ସାଂସ୍କୃତିକ ଫୋରମ୍ ଓ ସାହିତ୍ୟିକ ଫୋରମ୍ ଆଦି ଗଠନ ମାଧ୍ୟମରେ ଅଧିକ ସମଭାବାପନ୍ନ ଲୋକଙ୍କୁ ବିଜେଡି ସହ ଜଡ଼ିତ କରିବା ଦିଗରେ କାର୍ଯ୍ୟ କରୁଛି ।ଏ ଦିଗରେ ଦଳ ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିସାରିଛି । ସାହିତ୍ୟିକ ମାନଙ୍କୁ ଏକାଠି କରିବା ଲାଗି ଦଳର ଜମେ ପୂର୍ବତନ ମନ୍ତ୍ରୀ ତଥା ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାରି ଭିତରେ ରାୟଗଡା ଓ ଭଦ୍ରକରେ ସାହିତ୍ୟିିକ ମାନଙ୍କୁ ଏକାଠି କରିବାକୁ ଦୁଇ ଦୁଇଟି ସଭା ବି ଆୟୋଜିତ ହୋଇସାରିଛି । ଏହା ସହ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ସରକାର ଯୁବ ସ୍ୱେଛାସେବୀ ବାଛିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମି ଦିନରେ ସେଇ ଯୁବକ ମାନଙ୍କୁ ସରକାରୀ ଟ୍ୟାଗ ଦେବେ । ଆଉ ସେଇ ସମାନ ଫର୍ମାଟରେ ସେଇ ଯୁବକ ମାନଙ୍କୁ ନେଇ ଦଳ ଗଠନ କରିବ ବିଜୁ ଯୁବ ବାହିନୀ । ନୂଆ କରି ଏହି ବିଭାଗ ସମ୍ଭାଳୁଥିବା ଜଣେ ମନ୍ତ୍ରୀ କୁଆଡେ ଏହି ଦାୟିତ୍ୱରେ ରହିବେ ।
ତେବେ ଏତେ ସବୁ ଯାଜନାର ସଠିକ ରୂପାୟନ ନେଇ ସବୁ ପ୍ରକାର ତର୍ଜମା ହୋଇ ସାରିଥିବା ସୂଚନା ମିଳିଛି । ଡିସେମ୍ବର ୨୬ତାରିଖରେ ପୁରୀରେ ଦଳର ପ୍ରତିଷ୍ଠା ଦିବସକୁ ଭବ୍ୟ ଆକାରରେ ପାଳନ କରିବ । ଆଉ ସେଇଦିନ ହିଁ ଏହି ସବୁ ଫୋରମ୍କୁ ଆତ୍ମପ୍ରକାଶ କରାଇବ ବୋଲି ସୂଚନା ମିଳିଛି । ତେବେ ବିଜେଡିର ଏହି ବିଳମ୍ବିତ ସାମାଜିକୀକରଣ ରଣନୀତି ଦଳକୁ ଆଗାମୀ ନିର୍ବାଚନରେ କେତେ ସଫଳ କରାଉଛି ତାହା ଉପରେ ସମସ୍ତଙ୍କ ନଜର ।ô

ONA

Leave a Reply

Top