You are here
Home > ଅଧିକ ଖବର > ବଦଳିବେ ମାନ୍ୟବାର

ବଦଳିବେ ମାନ୍ୟବାର

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ପଞ୍ଚାୟତ ନିର୍ବାଚରେ ବ୍ୟାକଫୁଟରେ ଥିବା ବିଜୁ ଜନତା ଦଳ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍କାନରରେ । ଏହାର ସମୀକ୍ଷା ପାଇଁ ନିଦେ୍ର୍ଦଶ ସହ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସଙ୍କେତ ଦେଇ ସାରିଛନ୍ତି ନବୀନ । କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ଦେବଗଡ ଜିଲ୍ଲାରେ ବିଜେପି ବାଜିମାତ୍ କରିବା ପାଇଁ ଧାନର ଅଭାବୀ ବିକ୍ରିକୁ ଦାୟୀ କଲେ ମନ୍ତ୍ରୀ ଓ ବିଜେଡି ବିଧାୟକ । ଆଉ ସବୁ କଳଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ମୁଣ୍ଡରେ ବୋଲିଲେ । ଏପରିକି ବିଧାନସଭାରେ ମନ୍ତ୍ରୀ ଦାସବର୍ମାଙ୍କୁ ଖୋଲାଖୋଲି ଭାବେ ବିରୋଧ କଲେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମିଲରମାନଙ୍କ ଦଲାଲୀ ଯୋଗୁ ଚାଷୀ ହନ୍ତସନ୍ତ, ଯାହାର ଫଳ ବିଜେଡି ଭୋଗିଲା ବୋଲି ଏମାନେ ବିଧାନସଭାରେ ମନ୍ତ୍ରୀ ଦାସବର୍ମାଙ୍କୁ ଘେରିଲେ । ଅବଶ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାୟକ ସଞ୍ଜୟଙ୍କୁ ଯେଉଁ ଖାଦ୍ୟ ଯୋଗାଣ ବିଭାଗ ମିଳିଲା, ସେ ସଂପର୍କରେ ବୁଝିବାକୁ ହୁଏତ ତାଙ୍କ ପାଖରେ ସୁଯୋଗ ନଥିଲା । କାରଣ ବ୍ରହ୍ମଗିରିରେ ଧାନ ଅପେକ୍ଷା ଚିଙ୍ଗୁଡି ଚାଷ ଅଧିକ ହୁଏ ।
ଧାନ ଅମଳ ପାଇଁ ପଶ୍ଚିମ ଓଡିଶା ପ୍ରକୃତ ପେଣ୍ଠ । ଧାନର ଅଭାବୀ ବିକ୍ରୀ ପଶ୍ଚିମ ଓଡିଶାରେ ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟର ମୂଳକାରଣ । ତେଣୁ ସ୍ଥିତି ସୁଧାରିବା ପାଇଁ ନାଲିବତି ଗାଡିରେ ବଡଧରଣର ଅଦଳବଦଳର ଆବଶ୍ୟକ ଅନୁଭବ କଲେଣି ବିଜେଡି ସୁପ୍ରିମୋ ନବୀନ । ଶୁଣିବାକୁ ମିଳିଛି, ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବାଚସ୍ପତି ପଦ ଯାଇପାରେ । ମାନ୍ୟବର ବାଚସ୍ପତିଙ୍କ ସ୍ଥାନରେ ତାଙ୍କୁ ମିଳିପାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଦ । ପୂର୍ବରୁ ଅବକାରୀ, ଶ୍ରମ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଳାଇଥିବା ନିରଞ୍ଜନ ଧାନ ଉତ୍ପାଦନ ଅଞ୍ଚଳ ପଶ୍ଚିମ ଓଡିଶାରୁ ଆସୁଛନ୍ତି । ଯେହେତୁ ସେ ପଶ୍ଚିମ ଓଡିଶା ବାସିନ୍ଦା, ଧାନ ଅମଳ ଓ ବିକ୍ରି ସଂପର୍କରେ ଭଲ ଭାବେ ବୁଝି ପାରିବେ ବୋଲି ସଞ୍ଜୟଙ୍କ ସ୍ଥାନ ନେଇ ପାରନ୍ତି ।
