You are here
Home > ଅଧିକ ଖବର > ବଞ୍ଚେଇ ଦେଲେ ପ୍ରାଚୀ

ବଞ୍ଚେଇ ଦେଲେ ପ୍ରାଚୀ

ଭୁବନେଶ୍ୱର: ବିଜୁ ଜନତା ଦଳର ଭେଟେରାନ୍ ନେତାଙ୍କ ମଧ୍ୟରେ କ୍ଷମତା ପାଇଁ କନ୍ଦଳ ବଢିବାକୁ ଲାଗୁଛି । ଖାସ୍ କରି ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଓ ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତଙ୍କ ଭିତରେ ଲଢେଇ ତ ମୁହାଁମୁହିଁ । ୨୦୧୪ ନିର୍ବାଚନ ପରେ ମନ୍ତ୍ରୀ ହୋଇ ପାରିନଥିବା ଆନ୍ନା ଓରଫ ସୂର୍ଯ୍ୟ ପାତ୍ର କେଉଁଠି ନା କେଉଁଠି ଅସନ୍ତୁଷ୍ଟ ଅଛନ୍ତି । ବିଚକ୍ଷଣ ସୂର୍ଯ୍ୟ ବାବୁ ଜାଣନ୍ତି ଯୁବ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଫାଇଦା ନାହିଁ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ଥିବା ଅବକାରୀ ମନ୍ତ୍ରୀଙ୍କୁ ଟାର୍ଗେଟ ପାଇଁ ଠିକ୍ ହେବେ । ସେଥିପାଇଁ ବିଭିନ୍ନ ସମୟରେ ଏହି ଦୁଇ ବରିଷ୍ଠଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତାନ୍ତର ସୀମା ଲଙ୍ଘୁଛି । ଏପରିକି ବିଧାନସଭାରେ ସେମାନଙ୍କ ମଧ୍ୟରେ କଥାକଟିର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ବିଧାନସଭାରେ ଲିଖିତ ପ୍ରଶ୍ନ ପଚାରି ଦାମ ବାବୁଙ୍କୁ ଚେକ୍ ଦେବାକୁ ଆନ୍ନା ଚେଷ୍ଟା କରୁଛନ୍ତି । ଆଉ ମାଧ୍ୟମ ବାଛିଛନ୍ତି ରାଜଧାନୀର ତାରକା ହୋଟେଲ ଗୁଡିକୁ । ଭୁବନେଶ୍ୱର ୟୁନିଟ-୩ରେ ଥିବା “ହୋଟେଲ ନୁ୍ୟ ମାରିୟନ୍” ଉପରେ କେଜାଣି କେଉଁ ପୁରୁଣା ରାଗ ଶୁଝାଉଛନ୍ତି ଆନ୍ନା ।
ରାମ ମନ୍ଦିର ସାମ୍ନାରେ ଥିବା “ହୋଟେଲ ନୁ୍ୟ ମାରିୟନ୍”ରେ କାହିଁକି ମଦ୍ୟପାନ ସୁବିଧା ଦିଆଯାଇଛି, ତାକୁ ନେଇ ଅବକାରୀ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଆନ୍ନା । ଅବଶ୍ୟ ପ୍ରଶ୍ନ ଠିକ୍! କାରଣ ହୋଟେଲ ନୁ୍ୟ ମାରିୟନ୍ ଗେଟ୍ ସାମ୍ନାରେ ରାମ ମନ୍ଦିର ଓ ସେଣ୍ଟ ଯୋସେଫ୍ ସ୍କୁଲ । ନିୟମ ଅନୁସାରେ, ଶିକ୍ଷାନୁଷ୍ଠାନ ଓ ମନ୍ଦିର ପରିସୀମା ଠାରୁ ୫୦୦ ମିଟର ଭିତରେ ମଦ ବିକ୍ରି କରାଯାଇପାରିବ ନାହିଁ । ହେଲେ ସେହି ଅବକାରୀ ନିୟମରେ ଏକ କୋହଳ ଦିଗ ବି ରହିଛି । ବିଶେଷ କାରଣରୁ ମନ୍ଦିର ଓ ସ୍କୁଲ ପାଖରେ ଥିବା ସତ୍ତ୍ୱେ, ପାଖରେ ମଦ ମିଳି ପାରିବ । ଆଉ ହୋଟେଲ ନୁ୍୍ୟ ମାରିୟନ୍ କଥା ଅଲଗା । ରାମ ମନ୍ଦିର ନିର୍ମାଣ ହେବା ପୂର୍ବରୁ ହୋଟେଲ ନୁ୍ୟ ମାରିୟନ୍ ସ୍ଥାନରେ “ହୋଟେଲ ପ୍ରାଚୀ” ଥିଲା । ସେ ସମୟରେ “ହୋଟେଲ ପ୍ରାଚୀ”କୁ ମଦ ବାର୍ ଲାଇସେନସ୍ ମିଳିଥିଲା । ୨୦୦୦ ମସିହାରେ ଏହାକୁ ଲାଲଚାନ୍ଦ ଗ୍ରୁପ କିଣି ହୋଟେଲ “ନୁ୍ୟ ମାରିୟନ୍”ର ନାଁ ଦେଇଥିଲା । ହେଲେ ହୋଟେଲ ଭିତର ସମାନ । ବାର୍ ଲାଇସେନସ୍ କେବଳ ଟ୍ରାନସଫର ହେଲା । ଯେଉଁଥିପାଇଁ ରାମ ମନ୍ଦିର ସାମ୍ନ୍ନାରେ ଥିବା ସତ୍ତ୍ୱେ, ହୋଟେଲ ନୁ୍ୟ ମାରିୟନ୍ର ବାର୍ ଲାଇସେନସ୍ ରଦ୍ଦ କରିହେବନି ବୋଲି ଆନ୍ନାଙ୍କୁ ଲିଖିତ ଉତ୍ତର ଦେଲେ ଅବକାରୀ ମନ୍ତ୍ରୀ ଦାମ ବାବୁ ।
ଆନ୍ନାଙ୍କ ଏପରି ପ୍ରଶ୍ନ ଅନେକଙ୍କୁ ଚକିତ କଲା । କାରଣ ପୁରୁଣା ହୋଟେଲର ବାର୍ ଲାଇସେନସ୍ କଥା ପଚାରିଲେ । ହେଲେ ହୋଟେଲ କଡରେ ନୂଆ କରି ଗଢି ଉଠିଥିବା ମଦ ଦୋକାନ ଉଠାଇବା ନେଇ କିଛି ପ୍ରଶ୍ନ କଲେନି ଆନ୍ନା । ଶୁଣିବାକୁ ମିଳିଛି, ହୋଟେଲ ନୁ୍ୟ ମାରିୟନ୍ ମାଲିକଙ୍କ ଉପରେ ଆନ୍ନା ଖପ୍ପା । କୁଆଡେ ହୋଟେଲ ମାଲିକଙ୍କ ସୁନା ଗହଣା ଦୋକାନରେ ଆନ୍ନାଙ୍କ ସଂପର୍କୀୟଙ୍କୁ ସ୍ୱତନ୍ତ୍ର ରିିହାତି ମିଳିଲା ନାହିଁ । ପୁଣି ପୂର୍ବତନ ରାଜସ୍ୱ ମନ୍ତ୍ରୀ ଆନ୍ନାଙ୍କ ପରିଚୟ ବି କିଛି କାମ ଦେଲା ନାହିଁ । ସମସ୍ତେ ଜାଣନ୍ତି ଦକ୍ଷିଣ ଓଡିଶାବାସୀଙ୍କ ସୁନାଗହଣା ପ୍ରତି ଦୁର୍ବଳତା ରହିଛି । ହେଲେ ସୁଲଭ ମୂଲ୍ୟରେ ନେବାକୁ ଇଚ୍ଛା ସମସ୍ତଙ୍କର । କିନ୍ତୁ ଆନ୍ନାଙ୍କ ପରିଚୟ ଦେଇ ବି ଲାଲଚାନ୍ଦରେ ରିହାତି ନ ମିଳିବା ଘଟଣା ଆନ୍ନାଙ୍କ ଇଜ୍ଜତ ମହତ ପକାଇ ଦେଲା । କେଉଁ ଆଡେ ଲାଲଚାନ୍ଦକୁ ପାନେ ଦେବାକୁ ଆନ୍ନା ଏହି ପଇଁତରା ଆପଣେଇଲେ । ହେଲେ ଫ୍ଲପ୍ ମାରି ଗଲା ଶାସକ ଦଳର ମୁଖପାତ୍ରଙ୍କର । କେହି କେହି ତ ଏପରି ବି କହୁଛନ୍ତି ଯେ ବିମୁଦ୍ରାକରଣ ସମୟରେ ସୁନାକୁ ନେଇ ଆନ୍ନା ଓ ଲାଲଚାନ୍ଦଙ୍କ ମଧ୍ୟରେ ବୋଧେ ବିବାଦ ଉପୁଜିଛି ।

ONA

Leave a Reply

Top