You are here
Home > ଅଧିକ ଖବର > ପ୍ରସାଦଙ୍କ ଡୁଆଲ ଗେମ୍ !

ପ୍ରସାଦଙ୍କ ଡୁଆଲ ଗେମ୍ !

ଭୁବନେଶ୍ୱର: ହାତରୁ ଗଲା ପଞ୍ଚାୟତ । ପାଦେ ଆଗେଇଲା ବିଜେପି । ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପରିବାର ହାତକୁ ବାଏ ବାଏ କଲେ । ରାଜ୍ୟରେ ଦିନକୁ ଦିନ କଂଗ୍ରେସ ରସାତଳଗାମୀ ହେଉଛି । ଏଥିପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ଲାଗି କଂଗ୍ରେସିଆଙ୍କ ଭିତରେ ଦାବି ଜୋର ଧରୁଛି । ଏନେଇ କେତେଥର ପଲ୍ଲୀରୁ ଦିଲ୍ଲୀ ଯାଏ ବଳ କଷାକଷି ହେଲେଣି ଦଳୀୟ ହେଭିୱେଟ୍ । ହେଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରସାଦଙ୍କ ନାଁ ଉପରୁ ମୋହର ଉଠୁ ନାହିଁ । ବୋଧେ ଏହି କାରଣରୁ ଦଳୀୟ ବରିଷ୍ଠ ନେତାଙ୍କ ବିରୋଧକୁ ପ୍ରସାଦ ଖାତିର କରୁନାହାନ୍ତି । ଆଉ ଯେଉଁମାନେ ନିରଂଜନ ପଟ୍ଟନାୟକଙ୍କ ସପକ୍ଷରେ ଦିଲ୍ଲୀ ଯାଇଥିଲେ, ସେମାନେ ବି କାନ ମୁଣ୍ଡା ଆଉଁସି ବସିଛନ୍ତି । ହେଲେ ପ୍ରସାଦଙ୍କ ଷ୍ଟ୍ରାଟେଜିର ଜବାବ ନାହିଁ ।
କଂଗ୍ରେସରେ ଫାଟର ବାର୍ତ୍ତାକୁ ମାତ୍ ଦେଇ ଦିଲ୍ଲୀରେ ହିରୋ ହେବାକୁ ପ୍ରସାଦଙ୍କର ଏବେ ମିଶନ୍ ବିଜେପୁର । କାହିଁକି ବିଜେପୁର ନେଇ ପ୍ରସାଦ ନିରବ, ତାକୁ ନେଇ ରାଜନୀତି ଜୋର । ହେଲେ ବିଦ୍ରୋହୀଙ୍କୁ ପାନେ ଚଖାଇବାକୁ ପ୍ରସାଦ କରିଛନ୍ତି ମାଷ୍ଟର ପ୍ଲାନ । ଏନେଇ ଅକ୍ଟୋବର ୨୬, ୨୦୧୭ରେ ବୈଠକ ଡକାଇଲେ ପ୍ରସାଦ । ପ୍ରସାଦଙ୍କ ବିରୋଧୀ ଓ ସମର୍ଥକ ଏକାଠି ବସିଲେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ । ଏ ଦୃଶ୍ୟ ଦେଖି ଲାଗିଲା ଯେପରି ଏବେ କଂଗ୍ରେସରେ ଅଲ୍ ଇଜ୍ ୱେଲ୍ । ହେଲେ ଅସଲ କାହାଣୀ ଭିନ୍ନ । ବିଜେପୁର ପାଇଁ ସିନା ଥିଲା ବୈଠକ । କିନ୍ତୁ ଏହା ମାଧ୍ୟମରେ ଦିଲ୍ଲୀକୁ ବାର୍ତ୍ତା ଗଲା ଯେ ପ୍ରସାଦ ଚାହୁଁଛନ୍ତି ଦଳ ଏକାଠି ରହୁ । ପୂର୍ବରୁ ହିଁ ପ୍ରସାଦ ମନ ସ୍ଥିର କରି ଦେଇଛନ୍ତି କାହାକୁ ଓ କାହିଁକି ବିଜେପୁର ଦାୟିତ୍ୱ ଦେବେ?
ପ୍ରସାଦଙ୍କ ସ୍ଥାନରେ ଯେଉଁ ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବେ ବୋଲି ଚର୍ଚ୍ଚା ହେଉଥିଲା, ତାଙ୍କୁ ନେଇ ହେଭି ସ୍କିମ କରିଛନ୍ତି ପ୍ରସାଦ । ଉପନିର୍ବାଚନ ପାଇଁ ବରପାଲ୍ଲୀ ବ୍ଲକ ଓ ଏନଏସି ଦାୟିତ୍ୱ ରହିବ ନିରଂଜନଙ୍କ ପାଖରେ । ଜଗନ୍ନାଥ ପଟ୍ଟନାୟକ ଓ କାହ୍ନୁ ଲେଙ୍କା ତାଙ୍କୁ ସହାୟତା କରିବେ ବୋଲି ଯୋଜନା ହୋଇଥିବା ଖବର ମିଳିଛି । ନିରଂଜନ ଓ ଜଗନ୍ନାଥ ହେଉଛନ୍ତି ପ୍ରସାଦଙ୍କ ଘୋର ବିରୋଧୀ ବୋଲି ଖବର ହାଟରେ ପଡି ଦାଣ୍ଡରେ ଗଡୁଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ । ଗାଈସିଲଟ ବ୍ଲକ ଜଗିବେ ଜୟଦେବ ଜେନା ଓ ବିଜେପୁର ଦାୟିତ୍ୱ ଶରତ ପଟ୍ଟନାୟକଙ୍କ ଉପରେ । ଦୂରରେ ରହି ମନିଟରିଂ କରିବେ ପ୍ରସାଦ ।