ଏମିତି ବି ବିଧାନସଭା ପରିଚାଳନାକୁ ନେଇ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଭୂମିକାକୁ ମଧ୍ୟ ଶାସକ ଓ ବିରୋଧୀ ଦଳ ସମାଲୋଚନା କରି ଆସୁଛନ୍ତି । ଚର୍ଚ୍ଚା ହେଉଛି, ଗୃହରେ ତାଙ୍କ ନିଷ୍ପତ୍ତି ଯୋଗୁ ଶାସକ-ବିରୋଧୀଙ୍କ ମଧ୍ୟରେ ସମନ୍ୱୟ ରହୁନି । ଚିଟଫଣ୍ଡ, କୋଇଲା, ଖଣି ଦୁର୍ନୀତି, ପୂର୍ବତନ ଡିଜି ପୋଲିସ ପ୍ରକାଶ ମିଶ୍ର ଘଟଣା ଉପରେ ଆଲୋଚନା ନ କରାଇବାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ନିରଞ୍ଜନ । ଏପରି ଆଚରଣ ଯୋଗୁ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇ ପାରୁନି । ବିରୋଧୀ ଦଳ ନେତା ଓ ବରିଷ୍ଠ ଦାମୋଦର ରାଉତ ମଧ୍ୟ ବାଚସ୍ପତିଙ୍କ ନିରପକ୍ଷତା ଉପରେ ଅନେକ ଥର ପ୍ରଶ୍ନ କରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ନିରଞ୍ଜନଙ୍କ ସ୍ଥାନରେ କିଏ ହେବେ ବାଚସ୍ପତି? ଏପରିସ୍ଥିତିରେ ୨ଜଣ ଅଭିଜ୍ଞ ବିଧାୟକଙ୍କ ନାଁ ଆଗକୁ ଆସୁଛି । ପ୍ରଥମ ନାଁ ହେଉଛି ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କର । ମହେଶ୍ୱର ୨୦୦୪ରେ ମଧ୍ୟ ବାଚସ୍ପତି ଥିଲେ । ଅବଶ୍ୟ ବାଚସ୍ପତି ଭାବେ ମହେଶ୍ୱର ମହାନ୍ତି ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି । ଗୃହ ପରିଚାଳନା ପାଇଁ ସେ ବିରୋଧୀ ଓ ଶାସକଙ୍କୁ ସମାନ ସୁଯୋଗ ଦେଉଥିଲେ । ଆଇନଜୀବୀ ମହେଶ୍ୱରଙ୍କ ସଂସଦୀୟ ପରମ୍ପରାରେ ମଧ୍ୟ ରହିଛି ୨୨ବର୍ଷର ଅଭିଜ୍ଞତା । କିନ୍ତୁ ପୁରୀ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ସହ ବିଧାନସଭା ଲେଡି ମାର୍ସଲ୍ ଗାୟତ୍ରୀ ପଣ୍ଡା ଯୌନ ଶୋଷଣ ଘଟଣାରେ ମହେଶ୍ୱରଙ୍କ ଭୂମିକା ଏବେବି ଚର୍ଚ୍ଚାରେ । ତେବେ ଦୁଇଟି କାରଣରୁ ସେ ବାଚସ୍ପତି ହେବା ପାଇଁ ଯୋଗ୍ୟ । ପ୍ରଥମେ ତାଙ୍କ ଦକ୍ଷତା ଆଉ ଦ୍ୱିତୀୟ ହେଉଛି ପୁରୀ ଜିଲ୍ଲାରେ ସମନ୍ୱୟ । ଯେହେତୁ ଖାଦ୍ୟ ଯୋଗାଣ ବିଭାଗ ପୁରୀ ଜିଲ୍ଲାର ବ୍ରହ୍ମଗିରିରୁ ସୁବର୍ଣ୍ଣପୁର ଯାଇପାରେ, ବଦଳ ପ୍ରକ୍ରିୟାରେ ସୁବର୍ଣ୍ଣପୁରରୁ ବାଚସ୍ପତି ପଦ ପୁରୀ ଆସିଲେ ମହେଶ୍ୱର ମାନ୍ୟବର ପଦ ପାଇ ପାରନ୍ତି ।    