କିଛି ଖିଅ ନ ବାହାର କଲେ ଲାଗିବ ଯେ ଦଳର ବରିଷ୍ଠ ନେତାଙ୍କୁ ସମ୍ମାନ ଦେଇଛନ୍ତି ପ୍ରସାଦ । ହେଲେ ମଞ୍ଜି କଥା ଅଲଗା । ଶୁଣିବାକୁ ମିଳିଛି ଯେଉଁ ସବୁ ନେତାଙ୍କୁ ସେ ଦାୟିତ୍ୱ ଦେଇଛନ୍ତି, ସେମାନେ କେବେ ବି ପ୍ରସାଦଙ୍କ କଥା ଶୁଣନ୍ତି ନାହିଁ । ତେଣୁ ବହୁ ଭାବିଚିନ୍ତି ନିଜ ବିରୋଧୀଙ୍କୁ ସାବାଡ କରିବା ପାଇଁ ଏସବୁ ଦାୟିତ୍ୱ ଦେଇଛନ୍ତି ପୋଥି ବାଇଗଣ ପ୍ରସାଦ । ଯଦି ଦାୟିତ୍ୱ ମୁଣ୍ଡାଇବାକୁ ସଂପୃକ୍ତ ନେତାମାନେ ମନା କରିବେ, ସେମାନଙ୍କ କାରନାମା ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇବେ ପ୍ରସାଦ । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିବ ଯେ ଦାୟିତ୍ୱ ମାନିବାକୁ ବରିଷ୍ଠ ନେତାଏ ନାରାଜ । ଯାହା କଂଗ୍ରେସ ବିଭାଜନ ଓ ବିଜେପୁର ପତନର କାରଣ । ଏପରିକି ବିଜେପୁର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ଦଳ ଛାଡିବା ପଛରେ ବି ଏହି ବିଦ୍ରୋହୀଙ୍କ ହାତ ରହିଛି ବୋଲି ବି ହାଇକମାଣ୍ଡଙ୍କୁ କାନ ଫୁଙ୍କି ପାରନ୍ତି ପ୍ରସାଦ ।
ଅନ୍ୟପଟେ ଯଦି ପ୍ରସାଦଙ୍କ କଥାରେ ରାଜି ହୋଇ ବିଜେପୁର ଦାୟିତ୍ୱ ନିଅନ୍ତି ଏସବୁ ବରିଷ୍ଠ ନେତା, ପ୍ରସାଦଙ୍କୁ ଡବଲ ଫାଇଦା । କାରଣ ନିରଂଜନଙ୍କ ପରି କର୍ପୋରେଟ୍ ଷ୍ଟାଲୱାଟ୍ ବିଜେପୁର ଉପନିର୍ବାଚନରେ ଟଙ୍କା ପାଣି ପରି ଖର୍ଚ୍ଚ କରି ପାରନ୍ତି ତ ଅନ୍ୟ ପଟେ ରାହୁଲଙ୍କ ପାଖକୁ ବାର୍ତ୍ତା ଏପରି ଢଙ୍ଗରେ ଦିଆଯିବ ଯେପରି ପ୍ରସାଦଙ୍କ ନେତୃତ୍ୱରେ ସମସ୍ତେ ଖୁସ୍ । ଏହି ଡବଲ ଗେମ୍ର ଉଭୟ ପଟୁ ପ୍ରସାଦ ହିଁ ଲାଭବାନ ହେବେ । ସେପଟେ ପ୍ରସାଦଙ୍କ କଥା ମାନିବା ଅର୍ଥ ହେଉଛି, ନିଜେ ପକାଇଥିବା ଛେପକୁ ନିଜେ ଢୋକିବା! କାରଣ ଯେଉଁ ପ୍ରସାଦଙ୍କୁ ସେମାନେ ବିରୋଧ କରୁଥିଲେ, ତାଙ୍କ କଥା ମାନି ଆତ୍ମସମ୍ମାନ ହରାଇବା ଭଳି ହେବ । ଏ ସ୍ଥିତିରେ ଏମାନଙ୍କ ଯେତେ ଅପମାନଜନକ ଆକ୍ଷେପ ସହିଛନ୍ତି ପ୍ରସାଦ, ତାର ପ୍ରତିଶୋଧ ବିଜେପୁରରେ ନେବେ । ଆଉ ରାହୁଲଙ୍କ ଆଖିବୁଜା ସମର୍ଥନ ଯେ ପ୍ରସାଦଙ୍କ ପାଇଁ ଅଛି, ସେଥିରେ ସନ୍ଦେହ ନାହିଁ । ପ୍ରସାଦଙ୍କ ଏହି ରାଜନୀତି ଅଛପା ନଥିଲେ ବି ଦିଲ୍ଲୀ ଭୟ ଆଗରେ ସବୁ ହଜମ କରିବା ହିଁ ଠିକ୍ ବାଟ ବୋଲି କଂଗ୍ରେସିଆ ଆଲୋଚନା କରୁଛନ୍ତି ।

ONA

Leave a Reply

Top