ଅନ୍ୟପଟେ ଏପରି ବି ଚର୍ଚ୍ଚା ହେଉଛି, ବଡଚଣା ବିଧାୟକ ତଥା ବିଜେଡି ମୁଖପାତ୍ର ଅମର ଶତପଥୀ ବି ହୋଇ ପାରନ୍ତି ବାଚସ୍ପତି । କାରଣ ସେ ମଧ୍ୟ ଗୃହ ପରିଚାଳନା ଓ ସଂସଦୀୟ ଜ୍ଞାନରେ ପରିପୂର୍ଣ୍ଣ । ପୂର୍ବତନ କୃଷିମନ୍ତ୍ରୀ ଅମର ଶତପଥୀଙ୍କ ବିରୋଧରେ ବିହନ ଦୁର୍ନୀତି ଅଭିଯୋଗ ଉଠିବାରୁ, ସେ ମନ୍ତ୍ରୀ ପଦ ହରାଇଥିଲେ । ହେଲେ ଗୃହରେ ବିଜେଡି ପାଇଁ ସେ ଜଣେ ଦକ୍ଷ ସିପାହୀ । ହୁଏତ ଦଳ ଅମରଙ୍କୁ କେବେବି ହାତଛଡା କରିବାକୁ ଚାହିଁବନି । କାରଣ ବିରୋଧୀଙ୍କ ତଥ୍ୟ ଓ ଇଂରାଜୀ ବାଣକୁ ଯଦି ଶାସକ ଦଳର କେହି ତଥ୍ୟଭିତ୍ତିକ ସାମ୍ନା କରି ଉପସ୍ଥାପନ କରି ପାରନ୍ତି, ସେ ହେଉଛନ୍ତି ଅମର ଶତପଥୀ ।
ତେବେ ସବୁଠାରୁ ବଡ ସାମ୍ବିଧାନିକ ପଦ, ବାଚସ୍ପତି ହେବା ପରେ କେହି ଆଉ ମନ୍ତ୍ରୀ ହେବା ରାଜନୈତିକ ପାଣିପାଗ ପାଇଁ ଠିକ୍ ନୁହେଁ । ଲୋକସଭାରେ ଓଡିଶାର ଏକମାତ୍ର ବାଚସ୍ପତି ଥିବା ସ୍ୱର୍ଗତ ରବି ରାୟ ଏହାର ଜ୍ୱଳନ୍ତ ଉଦାହରଣ । ସେଥିପାଇଁ ଜନତା ଦଳର ସଂଖ୍ୟା ଗରିଷ୍ଠତା ନଥାଇ ମଧ୍ୟ ରବି ରାୟଙ୍କୁ ବି.ପି ସିଂହ ଓ ଚନ୍ଦ୍ରଶେଖରଙ୍କ ସରକାରରେ ବାଚସ୍ପତି ପଦ ମିଳିଥିଲା । ଏପରିକି ଦଳୀୟ ରାଜନୀତିରୁ ଉର୍ଦ୍ଧକୁ ଯାଇ ସିପିଏମ ନେତା ସୋମନାଥ ଚାଟାର୍ଜୀ ମାନ୍ୟବର ବାଚସ୍ପତି ପଦର ଗରିମା ବଜାୟ ରଖିବା ଲାଗି ନିଜେ ଦଳରୁ ବିଦା ହେବାକୁ ପସନ୍ଦ କରିଥିଲେ । କିନ୍ତୁ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ପରି ନେତା ଏହାର ବିପରିତ । ଲୋକସଭା ବାଚସ୍ପତି ହେବା କେନ୍ଦ୍ର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କଲେ । ଓଡିଶାରେ ତ ମହେଶ୍ୱର ମହାନ୍ତିଙ୍କ ଠାରୁ ଆରମ୍ଭ କରି ପ୍ରଦୀପ ଅମାତ ଓ କିଶୋର ପଟେଲ ବାଚସ୍ପତି ହେବା ପରେ ପୁଣି ମନ୍ତ୍ରିମଣ୍ଡଳକୁ ଫେରିବାର ନଜିର ରହିଛି । ଯେଉଁଥି ପାଇଁ ଗୃହର ନିରପେକ୍ଷ ବାଚସ୍ପତି ପଦକୁ ଏବେ ଶାସକ ଦଳ ହାତବାରିଶ ବୋଲି କୁହାଯାଉଛି ।

ONA

Leave a Reply

Top